କଇଁଛ ଶାବକଙ୍କ ଘରବାହୁଡା; ସୁରକ୍ଷାକୁ ମଜବୁତ କରିବା ପାଇଁ ପାଳିତ ହୋଇଛି ବିଶ୍ବ କଇଁଛ ଦିବସ

ସମୁଦ୍ର ମୁହାଁ ଲକ୍ଷ ଲକ୍ଷ କୁନି ବରିଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛ। କଇଁଛଙ୍କ ସୁରକ୍ଷାକୁ ଆହୁରି ମଜବୁତ କରିବା ନିମନ୍ତେ ପାଳିତ ହେଲା ବିଶ୍ବ କଇଁଛ ଦିବସ।

କଇଁଛ ଶାବକଙ୍କ ଘରବାହୁଡା

କଇଁଛ ଶାବକଙ୍କ ଘରବାହୁଡା

  • Share this:
News18 Odia Digital

ବ୍ରହ୍ମପୁର: ସମୁଦ୍ର ମୁହାଁ କୁନି କଇଁଛ ଶାବକ। ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛମାନେ ଗଣ ଅଣ୍ଡାଦାନ ଶେଷ ହେବାର ଦୀର୍ଘ ୫୦ ଦିନ ପରେ ଏବେ ଅଣ୍ଡାରୁ ଛୁଆ ବାହାରିଛନ୍ତି।

କଇଁଛ ଛୁଆମାନେ ଧିରେ ଧିରେ ହୋଇ ସମୁଦ୍ର ମଧ୍ୟକୁ ଚାଲି ଯାଉଛନ୍ତି। ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ଗଣ ଅଣ୍ଡାଦାନ ହୋଇଥିବା ବେଳେ ବାତ୍ୟା ଅସାନିର ପ୍ରଭାବରେ କିଛି ଅଣ୍ଡା ମଧ୍ୟ ନଷ୍ଟ ହୋଇଥିଲା। ବାତ୍ୟାରୁ ବର୍ତ୍ତି ଯାଇଥିବା ଅଣ୍ଡା ଗୁଡ଼ିକୁ ବନ ବିଭାଗ ଓ ସ୍ଥାନୀୟ ବାସିନ୍ଦାମାନେ ସୁରକ୍ଷିତ ରଖିବା ପରେ ବର୍ତ୍ତମାନ ସେହି ଅଣ୍ଡାରୁ କୁନି କଇଁଛ ଶାବକ ବାହାରି ସମୁଦ୍ରକୁ ଯାଉଛନ୍ତି। ଏହି ଦୃଶ୍ୟକୁ ଦେଖିବାକୁ ଅତ୍ୟନ୍ତ ମନୋରମ। ସେପଟେ କଇଁଛଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବୃଦ୍ଧି କରାଯିବ ସେ ନେଇ ସୋମବାର ପାଳିତ ହୋଇଛି ବିଶ୍ବ କଇଁଛ ଦିବସ।

କୁନି କୁନି ପାଦରେ ଗୁରୁଣ୍ଡି ଗୁରୁଣ୍ଡି ହୋଇ ସମୁଦ୍ର ମୁହାଁ ଚାଲୁଛନ୍ତି ଲକ୍ଷ ଲକ୍ଷ କୁନି କଇଁଛ। ଏଭଳି ଏକ ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ। ଗତ ମାର୍ଚ୍ଚ ମାସରେ ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତି ଅଲିଭ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଗଣ ଅଣ୍ଡାଦାନାରେ ସର୍ବକାଳୀନ ରେକର୍ଡ଼ ହୋଇଥିଲା। କାରଣ ଗଣ ଅଣ୍ଡାଦାନ ପରେ କିଛି କିଛି ସ୍ଥାନରେ ସାଧାରଣ ଅଣ୍ଡାଦାନ ହୋଇଥିଲା।

ଗଣ ଅଣ୍ଡାଦାନ ସମୟରେ ପ୍ରାୟ ୫ ଲକ୍ଷ ୫୦ ହଜାର କଇଁଛ ଅଣ୍ଡାଦାନ କରିଥିବା ବେଳେ ସାଧାରଣରେ ପ୍ରାୟ ୪୫ ହଜାର ଅଣ୍ଡାଦାନ ହୋଇଥିଲା। ଯାହାଫଳରେ ୬ କୋଟି ଅଣ୍ଡା ବେଳାଭୂମିରେ ରହିଥିବା ବେଳେ ସେଥିରୁ କିଛି ନଷ୍ଟ ହୋଇଥିଲେ ବି ପ୍ରାୟ ୫ କୋଟି କୁନି କଇଁଛ ଶାବକ ସମୁଦ୍ରକୁ ଯାଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ବନ୍ୟ ସଂରକ୍ଷକ ଅଶୋକ ବେହେରା।

‘‘ଗତ ଅସାନି ବାତ୍ୟାରେ ସମୁଦ୍ରର ଢ଼େଇ ଉଚ୍ଚ ରହିବା ଯୋଗୁଁ ଅନେକ ଅଣ୍ଡା ଭାସି ପଳାଇଯାଇଥିଲା। ସେହିପରି ଅନେକ ଅଣ୍ଡା ମଧ୍ୟ ନଷ୍ଟ ହୋଇଥିବା ବେଳେ କିଛି କୁନି କଇଁଛ ଶାବକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ଅଣ୍ଡାରୁ ଛୁଆ ଫୁଟି ବାହାରିବା ପ୍ରକ୍ରିୟା ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ତଥାପି ମଧ୍ୟ କିଭଳି ସୁରକ୍ଷିତ ଭାବେ କଇଁଛ ଶାବକମାନେ ସମୁଦ୍ରକୁ ଯିବେ ସେ ନେଇ ଧ୍ୟାନ ଦିଆଯାଉଛି,’’ କହିଛନ୍ତି ଋଷିକୂଳ୍ୟା ସାମୁଦ୍ରିକ କଇଁଛ ସୁରକ୍ଷା ସମିତିର ସମ୍ପାଦକ ରବିନ୍ଦ୍ର ନାଥ ସାହୁ।

ସୋମବାର ପାଳିବନ୍ଧ ଗ୍ରାମ ପଞ୍ଚାୟତ ଓ ଋଷିକୂଲ୍ୟା ସାମୁଦ୍ରିକ କଇଁଛ ସୁରକ୍ଷା ସମିତି ପକ୍ଷରୁ ବିଶ୍ବ କଇଁଛ ଦିବସ ପାଳିତ ହୋଇଯାଇଛି। ପାଳିବନ୍ଧ ପଞ୍ଚାୟତର ସମସ୍ତ ଗ୍ରାମବାସୀଙ୍କ ସମେତ କଇଁଛଙ୍କ ସୁରକ୍ଷା ନିମନ୍ତେ କାମ କରୁଥିବା ସମସ୍ତ ସ୍ବେଚ୍ଛାସେବୀ ଓ ବନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

‘‘ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ନିମନ୍ତେ ସମସ୍ତେ ତତ୍ପର ହୋଇ ରହିଛନ୍ତି। କେବଳ ଯେ କଇଁଛଙ୍କ ସୁରକ୍ଷା ନିମନ୍ତେ କାମ କରୁଛନ୍ତି ତାହା ନୁହେଁ। ବରଂ ପର୍ଯ୍ୟଟକମାନେ ଯେତେବେଳେ କଇଁଛଙ୍କୁ ଦେଖିବା ନିମନ୍ତେ ଆସୁଛନ୍ତି ସେମାନେ ମଧ୍ୟ କିଭଳି ଶୁରୁଖୁରୁରେ ଦେଖିବା ସହିତ ଏହାର ଦୃଶ୍ୟକୁ ମନଭରି ଉପଭୋଗ କରିବେ ସେ ନେଇ କାମ କରାଯାଉଛି,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ସୁରଥ ପାହାନ।

ସୁଦୂର ଶ୍ରୀଲଙ୍କାରୁ ବିରଳ ପ୍ରଜାତି କଇଁଛମାନେ ଆସିଥାନ୍ତି। ଗଭୀର ନୀଳ ସମୁଦ୍ର ଜଳରାଶିରେ କଇଁଛଙ୍କ ମିଳନ, ମିଳନ ପରେ ଗଣ ଅଣ୍ଡାଦାନ ଓ ପରିଶେଷରେ ଅଣ୍ଡାରୁ ଫୁଟି କୁନି କୁନି କଇଁଛ ଶାବକମାନେ ସମୁଦ୍ରକୁ ଯିବାର ଦୃଶ୍ୟ ଅତ୍ୟନ୍ତ ମନୋରମ। ତେଣୁ ଏହାର ସୁରକ୍ଷା ଦିଗରେ ସମସ୍ତେ ଆଗଭର ହୋଇ କାମ କରିବାରେ ବେଶ ଆନନ୍ଦ ଲାଗିଥାଏ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ଉମାକାନ୍ତ ବେହେରା।

ଚଳିତ ବର୍ଷ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ରେକର୍ଡ଼ ସଂଖ୍ୟକ ଗଣ ଅଣ୍ଡାଦାନ ହୋଇଥିବା ବେଳେ ଆସନ୍ତା ବର୍ଷରେ କିଭଳି ଆହୁରି ଅଧିକ ସଂଖ୍ୟକ ଗଣ ଅଣ୍ଡାଦାନ ହେବ ସେ ନେଇ ବନ ବିଭାଗ, କଇଁଛ ସୁରକ୍ଷା ସମିତି, ସ୍ଥାନୀୟ ବାସିନ୍ଦା, ମତ୍ସ୍ୟଜୀବୀ ଓ ସ୍ବେଚ୍ଛାସେବୀମାନେ ଏବେଠାରୁ ହିଁ କଇଁଛଙ୍କ ସୁରକ୍ଷାକୁ ନେଇ ସଚେତନ କାର୍ଯ୍ୟକୁ ଆହୁରି ବୃଦ୍ଧି କରିସାରିଲେଣି। ଯାହାକି କଇଁଛ ଓ ପରିବେଶ ପାଇଁ ଏକ ଭଲ ବାର୍ତ୍ତା।
Published by:Lipina Das
First published: