ରାଜ୍ୟରେ ଧରା ପଡ଼ିଲା ଗଞ୍ଜେଇ ଚୋରା ଚାଲାଣର ଗୁପ୍ତ ବାଟ; ଜବତ ହେଲା ୧୦୪୬ କିଲୋ ଗଞ୍ଜେଇ

"ଗଞ୍ଜେଇ ଗୁଡିକୁ ବସ୍ତାରେ ଏଭଳି ପ୍ୟାକିଂ କରାଯାଇଥିଲା ଯେ, ବାହାରୁ ଦେଖିଲି ଯିଏ ହେଲେ ବି କହିବ ବସ୍ତାରେ ଗୋ ଖାଦ୍ୟ ଯାଉଛି l ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ପ୍ରକାର ସନ୍ଦେହ ପ୍ରକଟ ହେବାର ସମ୍ଭାବନା ସୃଷ୍ଟି ହେଉ ନଥିଲା"

ଜବତ ହୋଇଥିବା 1046 କିଲୋ ଗଞ୍ଜେଇ

ଜବତ ହୋଇଥିବା 1046 କିଲୋ ଗଞ୍ଜେଇ

  • Share this:
News18 Odia Digital
କୋରାପୁଟ: ଗୋ ଖାଦ୍ୟ ବସ୍ତାରେ କୋରାପୁଟରୁ ମୁମ୍ବାଇକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କ୍ରାଇମବ୍ରାଞ୍ଚର ଏସଟିଏଫ ଦଳ ଏହାକୁ ଧରିବାରେ ସଫଳ ହୋଇଛି l ଚାଲାଣ ହେଉଥିବା ୧୦୪୬ କେଜି ଗଞ୍ଜେଇ ଜବତ ହେବା ପରେ ଡ୍ରଗ୍ସ ମାଫିଆଙ୍କ ଡ୍ରଗ୍ସ କାରବାରର ସିକ୍ରେଟ ତରିକା ମଧ୍ୟ ଧରାପଡିଛି l ଗଞ୍ଜେଇ ଚୋରା ଚାଲାଣ ବେଳେ ଶୁକ୍ରବାର କୋରାପୁଟ ଜିଲ୍ଲା ବୈପାରିଗୁଡ଼ାରୁ ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ଦଳ l ଧରାପଡିଥିବା ବେପାରୀଙ୍କ ନାମ ସୁନ୍ଦରଲାଲ ନାଗ(୨୮) ଓ ତ୍ରିନାଥ କେଣ୍ଡୁ(୨୯) ଏବଂ ଉଭୟଙ୍କ ଘର କୋରାପୁଟ ଜିଲ୍ଲା ଜୟପୁର ଟାଉନରେ ବୋଲି ଜଣା ପଡ଼ିଛି l

ପୋଲିସକୁ ଚକମା ଦେବାକୁ ଏମାନେ ସିକ୍ରେଟ ପ୍ଲାନ ତିଆରି କରି ଗଞ୍ଜେଇ ଚାଲାଣ କରୁଥିଲେ l ମାଲକାନଗିରିରୁ ଏହି ଗଞ୍ଜେଇ ଆସିବା ପରେ ଏହାକୁ ବୈପାରିଗୁଡ଼ାରେ ଅନଲୋଡ଼ କରାଯାଇଥିଲା l ଏହାପରେ ବୈପାରିଗୁଡ଼ାରୁ ମୁମ୍ବାଇକୁ ପ୍ରାୟ ୧ ହଜାର ୩ ଶହ ୯୦ କିଲୋମିଟର ଏମାନେ ଜାତୀୟ ରାଜପଥ ୬୫ ଦେଇ ମୁମ୍ବାଇକୁ ଗଞ୍ଜେଇ ଚାଲାଣ କରିବାକୁ ଯୋଜନା କରିଥିଲେ l ରାସ୍ତାରେ ପୋଲିସ ଓ ଅବକାରିର ନଜରରେ ଯେପରି ଧରା ନ ପଡି଼ବେ ସେଥିପାଇଁ ଗଞ୍ଜେଇକୁ ଗୋ ଖାଦ୍ୟ ବସ୍ତାରେ ପ୍ୟାକିଂ କରିଥିଲେ l

"ଗଞ୍ଜେଇ ଗୁଡିକୁ ବସ୍ତାରେ ଏଭଳି ପ୍ୟାକିଂ କରାଯାଇଥିଲା ଯେ, ବାହାରୁ ଦେଖିଲି ଯିଏ ହେଲେ ବି କହିବ ବସ୍ତାରେ ଗୋ ଖାଦ୍ୟ ଯାଉଛି l ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ପ୍ରକାର ସନ୍ଦେହ ପ୍ରକଟ ହେବାର ସମ୍ଭାବନା ସୃଷ୍ଟି ହେଉ ନଥିଲା," କହିଛନ୍ତି ଏସଟିଏଫ ଡିଆଇଜି ଜୟ ନାରାୟଣ ପଙ୍କଜ l

ଗିରଫ ହୋଇଥିବା ଦୁଇଜଣ ବେପାରୀ


ସୁନ୍ଦରଲାଲ ନାଗ ଓ ତ୍ରିନାଥ କେଣ୍ଡୁଙ୍କ ପୂର୍ବ କ୍ରାଇମ ରେକର୍ଡ ଯାଞ୍ଚ କରାଯାଉଛି l ପୂର୍ବରୁ ଗଞ୍ଜେଇ କାରବାରରେ ଏମାନଙ୍କର କୌଣସି ସମ୍ପୃକ୍ତି ରହିଛି କି ନାହିଁ ତାର ଯାଞ୍ଚ ଚାଲିଛି l ଏମାନଙ୍କ ପାଖରୁ ଏକ ଟାଟା ଏସି ଗାଡି ମଧ୍ୟ ଜବତ କରାଯାଇଛି l

ପୋଲିସ ଓ ଅବକାରି ବିଭାଗର ଆଖିରେ ଧୂଳି ଦେଇ ରାଜ୍ୟରୁ ପ୍ରତିଦିନ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେବାର ଖବର ଆସୁଥିଲା l ମାଫିଆ ମାନେ ଗଞ୍ଜେଇ ଚାଲାଣ ପାଇଁ ନୂଆ ନୂଆ ତରିକା ଆପଣାଉଥିବା ଜଣାପଡିଥିଲା l

୨୦୨୦ ଜୁଲାଇ ୨୮ ତାରିଖରେ ଏକ ପାଣି ଟ୍ୟାଙ୍କର ଭିତରେ ୮୫୦ କେଜି ଗଞ୍ଜେଇ ଚାଲାଣ ହେଉଥିବା ବେଳେ କୋରାପୁଟ ଜିଲ୍ଲା ନନ୍ଦପୁରରୁ ଏସଟିଏଫ ହାତରେ ଧରାପଡିଥିଲା l ସେହି ଟ୍ୟାଙ୍କରରେ ନମ୍ବର ବିହାରର ଥିଲା ଓ ଗିରଫ ହୋଇଥିବା ୫ ଜଣ ଏଜେଣ୍ଟ ବିହାରର ବୋଲି ଜଣା ପଡ଼ିଥିଲେ l

ଗଞ୍ଜେଇ ଚୋରା କାରବାର ଉପରେ ବ୍ରେକ ଲଗାଇବାକୁ କୋରାପୁଟରେ ଏସଟିଏଫ ଦଳ ଟେଣ୍ଟ ପକାଇଛି l ୨୦୨୦ ଜୁଲାଇରୁ ଅଗଷ୍ଟ ୨୨ ସୁଦ୍ଧା ୨୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିବା ବେଳେ ୧୦ରୁ ଅଧିକ ଏଜେଣ୍ଟଙ୍କୁ ଗିରଫ କରାଯାଇଛି l ଅଗଷ୍ଟ ୧୯ ତାରିଖରେ ବୋରିଗୁମ୍ମା-ନବରଙ୍ଗପୁର ରାସ୍ତାରୁ ୪୭୪ କେଜି ଗଞ୍ଜେଇ ଧରାପଡିଥିବା ବେଳେ ଦୁଇଜଣ ଏଜେଣ୍ଟ ଗିରଫ ହୋଇଥିଲେ l ସେହିପରି ଅଗଷ୍ଟ ୨୦ରେ କଳାହାଣ୍ଡି ଧର୍ମଗଡ଼ରୁ ୧୧୯ କେଜି ଗଞ୍ଜେଇ ଧରା ପଡ଼ିଥିଲା l

"କର୍ମଚାରୀ ଅଭାବରୁ ସବୁ ମାମଲା ଏସଟିଏଫ ତଦନ୍ତ କରିବା ସମ୍ଭବ ନୁହଁ l ତେଣୁ ମାମଲା ଗୁଡିକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଉଛି,'' କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ l"
Published by:Jagdish Barik
First published: