ବିଳମ୍ୱରେ ସ୍କୁଲ ଯାଉଥିବା ବେଳେ ମନ୍ତ୍ରୀଙ୍କ ନଜରରେ ଶିକ୍ଷୟତ୍ରୀ
News18 Odia Digital
ଭୁବନେଶ୍ୱର: ଡେରିରେ ବିଦ୍ୟାଳୟକୁ ଆସୁଥିବା ସମସ୍ତ ଶିକ୍ଷକଙ୍କୁ ସାବଧାନ କରାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଗତକାଲି ମନ୍ତ୍ରୀ ନିମାପଡ଼ା ଗସ୍ତ କରୁଥିବା ସମୟରେ ସକାଳ ୧୦ଟା ୨୦ ସମୟରେ ପିପିଲି ନିକଟରେ ଦୁଇଜଣ ଶିକ୍ଷୟତ୍ରୀଙ୍କୁ ସ୍କୁଲ ଯାଉଥିବାର ଦେଖି ଅଟକାଇବା ସହ ସେମାନେ ଜଗନ୍ନାଥପୁର ୟୁପି ସ୍କୁଲର ବୋଲି ଜାଣିବାକୁ ପାଇଥିଲେ । ମନ୍ତ୍ରୀ ତୁରନ୍ତ ସେହି ସ୍କୁଲକୁ ପରିଦର୍ଶନରେ ବାହାରି ଦେଖିବାକୁ ପାଇଲେ ଯେ ଶିକ୍ଷକ ଶିକ୍ଷୟତ୍ରୀ ଗପସପରେ ମସଗୁଲ ହେଉଛନ୍ତି ଓ ପିଲା ଏଣେ ତେଣେ ବୁଲୁଛନ୍ତି । ଏହା ସହ ସ୍କୁଲର ଅନେକ ଅନିୟମିତତା ବ୍ୟବସ୍ଥା ମନ୍ତ୍ରୀଙ୍କ ଦୃଷ୍ଟିଗୋଚରକୁ ଆସିଥିଲା ।
ଘଟଣାର ସତ୍ୟାସତ୍ୟକୁ ଅନୁସନ୍ଧାନ କରି ମନ୍ତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧି୍କାରୀଙ୍କୁ ଅବଗତ କରାଇଥିଲେ । ଏହାସହ ତୁରନ୍ତ ଉକ୍ତ ବିଦ୍ୟାଳୟର ୭ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ସିଆରସିସିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିବା ସୂଚନା ମିଳିଛି । ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମଧ୍ୟରେ ରହିଛନ୍ତି ପ୍ରଧାନ ଶିକ୍ଷକ ଉମେଶ ଟନ୍ଦ୍ର ପତି, ଶିକ୍ଷୟତ୍ରୀ ସୋନାଲି ପ୍ରିୟଦର୍ଶିନୀ ସେନାପତି, ରଶ୍ମିତା ମହାରଥୀ, ସ୍ନିଗ୍ଧାରାଣୀ, ସୌଦାମିନୀ ନାୟକ , ଶିକ୍ଷକ ଚିତ୍ତରଞ୍ଜନ ଓ ସିଆରସିସି ମହମ୍ମଦ ଅଲ୍ଲୀ । ସମସ୍ତଙ୍କର ଦରମା ବନ୍ଦ କରିବାକୁ ମନ୍ତ୍ରୀ ଦାଶ ନିର୍ଦ୍ଦେଶ ଦେଇଛନ୍ତି ।
କିଛି ଦିନ ତଳେ ମନ୍ତ୍ରୀ ବାଲେଶ୍ୱରର ଗସ୍ତ କରି ପିଲା ପଣିକିଆ ଜାଣିନଥିବା କାରଣରୁ ଶିକ୍ଷକଙ୍କ ଦରମା ବନ୍ଦ କରିଥିଲେ ଓ ପରେ ଏହି ଘଟଣା ସମଗ୍ର ଓଡ଼ିଶାରେ ଶିକ୍ଷକ ମହଲରେ ଚହଳ ପକାଇଛି । ତେଣୁ ଡେରିରେ ସ୍କୁଲ ଯାଉଥିବା ଶିକ୍ଷକଙ୍କ ମନରେ ଛନକା ପଶିଛି । ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମନ୍ତ୍ରୀଙ୍କର ଏପରି ପ୍ରୟାସକୁ ସାଧାରଣ ଲୋକେ ବେଶ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।