News18 Odia Digital
ଭୁବନେଶ୍ୱର: ଚିନ୍ତା ବଢ଼ାଉଛି ସଡ଼କ ଦୁର୍ଘଟଣା ଓ ଏଥି ଜନିତ ଜୀବନହାନୀ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟର ଅଭାବକୁ ଦାୟୀ କରାଯାଉଥିବା ବେଳେ ଦୁର୍ଘଟଣା ରୋକିବାକୁ ଜାରି ରହିଛି ପ୍ରୟାସ । ନିୟମିତ ବ୍ୟବଧାନରେ ସମନ୍ବୟ ବୈଠକ ସହ ଭିତ୍ତିଭୂମିର ବିକାଶ ଉପରେ ଦିଆଯାଉଛି ଗୁରୁତ୍ତ୍ବ । ଦୁର୍ଘଟଣା ପ୍ରବଣ ଖୋର୍ଦ୍ଧା ଜିଲ୍ଲାରେ ସଚେତନତା ସୃଷ୍ଟି ସହିତ ଏନ୍ଫୋର୍ସମେଣ୍ଟ ଜରିଆରେ ସଡ଼କ ଦୁର୍ଘଟଣା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।
ରାଜ୍ୟରେ ସର୍ବାଧିକ ଦୁର୍ଘଟଣା ପ୍ରବଣ ଜିଲ୍ଲା ହେଉଛି ଖୋର୍ଦ୍ଧା । ୧୬ନମ୍ବର ଜାତୀୟ ରାଜପଥରେ ନିୟମିତ ବ୍ୟବଧାନରେ ଘଟୁଛି ସଡକ ଦୁର୍ଘଟଣା । ଯାହାକୁ ନେଇ ଖୋଦ୍ ସୁପ୍ରିମକୋର୍ଟ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି । ଜାତୀୟ ରାଜପଥରେ ଚିହ୍ନଟ ହୋଇଛି ଏକାଧିକ ବ୍ଲାକସ୍ପଟ । ବ୍ଲାକସ୍ପଟ ଚିହ୍ନଟ ପରେ ଦୁର୍ଘଟଣାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାରେ ରହିଛି ସମସ୍ୟା । ସେପଟେ ବିଭିନ୍ନ ବିଭାଗ ମଧ୍ୟରେ ଥିବା ସମନ୍ବୟର ଅଭାବ ସହିତ ଲୋକଙ୍କ ମଧ୍ୟରେ ଅବହେଳା ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ । ଯାହାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଡକ ସୁରକ୍ଷା ସମିତି ବୈଠକରେ ବିସ୍ତୁତ ଆଲୋଚନା ହୋଇଛି । ଜାତୀୟ ରାଜପଥର ମୁଖ୍ୟ ଭୂମିକା ଥିବା ବେଳେ ବୈଠକରେ ବିଭିନ୍ନ ବିଭାଗକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି।

ଚିହ୍ନଟ ବ୍ଲାକ ସ୍ପଟରେ ଲାଗିବ ସାଇନେଜ
"ଭୁବନେଶ୍ୱର ଏବେ ଆକ୍ସିଡେଣ୍ଟ ଯୋନ ପାଲଟିଛି। ଯାହା ଏବେ ଚିନ୍ତାର ବିଷୟ। ଏଣୁ କିଭଳି ଓଭର ବ୍ରିଜ ହେଉ କି ବ୍ଲାକ ସ୍ପଟ ହେଉ ଏଠି ଲୋକଙ୍କୁ ସଚେତନ କରିପାରିବା ସେ ନେଇ ବୈଠକ ବସିଥିଲା। ଲୋକଙ୍କୁ ସଚେତନ କରିବାର ଆଉରି ଆବଶ୍ୟକ ରହିଛି ବୋଲି ଯାହା ଅନୁଧ୍ୟାନ କରାଯାଉଛି,"କହିଛନ୍ତି ଭୁବନେଶ୍ୱର ଟ୍ରାଫିକ ଡିସିପି ଠାକୁର ପ୍ରସାଦ ପାତ୍ର।
ପୂର୍ବରୁ ଯେଉଁ ବୈଠକ ବସିଥିଲା ସେଥିରେ ଏନଏଚଆଇକୁ ୧୦ ଟି କାର୍ଯ୍ୟ ପ୍ରଥମେ କରିବାକୁ କୁହାଯାଇଥିଲା। ୯ ଟି କାର୍ଯ୍ୟ ସମାପନ ହୋଇଛି। ବାକି ଜେବ୍ରା କ୍ରସିଂ ଉପରେ ଲୋକଙ୍କୁ ଆଉରି ସଚେତନ କରିବାର ଅଛି। ବ୍ଲାକ ସ୍ପଟ ଚିହ୍ନଟ ସାଙ୍ଗକୁ ସାଇନେଜ ଲଗେଇବା ଭଳି କାମ କରିବାକୁ ପରାମର୍ଶ ଦିଆଯାଇଛି,"କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର।
ଜାତୀୟ ରାଜପଥରେ ରାସ୍ତା ମରାମତି ନିୟମିତ ବ୍ୟବଧାନରେ ହେଉନଥିବା ଓ ସର୍ଭିସ ରୋଡ ସଙ୍କୁଚିତ ଦୁର୍ଘଟଣାର ଅନ୍ୟତମ ମୁଖ୍ୟ କାରଣ ହୋଇଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ବୈଠକରେ ଜୋର ଦିଆଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।