ମାଲକାନଗିରି: ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଗାଧୋଉଥିଲା ସ୍କୁଲ୍ ଛାତ୍ର; ତାକୁ ଅଧା ଖାଇଗଲା କୁମ୍ଭୀର

Crocodile eats up Malkangiri student | ଆଜି ସକାଳେ ଜଳାଶୟ କୂଳ ନିକଟରେ ପାଣିରେ ସ୍କୁଲ୍ ଛାତ୍ର କୈଳାସର କ୍ଷତବିକ୍ଷତ ଶବ ଭାସୁଥିବା ଦେଖାଯାଇଥିଲା । ତା’ ପରିବାର ଲୋକେ ଓ ଗ୍ରାମବାସୀମାନେ ଶବ ଦେଖି ତାହା କୈଳାସର ବୋଲି ଚିହ୍ନଟ କରିଥିଲେ । ଶବର ଦୁଇ ଗୋଡ଼ ଓ ହାତ ନ ଥିଲା ।

ମାଲକାନଗିରି: ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଗାଧୋଉଥିଲା ସ୍କୁଲ୍ ଛାତ୍ର; ତାକୁ ଅଧା ଖାଇଗଲା କୁମ୍ଭୀର
ଜଳାଶୟରେ ଭାସୁଥିବା କୈଳାସର କ୍ଷତବିକ୍ଷତ ଶବ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମାଲକାନଗିରି: ଜଳ ଭଣ୍ଡାରରେ କୁମ୍ଭୀର ଥିବା ଏହି ଅଞ୍ଚଳର ଲୋକେ ଜାଣିଥିଲେ । ପୂର୍ବରୁ କୁମ୍ଭୀର ଆସି ସେଠାରେ ପାଣି ପିଉଥିବା ଗାଈ ଓ ଛେଳିମାନଙ୍କୁ ଟାଣି ନେଇଥିବା ଖବର ସମସ୍ତେ ଜାଣନ୍ତି । ହେଲେ ଏ ସବୁକୁ ବେଖାତିର କରି ଦୁଇ ଜଣ ସ୍କୁଲ୍‌ ଛାତ୍ର ସେହି ଜଳାଶୟକୁ ଗାଧୋଇବାକୁ ଯାଇଥିଲେ । ଜଣେ ଛାତ୍ରର କୁମ୍ଭୀର ଆକ୍ରମଣରେ ମୃତ୍ୟୁ ହୋଇଛି ।

ଘଟଣା ଘଟିଛି ଚିତ୍ରକୋଣ୍ଡା ଝୋଲାଗୁଡା ଅପରେଟ କଲୋନୀ ନିକଟରେ ଥିବା ଜଳଭଣ୍ଡାରର  ଲିଙ୍କ ଜଳାଶୟରେ । ଗତ କାଲି ମଧ୍ୟାନ୍ନରେ ଦୁଇ ଜଣ ସ୍କୁଲ୍‌ ଛାତ୍ର – କୈଳାସ ମାଝୀ ଓ ଅଜୟ ଖରା – ସେହି ଜଳାଶୟକୁ ଗାଧୋଇବାକୁ ଯାଇଥିଲେ । ଦୁହେଁ ଗାଧୋଉଥିବା ବେଳେ କୈଳାସ ହଠାତ୍‌ ପାଣିରେ ନିଖୋଜ ହୋଇ ଯାଇଥିଲା । ତାକୁ ବହୁତ ଡାକିଥିଲା ଅଜୟ । ବହୁତ ଖୋଜିଥିଲା ବି । ହେଲେ ସେ ମିଳି ନ ଥିଲା । କୈଳାଶର ପରିବାର ଲୋକେ ବି ଦିନ ସାରା ବହୁତ ଖୋଜିଥିଲେ । ହେଲେ ତାକୁ ପାଇ ନ ଥିଲେ ।

ଆଜି ସକାଳେ ଜଳାଶୟ କୂଳ ନିକଟରେ ପାଣିରେ କୈଳାସର କ୍ଷତବିକ୍ଷତ ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ତା’ ପରିବାର ଲୋକେ ଓ ଗ୍ରାମବାସୀମାନେ ଆସି ଶବ ଦେଖି ତାହା କୈଳାସର ବୋଲି ଚିହ୍ନଟ କରିଥିଲେ । ଶବର ଦୁଇ ଗୋଡ଼ ଓ ହାତ ନ ଥିବା ସେମାନେ ଦେଖିଥିଲେ ।

ଜଳାଶୟ କୂଳରେ ପଡ଼ିଥିବା କୈଳାଶର ଲୁଗାପଟା ଓ ଜୋତା


ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି । ସ୍କୁଲ୍‌ ଛାତ୍ର କୈଳାସକୁ ଗାଧୋଉଥିବା ବେଳେ ଗୋଟେ କୁମ୍ଭୀର ଟାଣି ନେଇଯାଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ଓ ବନ ବିଭାଗ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଛାତ୍ରର ଶବକୁ ପୋଷ୍ଟ ମର୍ଟମ୍‌ ପାଇଁ ପଠାଯାଇଛି ।

ତେବେ କୁମ୍ଭୀର ଟାଣି ନେଇ ଖାଇଥିଲେ ସମ୍ପୂର୍ଣ୍ଣ ନ ଖାଇ କାହିଁକି ଛାତ୍ରର ଦୁଇ ଗୋଡ଼ ଓ ହାତକୁ ଖାଇ ବାକି ଛାଡ଼ି ଦେଇଛି ତାହା ଉପରେ ବି ସଂଶୟ ସୃଷ୍ଟି ହୋଇଛି । ପୋଷ୍ଟ ମର୍ଟମ୍‌ ରିପୋର୍ଟରୁ ଏ ପ୍ରକାର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଜଳାଶୟରେ ପାଖାପାଖି ତିନିଟି କୁମ୍ଭୀର ଅଛନ୍ତି । ସେମାନେ ପୂର୍ବରୁ ସେଠାକୁ ପାଣି ପିଇବାକୁ ଆସୁଥିବା ଗାଈ ଓ ଛେଳିମାନଙ୍କୁ ଆକ୍ରମଣ କରିଥିବାର ଉଦାହରଣ ଅଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
First published: June 28, 2020, 3:29 PM IST
corona virus btn
corona virus btn
Loading