ମାନସ ପାଖରେ ଥିବା ତଥ୍ୟ ବିଚଳିତ କରୁଥିଲା..ସତ ଓଗାଲୁଛନ୍ତି ଶର୍ମିଷ୍ଠା

ମାନସଙ୍କ ପାଖରେ ଏପରି କିଛି ତଥ୍ୟ ଥିଲା ଯାହା ଦ୍ୱାରା ଶର୍ମିଷ୍ଠାଙ୍କ ଅସ୍ତିତ୍ବ ନଷ୍ଟ ହୋଇଯାଇଥାନ୍ତା। ଯେଉଁଥିପାଇଁ ଅପହରଣ ଦିନ ରାତି ତମାମ ମାନସଙ୍କୁ ଉଠାଇବା ପାଇଁ ଭଦ୍ରକ ଯାଇ ଗାଡ଼ିରେ ବସି ରହିଥିଲେ ଶର୍ମିଷ୍ଠା।

ମାନସ ହତ୍ୟାକାଣ୍ଡ ଉପରୁ ଧିରେ ଧିରେ ପରଦା ଉଠାଉଛି କ୍ରାଇମବ୍ରାଞ୍ଚ (ପ୍ରତୀକାତ୍ମକ ଛବି)

ମାନସ ହତ୍ୟାକାଣ୍ଡ ଉପରୁ ଧିରେ ଧିରେ ପରଦା ଉଠାଉଛି କ୍ରାଇମବ୍ରାଞ୍ଚ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲାରେ ରିମାଣ୍ଡରେ ଆସି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଥିବା ୪ ଅଭିଯୁକ୍ତମାନଙ୍କୁ ମାରାଥନ ଜେରା କରାଯାଉଛି । କ୍ରାଇମବ୍ରାଞ୍ଚର ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଚାରି ଦିନ ମଧ୍ୟରୁ ପ୍ରଥମ ଦୁଇ ଦିନ ଶର୍ମିଷ୍ଠା ମୁହଁ ଖୋଲିନଥିବା ବେଳେ ଗତ ରାତିରୁ ସତ ଓଗାଳିବା ଆରମ୍ଭ କରିଛନ୍ତି ।

ଶର୍ମିଷ୍ଠା କାହିଁକି ଅନ୍ୟମାନଙ୍କ ସହ ମିଶି ନିଜ କ୍ୟାମେରାମ୍ୟାନ ମାନସଙ୍କୁ ଅପହରଣ କଲେ? ଦୟାଲ ଆଶ୍ରମରେ କିଏ କିଏ ମିଶି କରି ମାନସଙ୍କୁ ମାଡ଼ ମାରିଥିଲେ? କାହା ମାଡ଼ରେ ମାନସଙ୍କ ପଞ୍ଚରା ହାଡ଼ ଭାଙ୍ଗିଲା? ମାନସଙ୍କ ମୃତ ଦେହକୁ ନୟାଗଡ଼ର ରଣପୁରକୁ ନେଇ ପେତିବାର ଯୋଜନା କିଏ ପ୍ରସ୍ତୁତ କରିଥିଲେ? ନୟାଗଡ଼ରୁ ୧୫୦ କିଲୋମିଟର ଦୂର ଚଣ୍ଡିଖୋଲ ଆସି ମୃତ ଦେହ ସହିତ ଥିବା ସାମଗ୍ରୀଗୁଡ଼ିକୁ ନଷ୍ଟ କରିବା ପଛର ପ୍ରକୃତ କାରଣ କଣ? ଏହି ସମସ୍ତ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ବଖାଣିବା ଆରମ୍ଭ କରିଛନ୍ତି ଶର୍ମିଷ୍ଠା ।

ସମସ୍ତ ଅଭିଯୁକ୍ତଙ୍କ ଜେରାକୁ ଆଧାର କରି ତଦନ୍ତକାରୀ ଦଳର ଜଣେ ବରିଷ୍ଠ ଅଧିକାରୀ ଦେଇଥିବା ସୂଚନା ମୁତାବକ ମାନସକୁ ହତ୍ୟା କରିବା ଅଭିଯୁକ୍ତମାନଙ୍କର ଉଦ୍ଦେଶ୍ୟ ନଥିଲା । କିନ୍ତୁ ଅତି ଅମାନବୀୟ ଭାବେ ଓ ବିଭିନ୍ନ ଉପକରଣ ଦ୍ବାରା ନିୟମିତ ମାଡ଼ ମରାଯିବାରୁ ମାନସଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ବ୍ୟତୀତ ମାନସଙ୍କୁ ଅପହରଣ କରିବା ପଛର କାରଣ ନେଇ ମଧ୍ୟ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । କିଛି ଗୋଟିଏ ଏମିତି ତଥ୍ୟ ମାନସଙ୍କ ପାଖରେ ଥିଲା ଯାହାକି ଯଦି ପ୍ରଘଟ ହୋଇଯାଇଥାନ୍ତା ତେବେ ଶର୍ମିଷ୍ଠାଙ୍କ ଅସ୍ତିତ୍ବ ହିଁ ନଷ୍ଟ ହୋଇଥାନ୍ତା । ସେହି ତଥ୍ୟ ପାଇବା ପାଇଁ ଶର୍ମିଷ୍ଠାଙ୍କ ମନ ଭିତରେ ଥିବା ବ୍ୟାକୁଳତା ଚରମ ସୀମାରେ ପହଞ୍ଚି ଥିଲା । ଯେଉଁଥିପାଇଁ ଅପହରଣ ଦିନ ରାତି ତମାମ ସେ ମାନସଙ୍କୁ ଉଠାଇବା ପାଇଁ ଭଦ୍ରକ ଯାଇ ନିଜ ଗାଡ଼ିରେ ବସି ରହିଥିଲେ ।

ତେବେ ଏଭଳି କଣ ତଥ୍ୟ ମାନସଙ୍କ ପାଖରେ ଥିଲା କି ଯାହା ଶର୍ମିଷ୍ଠାଙ୍କ ସର୍ବନାଶର କାରଣ ହୋଇଥାନ୍ତା? ସେହି ତଥ୍ୟ ଏକ ଭିଡ଼ିଓ କ୍ଲିପିଂ କି? ଏନେଇ କୌଣସି ସୂଚନା ଦେବା ପାଇଁ ମନା କରି ଦେଇଛି କ୍ରାଇମବ୍ରାଞ୍ଚ । କିନ୍ତୁ ନିଜ ପାଖରେ ଥିବା ସେହି ତଥ୍ୟକୁ ଆଧାର କରି ମୃତ ମାନସ ଶର୍ମିଷ୍ଠାଙ୍କୁ ବ୍ଲାକମେଲିଂ କରୁଥିବା କଥା ମଧ୍ୟ କ୍ରାଇମବ୍ରାଞ୍ଚର ତଦନ୍ତ ପରିସରକୁ ଆସିଛି ।

ସେପଟେ ଅଭିଯୁକ୍ତମାନଙ୍କୁ ୫ ଦିନିଆ ରିମାଣ୍ଡ ଶନିବାର ଦିନ ଶେଷ ହେବାକୁ ଯାଉଥିବା ବେଳେ ଶର୍ମିଷ୍ଠାଙ୍କୁ ପୁଣି ଥରେ ରିମାଣ୍ଡରେ ଅଣାଯିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ସୂଚନା ଦେଇଛି ତଦନ୍ତକାରୀ ସଂସ୍ଥା । ତେବେ କେବଳ ଶର୍ମିଷ୍ଠା ନା ଅନ୍ୟ କାହାକୁ ପୁନର୍ବାର ରିମାଣ୍ଡ ପାଇଁ ଆବେଦନ ହେବ ତାହା ଆସନ୍ତାକାଲି ସ୍ଥିର ହେବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

"ଅଭିଯୁକ୍ତମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରି ଆମେ ଅଭିଯୁକ୍ତମାନଙ୍କ ଠାରୁ ତଥ୍ୟ ହାସଲ କରୁଛୁ । କିଛି ତଥ୍ୟ ମିଳିଛି ଓ ଆଉ କିଛି ତଥ୍ୟ ମିଳିବା ବାକି ରହିଛି । ତଦନ୍ତ ବାଧା ପ୍ରାପ୍ତ ହେବା ଆଶଙ୍କା ଥିବାରୁ ଅଧିକ କିଛି ତଥ୍ୟ ଗଣମାଧ୍ୟମରେ ଦିଆଯାଉ ନାହିଁ," କହିଛନ୍ତି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ।
Published by:Soumya Das
First published: