News18 Odia Digital
ପୁରୀ: ଅର୍କକ୍ଷେତ୍ରର ଚନ୍ଦ୍ରଭାଗା ନିକଟ ଅଞ୍ଚଳରେ ଚାଲିଛି ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ । ପୁଣି ସୂର୍ଯ୍ୟଙ୍କ ମୂର୍ତ୍ତି ରଖି ଆରମ୍ଭ କଲେଣି ପୂଜାର୍ଚ୍ଚନା। ଦ୍ୱିତୀୟ କୋଣାର୍କ ନିର୍ମାଣକୁ ବିରୋଧ ସହ ଜିଲ୍ଲାପାଳଙ୍କୁ ଦିଆଯାଇଛି ଅଭିଯୋଗ ପତ୍ର।
କୋଣାର୍କରେ ନିର୍ମାଣ ଚାଲିଛି ଦ୍ୱିତୀୟ ନୂଆ କୋଣାର୍କ ସୂର୍ଯ୍ୟ ମନ୍ଦିର । ଅବିକଳ କୋଣାର୍କ ମନ୍ଦିର ଢ଼ାଞ୍ଚାରେ ନିର୍ମାଣ କରାଯିବ । ପୁଣି କୋଣାର୍କ ଚନ୍ଦ୍ରଭାଗା ଅଞ୍ଚଳର ଛୋଟ ବାବା ଆଶ୍ରମ ନିକଟରେ ୩୪ ଏକର ଜମିରେ ଦିଲ୍ଲୀର ନୂଆ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣଶାଳା ପକ୍ଷରୁ ଏହାର ନିର୍ମାଣ କରାଯାଉଛି । ରାଜସ୍ଥାନରୁ ଏ ନେଇ ଆସିଛି ଅନେକ କାରୁକାର୍ଯ୍ୟପୂର୍ଣ୍ଣ ପଥର ମୂର୍ତ୍ତି। ଏହା ସହିତ ସେଠାରେ ଅସ୍ଥାୟୀ ଭାବେ ଆରମ୍ଭ ହୋଇଛି ସୂର୍ଯ୍ୟ ଦେବତାଙ୍କ ମୂର୍ତ୍ତି ପୂଜାର୍ଚ୍ଚନା । ତେବେ ଲାଙ୍ଗୁଳା ନରସିଂହ ଦେବ ଯେଉଁ ଭଳି କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ ସେହିଭଳି ଭବ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରାଯିବା ସହ ବ୍ରିଟିଶ ଶାସନ ସମୟରେ ଯେଭଳି ଅବିକଳ ଓ ଭବ୍ୟ ସୂର୍ଯ୍ୟ ମନ୍ଦିର ଥିଲା ସେହିଭଳି ନିର୍ମାଣ କରାଯାଉଛି । ସମ୍ପୂର୍ଣ୍ଣ ଭାବେ ମନ୍ଦିର ନିର୍ମାଣ ହେବା ପରେ ସେହିଠାରେ ସୂର୍ଯ୍ୟ ଦେବତାଙ୍କ ପୂଜା କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଆଉ ମନ୍ଦିର ନିର୍ମାଣ ପାଇଁ କୋଣାର୍କରେ ରଥ, ଚକ, ସ୍ତମ୍ଭ, ମୂର୍ତ୍ତି , ଘୋଡା ଇତ୍ୟାଦି ଆସି ସେଠାରେ ପହଞ୍ଚି ନିର୍ମାଣ କାର୍ଯ୍ୟ କରାଯାଉଛି । ତେବେ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରିଛି ପ୍ରଶାସନ। କୃଷ୍ଣଙ୍କ ପୁତ୍ର ଶାମ୍ବଙ୍କ ତପସ୍ୟା ସ୍ଥଳ ହେଉଛି କୋଣାର୍କ ମନ୍ଦିର । ଏହା ସୂର୍ଯ୍ୟ ଉପାସନାର ସିଦ୍ଧି ସ୍ଥଳ। ୫,୦୦୦ ବର୍ଷ ଧରି ସୂର୍ଯ୍ୟ ଉପାସନା ହେଉଥିଲେ ହିଁ ୧୧୯ ବର୍ଷ ଧରି ଆଉ ସୂର୍ଯ୍ୟ ଦେବତାଙ୍କ ପୂଜା ହେଉନାହିଁ । ତେଣୁ ଆମେ ମନ୍ଦିର ନିର୍ମାଣ କରି ସୂର୍ଯ୍ୟଙ୍କ ପୂଜା କରିବୁ । ସେପଟେ ସମ୍ପୃକ୍ତ ମନ୍ଦିର ନିର୍ମାଣ ସ୍ଥାନଟି ସରକାରୀ ସ୍ଥାନ ହୋଇଥିବା ବେଳେ ତା ଉପରେ ନିର୍ମାଣ ବେଆଇନ ଦର୍ଶାଇ ନୋଟିସ ଜାରି କରିଛନ୍ତି କୋଣାର୍କ ରାଜସ୍ୱ ନିରୀକ୍ଷକ । ୧୯୨୩ ମସିହା ପ୍ଲଟ ନମ୍ବର ୧୬୫୫ ଅନୁଯାୟୀ ଏହି ମନ୍ଦିର ନିର୍ମାଣ ସ୍ଥଳୀ ସରକାରୀ ଜାଗାରେ ଅବସ୍ଥିତ। ଏହାକୁ ଇଡ଼କୋକୁ ପ୍ରଦାନ କରାଯିବ। ତେବେ ହୀନ ଚକ୍ରାନ୍ତ ଓ ମନ୍ଦ ଉଦ୍ଦେଶ୍ୟ ରଖି ସମ୍ପୃକ୍ତ ସ୍ଥାନକୁ ତୁରନ୍ତ କାର୍ଯ୍ୟ ବନ୍ଦ ପାଇଁ କୋଣାର୍କ ରାଜସ୍ୱ ନିରୀକ୍ଷକ ଚିଠି କରିଥିବା ବେଳେ ଆମେ କାର୍ଯ୍ୟ କରିବୁ,’’ ବୋଲି ପୁରୀରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ନୂଆ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣଶାଳାର ଅଧ୍ୟକ୍ଷ ମୁକେଶ ଜୈନ।

ପୁଣି ଚର୍ଚ୍ଚାରେ ଦ୍ବିତୀୟ କୋଣାର୍କ ମନ୍ଦିର ପ୍ରସଙ୍ଗ
ସେହିପରି କହିଛି ଜିଲ୍ଲା ଅଧିବକ୍ତା ସଙ୍ଘର ଆବାହକ ତଥା ଆଇନଜୀବି ଅନୀଲ କୁମାର ସାହୁ କହିଛନ୍ତି, "କୋଣାର୍କ ହେଉଛି ଆମ ଉତ୍କଳୀୟ କଳା ଭାସ୍କର୍ଯ୍ୟର ମୁଖସାଖୀ । ଆଉ ବିଶ୍ୱର ସପ୍ତାଶ୍ଚାର୍ଯ୍ୟ ମଧ୍ୟରେ ଅନ୍ୟତନ । ତେଣୁ ଅର୍କକ୍ଷେତ୍ର କୋଣାର୍କରେ ଦ୍ୱିତୀୟ କୋଣାର୍କ ଚିନ୍ତା କରିବା ମହାପାପ । ପୂର୍ବରୁ ପଦ୍ମଶ୍ରୀ ସ୍ୱର୍ଗତ ରଘୁନାଥ ମହାପାତ୍ର ଦ୍ୱିତୀୟ କୋଣାର୍କର ସ୍ୱପ୍ନ ଦେଖିଥିବା ବେଳେ ସେ ସେଥିରୁ ଓହରି ସତ୍ୟବାଦୀରେ ଆଦିତ୍ୟ ନାରାୟଣ ମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ ନେଇଥିଲେ । ସେପଟେ ବିଶ୍ୱର ସପ୍ତାଶ୍ଚାର୍ଯ୍ୟ କୋଣାର୍କ ରହିଥିବା ବେଳେ ସେହି ଅଞ୍ଚଳରେ ଆଉ ଏକ କୋଣାର୍କ ନିର୍ମାଣ ବିରୁଦ୍ଧରେ ଏତଲା ଦିଆଯିବ ଓ ଜିଲ୍ଲାପାଳଙ୍କୁ ଏ ନେଇ ଅଭିଯୋଗ କରାଯାଇଛି । ତେବେ ରାଜସ୍ୱ ନିରୀକ୍ଷକ ସେମାନଙ୍କୁ ଗତ ଅକ୍ଟୋବର ୧୨ ତାରିଖରେ ଜମିରୁ ନିର୍ମାଣ ବନ୍ଦ କରି ହଟିବା ପାଇଁ ଲେଖିଥିବା ବେଳେ ସେମାନେ କଥା ନମାନି ପୁଣି ନିର୍ମାଣ କରୁଛନ୍ତି । ତେଣୁ ତାକୁ ବନ୍ଦ କରାଯାଇ ସରକାରୀ ଜମିରୁ ବେଆଇନ ନିର୍ମାଣ ଭାଙ୍ଗିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିବା ବେଳେ ଆଗାମୀ ଦିନରେ ଚନ୍ଦ୍ରଭାଗାରେ ଜନ ଆନ୍ଦୋଳନ କରାଯିବ ।’’
ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, "ସେପଟେ ଦ୍ୱିତୀୟ କୋଣାର୍କର ପ୍ରଶ୍ନ ଉଠୁନାହିଁ । ପୁଣି ସରକାରଙ୍କ ବିନା ଅନୁମତିରେ ନିର୍ମାଣ କରାଯାଉଥିବାରୁ ଏହାକୁ ବରୋଧ କରାଯିବ। ତେଣୁ ପ୍ରଥମେ ରାଜ୍ୟ ସରକାରଙ୍କୁ ଅବଗତ କରାନ୍ତୁ। ତା'ପରେ କିଛି ପଦକ୍ଷେପ ନିଅନ୍ତୁ। ତେବେ ଆଉ ଦ୍ୱିତୀୟ କୋଣାର୍କ ନିର୍ମାଣ ଦ୍ୱାରା ଆମ ଭାବବେଗକୁ ଏହା ବେଶ୍ ଆଘାତ ଦେବ । ଏଥି ପାଇଁ ସରକାରୀ ଜମିରେ ବେଆଇନ ନିର୍ମାଣକୁ ନେଇ ନିର୍ମାଣ ସଂସ୍ଥାକୁ କାର୍ଯ୍ୟ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି କୋଣାର୍କ ଆରଆଇ ।’’
ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା ନିକଟରେ ବେଆଇନ ଜମିରେ ନିର୍ମାଣ ହେଉଛି ଦ୍ୱିତୀୟ କୋଣାର୍କ ମନ୍ଦିର କାର୍ଯ୍ୟ । ଏହାକୁ ନେଇ ଏବେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ଭଙ୍ଗାଯିବା ନେଇ ଆରମ୍ଭ ହେଲାଣି ପ୍ରକ୍ରିୟା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।