ବାହାଘର ଭୋଜିରେ ଫାର୍ମା କମ୍ପାନି ଖୋଲିବାକୁ ଘୋଷଣା କଲେ ଯୁବ ବୈଜ୍ଞାନିକ ଡ. ଶେଷଦେବ କିସାନ

ଗରିବ ଲୋକଙ୍କୁ ମାଗଣାରେ ଔଷଧ ଯୋଗାଇ ପାଇଁ ଖୁବ୍ ଶୀଘ୍ର ଫାର୍ମା କମ୍ପାନି ଖୋଲିବାକୁ ଯାଉଛନ୍ତି ସମ୍ବଲପୁରର ଯୁବ ବୈଜ୍ଞାନିକ ଡ. ଶେଷଦେବ କିସାନ। ବାହାଘର ଭୋଜିରେ କରିଥିଲେ ଏହି ଘୋଷଣା।

ବାହାଘର ଭୋଜିରେ ଫାର୍ମା କମ୍ପାନି ଖୋଲିବାକୁ ଘୋଷଣା କଲେ ଯୁବ ବୈଜ୍ଞାନିକ ଡ. ଶେଷଦେବ କିସାନ

ବାହାଘର ଭୋଜିରେ ଫାର୍ମା କମ୍ପାନି ଖୋଲିବାକୁ ଘୋଷଣା କଲେ ଯୁବ ବୈଜ୍ଞାନିକ ଡ. ଶେଷଦେବ କିସାନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ସମ୍ବଲପୁର: ବିବାହ ବନ୍ଧନରେ ବାନ୍ଧି ହୋଇନ୍ତି ସମ୍ବଲପୁରର ଯୁବ ବୈଜ୍ଞାନିକ ଡ. ଶେଷଦେବ କିସାନ। ଏହି ଅବସରରେ ସେ ଓଡ଼ିଶାରେ ଡ.ଶେଷ କିଷାନ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନି ଖୋଲିବେ ଓ ତା’ର ଲାଭାଂଶ ଗରିବ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କିବେ ବୋଲି ଘୋଷଣା କରିଛନ୍ତି।

ଗତ ୨୨ ତାରିଖ ମଙ୍ଗଳବାର ବାହାଘର ଭୋଜି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. କିସାନ ଏହି ଘୋଷଣା କରିଥିଲେ। ସେ କହିଥିଲେ ଯେ ଅତି ଅଳ୍ପ ଖର୍ଚ୍ଚରେ ସାଧାରଣ ରୋଗୀମାନେ ଉନ୍ନତମାନର ଔଷଧ ପାଇ ପାରିବେ। ୪ ମାସ ମଧ୍ୟରେ ଓଡ଼ିଶାରେ ଜେନେରିକ୍‌ ମେଡିସିନ ଡାଇବେଟିସ, ବ୍ଲଡ୍‌ପ୍ରେସର, ଆଣ୍ଟିବାୟୋଟିକ, ମଲ୍‌ଟିଭିଟାମିନ, ଗ୍ୟାଷ୍ଟିକ ଭଳି ୫ ପ୍ରକାର ମେଡିସିନ ତାଙ୍କ କମ୍ପାନି ଦ୍ବାରା ବାହାର କରାଯାଇ ସାଧାରଣ ଲୋକଙ୍କୁ ବ୍ୟବହାର ପାଇଁ ଯୋଗାଇ ଦିଆଯିବ। ଆଗକୁ ୫୦୦ରୁ ୧୦୦୦ ଜେନେରିକ ମେଡିସିନ ପ୍ରଡକ୍ଟ ବାହାର କରିବେ ଓ ଏହାର ମୁଖ୍ୟାଳୟ ଭୁବନେଶ୍ବରରେ ରହିବ। ପରବର୍ତ୍ତୀ ସମୟରେ କ୍ୟାନ୍ସର ଭଳି ରୋଗର ମେଡିସିନ ମଧ୍ୟ କମ୍ପାନି ଦ୍ବାରା ପ୍ରସ୍ତୁତ ହେବ।

ପ୍ରକାଶ ଥାଉ କି ଗତ ୧୦ ତାରିଖ ଦିନ ଡ. କିସାନ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଖଗଡ଼ାପାଳ ଗ୍ରାମର ଗୋପାଳ କୃଷ୍ଟ ଜେନା ଓ ସୁଚିତ୍ରା ଜେନାଙ୍କ ଝିଅ ଜୟଶ୍ରୀଙ୍କୁ ରେଢ଼ାଖୋଲ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ। ଗତ ୨୦ ତାରିଖରେ ଉଭୟଙ୍କର ନିର୍ବନ୍ଧ ସରିଥିବା ବେଳେ ୨୧ ତାରିଖରେ ତାଙ୍କର ବିବାହ ରେଢ଼ାଖୋଲରେ ଥିବା ଏକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା।

ଶେଷଦେବ ସ୍ଥାନୀୟ କଦମ୍ବ ପଡ଼ିଆରୁ ବାଜା, ରୋଷଣୀ ବରଯାତ୍ରି ଧରି ବାହାରି ରେଢାଖୋଲରେ ଥିବା କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲେ। ସେଠାରେ ସେ ବାଲେଶ୍ବର ଜିଲ୍ଲା ବାଲିଆପାଳର ଗୋପାଳକୃଷ୍ଣ ଜେନା ଓ ସୁଚିତ୍ରା ଜେନାଙ୍କ ବଡ଼ ଝିଅ ଜୟଶ୍ରୀ ଜେନାଙ୍କୁ ବୈଦିକ ରିତିନୀତିରେ ବିବାହ କରିଥିଲେ। ଶେଷଦେବ କିସାନଙ୍କ ପିତାମାତା ଇହଧାମ ତ୍ୟାଗ କରିଥିବା ବେଳେ ତାଙ୍କ ବିବାହ କାର୍ଯ୍ୟ ଧର୍ମ ପିତା-ମାତା ସୁନନ୍ଦ ପ୍ରଧାନ ଓ ସୌଦାମିନୀ ସାହୁ ତୁଲାଇ ଥିଲେ।

ଶେଷ କିସାନ ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍‌ ବଲାସିଙ୍ଗା ଗ୍ରାମର ବାସିନ୍ଦା। ପିଲାବେଳୁ ପିତା ବିପିନ କିସାନ ଓ ମା’ ଦୁଃଖୀ କିସାନଙ୍କୁ ହରାଇ ଥିଲେ। ନିଜେ ଗାଈଗୋରୁ ଚରାଇବା ସହିତ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ବହୁ କଷ୍ଟରେ ସେ ପାଠ ପଢ଼ିଥିଲେ। ସେ ଜର୍ମାନୀର ଗଟିନଜେନ ୟୁନିଭର୍ସିଟିରେ ଅଗାର୍ନିକ କ୍ୟାମଷ୍ଟ୍ରିରେ ପିଏଚ୍‌ଡି କରିଛନ୍ତି। ତାଙ୍କ ସଫଳତା ଅଞ୍ଚଳରେ ଉଦାହରଣ ହୋଇ ରହିଛି। କାରଣ ଦାରିଦ୍ର୍ୟର ତାଡ଼ନାରେ ମଧ୍ୟ ସେ ହାର ମାନି ନାହାଁନ୍ତି ବରଂ ସଫଳତା ପାହାଚ ଚଢ଼ିଛନ୍ତି।

ନିକଟରେ ଆୟୋଜିତ ହୋଇଥିବା ଡ. କିସାନଙ୍କ ବିବାହ ଭୋଜିରେ ପୂର୍ବ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ରେଢ଼ାଖୋଲ ଓ ନାକଟିଦେଉଳ ବ୍ଲକ୍‌ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।
Published by:Lipina Das
First published: