ରାଉରକେଲାର ଶୋଏବ୍ ଆଫତାବ୍ NEET ଟପ୍ପର ହେବା ପରେ ୨୦୧୬ର ଲଜ୍ଜାକୁ ଭୁଲୁଛି ସେ ଅଞ୍ଚଳ

ଚଳିତ ବର୍ଷର NEET ଟପ୍ପର ରାଉରକେଲାର ଶୋଏବ ଆଫତାବଙ୍କ ଘର ପାଖରେ ଥିବା ଏକ ଘରୁ ୨୦୧୬ରେ ଚାରି ଜଣ ସିମି ଆତଙ୍କବାଦ ସନ୍ଦିଗ୍ଧ ଗିରଫ ହୋଇଥିଲେ । ଆଫତାବ ଓଡ଼ିଶା ପାଇଁ ଗୌରବ ଆଣିବା ପରେ ସେହି ଲଜ୍ଜାକୁ ଭୁଲିଯିବାକୁ ସେ ଅଞ୍ଚଳ ଆଗ୍ରହୀ ।

ରାଉରକେଲାର ଶୋଏବ୍ ଆଫତାବ୍ NEET ଟପ୍ପର ହେବା ପରେ ୨୦୧୬ର ଲଜ୍ଜାକୁ ଭୁଲୁଛି ସେ ଅଞ୍ଚଳ
ନିଜ ମା’ ସୁଲତାନା ଓ ସାନ ଭଉଣୀ ସହ ଶୋଏବ୍ ଆଫତାବ୍
  • News18 Odia
  • Last Updated: October 17, 2020, 12:45 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଆନନ୍ଦ ଏସ୍‌. ଟି. ଦାସ୍‌ | News18 Odia Digital

ଭୁବନେଶ୍ୱର: ନୀଟ୍‌ (NEET) ପରୀକ୍ଷାର ଫଳ ଘୋଷଣା ହେବା ପରେ ରାଉରକେଲା ସହରରେ ଏକ ସଂକୀର୍ଣ୍ଣ ଗଳିରେ ହଠାତ୍ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା । ସହରର ଯେଉଁ ନାଲା ରୋଡ଼ (Nala Road in Rourkela) ଚାରି ବର୍ଷ ପୂର୍ବେ ଜାତୀୟ ସ୍ତରରେ କୁଖ୍ୟାତି ଅର୍ଜନ କରିଥିଲା ସେଠାକାର ଆଜାଦ୍‌ ମୋହଲ୍ଲାର ବାସିନ୍ଦାମାନେ ପରସ୍ପରକୁ ସ୍ୱାଗତ କରୁଥିଲେ । ସେମାନେ ଖୁବ୍‌ ଖୁସି ଥିଲେ ଯେ ମେଡିକାଲ କଲେଜରେ ଆଡମିଶନ ପାଇଁ ହେଉଥିବା କଡ଼ା ପ୍ରବେଶିକା ପରୀକ୍ଷା ନୀଟରେ (NEET for medical college admission) ସେଇଠିକାର ବାଳକ ଶୋଏବ୍‌ ଆଫତାବ (Shoeb Aftab) ସର୍ବଭାରତୀୟ ଟପ୍ପର ହୋଇଛନ୍ତି ।

ଖାଲି ସେତିକି ନୁହେଁ । ୧୮ ବର୍ଷୀୟ ଶୋଏବ ଆଫତାବ୍‌ ନୀଟ୍‌ ପ୍ରବେଶିକା ପରୀକ୍ଷାର ପୂରା ମାର୍କ (full mark) ୭୨୦ରୁ ପୂରା ୭୨୦ ସ୍କୋର କରି NEET ଇତିହାସରେ ଏକ ରେକର୍ଡ଼ ବି ସୃଷ୍ଟି କରିଛନ୍ତି । ତାଙ୍କ ପଡ଼ୋଶୀମାନେ ତାଙ୍କର ଏହି ସଫଳତା ବିଷୟରେ ଜାଣିବା ପରେ ତାଙ୍କୁ ଓ ତାଙ୍କ ପିତା ମହମ୍ମଦ ଶେଖ ଅବ୍ବାସଙ୍କୁ ଫୋନ୍‌ କରି ଅଭିନନ୍ଦନ ଜଣାଇବାରେ ବ୍ୟସ୍ତ ଥିଲେ । ଆଫତାବ ଓ ତାଙ୍କ ପରିବାର ବର୍ତ୍ତମାନ ରାଜସ୍ଥାନର କୋଟାରେ (Kota in Rajasthan) ଅଛନ୍ତି, ଯେଉଁଠି ଆଫତାବ୍‌ ଗତ ଦୁଇ ବର୍ଷ ଧରି NEET ପାଇଁ ଆଲେନ୍ ଇନଷ୍ଟିଚ୍ୟୁଟରୁ (Allen Institute) କୋଚିଂ ନେଉଥିଲେ।

‘‘ଆଫତାବ୍‌ ଆରମ୍ଭରୁ ଜଣେ ମେଧାବୀ ଓ ପରିଶ୍ରମୀ ବାଳକ ଥିଲା । ସେ ସର୍ବଦା ନିଜ ପାଠ ଉପରେ ଧ୍ୟାନ ଦେଉଥିଲା । ଯଦି ମୋର ଠିକ୍ ମନେ ଅଛି, ତେବେ ତା’ର ପିଲା ଦିନରୁ ସ୍ୱପ୍ନ ଥିଲା ଯେ ସେ ଜଣେ ଡାକ୍ତର ହେବ । ମୁଁ ଜାଣିଥିଲି ପିଲାଟି ଦିନେ ନିଶ୍ଚୟ କିଛି ବଡ଼ କରିବ । ମୁଁ ତା’ର ଏହି ବିରାଟ ସଫଳତା ପାଇଁ ବହୁତ ଖୁସି,’’ କହିଛନ୍ତି ରାଉରକେଲାସ୍ଥିତ ଡିସୁଜାଜ୍‌ ସ୍କୁଲର (Desouza’s School) ପ୍ରଧାନ ଶିକ୍ଷକ ଆଲେକଜାଣ୍ଡାର୍ ଡିସୁଜା । ଆଫତାବ୍‌ ସେହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ ।

ଆଫତାବଙ୍କ ସଫଳତା ପରେ କୋଟାରେ ତାଙ୍କୁ ଫୁଲମାଳ ଦେଇ ଶୁଭକାମନା ଦିଆଯାଉଛି ।


ଆଫତାବଙ୍କ ପିତା ମହମ୍ମଦ ଶେଖ ଅବ୍ବାସ ଜଣେ ସିଭିଲ କଣ୍ଟ୍ରାକ୍ଟର । ସେ ପୂର୍ବରୁ ଚାହା ପତ୍ରର ହୋଲସେଲିଂ ବିଜିନେସ୍‌ କରୁଥିଲେ । ଏବେ ସେ ରାଉରକେଲା ଓ ଆଖପାଖ ଅଞ୍ଚଳରେ ପୋଲ ଓ ରାସ୍ତା ନିର୍ମାଣ କରୁଛନ୍ତି । ଆଫଫାବ, ତାଙ୍କ ସାନ ଭଉଣୀ ଓ ତାଙ୍କ ମା’ ସୁଲତାନା ଗତ ଦୁଇ ବର୍ଷ ହେବ କୋଟାରେ ରହୁଛନ୍ତି କାରଣ ଆଫତାବ୍‌ ସେଇଠି ପ୍ଲସ୍‌ ଟୁ (Plus 2) ପଢ଼ିବା ସହ NEET ପାଇଁ କୋଚିଂ ନେଉଥିଲେ ।

ଆଫତାବ୍ ICSEରେ ୯୫ ପ୍ରତିଶତରୁ ଅଧିକ ମାର୍କ ରଖି ଡିସୁଜାଜ୍‌ ସ୍କୁଲରୁ ଦଶମ ଶ୍ରେଣୀ (matric examinations) ପାସ୍‌ କରିବା ପରେ କୋଟାରେ ଏକ କଲେଜରେ ଇଣ୍ଟରମେଡିଏଟ୍ (Plus 2) ପଢ଼ୁଥିଲେ ଓ ସାଙ୍ଗରେ ଆଲେନ୍ ଇନଷ୍ଟିଚ୍ୟୁଟରେ ଆଡମିଶନ ହୋଇ NEET ପାଇଁ କୋଚିଂ ନେଉଥିଲେ ।

ନିଜ ବାପା, ମାଆ ଓ ସାନ ଭଉଣୀଙ୍କ ସହ ସୋଏବ୍ ଆଫତାବ୍


ଆଫତାବଙ୍କ NEET ଫଳ ଖୁବ୍‌ ଉତ୍ତମ ହେବ ବୋଲି ଜାଣିବା ପରେ ଆଲେନ୍ ଇନଷ୍ଟିଚ୍ୟୁଟ୍ ତାଙ୍କ ବାପା ଅବ୍ବାସଙ୍କୁ ରାଉରକେଲାରୁ ଓ ତାଙ୍କ ଶ୍ସୁର ଘରର କିଛି ଲୋକଙ୍କୁ କୋଲକାତାରୁ ରାଜସ୍ଥାନର କୋଟାକୁ ନେଇଆସିଥିଲେ । ଅବ୍ବାସ ତିନି ଦିନ ତଳେ କୋଲକାତା ଦେଇ କୋଟା ଅଭିମୁଖେ ଯାତ୍ରା କରିଥିଲେ । ଏହି ଯାତ୍ରା ଓ ସେମାନଙ୍କ ରହଣି ପାଇଁ କୋଚିଂ ପ୍ରତିଷ୍ଠାନ ଦ୍ୱାରା ସବୁ ଖର୍ଚ୍ଚ ଦିଆଯାଇଥିଲା । ଅକ୍ଟୋବର ୧୬ରେ ଆନୁଷ୍ଠାନିକ ଭାବରେ ଘୋଷଣା ହୋଇଥିଲା ଯେ ଆଫତାବ NEETରେ ଜାତୀୟ ଟପ୍ପର ହୋଇଛନ୍ତି ଓ ସେ ସର୍ବାଧିକ ମାର୍କ ହାସଲ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି । ଆଉ ତା’ପରେ ସେମାନଙ୍କ ପାଖକୁ ଅଭିନନ୍ଦନର ବାର୍ତ୍ତା ଆସିବାରେ ଲାଗିଥିଲା ।

ଏହା ବି ପଢ଼ନ୍ତୁ କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ଦେହରେ ୯୦ ଦିନ ପର୍ଯ୍ୟନ୍ତ ରହିଥାଏ ଏହି ଭାଇରସ୍

‘‘ଆମର ପ୍ରିୟ ଆଫତାବ୍‌ ଜାତୀୟ ସ୍ତରରେ ରାଉରକେଲା ଏବଂ ଓଡ଼ିଶା ପାଇଁ ଗୌରବ ଆଣିଛି । ଆମେ ତା’ ପାଇଁ ବହୁତ ଖୁସି । ଆମେ ଏଠି ତା’ ସଫଳତା ପାଇଁ ଉତ୍ସବ ପାଳନ କରୁଛୁ! ତା‘ର ଏହି ବିରାଟ ସଫଳତା ଆମ ଅଞ୍ଚଳ ନାଲା ରୋଡ଼ ଉପରେ ଅନ୍ୟାୟ ଭାବେ ଲାଗିଥିବା ଏକ କଳା ଦାଗକୁ ଲିଭାଇ ଦେଇଛି,’’ କହିଛନ୍ତି ଆଫତାବର ପଡ଼ୋଶୀ ତଥା ପ୍ଲାଣ୍ଟ-ସାଇଡ୍ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଲତାଫ୍ ଶକିଲ୍‌ ।

ଏହା ବି ପଢ଼ନ୍ତୁ | Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍‌ ହେଲା

ବାସ୍ତବରେ ୨୦୧୬ ମସିହାରେ ରାଉରକେଲାର ନାଲା ରୋଡ୍ ଅଞ୍ଚଳର ଏକ ଘରେ ଲୁଚି ରହିଥିବା ଚାରି ଜଣ ହାର୍ଡ଼କୋର ସିମି ସଦସ୍ୟ (hardcore SIMI operatives) ଗିରଫ ହୋଇଥିଲେ । ସେହି ଦିନ ଠାରୁ ନାଲା ରୋଡ଼କୁ ଏକ ସନ୍ଦେହଜନକ ସ୍ଥାନ ଭାବରେ ଅନେକ ଲୋକ ଦେଖି୍‌ଆସୁଥିଲେ । ସେହି ଚାରି ଜଣ ଆତଙ୍କବାଦରେ ସନ୍ଦିଗ୍ଧ ବ୍ୟକ୍ତି – ଶେଖ ମେହବୁବ୍‌, ଅମଜାଦ୍‌ ଖାନ୍‌, ଜାକିର୍‌ ହୁସେନ୍ ଓ ମହମ୍ମଦ୍‌ ସାଲିକ୍‌ – ଫେବୃଆରୀ ୧୬, ୨୦୧୬ ରାତିରେ ନାଲା ରୋଡ଼ ଅଞ୍ଚଳର କୁରେଶି ମୋହଲ୍ଲାରେ ଥିବା ଏକ ଭଡ଼ା ଘରୁ ଗିରଫ ହୋଇଥିଲେ ।



‘‘ତାହା ଏକ ଅତି ଦୁର୍ଭାଗ୍ୟଜନକ ଘଟଣା ଥିଲା, ଆଉ ସେହି ଘଟଣା ଯୋଗୁଁ ଆମର ଏହି ସମଗ୍ର ଅଞ୍ଚଳକୁ ଲଜ୍ଜା ମିଳିଥିଲା,’’ କହିଛନ୍ତି ନାଲା ରୋଡ଼ର ବାସିନ୍ଦା ତଥା ପୂର୍ବତନ କାଉନସିଲର ଆଫ୍ରୋଜ୍‌ ଅହମ୍ମଦ୍‌ । “ସେହି ଚାରି ଜଣ ଆତଙ୍କବାଦ ସନ୍ଦିଗ୍ଧ ବ୍ୟକ୍ତି ଏଠାରେ କୌଣସି ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରହୁଥିଲେ, ଆଉ ଘର ମାଲିକ ସେମାନଙ୍କ କାର୍ଯ୍ୟକଳାପ ବିଷୟରେ ଜାଣି ନ ଥିଲେ । କିନ୍ତୁ ଏବେ ଆମର ସ୍ଥାନୀୟ ବାଳକ ଶୋଏବ୍‌ ଆଫତାବଙ୍କର ଏହି ଜାତୀୟ ସଫଳତା ସେହି ଲଜ୍ଜାକୁ ଲିଭାଇ ଦେଇଛି । ଭଲ କାମ ସବୁ ବେଳେ ପୁରସ୍କୃତ ହୁଏ, ଆଉ ଖରାପ କାମ ଶେଷରେ ଦଣ୍ଡିତ ହୁଏ,’’ କହିଛନ୍ତି ଆଫ୍ରୋଜ୍‌ ।
Published by: Anand Shankar Thankur Das
First published: October 17, 2020, 12:45 AM IST
corona virus btn
corona virus btn
Loading