ସେଲ୍ଫ ଫାଇନାନ୍ସିଂ କୋର୍ସ ଉପରେ ଲାଗିଲା ଅଙ୍କୁଶ; ୨୦% ଭିତରେ ସୀମିତ ରହିବ ସିଟ

ଅଙ୍କୁଶ। ବିଶ୍ୱବିଦ୍ୟାଳୟଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ କୋର୍ସ ପାଇଁ ୨୦% ଭିତରେ ସୀମିତ ରହିବ ସିଟ। ପିପିପି ମୋଡ଼ରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଚାଲିବନି। ଏନେଇ କୁଳାଧିପତିଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି।

ସେଲ୍ଫଫାଇନାନ୍ସିଂ ପାଠ୍ୟକ୍ରମକୁ ୨୦%ରେ ସୀମିତ ରଖିବା ନିଷ୍ପତ୍ତି ବଦଳାଇଲେ  ରାଜ୍ୟ ସରକାର (ପ୍ରତୀକାତ୍ମକ ଛବି)

ସେଲ୍ଫଫାଇନାନ୍ସିଂ ପାଠ୍ୟକ୍ରମକୁ ୨୦%ରେ ସୀମିତ ରଖିବା ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ସେଲ୍ଫ ଫାଇନାନ୍ସିଂ କୋର୍ସ ଉପରେ ଲାଗିଲା ଅଙ୍କୁଶ। ବିଶ୍ୱବିଦ୍ୟାଳୟଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ କୋର୍ସ ପାଇଁ ୨୦% ଭିତରେ ସୀମିତ ରହିବ ସିଟ। ପିପିପି ମୋଡ଼ରେ ସେଲ୍ଫ ଫାଇନାନ୍ସିଂ  କୋର୍ସ ଚାଲିବନି। ଏନେଇ କୁଳାଧିପତିଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଉଚ୍ଚଶିକ୍ଷା ବିଭାଗର ସମସ୍ତ ବିଦ୍ୟାଳୟକୁ ନୋଟିସ ମଧ୍ୟ ପଠା ହୋଇସାରିଛି।

ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଯୋଗୁଁ ନିୟମିତ ପାଠ୍ୟକ୍ରମ ବାଧାପ୍ରାପ୍ତ ହେଉଛି। ଏଣୁ ସେଲ୍ଫ ଫାଇନାନ୍ସିଂ କୋର୍ସ ସମୁଦାୟ ବିଦ୍ୟାର୍ଥୀଙ୍କ ୨୦% ରେ ସୀମିତ ରହିବ। ଅଧିକ ବିଦ୍ୟାର୍ଥୀ ଥିଲେ ୨୦୨୨-୨୩ ତଥା ଆଗାମୀ ଶିକ୍ଷାବର୍ଷରୁ ଏହାକୁ କମାଇବାକୁ ପଡିବ। ଜୁନ ୩୦ ସୁଦ୍ଧା ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ଏହାର ସମୀକ୍ଷା କରି ଆବଶ୍ୟକ ନିଷ୍ପତ୍ତି ନେବେ। କେଉଁ ପାଠ୍ୟକ୍ରମ ବନ୍ଦ ହେବ ତାହା ମଧ୍ୟ ସିଣ୍ଡିକେଟ ନିଷ୍ପତ୍ତି ନେବ। ଯେଉଁ ପାଠ୍ୟକ୍ରମ ବନ୍ଦ ହେବ ସେଥିପାଇଁ ଆସନ୍ତା ଶିକ୍ଷାବର୍ଷରୁ ନାମଲେଖା ହେବନାହିଁ। ପୂର୍ବରୁ ନାମଲେଖାଇଥିବା ଛାତ୍ରଛାତ୍ରୀ ପୂର୍ବ ପରି ପଢ଼ିବେ। ସେହିଭଳି ପିପିପି ମୋଡ଼ରେ କୌଣସି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଚାଲିବ ନାହିଁ। ବିଶ୍ୱବିଦ୍ୟାଳୟ ନିଜେ ସିଧାସଳଖ ପରିଚାଳନା କରିବେ। କୁଳାଧିପତି ଗୁଣାତ୍ମକ ଶିକ୍ଷା ଓ ରେଗୁଲାର କ୍ଳାସ ପ୍ରତି ଗୁରୁତ୍ୱ ପ୍ରଦାନ କରି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏନେଇ ଉଚ୍ଚଶିକ୍ଷା ସଚିବ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ମାନଙ୍କୁ ଚିଠି ଲେଖି ଏନେଇ ଜଣାଇଛନ୍ତି।

"ଗତକାଲି ଉଚ୍ଚଶିକ୍ଷା ବିଭାଗ ଚିଠି କରି ଏ ସମ୍ପର୍କରେ ଜଣାଇଛନ୍ତି। କୁଳାଧିପତିଙ୍କ କାର୍ଯ୍ୟାଳୟରୁ  ସ୍ୱତନ୍ତ୍ର ଏସଓପି ଜାରି ହୋଇଛି। ତାହାରି ଆଧାରରେ ଆମେ ବର୍ତ୍ତମାନ କାର୍ଯ୍ୟ କରିବୁ। ନିଶ୍ଚିତ ଭାବେ ଆଗରୁ ସେଲ୍ଫ ଫାଇନାନ୍ସିଂ କୋର୍ସ ଦ୍ୱାରା ନିୟମିତ କ୍ଳାସ ପ୍ରଭାବିତ ହେଉଥିଲା। ଏବେ ସେ ସବୁରୁ ମୁକ୍ତି ମିଳିବ,"କହିଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ।

ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବିଶ୍ୱବିଦ୍ୟାଳୟ ନିୟମିତ ପାଠ୍ୟକ୍ରମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦରକାର। ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଏହାଦ୍ୱାରା ଲାଭନ୍ବିତ ହେବେ। ଏଣୁ ଅଳ୍ପ କିଛି ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ମାର୍କ ଆଧାରରେ ନାମାଲେଖା ହେବ ବୋଲି ସ୍ପଷ୍ଟ କରାଯାଇଛି। ଯାହାକୁ ନେଇ ଛାତ୍ରଛାତ୍ରୀ ମହଲରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଲିଛି। ହେଲେ ଶିକ୍ଷାବିତ ଏହାକୁ ସ୍ୱାଗତ କରିଛନ୍ତି। ସେଲ୍ଫ ଫାଇନାନ୍ସିଂ ପାଠପଢାକୁ ନେଇ ମହାବିଦ୍ୟାଳୟମାନଙ୍କରେ ଯେଉଁଭଳି ଭାବରେ ବ୍ୟବସାୟ ଚାଲିଥିଲା ତାହା ଉପରେ ଅଙ୍କୁଶ ଲାଗିବ ବୋଲି କହିଛନ୍ତି। ଏଣୁ ଏହି ନିୟମ କିଭଳି କାର୍ଯ୍ୟକାରୀ ହେବ ସେଥିପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି।

"ସେଲ୍ଫ ଫାଇନାନ୍ସିଂ ପିଲା କିଛି ମାସ ପାଠ ପଢ଼ି ଚାଲିଯାଉଥିଲେ। ଆମକୁ ଯେଉଁ ସମୟ ଆମ ଅଧ୍ୟାପକ ଅଧ୍ୟାପିକାଙ୍କଠାରୁ ମିଳିବା କଥା ସଠିକ ଭାବେ ମିଳି ପାରୁନଥିଲା। ଏଣୁ ଏବେ ଏହି ନିଷ୍ପତ୍ତି ଦ୍ୱାରା ଆମେ ସାଧାରଣ ଛାତ୍ରଛାତ୍ରୀ ମାନେ ଉପକୃତ ହେବୁ,"କହିଛନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୁଚିସ୍ମିତା ରାଉତ।

"ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ସେଲ୍ଫ ଫାଇନାନ୍ସିଂ କୋର୍ସଗୁଡ଼ିକ ସୀମିତ ରହିବା ଓ ପିପିପି ମୋଡ଼ ବନ୍ଦ କରିବା ଅତ୍ୟନ୍ତ ଜରୁରୀ ଥିଲା। ବର୍ତ୍ତମାନ ଯେଉଁଭଳି ଭାବରେ ଶିକ୍ଷାକୁ ନେଇ ବ୍ୟବସାୟୀକରଣ କରାଯାଉଛି ସେଥିରେ ସାଧାରଣ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ ହେଉଛନ୍ତି। ଏଣୁ ଏହାକୁ ତୁରନ୍ତ ଲାଗୁ କରି କାର୍ଯ୍ୟକାରୀ କରାଯାଉ,"କହିଛନ୍ତି ଶିକ୍ଷାବିତ ପ୍ରବୋଧ ପଣ୍ଡା।
Published by:Soumya Das
First published: