ପୁରୀ: କରୋନା ଅଧୀନରେ ଅନେକ ସେବାୟତ; ବଢ଼ିବାରେ ଲାଗିଛି ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା

ପୁରୀରେ କୋଭିଡର ସ୍ଥିତି ଦିନକୁ ଦିନ ଭୟାବହ ହଉଥିବା ବେଳେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ପାଖାପାଖି ୪ ଶହରେ ପହଞ୍ଚିଛି ଓ ଏହା ସମେତ ମୋଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୨ ହଜାର ଟପିବାକୁ ବସିଛି । ଏହା ସହ ଶ୍ରୀମନ୍ଦିର ସେବାୟତ ଓ ତାଙ୍କ ପରିବାର ମଧ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି ।

ପୁରୀ: କରୋନା ଅଧୀନରେ ଅନେକ ସେବାୟତ; ବଢ଼ିବାରେ ଲାଗିଛି ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା
ପୁରୀର ଶ୍ରୀମନ୍ଦିର
  • News18 Odia
  • Last Updated: April 25, 2021, 5:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଭକ୍ତଙ୍କ ଦର୍ଶନ ନେଇ ୧୮ ଏପ୍ରିଲରେ ଏକ ଏସଓପି ଜାରି କରାଯାଇଥିଲା । ପୁର୍ନବାର କୋଭିଡ ଯୋଗୁଁ ସ୍ଥିତି ଅଣାୟତ ହେବା ସହ ସଂକ୍ରମିତ ସଂଖ୍ୟା ତିନି ଶହ ପାର ହେବାରୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପୁନର୍ବାର ଶ୍ରୀମନ୍ଦିରରେ ସେବାୟତ ଓ ମନ୍ଦିରରେ ସ୍ୱାଭାବିକ ନୀତିକାନ୍ତିକୁ ନେଇ ଚିନ୍ତା ପ୍ରକଟ କରିଛି । ଯାହାଫଳରେ ଏପ୍ରିଲ ୨୪ ଶନିବାର ଠାରୁ ମେ' ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଯଦିଓ ଭକ୍ତମାନେ ଉତ୍ତରଦ୍ୱାର ବାହାର ପଟେ ମହାପ୍ରସାଦ ପାଇପାରିବା ନେଇ ଏକ ଅସ୍ଥାୟୀ ବ୍ୟବସ୍ଥା ହୋଇଛି ।

ପୁରୀରେ କୋଭିଡର ସ୍ଥିତି ଦିନକୁ ଦିନ ଭୟାବହ ହଉଥିବା ବେଳେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ପାଖାପାଖି ୪ ଶହ ଛୁଇଁବା ସହ ମୋଟା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ଟପିବାକୁ ବସିଛି । ଏହା ସହ ସେବାୟତ ଓ ତାଙ୍କ ପରିବାର ମଧ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶନିବାର ଦିନ ଏସଓପିକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । କୋଭିଡ଼-୧୯ ର ଦ୍ଵିତୀୟ ଲହର ଜନିତ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡଃ କନୱର ବିଶାଲ୍ ସିଂ, ବିଭିନ୍ନ ନିଯୋଗର ବରିଷ୍ଠ ସେବାୟତ ଓ ମନ୍ଦିର ପ୍ରଶାସନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

କୋଭିଡ଼-୧୯ ସଂକ୍ରମଣର ଗୁରୁତର ଆହ୍ଵାନର ମୁକାବିଲା କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଅନେକ ସେବାୟତଙ୍କର ଶ୍ରୀମନ୍ଦିରକୁ ଏକମାସ ପାଇଁ ବନ୍ଦ କରିବାକୁ ପ୍ରସ୍ତାବ ରହିଥିଲା । ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଗଲା । ଆଉ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ଆଜିଠାରୁ ଶ୍ରୀମନ୍ଦିର ପାଇଁ ପରିବର୍ତ୍ତିତ ନିୟମାବଳୀ ଲାଗୁ ହେଲା । ମେ' ମାସ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତ ଦର୍ଶନ ବନ୍ଦ ହେଲା" କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ।

ଶ୍ରିମନ୍ଦର ତରଫରୁ ଜାରି ହୋଇଥିବା ଏସଓପି

କୋଭିଡ଼-୧୯ ସଂକ୍ରମଣର ଆହ୍ୱାନ ସତ୍ତ୍ୱେ ଶ୍ରୀ ଜଗନ୍ନାଥ ମନ୍ଦିରର ବର୍ଷବ୍ୟାପୀ ପରମ୍ପରାକୁ ସମ୍ମାନ ଦେଇ ମହାପ୍ରଭୁଙ୍କ ନୀତିକାନ୍ତି ପାଳନ ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ତେଣୁ ନିର୍ବିଘ୍ନରେ ଏହାର ଅନୂପାଳନ ପାଇଁ ମହାପ୍ରଭୁଙ୍କ ପ୍ରତ୍ୟହ ସେବାପୂଜା ନିର୍ବାହ କରୁଥିବା ସେବାୟତ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ସହ ଦୃଷ୍ଟି ଦିଆଯାଇଛି । ପୁନଶ୍ଚ ଚଳିତ ବର୍ଷ ରଥଯାତ୍ରା ସମ୍ପର୍କିତ ନୀତି ପାଳନ ପବିତ୍ର ଅକ୍ଷୟ ତୃତୀୟା (ମଇ ୧୫) ଠାରୁ ଆରମ୍ଭ ହେବ । ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ନିମ୍ନୋକ୍ତ ପଦକ୍ଷେପମାନ ନେବାକୁ ନିଷ୍ପତ୍ତି ନିଆଯାଇଛି ।

୧. ଶନିବାରଠାରୁ (୨୪ ଏପ୍ରିଲ) ଆଗାମୀ ମଇ ମାସ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରଖାଯିବ । ମହାପ୍ରଭୁଙ୍କ ଦୈନଦିନ ନୀତିକାନ୍ତି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ସହାୟତାରେ ପରିଚାଳିତ ହେବ ।

୨. କୋଭିଡ଼-୧୯ ସଂକ୍ରମଣକୁ ତୁରନ୍ତ ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ନିୟମିତ ଯାଞ୍ଚ ଓ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ ।

୩. ନୀଳାଚଳ ଭକ୍ତ ନିବାସ ପୁରୀ ଠାରେ ଖୋଲାଯାଇଥିବା କୋଭିଡ଼ କେୟାର କେନ୍ଦ୍ରକୁ ଆବଶ୍ୟକତା ଅନୁଯାୟୀ ଆହୁରି ସୁଦୃଢ଼ କରାଯିବ ଓ ଏହାର ସୁପରିଚାଳନା ପାଇଁ ନିୟମିତ ସମୀକ୍ଷା ମଧ୍ୟ କରାଯିବ ।

୪. ଗୁରୁତର ରୋଗୀଙ୍କୁ ସୁରୁଖୁରରେ ଭୁବନେଶ୍ୱରକୁ ଚିକିତ୍ସା ନିମନ୍ତେ ପଠାଇବା ବ୍ୟବସ୍ଥା ସୁନିଶ୍ଚିତ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉନ୍ନୟନ ପ୍ରଶାସକ ଏଥିପାଇଁ ସଂଯୋଜନା ଅଧିକାରୀ ରୂପେ କାର୍ଯ୍ୟ କରିବେ । ଭୁବନେଶ୍ଵରସ୍ଥିତ ସମ୍ ତଥା ଅନ୍ୟାନ୍ୟ ହସ୍ପିଟାଲରେ ଏହି ବ୍ୟବସ୍ଥା ତ୍ୱରାନ୍ୱିତ ହେବ ।

୫. ମାସ୍କ ଓ ସାନିଟାଇଜରର ନିୟମିତ ବ୍ୟବହାର ଓ ଶାରୀରିକ ତଥା ସାମାଜିକ ଦୂରତ୍ବ ରକ୍ଷା ଅଭ୍ୟାସକୁ ବହୁଳ ରୂପେ ଆଦୃତ କରିବା ଆଦି ସଚେତନତା ଅଭିଯାନକୁ ବ୍ୟାପକ କରାଯିବ ।

୬. ମହାପ୍ରଭୁଙ୍କ ଦୈନଦିନ ସେବାପୂଜା ନିର୍ବାହ କରୁଥିବା ତଥା ରଥଯାତ୍ରା ନିମନ୍ତେ ରଥ ନିର୍ମାଣରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ଟୀକାକରଣ ଉପରେ ବିଶେଷ ଧ୍ୟାନ ଦିଆଯିବ ।

୭.ପରମ୍ପରା ଅନୁଯାୟୀ ରଥ ନିର୍ମାଣର ସମସ୍ତ କାର୍ଯ୍ୟକ୍ରମ ଯଥାବିଧି ଜାରି ରହିବ । ଆଗାମୀ ଚନ୍ଦନ ଯାତ୍ରା, ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ବ୍ୟବହାର ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମାସ୍କ ଓ ସାନିଟାଇଜର୍ କିଣିବା ନିମନ୍ତେ ଆଗୁଆ ପଦକ୍ଷେପ ନିଆଯିବ ।

ଆଗାମୀ ମେ' ମାସ ୬ ତାରିଖରେ ପରିବର୍ତ୍ତିତ ସ୍ଥିତିର ସମୀକ୍ଷା ପାଇଁ ପୁନଶ୍ଚ ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

"ଗତବର୍ଷ କୋଭିଡରେ ୨୨ ଜଣ ସେବାୟତ ମୃତ୍ୟୁବରଣ କରିଥିବା ବେଳେ ୬ ଶହରୁ ଅଧିକ ସେବାୟତ କୋଭିଡ ଆକ୍ରାନ୍ତ ହୋଇଥିଲେ । ହେଲେ ଚଳିତ ଥର କୋଭିଡର ଦ୍ୱୀତିୟ ଲହର ବେଶ ମରାତ୍ମକ ହେଇଥିବାରୁ ସଚେତନ ଜରୁରୀ । ଆଉ ସେଥିପାଇଁ ଶ୍ରୀମନ୍ଦିରକୁ ୧୫ ଦିନ ପର୍ଯ୍ୟନ୍ତ ବନ୍ଦ କରିବା ଆବଶ୍ୟକ । କାରଣ ଗତବର୍ଷ କେବଳ ସେବାୟତମାନେ ମହାପ୍ରଭୁଙ୍କର ରଥଯାତ୍ରାକୁ ସମ୍ପାଦନ କରିବା ସହ ରଥଟଣାରେ ମଧ୍ୟ ନିୟୋଜିତ ହୋଇଥିଲେ । ତେଣୁ ଚଳିତ ବର୍ଷ ସେବାୟତମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷିତ ରହିଲେ ସେମାନେ ନୀତିରାନ୍ତି ସହ ଯାତ୍ରାକୁ ମଧ୍ୟ ଶୃଙ୍ଖଳିତ କରିପାରିବେ । ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ଶ୍ରୀମନ୍ଦିର କୋଭିଡ ପରିଚାଳନା କମିଟି ପକ୍ଷରୁ ସେବାୟତଙ୍କର ସ୍ୱାସ୍ଥ୍ୟବସ୍ଥା, ଟୀକାକରଣ ଓ ଟେଷ୍ଟିଂ ସହ ଆବଶ୍ୟକୀୟ ଜରୁରୀ ସୁବିଧା ଯୋଗାଇଦିଆଯିବା ନେଇ ପ୍ରଶାସକଙ୍କ ସହ ଆଲୋଚନା ହୋଇଛି," କହିଛନ୍ତି ଶ୍ରୀମନ୍ଦିର ପୂର୍ବତନ ପରିଚାଳନା କମିଟି ସଦସ୍ୟ ତଥା କୋଭିଡ ପରିଚାଳନା କମିଟି ସଦସ୍ୟ ମାଧବ ପୁଜାପଣ୍ଡା ।

"ରଥଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସେବାୟତ । ସେପଟେ ମନ୍ଦିର ବନ୍ଦ ରହୁଥିବାରୁ ସେବାୟତଙ୍କୁ ଦ୍ୱିଗୁଣା କୋଭିଡ୍ ସହାୟତ ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି ସେବାୟତ । ଗତବର୍ଷ ଭଳି ସେବାୟତଙ୍କୁ କୋଭିଡ୍ ସହାୟତା ପ୍ରଦାନ କରାଗଲେ ସେବାୟତ ପରିବାର ଉପକୃତ ହେବେ," କହିଛନ୍ତି ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ।

ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ରଙ୍କ କହିବା ଅନୁଯାୟୀ ରଥ ନିର୍ମାଣ ଅନେକ ସେବକ ଏଯାବତ ଟୀକାର ଦୁଇଟି ଡୋଜ ନେଇ ସାରିଛନ୍ତି । ତେଣୁ ଆଗକୁ ମଧ୍ୟ ୧୮ ବର୍ଷରୁ ଅଧିକ ସମସ୍ତ ରଥ ନିର୍ମାଣ ସେବକ ଟୀକା ନେବେ । ଯିଏ ଟୀକା ନ ନେବ ସେମାନେ ରଥ ନର୍ମାଣ କାର୍ଯ୍ୟକୁ ଆସିବେ ନାହିଁ ବୋଲି ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ । ତେଣୁ ଗତବର୍ଷ ଭଳି ରଥ ନିର୍ମାଣ ଓ ରଥଯାତ୍ରା କରାଯାଉ । ସେବାୟତଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ସହ ଟିକାକରଣ ଓ କୋଭିଡ୍ ଚିକିତ୍ସା ସୁବ୍ୟବସ୍ଥିତ କରିବା ପାଇଁ ହୋଇଛି ନିଷ୍ପତି । ସେପଟେ ପଜିଟିଭ ହାର ଉଦ୍ବେଗ ଜନକ ସ୍ଥିତିରେ ଥିବାରୁ ଗତବର୍ଷ ଭଳି ଚଳିତବର୍ଷ ରଥନିର୍ମାଣ କଟକଣା ଭିତ୍ତିରେ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ବିଶ୍ୱକର୍ମା ସେବାୟତ ଅନୁରୋଧ କରିଛନ୍ତି ।

"କାଳିଆର ଇଛା । ଯାହା ସେ କରିବ । ଭକ୍ତ ଯଦି ବଞ୍ଚିଲେ ତ ଠାକୁରଙ୍କ ପାଖକୁ ଆସିବ । ତେଣୁ ବର୍ତ୍ତମାନ ସମୟରେ ଅମାନିଆ ନ ହୋଇ ପ୍ରଶାସନ ନିଷ୍ପତି ମାନିଲେ ନିଜେ ସୁରକ୍ଷିତ ରହିବ । ଯାହାବି ନିସ୍ପତି ହେଉ ତାକୁ ମାନିବା ସମସ୍ତଙ୍କ ଦାୟିତ୍ୱ," କହିଛନ୍ତି ପୁରୀର ୮୫ ବର୍ଷୀୟ ବୟସ୍କା ଭକ୍ତ କୁନ୍ତଳା ପୃଷ୍ଟି ।
Published by: Jagdish Barik
First published: April 25, 2021, 4:59 PM IST