News18 Odia Digital
ଦେବଗଡ଼: ଦିନକୁ ଦିନ ନାରୀଙ୍କ ପ୍ରତି ନିର୍ଯାତନା ଓ ହିଂସା ବଢ଼ିବାରେ ଲାଗିଛି। ରାସ୍ତା ଘାଟ ହେଉ କିମ୍ବା ସ୍କୁଲ କଲେଜ ନାରୀ ସବୁବେଳେ ଦୁର୍ବ୍ୟବହାର ଶିକାର ହୋଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ‘ବେଟି ବଚାଓ ବେଟି ପଢାଓ’ ଅଭିଯାନରେ ସରକାର ‘ବୀରଙ୍ଗନା’ ଭଳି କାର୍ଯ୍ୟକ୍ରମକୁ ସାମିଲ କରିଛନ୍ତି।
ସ୍କୁଲ ଓ କଲେଜରେ ପାଠ ପଢୁଥିବା ଛାତ୍ରୀମାନେ ନିଜକୁ କିଭଳି ସୁରକ୍ଷିତ ରଖିବେ ଏବଂ ଆତ୍ମରକ୍ଷା କରି ପାରିବେ ସେନେଇ ଝିଅ ପିଲାଙ୍କୁ ସ୍ୱତନ୍ତ୍ର ଆତ୍ମରକ୍ଷା ତାଲିମ ପ୍ରଦାନ କରାଯାଇଛି। ଦେବଗଡ ଇଣ୍ଡର ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ୍ୱ ଛାତ୍ରୀଙ୍କୁ ସାମିଲ କରାଯାଇଛି।
ବଳ ନୁହେଁ ଏଥର ବୁଦ୍ଧି ବଳରେ ଦୁର୍ବ୍ୟବହାରକାରୀଙ୍କୁ ପରାସ୍ତ କରିବେ ନାରୀ। ‘ବୀରଙ୍ଗନା’ ମାଧ୍ୟମରେ ସ୍କୁଲ ଓ କଲେଜ ଛାତ୍ରୀଙ୍କୁ ଆତ୍ମରକ୍ଷା ତାଲିମ ଦିଆଯାଇଛି। ଦେବଗଡ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଇଣ୍ଡୋର ଷ୍ଟାଡିୟମରେ ୧୫ଦିନ ଧରି ୩୦୦ରୁ ଉର୍ଦ୍ଧ୍ୱ ଛାତ୍ରୀଙ୍କୁ ନେଇ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରୀମାନଙ୍କୁ ଓଡ଼ିଶା କୁଡୋ ଏସୋସିଏସନ ତରଫରୁ ଟ୍ରେନିଂ ଦିଆଯାଇଛି। ଯେକୌଣସି ମୁହୁର୍ତ୍ତରେ ଜଣେ ଝିଅ ନିର୍ଯାତନାର ଶିକାର ହେଲେ ବିଭିନ୍ନ କୌଶଳ ମାଧ୍ୟମରେ ନିଜକୁ କିଭଳି ସୁରକ୍ଷା ଦେବ ସେନେଇ ଶିକ୍ଷା ପ୍ରଦାନ କରାଯାଇଛି। ଏଥିରେ ଦେବଗଡ ବିଧାୟକ, ଜିଲ୍ଲାପାଳ, ପୌରାଧ୍ୟକ୍ଷାଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ସାମିଲ ହୋଇ ତାଲିମ ପ୍ରାପ୍ତ ଛାତ୍ରୀଙ୍କ ମନୋବଳ ବୃଦ୍ଧି କରିଛନ୍ତ। ତାଲିମ ନେଇଥିବା ସମସ୍ତ ଛାତ୍ରୀମାନଙ୍କୁ ପ୍ରଶାସନ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

‘ବୀରଙ୍ଗନା’ ଭଳି କାର୍ଯ୍ୟକ୍ରମ
ଏସିଡ ଆକ୍ରମଣ ହେଉ କିମ୍ବା ଯୌନ ନିର୍ଯାତନା। ଯେକୌଣସି ଆକ୍ରମଣର ମୁହଁ ତୋଢ ଜବାବ ଦେବାକୁ ନାରୀ ଏବେ ପ୍ରସ୍ତୁତ। ହଠାତ କେହି ଆକ୍ରମଣ କଲେ ତା'ର କିଭଳି ମୁକାବିଲା କରି ବିପଦରୁ ମୁକୁଳି ଆସିବେ ସେନେଇ ତାଲିମ ନେଉଛନ୍ତି ସ୍କୁଲ ଓ କଲେଜ ଛାତ୍ରୀ। ତାଲିମ ନେଇଥିବା ଛାତ୍ରୀଙ୍କ ମଧ୍ୟରୁ କେତେଜଣ ମାଷ୍ଟର ଟ୍ରେନରକୁ ବଛାଯାଇଛି। ପର୍ଯ୍ୟାୟକ୍ରମେ ବ୍ଲକ ସ୍ତରରେ ଆୟୋଜିତ ହେବାକୁ ଥିବା ବୀରଙ୍ଗନା କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ସେମାନେ ଟ୍ରେନିଂ ଦେବେ।
ଦେବଗଡ ଜିଲ୍ଲା ପ୍ରଶାସନର ଏଭଳି ଉଦ୍ୟମକୁ ସାଧାରଣରେ ବେସ ପ୍ରଶଂସା କରାଯାଉଛି। ଛାତ୍ରୀଙ୍କ ସୁରକ୍ଷା ପାଇଁ ଏହା ବେସ ସହାୟକ ହେବ କହିଛନ୍ତି ଜିଲ୍ଲାପାଳ।
ଏହି ତାଲିମ ଛାତ୍ରୀମାନଙ୍କୁ କେବଳ ଆତ୍ମରକ୍ଷା କୌଶଳ ଶିଖାଉଛି ତାହା ନୁହେଁ ସେମାନଙ୍କୁ ସାହସୀ କରିବା ସହ ସୁସ୍ଥ ଓ ଦକ୍ଷତାର ସହ ବଞ୍ଚିବାର ଶିକ୍ଷା ପ୍ରଦାନ କରୁଛି। ପର୍ଯ୍ୟାୟକ୍ରମେ ଜିଲ୍ଲାର ସମସ୍ତ ଛାତ୍ରୀଙ୍କୁ ଏଥିରେ ସାମିଲ କରିବାର ଲକ୍ଷ୍ୟ ରଖିଛି ପ୍ରଶାସନ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।