News18 Odia Digital
ପୁରୀ: ଏସସିବି ମେଡ଼ିକାଲରେ ୧୫ ଦିନ ଧରି ନାଇଜେରିଆ କଏଦୀଙ୍କ ମୃତଦେହ ପଡ଼ିରହିଥିବା ନେଇ ସବୁ ମହଲରେ ଚର୍ଚ୍ଚା ଜୋର ଧରିଥିଲା। ଗୁରୁବାର ବିଳମ୍ବିତ ରାତିରେ ମୃତଦେହ ହସ୍ତାନ୍ତର କରାଯାଇଛି। ହେଲେ ବୁଧବାର ଦିନ ମୃତଦେହ ହସ୍ତାନ୍ତର କରାଯିବର ଯୋଜନା ଥିଲା କିନ୍ତୁ ଟ୍ରେନ ଟିକେଟ ସମସ୍ୟା ପାଇଁ ଏହା ସମ୍ଭବ ହୋଇପାରିନଥିଲା।
ପୁରୀ ଜେଲ ଅଧକାରୀ ଓ ଏସିବି ମେଡିକାଲ କତ୍ତୃପକ୍ଷଙ୍କ ଉପସ୍ଥିତିରେ ମୃତଦେହ ସ୍ଥାନାନ୍ତର କରାଯାଇଛି। ନାଇଜେରିଆ କଏଦୀ ଅଗଷ୍ଟିନ୍ ଓଡ଼ିକପୋଙ୍କୁ ଗୁରୁତର ଭାବେ ଗତ ମେ ୨୪ ତାରିଖରେ ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଉ ମେ ୨୬ରେ ସେ ମୃତ୍ୟୁ ବରଣ କରିଥିଲେ।
ମାନବାଧୀକାର କର୍ମୀ ଅଖଣ୍ଡଙ୍କ ଏନଏଚଆରସିରେ ମାମଲା ଅନୁଯାୟୀ,"ପୁରୀ ଜେଲରେ ଏକ ମାମଲାରେ ବିଚାରଧୀନ କଏଦୀ ଥିବା ନାଇଜେରିଆ ନାଗରିକ ୫୨ ବର୍ଷିୟ ଅଗଷ୍ଟିନ୍ ଓଡ଼ିକପୋ ଅସୁସ୍ଥ ହେବାରୁ ତାଙ୍କୁ ଏସସିବି ମେଡିକାଲ ମେ ୨୪ରେ ଅଣାଯାଇଥିଲା। ଆଉ ମେ ୨୬ରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ସେହି ଦିନ ଠାରୁ ମୃତଦେହ ଶବ ସରଂକ୍ଷଣ ଗୃହରେ ୧୫ ଦିନ ହେଲା ପଡ଼ିରହିଥିଲା। ତେବେ ଦିଲ୍ଲୀରେ ଏକ ବୃଦ୍ଧାଶ୍ରମରେ ରହୁଥିବା ତାଙ୍କ ଭାଇ ସିଲଭେଷ୍ଟର ଓବିନା ଏକ୍ୟୁଂଜେଙ୍କ ପାଖକୁ ମୃତଦେହ ପଠାଇବାରେ ବିଳମ୍ବ କରିଥିଲା ପ୍ରଶାସନ। ତେଣୁ ନିଜର ଆର୍ଥିକସ୍ଥିତି ସ୍ୱଛଳ ନ ଥିବାରୁ ସିଲଭେଷ୍ଟର ତାଙ୍କ ଭାଇଙ୍କ ମୃତଦେହକୁ ସରକାରୀ ଖର୍ଚ୍ଚରେ ପଠାଇବାକୁ ଅନୁରୋଧ କରିଥିଲେ। ତେବେ ଏ ନେଇ ପ୍ରଶାସନିକ ତତ୍ପରତା ନ ଥିବାରୁ ରାଷ୍ଚ୍ରୀୟ ମାନବ ଅଧିକାରୀ ଆୟୋଗଙ୍କ ନିକଟରେ ଅଭିଯୋଗ କରିବା ସହ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ, ଜେଲ ବିଭାଗ ଆଇଜି, ପୁରୀ ଜିଲାପାଳ, ପୁରୀ ଜିଲ୍ଲା ଚିକିତ୍ସାଅଧିକାରୀ, ଏସସିବି ଅଧିକ୍ଷକଙ୍କୁ ଏନଏଚଆରସି ନିର୍ଦ୍ଦେଶ ଦେବା ସହ ଅବହେଳା ନେଇ ପଦକ୍ଷେପ ନେବାକୁ ନେଇ ହୋଇଥିବା ଅଭିଯୋଗ ୯୨୩୪/ଆଇଏନ/୨୦୨୨ରେ ଡାଏରୀ ଭୁକ୍ତ କରାଯାଇଛି । ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଆବେଦନ କରାଯାଇଛି।’’
ପ୍ରକାଶ ଥାଉକି ସାଇବର ଅପରାଧ ମାମଲାରେ ୨୦୧୯ ଫେବୃଆରୀରୁ ଅଗଷ୍ଟିନ୍ ପୁରୀ ଜେଲରେ ବିଚାରଧୀନ କଏଦୀ ହିସାବରେ ରହିଆସୁଥିଲା। ଗତ ମେ ମାସ ୯ ତାରିଖ ତାଙ୍କ ଦେହ ଖରାପ ହେବାରୁ ପ୍ରଥମେ ପୁରୀ ମେଡିକାଲ ଓ ପରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କ ମୃତ୍ୟୁ ଘଟିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।