News18 Odia Digital
ଭୁବନେଶ୍ବର: ରାଜ୍ୟ ବିଜେପି ଶିବିର ଏବେ ଚଳଚଞ୍ଚଳ। ଖାସ୍ କରି ଚଳିତ ସେପ୍ଟେମ୍ବର ମାସ ତମାମ ଚଳଚଞ୍ଚଳ ହେବାକୁ ଯାଉଛି ରାଜ୍ୟ ବିଜେପି ମୁଖ୍ୟାଳୟ। ଚଳିତ ମାସରେ ଏକାଧିକ କେନ୍ଦ୍ରୀୟ ନେତା ଓ ଦଳୀୟ ସଙ୍ଗଠକ ଓଡ଼ିଶା ମୁହାଁ ହେଉଛନ୍ତି।
ମାସର ପ୍ରଥମ ସପ୍ତାହରେ ନୂଆ କରି ଦାୟିତ୍ୱ ନେଇଥିବା ରାଜ୍ୟ ବିଜେପି ପ୍ରଭାରୀ ସୁନିଲ ବଂଶଲ ଓଡ଼ିଶା ଆସୁଥିବା ବେଳେ ତୃତୀୟ ସପ୍ତାହରେ ଦଳର ଏକାଧିକ କେନ୍ଦ୍ରୀୟ ସଙ୍ଗଠକ ରାଜ୍ୟ ମୁହାଁ ହେଉଛନ୍ତି। ଚର୍ଚ୍ଚିତ ପ୍ରସଙ୍ଗ ହେଲା ମାସର ଶେଷ ଆଡ଼କୁ ଆସୁଛନ୍ତି ବିଜେପି କେନ୍ଦ୍ରୀୟ ସଭାପତି ଜେପି ନଡ୍ଡା। ସାଙ୍ଗଠନିକ ଦୃଷ୍ଟିକୋଣରୁ ଏହାକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତାମାନେ ବେଶ୍ ଉତ୍ସାହିତ।
ରାଜ୍ୟ ବିଜେପିର ମୁଖ୍ୟ ମିଡ଼ିଆ ସଂଯୋଜକ ଦିଲ୍ଲୀପ ମଲ୍ଲିକଙ୍କ ସୂଚନା ଅନୁସାରେ, ଚଳିତ ମାସ ପ୍ରଥମ ସପ୍ତାହରେ ଓଡ଼ିଶା ଆସୁଛନ୍ତି ବିଜେପିର ରାଜ୍ୟ ପ୍ରଭାରି ସୁନୀଲ ବଂଶଲ। ଡ଼ି.ପୁରନ୍ଦେଶ୍ୱରୀଙ୍କ ପରେ ନୂଆ କରି ରାଜ୍ୟ ପ୍ରଭାରୀ ଦାୟିତ୍ୱରେ ଅବସ୍ଥାପିତ ହୋଇଥିବା ବଂଶଲଙ୍କ ଏହା ହେବ ପ୍ରଥମ ଓଡ଼ିଶା ଗସ୍ତ।
ଦଳୀୟ ସୂଚନା ଅନୁସାରେ ଚଳିତ ମାସ ୫ ଓ ୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବଂଶଲ। ସେହିଭଳି ରାଜ୍ୟରେ ଭୟଙ୍କର ବନ୍ୟା କାରଣରୁ ଅତର୍କିତ ଭାବେ ବାତିଲ ହୋଇଥିବା ରାଜ୍ୟ ବିଜେପିର କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର ପୁଣିଥରେ ପୁରୀରେ ଚଳିତ ମାସ ତୃତୀୟ ସପ୍ତାହରେ ଅନୁଷ୍ଠିତ ହେବାକୁ ଯାଉଛି। ଦୁଇ ଦିନିଆ ଏହି ପ୍ରଶିକ୍ଷଣ ଶିବିର ୨୧ ଓ ୨୨ ତାରିଖରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।
କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାଜ୍ୟ ପ୍ରଭାରୀଙ୍କ ସମେତ ଏକାଧିକ ଦଳୀୟ ନେତା ଓ ଦଳୀୟ ତୁଙ୍ଗ ସଙ୍ଗଠକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ କେନ୍ଦ୍ରୀୟ ସଙ୍ଗଠକ ତଥା ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି.ଏଲ ସନ୍ତୋଷଙ୍କ ସମେତ ବହୁ ଜାତୀୟସ୍ତରର ନେତା ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟ କଥା ହେଲା ଏହି ମାସ ୨୯ ଓ ୩୦ ତାରିଖ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷା ଜେପି ନଡ୍ଡା।
ବିଜେପି ମୁଖପାତ୍ର ତଥା ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି, ‘‘ଓଡ଼ିଶାର ନୂଆ ପ୍ରଭାରୀ ସୁନୀଲ ବଂଶଲଙ୍କର ଓଡ଼ିଶା ଆଗମନକୁ ନେଇ ଦଳୀୟ କର୍ମକର୍ତ୍ତାମାନେ ଉତ୍ସାହିତ ଅଛନ୍ତି। କାରଣ ବିଭିନ୍ନ ରାଜ୍ୟରେ ଦଳୀୟ ସଙ୍ଗଠନକୁ ସଜାଡ଼ିବା ଓ ଦଳ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବାରେ ସୁନୀଲ ବଂଶଲଙ୍କର ସୁଖ୍ୟାତି ରହିଛି।’’
ସେହିଭଳି ବିଜେବି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, ‘‘ମାସ ତମାମ ଏକାଧିକ କେନ୍ଦ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସୁଥିବାରୁ ଦଳ ନିହାତି ଉତ୍ସାହିତ। ବିଶେଷ କରି ମାସ ଶେଷରେ ଦଳର ମଙ୍ଗୁଆଳ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଥିବାରୁ ରାଜ୍ୟ ମହିଳା ମୋର୍ଚ୍ଚା ତାଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତି କରୁଛି।
ତେବେ ରାଜନୈତିକ ସମୀକ୍ଷକ ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ମତରେ ସ୍ୱଭାବିକ ଭାବରେ ଏକାଧିକ ଦଳୀୟ ନେତାଙ୍କ ଓଡ଼ିଶା ଗସ୍ତ କାରଣରୁ ରାଜ୍ୟ ବିଜେପି ଚଳଚଞ୍ଚଳ। ତେବେ କେନ୍ଦ୍ରୀୟ ନେତାମାନେ ଏହି ଗସ୍ତ ସମୟରେ ଦଳୀୟ ସଙ୍ଗଠନକୁ ସଜାଡ଼ିବା ଉପରେ ପ୍ରାଥମିକତା ଦେବା ଜରୁରୀ। ଯେଉଁ ସମସ୍ୟାର ସମାଧାନ ଦଳକୁ ଫାଇଦା ଦେବ ତାକୁ ପ୍ରାଥମିକତା ଦେବା ଜରୁରୀ।
ମାସ ତମାମ ଏହି କାର୍ଯ୍ୟକ୍ରମ ଯେଭଳି ତୃଣମୂଳସ୍ତରରେ ଦଳୀୟ କର୍ମକର୍ତ୍ତା ଓ ସମର୍ଥକଙ୍କୁ ଊତ୍ସାହିତ କରିବ ସେ ଦିଗରେ ଗୁରୁତ୍ୱ ଦିଆଯିବା ଊଚିତ୍ ବୋଲି ଅନେକଙ୍କ ମତ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।