ଝାଉଁ ଓ କାଜୁ ଜଙ୍ଗଲକୁ ନଷ୍ଟ କରିଦେଉଛି ସମୁଦ୍ର ଜୁଆର

ପୋଡ଼ମପେଟା ଗାଁର ୪୦ରୁ ଅଧିକ ଘର ସମୁଦ୍ରରେ ଲୀନ ହେବା ପରେ ଏବେ ସମୁଦ୍ର ଦିଗ ବଦଳାଇବା ସାଜିଛି କାଳ। ଏହା ଦ୍ବାରା ଝାଉଁ ଓ କାଜୁ ଜଙ୍ଗଲ ପ୍ରତି ବିପଦ ବଢ଼ିବାରେ ଲାଗିଛି।

ଝାଉଁ ଓ କାଜୁ ଜଙ୍ଗଲକୁ ନଷ୍ଟ କରିଦେଉଛି ସମୁଦ୍ର ଜୁଆର

ଝାଉଁ ଓ କାଜୁ ଜଙ୍ଗଲକୁ ନଷ୍ଟ କରିଦେଉଛି ସମୁଦ୍ର ଜୁଆର

  • News18 Odia
  • Last Updated :
  • Share this:
News18 Odia Digital

ବ୍ରହ୍ମପୁର: ସମୁଦ୍ର କରାଳ ରୂପ ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି। ପ୍ରଥମେ ଗାଁର ଗୋଟିଏ ପରେ ଗୋଟିଏ ସାହି ସମୁଦ୍ର ଗର୍ଭରେ ଲୀନ ହୋଇଥିବା ବେଳେ ଏବେ ଝାଉଁ ଓ କାଜୁ ଜଙ୍ଗଲକୁ ନଷ୍ଟ କରିବାରେ ଲାଗିଛି ସମୁଦ୍ର।

ସମୁଦ୍ରର ଜୁଆର ଫଳରେ ସମୁଦ୍ରକୁ ଲାଗି ରହିଥିବା ବଡ଼ ବଡ଼ କାଜୁ ଓ ଝାଉଁ ଗଛ ଗୁଡ଼ିକ ମୂଳରୁ ଭାଙ୍ଗି ଯାଇ ସମୁଦ୍ରରେ ମିଶିଯାଉଛି। ଯାହାଫଳରେ ଦିନେ ଝାଉଁ ଓ କାଜୁ ଜଙ୍ଗଲ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଗାଁକୁ ସୁରକ୍ଷା ଦେଉଥିବା ବେଳେ ଏବେ ତାହା ସମୁଦ୍ରରେ ମିଶିବାକୁ ଯାଉଛି।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଳକର ପୋଡ଼ମପେଟାରେ। କାଜୁ ଓ ଝାଉଁ ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁଁ ସମୁଦ୍ର ନିକଟରେ ରହୁଥିବା ଅଣମତ୍ସ୍ୟଜୀବୀ ଏବେ ଚିନ୍ତାରେ। ସେପଟେ ସମୁଦ୍ରର ଦିଗ ପରିବର୍ତ୍ତନ କରି କୂଳ ଲଙ୍ଘୁଛି । ତେଣୁ ସମୁଦ୍ର ସାମାନ୍ୟତମ ଶାନ୍ତ ହେଲେ ସେହି ସ୍ଥାନରେ ପୁଣି ଥରେ ଅଧିକ ବୃକ୍ଷରୋପଣ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଡ଼ିଏଫଓ।

ଗାଁକୁ ଗିଳୁଛି ସମୁଦ୍ର। ଦିନକୁ ଦିନ ସମୁଦ୍ରରେ ଭୟଙ୍କର ରୂପ ଦେଖି ଛାନିଆ ହୋଇ ରହିଛନ୍ତି ସମୁଦ୍ର କୂଳିଆ ବାସିନ୍ଦା। ସମୁଦ୍ର ଗାଁ ମୁହାଁ ହୋଇ ଘର ଭାଙ୍ଗିବା ପରେ ଏବେ ଝାଉଁ ଓ କାଜୁ ଜଙ୍ଗଲକୁ ନଷ୍ଟ କରିବା ଆରମ୍ଭ କରିଦେଇଛି ।

ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଳକ ପୋଡ଼ମପେଟାରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି। ଦିନ ଥିଲା ପୋଡ଼ମପେଟାରୁ ପ୍ରାୟ ୨ କିଲୋମିଟର ଦୂରରେ ରହିଥିଲା ସମୁଦ୍ର। ଦିନକୁ ଦିନ କୂଳ ଲଙ୍ଘି ସମୁଦ୍ର ଗାଁ ମଧ୍ୟକୁ ପ୍ରବେଶ କରିଲାଣି। ବର୍ତ୍ତମାନ ସୁଦ୍ଧା ଗାଁର ପ୍ରାୟ ୪ଟି ସାହି ତଥା ୪୦ରୁ ଅଧିକ ଘର ଏବେ ସମୁଦ୍ର ଗର୍ଭରେ ଲୀନ ହୋଇସାରିଲାଣି। ଗାଁର ଅନେକ ଘର ନଷ୍ଟ ହେବା ପରେ ଏବେ ଧିରେ ଧିରେ ଗତି ବଦଳାଉଛି ସମୁଦ୍ର। ଗାଁକୁ ଲାଗି ରହିଥିବା ଝାଉଁ ଓ କାଜୁ ଜଙ୍ଗଲ ଏବେ ବିପଦରେ।

ସମୁଦ୍ର କରାଳ ରୂପ ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି


‘ଦିନ ଥିଲା ଏହି ଝାଉଁ ଓ କାଜୁ ଜଙ୍ଗଲ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବାରେ ସହାୟକ ହେଉଥିଲା। କିନ୍ତୁ ବର୍ତ୍ତମାନ ସମୁଦ୍ରର ଉଚ୍ଚ ଜୁଆରରେ ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ଝାଉଁ ଓ କାଜୁ ଗଛ ଗୁଡ଼ିକ ମୂଳରି ଛିଡ଼ିଯାଇ ସମୁଦ୍ରରେ ଭାସିଯାଉଛି। ଏଭଳି ଶହ ଶହ ଗଛ ବର୍ତ୍ତମାନ ପୋଡ଼ମପେଟା ଅବଞ୍ଚଳରେ ସମୁଦ୍ର କୂଳରେ ଭାସି ରହିଥିବା ଦେଖିବାକୁ ମିଳିଛି। ସମୁଦ୍ର କୂଳରେ ରହିଥିବା ଅଣ ମତ୍ସ୍ୟଜୀବୀମାନେ କାଜୁ ଓ ଝାଉଁ ଜଙ୍ଗଲରୁ ହିଁ ପରିବାର ପ୍ରତିପୋଷଣ କରିପାରୁଥିଲେ। ବର୍ତ୍ତମାନ ତାହା ମଧ୍ୟ ସମୁଦ୍ରରେ ମିଶିଯାଉଥିବା ଯୋଗୁଁ ଏବେ ଚିନ୍ତାରେ ରହୁଛନ୍ତି ସମସ୍ତେ,’’ କହିଛନ୍ତି କଣ୍ଟିଆଗଡ଼ ବାସିନ୍ଦା।

‘‘ଏହି କାଜୁ ଓ ଝାଉଁ ଜଙ୍ଗଲକୁ ରକ୍ଷା କରିବା ନିମନ୍ତେ ପୂର୍ବରୁ ପ୍ରଶାସନକୁ ଜଣାଇ ଦିଆଯାଇଥିଲା। କିନ୍ତୁ ପ୍ରଶାସନ ଏହାକୁ କର୍ଣ୍ଣପାତ କରିନାହିଁ। ଯେଉଁମାନେ ଗାଁ ନିକଟରେ ରହୁଥିଲେ ସେମାନଙ୍କୁ ଓଡ଼ିଆରପି ଯୋଜନାରେ ଯୋଗାଇ ଦିଆଯାଇଥିବା ଗୃହକୁ ଚାଲିଯିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ। ହେଲେ ଝାଉଁ ଓ କାଜୁ ଜଙ୍ଗଲ କିଭଳି ସୁରକ୍ଷିତ ରହିବ ସେ ନେଇ ମଧ୍ୟ ପ୍ରଶାସନ ପଦକ୍ଷେପ ନେଉ ବୋଲି ଦାବି କରୁଛୁ,’’ କହିଛନ୍ତି କଣ୍ଟିଆଗଡ଼ ବାସିନ୍ଦା।

ସେହିପରି ପାଳିବନ୍ଧ ବାସିନ୍ଦା ରଞ୍ଜି କହିଛନ୍ତି, ‘‘ପୋଡ଼ମପେଟାର ଗୋଟିଏ ପରେ ଗୋଟିଏ ସାହି ଏଭଳି ୪ଟି ସାହି ସମୁଦ୍ରରେ ଲୀନ ହେବା ପରେ ଏବେ ଗାଁ ସମ୍ପୂର୍ଣ୍ଣ ରୂପେ ଖାଁ ଖାଁ ହୋଇଛି। ବର୍ତ୍ତମାନ ଗାଁରେ ମାତ୍ର ୫ ରୁ ୬ ପରିବାର ହିଁ ବସବାସ କରୁଛନ୍ତି। ଏଭଳି ସ୍ଥିତିରେ ଯଦି ସମୁଦ୍ର ଝାଉଁ ଓ କାଜୁ ଜଙ୍ଗଲକୁ ମଧ୍ୟ ନଷ୍ଟ କରିବ ତେବେ ଆଗାମୀ ଦିନରେ ଯଦି ବାତ୍ୟା କମ୍ବା ବଡ଼ ପବନ ଆସେ ତେବେ ନିକଟରେ ରହିଥିବା ପାଳିବନ୍ଧ ପଞ୍ଚାୟତର ପ୍ରାୟ ୧୦ରୁ ଅଧିକ ଗାଁ ପ୍ରତି ବିପଦ ଭୋଗିବ। ତେଣୁ ବେଳ ଥାଉ ଥାଉ ଯଦି ପ୍ରଶାସନ ଗାଁ ନିକଟରେ କଂକ୍ରିଟ କାନ୍ଥ ବାନ୍ଧେ ତେବେ ସାମାନ୍ୟ ସୁରକ୍ଷା ଦେବାରେ ଏହା ସହାୟକ ହୋଇପାରିବ।’’

ବର୍ତ୍ତମାନ ସମୁଦ୍ର ଅଶାନ୍ତ ରହିଥିବା ଯୋଗୁଁ ସମୁଦ୍ର କୁଳ ଲଙ୍ଘୁଛି। ଯାହାଫଳରେ ବଡ଼ ବଡ଼ କଂକ୍ରିଟ ଘର ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ସମୁଦ୍ରରେ ମିଶିଯାଉଛି। ତେଣୁ ଏଭଳି ସ୍ଥଳେ ଯଦି ସମୁଦ୍ର ଝାଉଁ ଓ କାଜୁ ଜଙ୍ଗଲ ଆଡ଼କୁ ମୁହାଁଇବ ତେବେ ନିଶ୍ଚିତ ଭାବେ ଜଙ୍ଗଲ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ତେଣୁ ସମୁଦ୍ର ଶାନ୍ତ ହେଲେ ହିଁ ଯେଉଁ ଅଞ୍ଚଳରେ ଝାଉଁ ଓ କାଜୁ ଗଛ ନଷ୍ଟ ହୋଇଛି। ସେଠାରେ ପୁଣି ଥରେ ବନୀକରଣ କରାଯାଇପାରିବ ବୋଲି କହିଛନ୍ତି ବ୍ରହ୍ମପୁର ଡ଼ିଏଫଓ ଅମ୍ଲାନ ନାୟକ।

ଖୁବ୍ ଶୀଘ୍ର ଯଦି ପ୍ରଶାସନ କୌଣସି ପ୍ରକାରର ପଦକ୍ଷେପ ନ ନିଏ ତେବେ ପୋଡ଼ମପେଟା ଗାଁ ସମୁଦ୍ରରେ ମିଶୁଥିବା ଭଳି ଝାଉଁ ଓ କାଜୁ ଜଙ୍ଗଲ ମଧ୍ୟ ଧିରେ ଧିରେ ମିଶିଯିବେ ସେଥିରେ କୌଣସି ଦ୍ବିମତ ନାହିଁ।
Published by:Lipina Das
First published: