News 18 Odia Digital
ଭୁବନେଶ୍ୱର; ସାଧାରଣ ନିର୍ବାଚନ ପାଇଁ ବିଜେଡ଼ି ସମର ସଜ୍ଜା ଆରମ୍ଭ କରିଛି । ଷଷ୍ଠ ଥର ପାଇଁ ଶାସନ ଗାଦିରେ ବସିବାକୁ ଯୋଜନା କରୁଛି ବିଜେଡି । ସଙ୍ଗଠନ ବିସ୍ତାର କରି ନିର୍ବାଚନ ପାଇଁ ଅଙ୍କ କଷା ଆରମ୍ଭ କରିଛି। ତେବେ କାହାକୁ ଚେହେରା କରି ଦଳ ମଇଦାନକୁ ଓହ୍ଲାଇବ ତାକୁ ନେଇ ସର୍ଭେ ବି ଆରମ୍ଭ କରିଛି ଦଳ।
ଏକାଧିକ ଆଶାୟୀ ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇପାରେ। ତେବେ ବିବାଦୀୟ ଚେହେରାକୁ ବାହାର ରାସ୍ତା ଦେଖାଇ କ୍ଲିନ୍ ଇମେଜକୁ ସାମ୍ନାକୁ ଆଣିପାରେ ଦଳ। ପାର୍ଥି ଚୟନ ନେଇ କରସତ ଆରମ୍ଭ କରିଛି ବିଜେଡି। ସମ୍ଭାବ୍ୟ ପାର୍ଥୀଙ୍କ ଲୋକ ପ୍ରିୟତାକୁ ନେଇ ଶାସକଦଳ ସର୍ଭେ ବି ଆରମ୍ଭ କରିଛି। କିଏ ପାର୍ଥି ପାଇଁ ଫିଟ ଆଉ କିଏ ଅନଫିଟ ? ସମ୍ଭାବ୍ୟ ପାର୍ଥୀଙ୍କ ଲୋକପ୍ରିୟତା କେତେ, ସେ ନେଇ ଭିତିରିଆ ସର୍ଭେ କରୁଛି ଦଳ। କୁହାଯାଉଛି ଦଳରେ ଏକାଧିକ ଆଶାୟୀ କ୍ୟାଣ୍ଡିଡେଟ ସିଲେକ୍ସନରେ ବଡ ଚ୍ୟାଲେଞ୍ଜ ହୋଇପାରେ। ରାଜନୈତିକ ସମୀକ୍ଷକଙ୍କ ମତରେ ସ୍କାନରରେ ରହିବେ ଦାଗୀ ଓ ବିବାଦୀୟ ନେତା। ଏଭଳି ନେତାଙ୍କୁ ବାହାର ରାସ୍ତା ଦେଖାଇ ତାଙ୍କ ପରିବାରରୁ କାହାରିକୁ ପ୍ରତିନିଧିତ୍ଵ ସୁଯୋଗ ଦେଇପାରେ ଦଳ। ବାହାରୁ ବି ସ୍ୱଚ୍ଛ ବିଜୟ ସମ୍ଭାବନା ଥିବା ଚେହେରାକୁ କୁ ଦଳ ସାମ୍ନାକୁ ଆଣିପାରେ। ବୟସାଧିକ କାରଣରୁ କିଛି ନେତା ବି ବାଦ ପଡ଼ି ପାରନ୍ତି। ଉତ୍ତରାଧିକାରୀଙ୍କ ପାଇଁ ବି ଏବେଠୁ କ୍ଷେତ୍ର ପ୍ରସ୍ତୁତ ଆରମ୍ଭ ହେଲାଣି।
ତେବେ ଦଳରେ ବିଦ୍ରୋହ ଆଶଙ୍କା ଥିବାରୁ ସବୁ କିଛି ମ୍ୟାନେଜ କରି ବିଜୟ ସମ୍ଭାବନା ଥିବା ପାର୍ଥୀଙ୍କୁ ଦଳ ସୁଯୋଗ ଦେଇପାରେ। ୨୦୧୯ ନିର୍ବାଚନରେ ୪୨ ନେତା ବାଦ ପଡ଼ିଥିବା ବେଳେ ୫୫ରୁ ଅଧିକ ନୂଆ ମୁହଁକୁ ମିଳିଥିଲା ସୁଯୋଗ। ସଂସଦୀୟ କ୍ଷେତ୍ରରେ ୧୭ ଜଣଙ୍କ ଟିକେଟ କଟିଥିଲା । ଚଳିତ ଥର ବି ଅଧିକାଂଶ ନେତାଙ୍କୁ ବାଦ ଦିଆଯାଇପାରେ। ଏଥିସହ ମହିଳାଙ୍କ ଉପରେ ଫୋକସ କରିବ ଦଳ। ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କୁ ପ୍ରାଧାନ୍ୟ ଦେବା ସହ ଜିଲ୍ଲା ପରିଷଦରେ ୭୦ ପ୍ରତିଶତ ମହିଳାଙ୍କୁ ଦଳ ସୁଯୋଗ ଦେଇଛି। ନିକଟରେ ଦୁଇ ଉପନିର୍ବାଚନରେ ମହିଳାଙ୍କୁ ସୁଯୋଗ ଦେଇଥିବାରୁ ସାଧାରଣ ନିର୍ବାଚନରେ ବି ଏହାର ପ୍ରତିଫଳନ ହୋଇପାରେ। ବିଜେଡି କହିଛି ଲୋକପ୍ରିୟତା ଓ ବିଜୟ ସମ୍ଭାବନା ଥିବା ପ୍ରାର୍ଥିଙ୍କୁ ପ୍ରାଥମିକତା ଦେବ ଦଳ । ଚୁଡାନ୍ତ ନିଷ୍ପତି ନେବେ ସୁପ୍ରିମୋ। ୨୦୨୪ ଦଖଲ ପାଇଁ ବିଜେଡି ବ୍ଲୁ ପ୍ରିଣ୍ଟ କରୁଥିବା ବେଳେ ଗତଥର ହାତରୁ ଖସିଥିବା ୩୪ ଆସନ ଉପରେ ଫୋକସ କରିଛି। କିଛି ଆସନରେ ଅନ୍ୟ ଦଳରୁ ଆଣି ପ୍ରାର୍ଥି କରିଥିଲେ ବି ଫେଲ ମାରିଛି। ଏ ସବୁ ଦିଗକୁ ବିଚାର କରି ମାପିଚୁପି ରଣନୀତି କରୁଥିବା ଚର୍ଚ୍ଚା ହେଉଛି।
ରାଜନୀତିକ ସମୀକ୍ଷକ କେ ରବି କହିଛନ୍ତି ସରକାରୀ ବିରୋଧୀ ହାୱା ଯୋଗୁଁ ଅନେକ ନେତାଙ୍କୁ ବାଦ ଦେଇପାରେ ବିଜେଡି। କିଛି ସ୍ଥାନରେ ବିବାଦୀୟ ନେତାଙ୍କୁ ହଟାଇ ତାଙ୍କ ପରିବାର କିମ୍ବା ତାଙ୍କ ପାଖ ଲୋକଙ୍କୁ ଦଳ ସାମ୍ନାକୁ ଆଣିପାରେ। ସରକାର ଗଢ଼ିବା ଲକ୍ଷରେ ସବୁ ଦଳ ପ୍ରାର୍ଥି ଦେଇଥାନ୍ତି। ଏ ନେଇ ବି ସବୁ ଦଳ ସର୍ଭେ ଆରମ୍ଭ କରିଛନ୍ତି। ବିଜେଡିରେ ଅଧିକ ଆଶାୟୀ ଥିବାରୁ ପାର୍ଥି ଚୟନ ଦଳ ପାଇଁ ଚ୍ୟାଲେଞ୍ଜ ହୋଇପାରେ। ବିଜେଡି ବିଧାୟକ ସୁଶାନ୍ତ ସିଂ କହିଛନ୍ତି ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ଶାସନ ଗାଦିରେ ବସାଇବାକୁ ଲୋକେ ସ୍ଥିର କରିଛନ୍ତି। ଲୋକପ୍ରିୟତା ଆଧାରରେ ଦଳ ପ୍ରାର୍ଥି ଚୟନ କରିବ। କିଛି ତ୍ରୁଟି ଯୋଗୁଁ ଗତ ଥର ସିଟ ହରେଇବାକୁ ପଡ଼ିଥିଲା। ଏଥର ଗ୍ରାଉଣ୍ଡରେ ସର୍ଭେ କରାଯାଇ ପ୍ରାର୍ଥି ଦିଆଯିବ। ଅଧିକରୁ ଅଧିକ ସିଟରେ ଦଳ ଜିତିବ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।