ହୋଲିରେ ଅଘଟଣ: ଷଣ୍ଢ ଲଢ଼େଇ, ନଦୀରେ ବୁଡ଼ିବା ଆଦି ଘଟଣାରେ ରାଜ୍ୟରେ ୭ ଜଣ ଯୁବକଙ୍କ ମୃତ୍ୟୁ

ରଙ୍ଗ କିଣିବାକୁ ମୋଟର ସାଇକେଲରେ ଯାଉଥିବା ବେଳେ ରାସ୍ତାରେ ଷଣ୍ଢ ଲଢ଼େଇରେ ଜଣେ ଯୁବକଙ୍କ ପ୍ରାଣ ଯାଇଥିବା ବେଳେ ହୋଲି ପରେ ନଦୀରେ ଗାଧୋଉଥିବା ସମୟରେ ପାଞ୍ଚ ଜଣ ଯୁବକଙ୍କ ପ୍ରାଣ ଯାଇଛି । ଆଉ ଜଣେ ଯୁବକଙ୍କ ମୃତ ଦେହ ତାଙ୍କ ଘର ପଛ ପଟୁ ମିଳିଛି ।

ହୋଲିରେ ଅଘଟଣ: ଷଣ୍ଢ ଲଢ଼େଇ, ନଦୀରେ ବୁଡ଼ିବା ଆଦି ଘଟଣାରେ ରାଜ୍ୟରେ ୭ ଜଣ ଯୁବକଙ୍କ ମୃତ୍ୟୁ
ବାଲେଶ୍ୱରର ସୋରରେ ଷଣ୍ଢ ଲଢ଼େଇରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।
  • News18 Odia
  • Last Updated: March 10, 2020, 5:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରଙ୍ଗ ଓ ଖୁସିର ପର୍ବ ହୋଲିରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ସନ୍ଧ୍ୟା ପର୍ଯ୍ୟନ୍ତ ସାତ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । କଟକ, ରାୟଗଡ଼ା, ବାଲେଶ୍ୱର ଓ କଳାହାଣ୍ଡି ଜିଲ୍ଲାରେ ଏ ଅଘଟଣ ସବୁ ଘଟିଛି ।

ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ୍‌ ଅଞ୍ଚଳରେ ଷଣ୍ଢ ଲଢ଼େଇରେ ମୋଟର ସାଇକେଲରେ ଆସୁଥିବା ଜଣେ ଯୁବକଙ୍କ ପ୍ରାଣ ଯାଇଥିବା ବେଳେ ହୋଲି ପରେ ନଦୀରେ ଗାଧୋଉଥିବା ସମୟରେ କଟକ ଓ ରାୟଗଡ଼ାରେ ପାଞ୍ଚ ଜଣ ଯୁବକଙ୍କ ପ୍ରାଣ ଯାଇଛି । କଳାହାଣ୍ଡିରେ ଜଣେ ଯୁବକଙ୍କ ମୃତ ଦେହ ତାଙ୍କ ଘର ପଛ ପଟୁ ଉଦ୍ଧାର କରାଯାଇଛି । ଏହି ଅକାଳ ମୃତ୍ୟୁଗୁଡ଼ିକ ଯୋଗୁଁ ସେହି ସବୁ ଅଞ୍ଚଳରେ ଖୁସିର ଉତ୍ସବ ଭିତରେ ଖେଳିଯାଇଛି ଦୁଃଖର କଳା ବାଦଲ ।

ଷଣ୍ଢ ଲଢ଼େଇରେ ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳର ମହୁମୁହାଣର ନରେନ୍ଦ୍ର ଜେନା ନାମକ ଯୁବକଙ୍କ ମୃତ୍ୟୁ ଘଟିଛି । ନରେନ୍ଦ୍ର ନିଜ ମୋଟର ସାଇକେଲରେ ସୋର ବଜାରକୁ ରଙ୍ଗ କିଣିବାକୁ ଆସୁଥିବା ସମୟରେ ବାଗୁଡ଼ି ଛକ ନିକଟରେ ରାସ୍ତା ଉପରେ ତିନିଟି ଷଣ୍ଢ ଲଢେଇ ଲାଗିଥିବା ଦେଖିଥିଲେ । ତେବେ ସେ ସେହି ରାସ୍ତା ପାର୍‌ କରୁଥିବା ସମୟରେ ଷଣ୍ଢମାନେ ମୋଟର ସାଇକେଲ ସହ ତାଙ୍କୁ କଚାଡ଼ି ଦେଇଥିଲେ । ଫଳରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ଚଢି ଯାଇଥିଲା । ନରେନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣିଥିଲେ, ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କଟକରେ ହୋଲି ଖେଳିବା ପରେ କାଠଯୋଡ଼ି ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ଦୁଇ ଜଣ ଯୁବକ । ବୟାଳିଶ ମୌଜାର କାଠଯୋଡ଼ିରେ ଘଟିଛି ଏହି ଅଘଟଣ । ହୋଲି ଖେଳ ସାରି କିଛି ଯୁବକ କାଠଯୋଡ଼ିରେ ଗାଧୋଉଥିଲେ । ସେମାନଙ୍କ ମଧ୍ୟରୁ ବୁଡ଼ିଯାଇଥିଲେ ଦୁଇ ଜଣ ଯୁବକ ।ଖବର ପାଇ ଉଦ୍ଧାର ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଦଧାର କରିଥିଲା ଓ ଏସ୍‌.ସି.ବି. ହସପିଟାଲରେ ଭର୍ତ୍ତି କରାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷିତ କରିଥିଲେ । ମୃତକ ଦୁଇ ଯୁବକ ହେଲେ ନେତାଜୀ ନଗରର ଶୁଭମ କୁମାର ବେହେରା ଓ ନିଶାନ୍ତ ପାଢ଼ୀ ।

କାଠଯୋଡ଼ିରେ ବୁଡ଼ିଯାଇଥିବା ଜଣେ ଯୁବକକୁ ବାହାରକୁ ଅଣାଯାଉଛି ।


ରାୟଗଡ଼ାର ପଦ୍ମପୁର ବଡ଼ନାଳ ଡ୍ୟାମରେ ହୋଲି ପରେ ଗାଧୋଉଥିବା ବେଳେ ବୁଡ଼ି ତିନି ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ତିନି ଜଣ ମୃତକ – ସୁରେଶ ଚୌଧୁରୀ, ଅଭିଷେକ କୁମାର ଓ କେ. ବରୁଣ ଆଚାରୀ – ପଦ୍ମପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ସେମାନେ ବୁଡ଼ିଯାଉଥିବା ଦେଖି ସେଠାରେ ଥିବା ଲୋକେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଫୋନ୍‌ କରିଥିଲେ । ସେମାନେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରିଥିଲେ ଓ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତରମାନେ ତିନି ଜଣଙ୍କୁ ମୃତ ଘୋଷିତ କରିଥିଲେ ।

କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅନ୍ତର୍ଗତ ଜଳତାମୁଣ୍ଡା ଗାଁରେ ରଙ୍ଗର ପର୍ବ ହୋଲିରେ ନିଜ ଘର ପଛ ପଟୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ନକୁଳ ତାଣ୍ଡି ନାମକ ଏହି ଯୁବକ ସୋମବାର ରାତିରେ ଘରକୁ ଫେରି ନ ଥିଲେ । ଆଜି ସକାଳେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ତାଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତାଙ୍କ ପଡ଼ୋଶୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ତଦନ୍ତ ଆରମ୍ଭ କରିଛି । କିଛି ଦିନ ତଳେ ପଡ଼ୋଶୀ ଘରର ଜଣେ ଝିଅକୁ ନକୁଳ ଅଶ୍ଲୀଳ ଇଙ୍ଗିତ କରିଥିବା ଅଭିଯୋଗ ନେଇ ଗଣ୍ଡଗୋଳ ହୋଇଥିବା ଜଣାପଡିଛି ।
First published: March 10, 2020, 5:31 PM IST