News18 Odia Digital
ପୁରୀ: ସଂଶୋଧିତ ଡିପିଆର ଦେବା ସହ ଗୁନ୍ଥିଲା ୨୦୧୪ ନବକଳେବର କୋଠା ଅନୁମତିର ନକଲ। ସେତେବେଳେ ଏହି ବିଲ୍ଡିଂକୁ ଯେଉଁ ଏନଓସି ଦେଇଥିଲ ସେହି ଏନଓସି ପ୍ରଦାନ କରିବାକୁ ଚିଠି ଲେଖି ଅନୁମତି ମାଗିଲେ ଡେପୁଟି ଚିଫ୍ ଆଡମିନିଷ୍ଟ୍ରେଟର।
ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଉପରେ ଏନ୍ଏମଏ ଦେଇଥିବା ସୁପାରିଶକୁ ବିରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏ ଉପରେ ଗତ କାଲି ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ଜରିଆରେ ଏନଏମଏକୁ ଚିଠି ଲେଖିଛି।
୭.୫୦ମିଟର ଓ G+1 ଭିତରେ ନିର୍ମାଣକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପ୍ରଶ୍ନ ଉଠାଇଛି। ନବକଳେବର ସମୟରେ ନିର୍ମିତ କୋଠାର ଉଚ୍ଚତା ୧୨.୯୨ ମିଟର ଓ G+2 ପାଇଁ ଅନୁମତି ଦିଆଯାଇଥିବା ବେଳେ ଏବେ ଏହି କୋଠା ସହ ସମ ଉଚ୍ଚାରେ ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ କରିବାକୁ ଅନୁମତି ପ୍ରଦାନ କରାଯାଉ ନଚେତ୍ ମିଶ୍ ମ୍ୟାଚ୍ ହେବା ସହ ଅସୁନ୍ଦର ଦିଶିବ ବୋଲି ବୋଲି ଚିଠିରେ କୁହାଯାଇଛି।

ଏନଏମଏକୁ ରାଜ୍ୟ ସଂସ୍କୃତି ବିଭାଗ ଜରିଆରେ ଚିଠି ପଠାଇଲା ଶ୍ରୀମନ୍ଦିର ପ୍ରଶାସନ
ଆଶା ରହିଛି ଏନଏମଏ ପୁନର୍ବିଚାର କରି ଅନ୍ତତଃ ଶ୍ରୀମନ୍ଦିର ଆଡମିନିଷ୍ଟ୍ରେଟିଭ୍ ବିଲ୍ଡିଂ ପାଇଁ ଅନୁମତି ପ୍ରଦାନ କରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। ସେପଟେ ଐତିହ୍ୟ ସୁରକ୍ଷା ଓ ସଂରକ୍ଷଣ ଦୃଷ୍ଟିରୁ ପ୍ରଶାସନିକ କୋଠାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉ। ସହରରେ ଶ୍ରୀମନ୍ଦିର ପ୍ରଶାସନର ଅନେକ ଜାଗା ରହିଛି। ଏଠି ବିବାଦ ନକରି ବରଂ ଏନଏମଏ ଅନୁମତିକୁ ମାନିବା ଆବଶ୍ୟକ ବୋଲି କହିଛନ୍ତି ଆଇନଜୀବୀ।
"ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଲାଗିଛି ସସପେନ୍ସ। ଗତ ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ବୈଠକରେ ଏନଏମଏ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ କରିଛି ଅନେକ ଗୁରୁତ୍ୱପୂର୍ଣ୍ଣ ସୁପାରିଶ। ଯେଉଁଥିରେ ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତା ୭.୫୦ମିଟର ଓ G+1ରେ ରଖିବାକୁ ଦିଆଯାଇଛି କଡ଼ା ନିର୍ଦ୍ଦେଶ। ଏନଏମଏ ସ୍ପଷ୍ଟ କରିଛି କି ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟକୁ ନିଷିଦ୍ଧାଞ୍ଚଳ ବଦଳରେ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର କରାଯାଉ। ଏହାର ଉଚ୍ଚତା ୭.୫୦ ମିଟର(ଜି+୧) ଭିତରେ ରଖାଯାଉ। ମାତ୍ର ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ ଶ୍ରୀମନ୍ଦିର ପ୍ରଶାସନ। ଯଦି ୨୦୧୪ରେ ଏହି ନବକଳେବର କୋଠାକୁ ଉଚ୍ଚତା ୧୨.୯୨ମିଟର ଓ G+2 ପାଇଁ ଏନଏମଏ ଏନଓସି ଦେଇଥିଲେ ତେବେ ଏବେ ଏହାକୁ ଅନୁମତି ଦିଆଯାଉ। ସମ ଉଚ୍ଚତା ନରିଲେ ଅସୁନ୍ଦର ଦିଶିବ। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନଏମଏକୁ ଏକ ଯୁକ୍ତି ଭିତ୍ତିକ ଚିଠି ଲେଖାଯାଇଛି। ଚିଠି ସହିତ ୨୦୧୪ର ଏନଓସିକୁ ଯୋଡି ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ଜରିଆରେ ଏନଏମଏକୁ ରିଭାଇଜଡ ଏନଓସି ଆବେଦନ କହିଛନ୍ତି। ତେବେ ବିଶ୍ୱାସ ରହିଛି ଅନୁମୋଦନ ମିଳିଯିବ,’’ କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା।
ପୂର୍ବରୁ ଏନଏମଏ ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ କୋଠା ପାଇଁ ଅନୁମତି ଦେଇଥିଲା। ଯେଉଁଥିରେ କୋଠାର ଉଚ୍ଚତା ୧୨.୧୯ ମିଟର(ଜି+୨) ରହିଥିଲା। ଗ୍ରାଉଣ୍ଡ୍ ଫ୍ଲୋର ସହ ଏହା ଉପରେ ଆଉ ଦୁଇ ମହଲା କୋଠା କରିବାକୁ ଅନୁମତି ରହିଥିଲା। କିନ୍ତୁ ଏବେ ଦୁଇ ମହଲା କୋଠା କରିବାକୁ କୁହାଯାଇଛି, ଯେଉଁଥିରେ ଗ୍ରାଉଣ୍ଡ ଫ୍ଲୋର ଓ ଫାଷ୍ଟ ଫ୍ଲୋର ରହିଛି। ଏହା ଆଦୌ ଠିକ୍ ନୁହେଁ। କାରଣ ଆମର ପୂର୍ବ ପ୍ରଶାସନିକ କୋଠା ଗ୍ରାଉଣ୍ଡ ଫ୍ଲୋରକୁ ମିଶାଇ ତିନି ମହଲା ବିଶିଷ୍ଟ। ଏବେ ଯଦି ଦୁଇ ମହଲା କରାଯିବ ଏହା ପୁରୁଣା କୋଠା ସହ ମିଶିବନି। ତିନି ମହଲା କୋଠା କରିବା ଆବଶ୍ୟକ ବୋଲି ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଥିବା ବେଳେ ଏଭଳି ଯୁକ୍ତି ଭିତ୍ତିହୀନ। ଐତିହ୍ୟ ସୁରକ୍ଷା ଓ ସଂରକ୍ଷଣ ଦୃଷ୍ଟିରୁ ପ୍ରଶାସନିକ କୋଠାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉ। ସହରରେ ଶ୍ରୀମନ୍ଦିର ପ୍ରଶାସନର ଅନେକ ସ୍ଥାନ ରହିଛି। ଏଠି ବିବାଦ ନକରି ବରଂ ଏନଏମଏ ଏନଓସି ମାନି କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି ଆଇନଜୀବୀ ଶରତ ରାୟଗୁରୁ।"
ଶ୍ରୀମନ୍ଦିର ପ୍ରଶାସନର ରିଭାଇଜଡ ଏନଓସି ଆବେଦନକୁ କିଭଳି ବିଚାର କରିବ ଏନଏମଏ ତାହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।