ଜାନୁଆରୀରୁ ରାଜ୍ୟରେ ଟ୍ରାଫିକ୍ ଚେକିଂ କଡ଼ାକଡ଼ି ହେବ; ନିୟମ ଭାଙ୍ଗିଲେ ୩ ମାସ ପାଇଁ DL ରଦ୍ଦ ହେବ
ସାଧାରଣ ଲୋକେ କଡ଼ାକଡ଼ି ଚେକିଂ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ହେଲେ ଲୋକଙ୍କୁ ପ୍ରଥମେ ସଚେତନ ନ କରି ନିୟମ କଡ଼ାକଡ଼ି ପାଳନକୁ ନାପସନ୍ଦ କରିଛନ୍ତି BJP ଓ କଂଗ୍ରେସ । ଲୋକଙ୍କୁ ସଚେତନ କରିବା ପାଇଁ ଦୁଇ ତିନି ମାସ ସମୟ ଦରକାର ବୋଲି BJP କହିଛି ।

ଏବେ ବି ଅନେକ ଲୋକ ହେଲମେଟ୍ ନ ପିନ୍ଧି ବାଇକ୍ ଚଳାଉଥିବା ଦେଖିବାକୁ ମିଳୁଛି ।
- News18 Odia
- Last Updated: December 7, 2020, 9:43 PM IST
ଭୁବନେଶ୍ୱର: ରାଜ୍ୟରେ କୋଭିଡ ଯୋଗୁଁ କିଛି ମାସ ଟ୍ରାଫିକ ଚେକିଂ କୋହଳ ରହିବା ପରେ ଏବେ ଜାନୁଆରୀରୁ ପୁଣି କଡ଼ାକଡ଼ି ହେବ ଚେକିଂ । ନିୟମ ଭଙ୍ଗ କରୁଥିବା ଲୋକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଏହା ପୂର୍ବରୁ ଲୋକଙ୍କୁ ଡିସେମ୍ବରରେ ସଚେତନ କରାଯିବ ।
ବିଶେଷ କରି ଦୁଇ ଚକିଆ ଯାନରେ ଉଭୟ ଚାଳକଙ୍କ ସହ ପଛ ସିଟରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ଦୁର୍ଘଟଣାରେ ବହୁ ଲୋକଙ୍କର ପ୍ରାଣ ହାନି ହେଉଥିବାରୁ ସୁପ୍ରିମ କୋର୍ଟର ଏକ କମିଟି ଉଦବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ନିୟମ କଡ଼ାକଡ଼ି ପାଳନ କରିବା ପାଇଁ ତାଗିଦ କରିଛନ୍ତି । ଏହି ଆଧାରରେ ନିୟମକୁ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଏହା ବି ପଢ଼ନ୍ତୁ | ଆଉ କିଛି ଦିନ ପରେ ଆସିଯିବ କରୋନା ଭ୍ୟାକ୍ସିନ୍; ଦେଶର ସବୁ ଲୋକଙ୍କୁ ମିଳିବ ଏହି ଟିକା: PM ମୋଦି

ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଟ୍ୱିଟ୍
ରାଜ୍ୟ ସମେତ ସାରା ଦେଶରେ ସଡ଼କ ଦୁର୍ଘଟଣା ବୃଦ୍ଧି ଯୋଗୁଁ ଟ୍ରାଫିକ ନିୟମ କଡ଼ାକଡ଼ି ଲାଗୁ କରିବା ନେଇ ସୁପ୍ରିମ କୋର୍ଟର ଏକ କମିଟି କହିବା ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । ଆଗାମୀ ଦିନରେ ଏହାକୁ କଡାକଡି ଲାଗୁ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଏହା ବି ପଢ଼ନ୍ତୁ | ୬ ଜଣ ଗର୍ଭବତୀ ଗର୍ଲଫ୍ରେଣ୍ଡଙ୍କ ସହ ବିବାହ ଉତ୍ସବରେ ଯୋଗ ଦେଲେ ଏହି ବ୍ୟକ୍ତି; ସଭିଏଁ ଚକିତ
ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏକ ଟ୍ୱିଟ କରି କଠୋର ଆଭିମୁଖ୍ୟ ଗ୍ରହଣ କରିବା ନେଇ ସୂଚନା ଦେଇଛି । ଯେଉଁମାନେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିବେ – ଯେପରିକି ମଦ ପିଇ ଗାଡ଼ି ଚାଳନା କରିବେ, ରେଡ୍ ଲାଇଟ ନିୟମ ଭାଙ୍ଗିବେ, ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନରେ କଥା ହେବେ, ନିର୍ଦ୍ଧାରିତ ଗତିଠୁ ଅଧିକ ବେଗରେ ଗାଡ଼ି ଚଳାଇବେ ଓ ଭଯୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧି ନ ଥିବେ – ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ତିନି ମାସ ପାଇଁ ରଦ୍ଦ କରାଯିବ ବୋଲି ଏହି ଟ୍ୱିଟ ମାଧ୍ୟମରେ ସ୍ପଷ୍ଟ କରିଛି ରାଜ୍ୟ ପରିବହନ ନିଗମ ।
ଲୋକେ ଏହି ନିୟମକୁ ସ୍ୱାଗତ କରିଛନ୍ତି । ସରକାର ଯାହା କହୁଛନ୍ତି ଲୋକଙ୍କ ଭଲ ପାଇଁ, ତେଣୁ ସମସ୍ତେ ମାନିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଯେଉଁମାନେ ବି ନିୟମ ମାନୁ ନାହାନ୍ତି ଚେକିଂ କଡ଼ିକଡ଼ି କରାଗଲେ ସେମାନେ ସଚେତନ ହେବେ ବୋଲି କହିଛନ୍ତି ରାଜଧାନୀ ବାସିନ୍ଦାମାନେ ।
ଏହା ବି ପଢ଼ନ୍ତୁ | କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ୱଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ
ହେଲେ ଲୋକଙ୍କୁ ପ୍ରଥମେ ସଚେତନ କରା ନ ଯାଇ ନିୟମ କଡ଼ାକଡ଼ି ପାଳନ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଧାନ ସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ‘‘ଦେଶର ବିଭିନ୍ନ ରାଜ୍ୟରେ ଏହି ଆଇନ ଲାଗୁ ହୋଇଛି । ଏହା ଏକ ଭଲ ପଦକ୍ଷେପ । ହେଲେ ଓଡ଼ିଶାରେ କାର୍ଯ୍ୟକାରୀ ହେବା ପୂର୍ବରୁ ଲୋକଙ୍କୁ ସଚେତନ କରାଇବା ପାଇଁ ଦୁଇ ତିନି ମାସ ସମୟ ଦରକାର ।’’
‘‘ସରକାର ମନମୁଖୀ କାମ ଚଳେଇଛନ୍ତି । ସେ ପଟେ ଖଣି ମାଫିଆ ଓ ଜମି ମାଫିଆ ଖସିଯାଉଛନ୍ତି । ଏ ପଟେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ପଛରେ ପଡ଼ିଛନ୍ତି ସରକାର । ଲୋକଙ୍କୁ ପ୍ରଥମେ ସଚେତନ ନ କରି ଆଇନ ଲାଗୁ କରିବା ଭୁଲ । ଆଗାମୀ ଦିନରେ କଂଗ୍ରେସ ଏହାକୁ ବିରୋଧ କରିବ,’’ କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।