ଭୁବନେଶ୍ୱରରେ ସେଲ୍‌ଫ ଡିଫେନ୍‌ସ ପ୍ରଶିକ୍ଷଣ ଶିବିରରେ ଲାଗିଛି କଲେଜ ଛାତ୍ରୀ ଓ ମହିଳାଙ୍କ ଭିଡ଼

ଉତ୍କଳ କରାଟେ ସ୍କୁଲ ପରିସରରେ ଚ଼ାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ କେବଳ କଲେଜ ଛାତ୍ରୀ ନୁହଁନ୍ତି, ଆଠ ବର୍ଷରୁ ଆରମ୍ଭ କରି ୪୦ ବର୍ଷର ବୟସ୍କ ମହିଳାଙ୍କୁ ବି ଆଗ୍ରହରେ ଟ୍ରେନିଂ ନେଉଥିବା ଦେଖିବାକୁ ମିଳୁଛି । ଏ ପ୍ରଶିକ୍ଷଣର ଲକ୍ଷ୍ୟ ସମାଜରେ ନାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ସହଯୋଗ କରିବା ।

ଭୁବନେଶ୍ୱରରେ ସେଲ୍‌ଫ ଡିଫେନ୍‌ସ ପ୍ରଶିକ୍ଷଣ ଶିବିରରେ ଲାଗିଛି କଲେଜ ଛାତ୍ରୀ ଓ ମହିଳାଙ୍କ ଭିଡ଼
ଶିବିରରେ ଟ୍ରେନିଂ ନେଉଛନ୍ତି କଲେଜ ଛାତ୍ରୀମାନେ ।
  • News18 Odia
  • Last Updated: February 16, 2020, 11:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଝିଅମାନଙ୍କୁ ଆତ୍ମରକ୍ଷାର କୌଶଳରେ ନିପୁଣ କରିବା ଓ ତାହା ଦ୍ୱାରା ସେମାନଙ୍କ ମନୋବଳ ବଢ଼େଇବା ଲକ୍ଷରେ ରାଜଧାନୀର ଉତ୍କଳ କରାଟେ ସ୍କୁଲ ପରିସରରେ ଚ଼ାଲିଛି ସେଲ୍‌ଫ ଡିଫେନ୍‌ସ ପ୍ରଶିକ୍ଷଣ ଶିବିର । ଗଲା ପାଞ୍ଚ ବର୍ଷରେ ପ୍ରାୟ ୫,୦୦୦ ମାଷ୍ଟର୍‌ ଟ୍ରେନରଙ୍କୁ ଏଠି ପ୍ରଶିକ୍ଷଣ ଦିଆଯାଇଛି । ସେମାନେ ତା’ପରେ ନିଜ ନିଜ କଲେଜକୁ ଫେରି ଅନ୍ୟ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଏଭଳି ଏ ଯାଏଁ ଲକ୍ଷାଧିକ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଗଲାଣି ଏଠି ।

କଲେଜରେ କେବଳ ପାଠପଢ଼ା ନୁହେଁ, ଝିଅମାନଙ୍କୁ ଭୟମୁକ୍ତ ଓ ଆତ୍ମନିର୍ଭରଶୀଳ କରାଇବା ହେଉଛି ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହି ଲକ୍ଷ୍ୟ ନେଇ ପାଖାପାଖି ପାଞ୍ଚ ବର୍ଷ ତଳେ ଆରମ୍ଭ ହୋଇଥିଲା ସେଲ୍‌ଫ ଡିଫେନ୍‌ସ ଟ୍ରେନିଂ ପ୍ରୋଗ୍ରାମ୍‌ । ପରେ ଉତ୍କଳ କରାଟେ ସ୍କୁଲ ପରିସରରେ ଆରମ୍ଭ ହୋଇଥିଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।

‘‘ରାସ୍ତାରେ ଝିଅମାନେ ଏକାକୀ ଯିବା ସମୟରେ ସେମାନଙ୍କୁ ଭୟମୁକ୍ତ ହୋଇ ଚ଼ାଲିବା ଓ ଯେ କୌଣସି ଅଘଟଣରୁ ନିଜକୁ ସୁରକ୍ଷିତ ରଖିବାରେ ସକ୍ଷମ କରିବା ଉଦେଶ୍ୟରେ ଦିଆଯାଉଛି ଏହି ପ୍ରଶିକ୍ଷଣ । ଏଥିରୁ ଲଢ଼ିବାର ବିଭିନ୍ନ ଟେକନିକ୍‌ ଶିଖିବା ସହ ଆତ୍ମବଳ ବୃଦ୍ଧି କରିବା ନେଇ ସେମାନଙ୍କୁ ପ୍ରୋତ୍ସାହନ ମିଳୁଛି,’’ କହିଛନ୍ତି ପ୍ରଶିକ୍ଷିକା ଅନୁପମା ସ୍ୱାଇଁ । ଏହି ପ୍ରଶିକ୍ଷଣ ଦ୍ବାରା ଜଣେ ନିଜକୁ ଫିଟ୍‌ ମଧ୍ୟ ରଖିପାରିବ ଓ ଶାରୀରିକ ତଥା ମାନସିକ ସ୍ତରରେ ସୁସ୍ଥ ରହିପାରିବ ବୋଲି କହିଛନ୍ତି ସେ ।

ପ୍ରଶିକ୍ଷଣ ଶିବିରର ଏକ ଦୃଶ୍ୟ


କରାଟେ ଓ ତାଇକୋଣ୍ଡୋ ପରି ବିଭିନ୍ନ ମାର୍ସାଲ ଆର୍ଟ (ଯୁଦ୍ଧ କଳା ବା ସାମରିକ କଳା) ପ୍ରଶିକ୍ଷଣ ପାଇଁ ଉତ୍କଳ କରାଟେ ସ୍କୁଲରେ ସବୁବେଳେ ଲାଗିଥାଏ ପ୍ରଶିକ୍ଷାର୍ଥୀଙ୍କ ଭିଡ଼ । ହେଲେ ଏବେ ସେଥିରେ ସାମିଲ ହୋଇଛନ୍ତି ବିଭିନ୍ନ କଲେଜର ଛାତ୍ରୀ । ଉତ୍କଳ କରାଟେ ସ୍କୁଲ ପରିସରରେ ଚ଼ାଲିଥିବା ଏହି ଶିବିରରେ ଏବେ ବିଭିନ୍ନ କଲେଜର ୧୦୦ରୁ ଅଧିକ ଛାତ୍ରୀ ସାମିଲ ହୋଇଛନ୍ତି । ପାଠପଢ଼ା ସମୟରେ ଅନେକ ଛାତ୍ରୀ ଘର ଠାରୁ ଦୂରରେ ଅର୍ଥାତ ହଷ୍ଟେଲରେ ରହୁଛନ୍ତି । ତା’ଛଡ଼ା ଅନେକ ସମୟରେ ଏକାକୀ ବାହାରିକୁ ବି ଯିବାକୁ ପଡୁଛି । ତେବେ ସେ ସମୟରେ କୌଣସି ପ୍ରକାର ଅଘଟଣର ସମ୍ମୁଖୀନ ହେଲେ ସେମାନେ ନିଜକୁ କିଭଳି ସୁରକ୍ଷା ଦେବେ ସେ ନେଇ ଛାତ୍ରୀମାନଙ୍କୁ ପ୍ରସ୍ତୁତ କରାଯାଉଛି ।

‘‘ଏଭଳି ପ୍ରଶିକ୍ଷଣ ପାଇ ବେଶ୍‌ ଖୁସି ଲାଗୁଛି । ମନୋବଳ ବୃଦ୍ଧି ପାଇଛି । ଏବେ ସାହାସର ସହ ବାହାରେ ଏକା ଯିବାଆସିବା କରିପାରିବି,’’ କହିଛନ୍ତି ଏସ୍‌.ଏସ୍‌. କଲେଜର ଛାତ୍ରୀ ଦେବସ୍ମିତା ଦେ । ସେହି ଭଳି ପି.ଏନ୍‌. କଲେଜର ଛାତ୍ରୀ ଲୋପାମୁଦ୍ରା ଲେଙ୍କା କହିଛନ୍ତି: "ମୋ’ ମନରେ ଏବେ ଆଉ ଭୟ ନାହିଁ । ହଷ୍ଟେଲରେ ରହିଲେ ବି ଏବେ ଏକା ନିଜ କାମ ସବୁ କରିପାରିବି । ଯଦି କିଛି ସମସ୍ୟା ଆସେ ନିଜେ ତାକୁ ଦୃଢତାର ସହ ସାମ୍‌ନା କରିପାରିବି ।’’ ଏହି ସେଲ୍‌ଫ ଡିଫେନସ ପ୍ରଶିକ୍ଷଣରୁ ଏହି ସାହାସ ମିଳିଛି ବୋଲି ସେ କହିଛନ୍ତି ।

କେବଳ କଲେଜ ଛାତ୍ରୀ ନୁହଁନ୍ତି, ଆଠ ବର୍ଷରୁ ଆରମ୍ଭ କରି ୪୦ ବର୍ଷର ବୟସ୍କ ମହିଳାଙ୍କୁ ବି ଏଠି ପ୍ରଶିକ୍ଷଣ ଦିଆଯାଉଛି । ଏ ପ୍ରଶିକ୍ଷଣର ଲକ୍ଷ୍ୟ କେବଳ ଗୋଟିଏ – ସମାଜରେ ନାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ସହଯୋଗ କରିବା ।
First published: February 16, 2020, 11:15 PM IST
corona virus btn
corona virus btn
Loading