News18 Odia Digital
ବ୍ରହ୍ମପୁର: ଦିନ ଥିଲା ଗାଁ ଛାଡ଼ି ମହାରାଷ୍ଟ୍ର ଯାଇଥିଲେ ଦାଦନ ଖଟିବାକୁ। କେରୋନା ସମୟରେ ନିଜ ଗାଁକୁ ଫେରିଥିଲେ। ଆଉ ସେହି ସମୟରେ ଦାଦାନ ଦୁଃଖ ଦେଖି ସହ୍ୟ କରିନପାରି ନିଜ ଗାଁରେ ଆରମ୍ଭ କରିଥିଲେ କପଡ଼ା କାରଖାନା । ଦୀର୍ଘ ୭ ମାସ ହେଲା ଏହି କପଡ଼ା କାରଖାନା ଚାଲିଥିବା ବେଳେ ସେ ନିଜ ଅଞ୍ଚଳର ପ୍ରାୟ ୧୮ ଜଣ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କୁ ନିଜ କାରଖାନାରେ ଦେଇଛନ୍ତି ନିଯୁକ୍ତି । ପଢନ୍ତୁ ବ୍ରହ୍ମପୁର ଉପକଣ୍ଠ ବାଳକୃଷ୍ଣପୁରର ଶିଶିର ଗୌଡ଼ଙ୍କ କଥା ।
ବ୍ରହ୍ମପୁର ଉପକଣ୍ଠ ବାଳକୃଷ୍ଣପୁରର ଶିଶିର ଗୌଡ଼। ଶିଶିର ୧୯୮୯ ମସିହାରେ ଯେତେବେଳେ ତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲେ ସେହି ସମୟରେ କାମ ଅନ୍ବେଷଣରେ ମହାରାଷ୍ଟ୍ର ଯାଇଥିଲେ । ଆଉ ମହାରାଷ୍ଟ୍ରର ଏକ ସୁତା କଳରେ ୧୫୦ ଟଙ୍କା ମଜୁରୀରେ କାମ ଆରମ୍ଭ କରିଥିଲେ। ସେଠାରେ ଗୋଟିଏ ପରେ ଗୋଟିଏ କମ୍ପାନୀରେ କାମ କରି ଅନେକ ଅଭିଜ୍ଞତା ଆହରଣ କରିଥିଲେ । ଏହାପରେ କେରୋନା ସମୟରେ ନିଜ ଗାଁକୁ ଫେରିଥିଲେ। କରୋନା ସମୟରେ ମହାରାଷ୍ଟ୍ର ଓ ସୁରତରେ କାମ କରୁଥିବା ଗଞ୍ଜାମର ଶ୍ରମିକ ମାନେ କିଭଳି ବିଭିନ୍ନ ସମସ୍ୟା ଦେଇ ନିଜ ଭିଟାମାଟିକୁ ଫେରିଥିଲେ ତାହାକୁ ଦେଖି ସେ ମର୍ମାହତ ହୋଇଥିଲେ । ଆଉ ନିଜ ଗାଁରେ ଏକ କପଡ଼ା କାରଖାନା ପ୍ରତିଷ୍ଠା କରିବା ନେଇ ଲାଗିପଡ଼ିଥିଲେ ।
‘‘ଦୀର୍ଘ ଦୁଇ ବର୍ଷ ତିନି ମାସର ଅଦମ୍ୟ ଚେଷ୍ଟା ଫଳରେ ଶିଶିର ନିଜର ଏକ କପଡ଼ା କରାଖାନା ବାଳକୃଷ୍ଣପୁରରେ କରିପାରିଲେ। ସୁରତ, ମହାରଷ୍ଟ୍ର, ବେଙ୍ଗଲୁରୁ ଓ ଚେନ୍ନାଇରୁ ସୁତା ଆଣି ଏଠାରେ ବୁଣିବା ପରେ ପୁଣି ସୁରତ, ମହାରାଷ୍ଟ୍ର, କାନପୁର ଭଳି ବିଭିନ୍ନ ରାଜ୍ୟକୁ ମଧ୍ୟ କପଡ଼ା ପଠାଯାଇପାରୁଛି । ପ୍ରତିଦିନ ଏହି କାରଖାନାରୁ ୧୭୦୦ ରୁ ୧୮୦୦ ମିଟର କପଡ଼ା ବୁଣା ହୋଇ ବାହାରୁଛି । ବର୍ତ୍ତମାନ କାରଖାନାରେ ୮ଟି ମେସିନ ଲାଗିଥିବା ବେଳେ ଏଥିରେ ୧୮ ଜଣ ଶ୍ରମିକ କାମ କରୁଛନ୍ତି । ଆଗାମୀ ଦିନରେ ଆହୁରି ଅଧିକ ମେସିନ ଲଗାଇବା ସହିତ ପ୍ରାୟ ୨୦୦ ଜଣ କର୍ମଚାରୀଙ୍କୁ କାମ ଯୋଗାଇଦେବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି,‘‘କହିଛନ୍ତି ସଫଳ ଉଦ୍ୟୋଗୀ ଶିଶିର ଗୌଡ଼ ।
‘‘ଗଞ୍ଜାମ ଜିଲ୍ଲାରୁ ପ୍ରାୟ ୯ ଲକ୍ଷ ଲୋକେ କାମ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ଯଦି ଏଭଳି ଓଡ଼ିଶାର ଗାଁ ଗାଁରେ କପଡ଼ା କମ୍ପାନୀ ଗଢ଼ି ଉଠେ ତେବେ ଜିଲ୍ଲାର ଅନେକ ଲୋକେ କାମ ପାଇପାରିବେ । ଆଉ ସେମାନଙ୍କୁ ଦାଦନ ଖଟିବା ନିମନ୍ତେ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ । ତେଣୁ ସରକାରଙ୍କ ପକ୍ଷରୁ ପ୍ରତ୍ସାହନ ମିଳିଥାନ୍ତା ତେବେ ଏଭଳି ଉଦ୍ୟୋଗୀ ମାନେ ନିଜ ଅଞ୍ଚଳରେ ଏଭଳି ଅନେକ କପଡ଼ା କମ୍ପାନୀ କରିଥାନ୍ତେ,‘‘ କହିଛନ୍ତି ଶିଶିରଙ୍କ ସମ୍ପର୍କୀୟ ଗୋବିନ୍ଦ ଚନ୍ଦ୍ର ଘୋଡ଼େଇ ।
‘ବାଳକୃଷ୍ଣପୁର ନୁହେଁ ବରଂ ଜିଲ୍ଲା ଓ ଜିଲ୍ଲା ବାହାରରୁ ପ୍ରାୟ ୧୮ ଜଣ ଶ୍ରମିକ ଶିଶିରଙ୍କ କପଡ଼ା କାରଖାନାରେ କାମ କରୁଛନ୍ତି । ଯଦିଓ ପୂର୍ବରୁ ବାହାର ରାଜ୍ୟକୁ ଯାଇ କାମ କରିବା ସହିତ ଅଧିକ ଟଙ୍କା ମିଳୁଥିଲା । କିନ୍ତୁ ଶିଶିରଙ୍କ କପଡ଼ା କାରଖାନାରେ କାମ କରି କମ ଟଙ୍କା ମିଳୁଛି ତଥାପି ମଧ୍ୟ ନିଜ ଭିଟା ମାଟି ଓ ପରିବାର ପାଖରେ କାମ ପାଇଥିବା ଯୋଗୁଁ ବେଶ ଖୁସି,‘‘ କହିଛନ୍ତି କାରଖାନାର କର୍ମଚାରୀ ସୁଜିତ କୁମାର କର ।
ଶିଶିରଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ବେଳେ ଯଦି ସରକାର ଏଭଳି ଉଦ୍ୟୋଗୀ ମାନଙ୍କୁ କିଛି ପ୍ରୋତ୍ସାହନ ଯୋଗାଇ ଦେଇଥାନ୍ତେ ତେବେ ଗଞ୍ଜାମ ଜିଲ୍ଲାର ଏଭଳି ଶହ ଶହ ଶ୍ରମିକ ମାନେ ନିଜ ଜିଲ୍ଲାରେ ହିଁ କାମ କରି ଭଲ ଦୁଇ ପଇସା ରୋଜଗାର କରିପାରିଥାନ୍ତେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।