ଢେଙ୍କାନାଳରେ ସକ୍ରିୟ ହେଲେ ଲୁଟେରା; ୬ଟି ଦୋକାନରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ

ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ କଲେଜ ବାଇପାସ ନିକଟରେ ଏହି ସିରିଜ ଲୁଟ ହୋଇଛି।

ଢେଙ୍କାନାଳରେ ସକ୍ରିୟ ହେଲେ ଲୁଟେରା

ଢେଙ୍କାନାଳରେ ସକ୍ରିୟ ହେଲେ ଲୁଟେରା

  • Share this:
News18 Odia Digital

ଢେଙ୍କାନାଳ: ଢେଙ୍କାନାଳ ସହରରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା। କଲେଜ ବାଇପାସ ନିକଟରୁ ଗୋଟିଏ ଲାଇନରେ ରହିଥିବା ଛଅ ଛଅଟି ଦୋକାନରୁ ଲକ୍ଷ ଲକ୍ଷ ଟଙ୍କାର କଳାକନା ବୁଲାଇ ଚମ୍ପଟ ମାରିଛନ୍ତି ଲୁଟେରା। ସିସିଟିଭି ଫୁଟେଜରେ କଏଦ ହୋଇଛି ଦୃଶ୍ୟ।

ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ କଲେଜ ବାଇପାସ ନିକଟରେ ଏହି ସିରିଜ ଲୁଟ ହୋଇଛି। ମେ ୨୯ ରାତି ପ୍ରାୟ ୨.୩୦ ମିନିଟ ସମୟରେ କିଛି ଲୁଟେରା ଦୋଟାନର ସଟର ତାଲା ଭାଙ୍ଗି ଏଭଳି ଲୁଟତରାଜ କରିଥିଲେ।

କଲେଜ ବାଇପାସ ବଜାରରେ ରହିଥିବା ଗୋଟିଏ ମୋବାଇଲ ଦୋକାନ, ମିଠା ଦୋକାନ, ଫଳ ଦୋକାନ, ଚିକେନ ଦୋକାନ ଓ ଦୁଇଟି ସ୍ନାକ୍ସ ଦୋକାନରୁ ଏକା ସାଙ୍ଗରେ ଗୋଟିଏ ରାତିରେ ଏହି ଲୁଟ ହୋଇଥିବା ଜଣାପଡ଼ିଛି। ୫୫ ନମ୍ବର ଜାତୀୟ ରାଜପଥ କଡ଼କୁ ଲାଗି ରାତି ତମାମ ଗାଡି ଚଳପ୍ରଚଳ ସତ୍ୟ ଏହି ବଜାରରୁ ଏତେ ବଡ଼ ସିରିଜ ଲୁଟ କରିବାକୁ କିଭଳି ସାହସ କଲେ ତାହା ସମସ୍ତଙ୍କୁ ଆଚମ୍ବିତ କରିଛି।

ଏହି ସମସ୍ତ ଲୁଟର ସିସିଟିଭି ଫୁଟେଜ କ୍ୟାମେରାରେ କଏଦ ହୋଇଛି। ବଜାରରେ ଥିବା ଏକ ଚିକେନ ଦୋକାନରେ ଲାଗିଥିବା ଟିଣ କବାଟ ତାଡି ଦୁଇଜଣ ଲୁଟେରା ଭିତରେ ପଶି ଲୁଟ କରୁଥିବା ସମୟର ଦୃଶ୍ୟ ଦେଖିବାକୁ ମିଳିଛି। ଏଥିରେ କିଛି ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

ସହରରେ ଏଭଳି ବଡ଼ ଧରଣର ସିରିଜ ଲୁଟ ପରେ ପୋଲିସର କାର୍ଯ୍ୟ ଦକ୍ଷତା ଓ ନାଇଟ ପାଟ୍ରୋଲିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଲୁଟ ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେବା ଭଳି ଜଣାପଡୁଛି। ଖୁବ୍ ଶୀଘ୍ର ଯଦି ପୋଲିସ ଏହି ଲୁଟେରାମାନଙ୍କୁ ଠାବ କରିବାରେ ସମର୍ଥ ନହେବ ଆଗକୁ ସହରରେ ସ୍ଥିତି ସଙ୍ଗିନ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସହରର ବୁଦ୍ଧିଜୀବୀ।

"ଏନେଇ ଖବର ପାଇବା ପରେ ସ୍ଥାନୀୟ ବ୍ୟବସାୟୀମାନେ ପୋଲିସକୁ ସିସିଟିଭି ଫୁଟେଜ ଦେଖାଇବା ସହ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଯେଉଁଥିରେ ଖୁବ୍ ଶୀଘ୍ର ଏହି ଲୁଟେରାମାନଙ୍କୁ ଧରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ନେବା ପାଇଁ ଦାବି ହୋଇଛି,’’ କହିଥିଲେ ଲୁଟର ଶିକାର ହୋଇଥିବା ମିଠା ଦୋକାନୀ ମନୀଷ ମହାନ୍ତି।

ସିସିଟିଭି ଫୁଟେଜ ଆଧାରରେ ପୋଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ନାଇଟ ପାଟ୍ରୋଲିଂକୁ ଆହୁରି କଡ଼ାକଡ଼ି କରାଯିବା ସହିତ ଏହି ଲୁଟେରା ମନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଟାଉନଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର।
Published by:Lipina Das
First published: