ଲୋପ ପାଉଥିବା ପଟ୍ଟଚିତ୍ରକୁ ବଞ୍ଚାଇ ରଖିଛନ୍ତି ଶଙ୍କର ସାହୁ;ମାଗଣାରେ ଦେଉଛନ୍ତି ତାଲିମ

ଆଧୁନିକ ଯୁଗରେ ଧିରେ ଧିରେ ଲୋପ ପାଇବାକୁ ବସିଲାଣି ଗଞ୍ଜାମ ଜିଲ୍ଲାର ଅନେକ ପାରମ୍ପାରିକ କଳା । ପଟ୍ଟଚିତ୍ରକୁ ବଞ୍ଚାଇ ରଖିବା ସହିତ ଏଥି ନିମନ୍ତେ କାମ କରି ଆସୁଛନ୍ତି ବ୍ରହ୍ମପୁର ଲୋଚାପଡ଼ାର ଶଙ୍କର ସାହୁ।

ଲୋପ ପାଉଥିବା ପଟ୍ଟଚିତ୍ରକୁ ବଞ୍ଚାଇ ରଖିଛନ୍ତି ଶଙ୍କର ସାହୁ (ପ୍ରତୀକାତ୍ମକ ଛବି)

ଲୋପ ପାଉଥିବା ପଟ୍ଟଚିତ୍ରକୁ ବଞ୍ଚାଇ ରଖିଛନ୍ତି ଶଙ୍କର ସାହୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ଆଧୁନିକ ଯୁଗରେ ଧିରେ ଧିରେ ଲୋପ ପାଇବାକୁ ବସିଲାଣି ଗଞ୍ଜାମ ଜିଲ୍ଲାର ଅନେକ ପାରମ୍ପାରିକ କଳା । ସେଥିମଧ୍ୟରୁ ଅନ୍ୟତମ ହେଉଛି ପଟ୍ଟଚିତ୍ର । ପୂର୍ବ ଅପେକ୍ଷା ପଟ୍ଟଚିତ୍ରର ଆଉ ଚାହିଦା ନାହିଁ । ତଥାପି ମଧ୍ୟ ପଟ୍ଟଚିତ୍ରକୁ ବଞ୍ଚାଇ ରଖିବା ସହିତ ଏଥି ନିମନ୍ତେ କାମ କରି ଆସୁଛନ୍ତି ବ୍ରହ୍ମପୁର ଲୋଚାପଡ଼ାର ଶଙ୍କର ସାହୁ।

ଗଞ୍ଜାମ ଜିଲ୍ଲାର ବହୁ ପୁରାତନ ପାରମ୍ପାରିକ କଳା ହେଉଛି ପଟ୍ଟଚିତ୍ର । ଯେଉଁ ସମୟରେ ଫୋଟ ଚିତ୍ର କୌଣସି  ବ୍ୟବସ୍ଥା ନଥିଲା ସେହି ସମୟରେ ପ୍ରମୁଖ ପର୍ଯ୍ୟଟନ ବା ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଶିଳ୍ପୀ ମାନେ ପଟିରେ ଚିତ୍ର ଅଙ୍କନ କରି ଦେଉଥିଲେ । ଯାହାକୁ ନେଇ ଅନ୍ୟମାନଙ୍କୁ ସେହି ସ୍ଥାନ ସଂପର୍କରେ ପ୍ରଦର୍ଶିତ କରାଯାଉଥିଲା । ଆଉ ସେହି ପଟିରେ ଚିତ୍ର ଅଙ୍କନ ପରମ୍ପରାକୁ ପଟ୍ଟଚିତ୍ର ବୋଲି କୁହାଯାଉଥିଲା । ତେବେ ଏହି ପଟ୍ଟଚିତ୍ର ଆଧୁନିକତାର ଛାପରେ ଧିରେ ଧିରେ ଲୋପ ପାଇବାକୁ ବସିଲାଣି । ତଥାପି ମଧ୍ୟ ଦୀର୍ଘ ବର୍ଷ ହେଲା ଏହାକୁ ବଞ୍ଚାଇ ରଖିଛନ୍ତି ବ୍ରହ୍ମପୁର ଲୋଚାପଡ଼ା ଅଞ୍ଚଳର ଶଙ୍କର ସାହୁ । ଶଙ୍କର ନିଜର ବାପାଙ୍କ ଠାରୁ ଏହି କଳା ସମ୍ପର୍କରେ ଜ୍ଞାନ ପାଇଥିଲେ । ପିଲାଟି ଦିନରୁ ପଟ୍ଟଚିତ୍ର ପ୍ରତି ତାଙ୍କର ଦୁର୍ବଳତା ରହିଥିବା ଯୋଗୁଁ ସେ ଏହାକୁ ବୃତ୍ତି ଭାବେ ଗ୍ରହଣ କରିନେଇଛନ୍ତି । ସେ ଖଣ୍ଡିଆ ପଟାଟେ ଧରି ତାଙ୍କୁ ତୁଳୀ ଓ ରଙ୍ଗ ମାଧ୍ୟମରେ ଅତ୍ୟନ୍ତ ସୁନ୍ଦର ଚିତ୍ରରେ ପରିବର୍ତ୍ତନ କରିଦେଇଥାନ୍ତି ।

‘‘ପୁରୁଣା ସୂତା ଲୁଗାକୁ ତେନ୍ତୁଳି ମଞ୍ଜି ଅଠା ଦେଇ ପ୍ରାୟ ୨ ରୁ ୩ ପରସ୍ତ କରାଯାଇ ମୋଟା କରାଯାଇଥାଏ । ଏହାପରେ ଖଡ଼ି ଓ ଅଠା ଦେଇ ଘୋଳ କରାଯାଇ କପଡ଼ାରେ ଚିକ୍କଣ ପଥରରେ ଘସି ପଟିକୁ ପ୍ରସ୍ତୁତ କରାଯାଇଥାଏ। ସେହିଭଳି ରଙ୍ଗ ପ୍ରସ୍ତୁତ ପାଇଁ ବତି କଳାରୁ କଳା ରଙ୍ଗ ପ୍ରସ୍ତୁତ ହେଉଥିବା ବେଳେ ଲାଲ ରଙ୍ଗ ପାଇଁ ସିନ୍ଦୁର, ଗନ୍ଧକରୁ ହଳଦିଆ, ଶଙ୍ଖରୁ ଧଳା, ଖଣ୍ଡ ନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ ହୋଇଥାଏ । ପ୍ରସ୍ତୁତ ହୋଇଥିବା ପଟିରେ ପ୍ରଥମେ ପେନ୍‌ସିଲ ବ୍ୟବହାର କରାଯାଇ ଦେବଦେବୀଙ୍କ ଚିତ୍ର କରାଯାଇଥାଏ । ଶେଷରେ ନେତ୍ର କାର୍ଯ୍ୟ ହୋଇ ଶଙ୍ଖପତା ଦେବା ପରେ ପଟ୍ଟଚିତ୍ର ହୋଇଥାଏ," କହିଛନ୍ତି,‘‘ ପଟ୍ଟଚିତ୍ର ଶିଳ୍ପୀ ଶଙ୍କର ସାହୁ ।

ଶଙ୍କରଙ୍କ ଠାରୁ ପଟ୍ଟଚିତ୍ର ଶିକ୍ଷା ଲାଭ କରିବା ନିମନ୍ତେ ଲାଗିଥାଏ ଛାତ୍ରଛାତ୍ରୀଙ୍କ ଭିଡ଼ । ବର୍ତ୍ତମାନ ୧୫ରୁ ଅଧିକ ଛାତ୍ରଛାତ୍ରୀମାନେ ଶଙ୍କରଙ୍କ ଠାରୁ ତାଲିମ ନେଉଛନ୍ତି । ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟାଇପେଣ୍ଡ ପଇସା ମଧ୍ୟ ମିଳୁଛି ।

‘‘ଗୋଟିଏ ପାରମ୍ପାରିକ କଳାକୁ ବଞ୍ଚାଇ ରଖିବା ସହିତ ନିଜେ କିଛି ଶିକ୍ଷା ଲାଭ କରୁଛନ୍ତି। ଏହା ସହିତ ଦୁଇ ପଇସା ରୋଜଗାର ମଧ୍ୟ ହେଉଥିବା ଯୋଗୁଁ ବେଶ ଉତ୍ସାହର ସହିତ ଶିକ୍ଷା ଲାଭ କରିଥାନ୍ତି ଛାତ୍ରଛାତ୍ରୀମାନେ। ପଟ୍ଟଚିତ୍ର ଧିରେ ଧିରେ ଲୋପ ପାଇବାକୁ ବସିଥିବା ବେଳେ ଏହି କଳାକୁ ବଞ୍ଚାଇବା ସମସ୍ତଙ୍କ ଦାୟିତ୍ବ ରହୁଛି ,’’କହିଛନ୍ତି ପ୍ରଶିକ୍ଷାର୍ଥୀ ଲୋପାମୁଦ୍ରା ସାହୁ ।

ଶଙ୍କର ସାହୁଙ୍କ ଠାରୁ ଛାତ୍ରଛାତ୍ରୀମାନେ ମଧ୍ୟ ବେଶ ଉତ୍ସାହର ସହିତ ପଟ୍ଟଚିତ୍ର ଶିକ୍ଷା ଲାଭ କରୁଥିବା ବେଳେ ଏହାକୁ ନେଇ ଆଗାମୀ ଦିନରେ ବୃତ୍ତିଗତ ମାଧ୍ୟମ ଭାବେ ବ୍ୟବହାର କରିବା ନିମନ୍ତେ ସମାନେ ବେଶ ଇଚ୍ଛା ପ୍ରକାଶ କରିଛନ୍ତି । ତେଣୁ ଲୋପ ପାଇବାକୁ ବସିଥିବା ଏହି ପଟ୍ଟଚିତ୍ର ପାଇଁ ସରକାରଙ୍କ ଦୃଷ୍ଟି ନିତ୍ୟାନ୍ତ ଆବଶ୍ୟକ ।
Published by:Soumya Das
First published: