News18 Odia Digital
ଭୁବନେଶ୍ବର: ଦୋଷୀ ସାବ୍ୟସ୍ତ ହେବା ପରେ ଚାକିରିରୁ ବରଖାସ୍ତ ହେଲେ ବରିଷ୍ଠ ଆଇ.ଏ.ଏସ. ଅଫିସର ବିନୋଦ କୁମାର। ତାଙ୍କ ବିରୋଧରେ ରହିଥିବା ଅଭିଯୋଗ ପ୍ରମାଣ ହେବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି।
କୁମାରଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ କୁମାର ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ପରେ ବିଭିନ୍ନ ନକଲି କମ୍ପାନୀ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦାନ କରି ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଞ୍ଜୁର କରିଥିଲେ, ଯାହାଦ୍ବାରା ରାଜ୍ୟ ସରକାରଙ୍କର ବିପୁଳ ଆର୍ଥିକ କ୍ଷତି ହୋଇଥିଲା । ସେଥିପାଇଁ କୁମାରଙ୍କ ବିରୋଧରେ ଓଡ଼ିଶା ସରକାର ୨୭ଟି ଭିଜିଲାନ୍ସ ମାମଲା ଦାୟର କରିଥିଲେ। ଏହା ମଧ୍ୟରୁ ଦୁଇଟି ମାମଲାରେ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ରାଜ୍ୟ ସରକାର ସବୁବେଳେ ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଆସିଛନ୍ତି। ଦୁର୍ନୀତି କରିଥିବା ବ୍ୟକ୍ତିମାନେ ଯେତେ ଉଚ୍ଚ ପଦପଦବୀରେ ଥାନ୍ତୁ ନା କାହିଁକି, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ବଦ୍ଧପରିକର । କିଛି ଦିନ ତଳେ ଦୁର୍ନୀତି ଅଭିଯୋଗରେ ସର୍ଵ ଭାରତୀୟ ସେବାର ଜଣେ ବରିଷ୍ଠ ଜଙ୍ଗଲ ସେବା ଅଧିକାରୀଙ୍କୁ ମଧ୍ୟ ଚାକିରିରୁ ବରଖାସ୍ତ କରାଯାଇଥିଲା।
ଏହି ମାମଲାରେ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ଘଟଣାଟି ମହାବାତ୍ୟା ଜନିତ ଘଟଣା। ସେ ରୁରାଲ ହାଉସିଂର ଏମଡି ଥିଲେ। ସେଥିରେ ବ୍ୟାପକ ଭ୍ରଷ୍ଟାଚାର ଓ ଦୁର୍ନୀତି ହୋଇଥିଲା। ତଦନ୍ତ ହେଲା। ଅନ୍ୟ ଲୋକ ଯେଉଁମାନେ ସମ୍ପୃକ୍ତି ଥିଲେ ଥଇଥାନ ହୋଇସାରିଛନ୍ତି। କିନ୍ତୁ ବିନୋଦ କୁମାରଙ୍କ ବିରୋଧରେ ତଦନ୍ତ ହେଲା । ସେ ସସପେଣ୍ଡ ହେଲେ। କାର୍ଯ୍ୟାନୁଷ୍ଠାନ ହେଲା। କିନ୍ତୁ ଭାରତର ନ୍ୟାୟ ବ୍ୟବସ୍ଥା ଦେଖନ୍ତୁ କ'ଣ? ୨୦ ବର୍ଷ ପରେ ନ୍ୟାୟିକ ପ୍ରକ୍ରିୟା ପୂରଣ ହେବାକୁ ଯାଉଛି। ଯାହାକି ସେହି ସମୟରେ ତତକ୍ଷଣାତ ହେବା କଥା। ତେଣୁ ମୁଁ ଏହାକୁ ବଡ଼ ସଫଳତା ବୋଲି ଭାବୁନି। ତେଣୁ ଯାହା ହେଉ ଯେହେତୁ ଜଣେ ଆଇ.ଏ.ଏସ.ଙ୍କ ଚାକିରିରେ ନିରାପତ୍ତା ବ୍ୟବସ୍ଥା ଥିବା ସତ୍ତ୍ୱେ ଏଭଳି କାର୍ଯ୍ୟାନୁଷ୍ଠାନ ସ୍ବାଗତଯୋଗ୍ୟ। ଅନ୍ୟ ଯେଉଁ ଅଫିସରଙ୍କ ବିରୋଧରେ ଏଭଳି ଅଭିଯୋଗ ରହିଛି। ଏହି ପ୍ରକ୍ରିୟା ଅନ୍ୟମାନଙ୍କ କ୍ଷେତ୍ରରେ ବି ଲାଗୁ ହେଉ। ଯେଉଁମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହେଉଛି। କାହାକୁ ରାଜନୈତିକ ସୁରକ୍ଷା ଦିଆ ନଯାଉ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।