News18 Odia Digital
ଭୁବନେଶ୍ୱର: ପ୍ରକାଶ ପାଇଛି ଜେଇଇ ଆଡ଼ଭାନ୍ସଡ଼ ପରୀକ୍ଷା ଫଳ। ସେପ୍ଟେମ୍ବର ୨୭ ତାରିଖରେ ଆୟୋଜିତ ହୋଇଥିବା ଜେଇଇ ଆଡ଼ଭାନ୍ସଡ଼ ପରୀକ୍ଷାରେ ସାରା ଦେଶରୁ ୧ ଲକ୍ଷ ୫୧,୩୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ କ୍ବାଲିଫାଏ କରିଛନ୍ତି ୪୩,୨୦୪ ଜଣ । ସେମାନଙ୍କ ମଧ୍ୟରେ ଅଛନ୍ତି ୩୬,୪୯୭ ଜଣ ଛାତ୍ର ଓ ୬,୭୦୭ ଜଣ ଛାତ୍ରୀ । ପୁଣେର ଚିରାଗ ଫାଲର ଦେଶରେ ଟପ୍ପର ହୋଇଛନ୍ତି ।
ଏହି ପରୀକ୍ଷାରେ ରାଜ୍ୟରୁ ପ୍ରାୟ ୫,୦୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସିବାଶିଷ ରାଉତ ଅଲ-ଇଣ୍ଡିଆ ରାଙ୍କ ୭୩ ସହ ଓଡ଼ିଶାର ଟପ୍ପର ହୋଇଛନ୍ତି । ଆଇଆଇଟି ବମ୍ବେ ଓ ଦିଲ୍ଲୀ ଭଳି ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କ୍ୱାଲିଫାଏ କରିଥିବା ଅଧିକାଂଶ ଛାତ୍ରଛାତ୍ରୀ ।
‘‘ଆଇଆଇଟି ବମ୍ବେ ଭଳି ଇନଷ୍ଟିଚ୍ୟୁଟରେ କମ୍ପ୍ୟୁଟର ସାଇନ୍ସ ବିଷୟ ନେଇ ପଢ଼ିବାକୁ ସମସ୍ତଙ୍କର ଇଚ୍ଛା ଥାଏ । ମୁଁ କିନ୍ତୁ ଆଇଆଇଟି ଦିଲ୍ଲୀରେ ମେକାନିକାଲ ବ୍ରାଞ୍ଚ୍ ନେଇ ପଢ଼ିବି ବୋଲି ମନସ୍ଥ କରିଛି,’’ କହିଛନ୍ତି ସିବାଶିଷ ରାଉତ ।
ଆଜି (ସୋମବାର) ଠାରୁ ଓଜେଇଇ ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ଼ ମିଳିବା ଆରମ୍ଭ କରିଛି । ଓଜେଇଇ ୱେବସାଇଟରୁ ଛାତ୍ରଛାତ୍ରୀମାନେ ନିଜ ଆଡ଼ମିଟ କାର୍ଡ଼ ଡାଉନଲୋଡ କରିପାରିବେ । ଆଡ଼ମିଟ କାର୍ଡ଼ ସହ ପରୀକ୍ଷା ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ଏସଓପି ।
ପ୍ରତି ପରୀକ୍ଷା ହଲରେ ଥିବା ସିଟ୍ ସଂଖ୍ୟାର ୫୦% ଛାତ୍ରଛାତ୍ରୀ ବସିବେ । ପ୍ରତି କେନ୍ଦ୍ରରେ ୫% ସିଟ କୁ ଆଇସୋଲେସନ କେନ୍ଦ୍ର କରାଯାଇଛି । ଜ୍ୱର, ଥଣ୍ଡା ଓ କାଶ ହୋଇଥିବା ପରୀକ୍ଷାର୍ଥୀମାନେ ଆଇସଲେସନ କେନ୍ଦ୍ରରେ ପରୀକ୍ଷା ଦେବେ । ଗୋଟିଏ ଦିନରେ ତିନିଟି ପର୍ଯ୍ୟାୟରେ ହେବ ପରୀକ୍ଷା । ପ୍ରତି ସିଟିଂ ପରେ କେନ୍ଦ୍ରକୁ ସମ୍ପୂର୍ଣ୍ଣ ସାନିଟାଇଜ କାରାଯିବ।
ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଗେଟରେ ସାନିଟାଇଜ କରି ପିଲାଙ୍କୁ ଭିତରକୁ ଛଡ଼ାଯିବ । ଆସନ୍ତା ୧୨ତାରିଖରୁ ୧୯ ପର୍ଯ୍ୟନ୍ତ ଏହି ପରୀକ୍ଷା ଆୟୋଜିତ ହେବ । ଚଳିତ ବର୍ଷ କମ୍ପ୍ୟୁଟର ବେସଡ଼ ମୋଡ଼ରେ ହେବ ପରୀକ୍ଷା। ଏଥି ପାଇ ମୋଟ ୫୯ଟି କେନ୍ଦ୍ର କରାଯାଇଛି।
ଏହା ବି ପଢ଼ନ୍ତୁ | ହାଥରସ୍ ମାମଲା: ‘‘ଯେଉଁ ମୃତ ଦେହ ପୋଲିସ ପୋଡ଼ିଲା ତାହା ଆମ ଝିଅର ନ ଥିଲା,’’ କହିଲା ପରିବାର
ଏହା ବି ପଢ଼ନ୍ତୁ | ଏହି BJP ନେତା କହିଥିଲେ ତାଙ୍କୁ କରୋନା ହେଲେ ସେ ମମତାଙ୍କୁ ଆଲିଙ୍ଗନ କରିବେ; କରୋନା ହେଲା
‘‘ସମ୍ପୂର୍ଣ୍ଣ ଭାବେ ଜେଇଇ ମେନ ଢାଞ୍ଚାରେ ହେବ ପରୀକ୍ଷା । ତେଣୁ ଜେଇଇ ମେନ ଭଳି ଏସଓପି ରାଜ୍ୟରେ ମଧ୍ୟ ଜାରି କରାଯାଇଛି । ଛାତ୍ରଛାତ୍ରୀଙ୍କ ଭିଡ଼ କମାଇବା ପାଇଁ ଗୋଟିଏ ଦିନରେ ତିନିଟି ସିଟିଂରେ ପରୀକ୍ଷା କରିବାକୁ ମଧ୍ୟ ଯୋଜନା ହୋଇଛି । ଚଳିତ ବର୍ଷ କମ୍ପ୍ୟୁଟର ବେସଡ଼ ମୋଡ଼ରେ ପରୀକ୍ଷା ହେଉଥିବାରୁ କୌଣସି ଅସୁବିଧା ହେବ ନାହିଁ,’’ କହିଛନ୍ତି କୋଜେଇଇ ସେଲ ସେକ୍ରେଟାରୀ ରଞ୍ଜନ କୁମାର ।
ଅକ୍ଟୋବର ଶେଷ ସୁଦ୍ଧା ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ । ନଭେମ୍ବରରୁ ଆରମ୍ଭ ହେବ କାଉନସେଲିଂ ଓ ନାମଲେଖା ପ୍ରକ୍ରିୟା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।