କଡ଼ାକଡ଼ି ଚେକିଂ ହେବ ସ୍କୁଲ ଯାନବାହନ; ସବୁ RTOକୁ ଚିଠି କଲେ ପରିବହନ କମିଶନର

ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ବସ କିମ୍ବା ଛୋଟ ଗାଡ଼ିର ଯାଞ୍ଚ କରିବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ବସ କିମ୍ବା ଅନ୍ୟ ଗାଡ଼ି କେତେ ସୁରକ୍ଷିତ ତାର ଯାଞ୍ଚ କରିବେ ଆଞ୍ଚଳିକ ପରିବହନ ଅଧିକାରୀ।

କଡ଼ାକଡ଼ି ଚେକିଂ ହେବ ସ୍କୁଲ ଯାନବାହନ

କଡ଼ାକଡ଼ି ଚେକିଂ ହେବ ସ୍କୁଲ ଯାନବାହନ

  • Share this:
News18 Odisha Digital

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ସ୍କୁଲ ପିଲାଙ୍କ ଚିନ୍ତା। ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ବସ କିମ୍ବା ଛୋଟ ଗାଡ଼ିର ଯାଞ୍ଚ କରିବା ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ସ୍କୁଲ ବସ କିମ୍ବା ଅନ୍ୟ ଗାଡ଼ି କେତେ ସୁରକ୍ଷିତ ତାର ଯାଞ୍ଚ କରିବେ ଆଞ୍ଚଳିକ ପରିବହନ ଅଧିକାରୀ। ଏନେଇ ଆସନ୍ତାକାଲି ଠାରୁ ୭ ଦିନ ଚାଲିବ ସ୍ୱତନ୍ତ୍ର  ଡ୍ରାଇଭ।

ସ୍କୁଲ ବସର ହେବ ମାନ ପରୀକ୍ଷା। କୋମଲମତି ଶିଶୁଙ୍କୁ ପ୍ରତିଦିନ ସ୍କୁଲ ନେବା ଆଣିବା କରୁଥିବା ଗାଡ଼ି କେତେ ସୁରକ୍ଷିତ ତାହା ଯାଞ୍ଚ କରିବେ ରାଜ୍ୟ ସରକାର। ଏ ନେଇ ଏକ ସ୍ୱତନ୍ତ୍ର ଅଭିଯାନ ଆସନ୍ତା କାଲି ଠାରୁ ୨୭ ତାରିଖ କରିବାକୁ ପରିବହନ କମିଶନର ଅରୁଣ ବୋଥ୍ରା ନିର୍ଦେଶ ଦେଇଛନ୍ତି। ସମସ୍ତ ଆର.ଟି.ଓ ମାନଙ୍କୁ ଏନେଇ ଚିଠି କରିବା ସହ ସମସ୍ତ ସ୍କୁଲ ବସ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ସ୍କୁଲ ବସର ବୈଧ ପ୍ରମାଣପତ୍ର, ଅନୁମତି ପତ୍ର ତଥା ଫିଟନେସ ସାର୍ଟିଫିକେଟ ଯାଞ୍ଚ ହେବ। ଯଦି କୌଣସି ପ୍ରକାର ତୃଟି ପରିଲକ୍ଷିତ ହୁଏ ତେବେ ଚାଲାଣ କାଟିବା ସହ ରାଜ୍ୟ ପରିବହନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯିବ। କେବଳ ସ୍କୁଲ ବସ ନୁହେଁ ଅନ୍ୟ ଛୋଟ ଗାଡ଼ି ଉପରେ ବି ରହିବ ପରିବହନ ଅଧିକାରୀଙ୍କ ନଜର। ନିୟମ ଖିଲାପକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ। ସ୍କୁଲ ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି। ସେପଟେ ସ୍କୁଲ କର୍ତ୍ତୃପକ୍ଷ ଏହାକୁ ସ୍ୱାଗତ କରିଛନ୍ତି। ସ୍କୁଲ ବସ ଯାଞ୍ଚ ନେଇ ଆମେ ପ୍ରସ୍ତୁତ। ସମସ୍ତ କାଗଜ ପତ୍ର ସଠିକ ରହିଛି ବାକି ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ସ୍କୁଲ କରୁଛି।

" ଆମେ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରୁଛୁ। ଆମେ ଯାଞ୍ଚ ପାଇଁ ପ୍ରସ୍ତୁତ ଅଛୁ। ଆମ ସ୍କୁଲର ଭାଇକେଲ ଗୁଡ଼ିକରେ ସମସ୍ତ କାଗଜପତ୍ର ପ୍ରସ୍ତୁତ ଅଛି। କୌଣସି ଅସୁବିଧା ନାହିଁ। ଯଦି ସେମିତି କିଛି ଅସୁବିଧା ଆସେ ଆମେ ତାହା ପୂରଣ କରିବୁ,"କହିଛନ୍ତି ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଇନ୍ଦିରା ଭଟ୍ଟାଚାର୍ଯ୍ୟ।

ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ି ଚାଲୁଥିବାବେଳେ ସ୍କୁଲ ପିଲାଙ୍କ ସୁରକ୍ଷା କଥା ଚିନ୍ତା କରିବା ନିହାତି ଆବଶ୍ୟକ। ବସ ହେଉ କି ଅଟୋ ବା ଅନ୍ୟାନ୍ୟ ଛୋଟ ଗାଡ଼ି ଯଦି ଠିକ ରୁହେ ତେବେ ଦୁର୍ଘଟଣାକୁ ଏଡ଼ାଇ ହେବ। ହେଲେ ଅଭିଭାବକଙ୍କ କହିବା କଥା ଏ ଅଭିଯାନ ୭ ଦିନ ଭିତରେ ସୀମିତ ନ ରହୁ। ବାରମ୍ବାର ପିଲାଙ୍କ ସୁରକ୍ଷା ପାଇଁ ଏଭଳି ସ୍ୱତନ୍ତ୍ର ଯାଞ୍ଚ କରିବା ଦରକାର। ଆବଶ୍ୟକୀୟ ପଦକ୍ଷେପ ଆର.ଟି.ଓ ମାନେ ନେବା ଦରକାର ଓ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ।

"କେବଳ ୭ ଦିନ ନୁହେଁ ସବୁଦିନେ ଏ ଯାଞ୍ଚ ହେବା ଦରକାର। ସ୍କୁଲ କର୍ତ୍ତୃପକ୍ଷ ଯେତେ କହିଲେ ବି ସ୍କୁଲ ବସରେ ଅବହେଳା ହେଉଛି। ଏଣୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରି ଏହାକୁ ଆଗକୁ ନେବା ଦରକାର," ଉତ୍କଳ ଅଭିଭାବକ ସଙ୍ଘ ସଭାପତି ବୁଲୁ ପତି।

ପ୍ରତି ବର୍ଷ ରାଜ୍ୟରେ ହଜାର ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ସଡ଼କ ଦୁର୍ଘଟଣା କମାଇବାକୁ ହେଲେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ ।
Published by:Soumya Das
First published: