News18 Odia Digital
ଭୁବନେଶ୍ୱର: ରାଜ୍ୟରେ ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତା ବଢ଼ିଛି । ଜୁଲାଇ ମାସର ଅଧା ହେଲାଣି, ହେଲେ ଭଲ ଅସରାଏ ବର୍ଷାର ମିଳିନି ଦେଖାଦର୍ଶନ। ରାଜ୍ୟର ଛଅଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ଼ ହେବା ସହ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସ୍ଥିତି ଆହୁରି ଜଟିଳ ହୋଇଛି । ପୁରୀ ଜିଲ୍ଲାରେ ସାମାନ୍ୟ ଠାରୁ ମାଇନସ୍ ୪୧ ମିମି ସହ ସବୁ ଠାରୁ କମ୍ ବୃଷ୍ଟିପାତ ରେକର୍ଡ଼ ହୋଇଛି । ଚଳିତ ମାସରେ ସେମିତି କିଛି ବଡ଼ କିମ୍ବା ଲଗାଣ ବର୍ଷାର ବି ସମ୍ଭାବନା ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞମାନେ ।
ଜୁଲାଇ ୧୬ ତାରିଖ ସୁଦ୍ଧା ପୁରୀ ଜିଲ୍ଲାରେ -୪୧%, ଖୋର୍ଦ୍ଧା ଜିଲ୍ଲାରେ -୩୩% ଓ ଯାଜପୁର ଜିଲ୍ଲାରେ - ୩୬% ବର୍ଷା ରେକର୍ଡ଼ ହୋଇଛି । ଜୁନ୍ ୧ ତାରିଖରୁ ମୌସୁମୀ ଛୁଇଁବା ପରେ ଜୁଲାଇ ୧୬ ତାରିଖ ସୁଦ୍ଧା ରାଜ୍ୟର ୧୦ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାରେ ବି ସ୍ବଳ୍ପ ବୃଷ୍ଟିପାତ ହୋଇଛି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ହାରାହାରି ୩୮୧.୮ ମିମି ବର୍ଷା ହୋଇଥାଏ। କିନ୍ତୁ ବର୍ଷା ହୋଇଛି ୩୯୨.୯ ମିମି। ତେବେ ଚଳିତ ବର୍ଷ ୩% ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି। ୩୦ଟି ଜିଲ୍ଲାରୁ ମାତ୍ର ଚାରିଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଅର୍ଥାତ ୨୦% ରୁ ଅଧିକ ବର୍ଷା ହୋଇଛି । ୨୦ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ଛଅଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି।

ଜୁନ୍ ୧ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଓଡି଼ଶାରେ ବୃଷ୍ଟିପାତର ପରିମାଣ
ମୌସୁମୀ ସମୟରେ ତିନିଟି କାରଣ ଯୋଗୁଁ ସାଧାରଣତଃ ବର୍ଷା ହୋଇଥାଏ। ମନସୁନ ଟ୍ରଫ୍ ଲାଇନ ସକ୍ରିୟ ହେଲେ, ଲଘୁଚାପ ସୃଷ୍ଟି ହେଲେ, ନଚେତ କନଭର୍ସନ୍ ବର୍ଷା (ଜଳୀୟ ବାଷ୍ପ ଓ ତାପମାତ୍ରାର ତାରତମ୍ୟରୁ ସୃଷ୍ଟ) ହୁଏ। ହେଲେ ଚଳିତ ବର୍ଷ ମନସୁନ ଟ୍ରଫ୍ ଲାଇନ୍ ସେତେ ମାତ୍ରାରେ ସକ୍ରିୟ ନ ଥିବା ବେଳେ ଜଳଭାଗ କିମ୍ବା ସ୍ଥଳଭାଗର କୌଣସି ସ୍ଥାନରେ ଲଘୁଚାପ ବଳୟ ମଧ୍ୟ ନାହିଁ । ଫଳରେ ଏଯାବତ୍ ରାଜ୍ୟରେ ବଡ଼ ବା ପ୍ରବଳ ବର୍ଷା ହୋଇନାହିଁ।
ସମୟେ ସମୟେ ଯେଉଁ ଟ୍ରଫ୍ ଲାଇନ ରହୁଛି ତାହା ସ୍ୱଳ୍ପରୁ ମଧ୍ୟମ ବର୍ଷା କରାଉଛି। ତେଣୁ ସ୍ୱାଭାବିକ ବର୍ଷା ହୋଇପାରୁ ନାହିଁ। ଏପରିକି ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବଡ଼ ବର୍ଷାର ବିଶେଷ ସମ୍ଭାବନା ନାହିଁ। ଯଦିଓ ଜୁଲାଇ ୨୧ରୁ ୨୩ ମଧ୍ୟରେ ଉପକୂଳ ଓଡ଼ିଶାରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କୁହାଯାଉଛି, ତାହା ହେବ କି ନାହିଁ ତାହା ମଧ୍ୟ ନିଶ୍ଚିତ ନୁହେଁ।
‘‘ବର୍ତ୍ତମାନ ଉତ୍ତର ଭାରତରେ ମୌସୁମୀ ବାୟୁ ସକ୍ରିୟ ରହିଛି । ତେଣୁ ମୁମ୍ବାଇ ଓ ଆସାମରେ ପ୍ରବଳ ବର୍ଷା ହେଉଛି। ଜୁଲାଇ ଶେଷ ପର୍ଯ୍ୟନ୍ତ ଭଲ ବର୍ଷା ଓଡ଼ିଶାରେ ହେବ ନାହିଁ । ଅଗଷ୍ଟ ମାସରେ ଭଲ ବର୍ଷାର ସମ୍ଭାବନା ରହିଛି,’’ କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
ଏହା ବି ପଢ଼ନ୍ତୁ:
ଇଏ ଓଡ଼ିଆ ଝିଅ ଅପ୍ସରା ରାଣୀ; ରାମ ଗୋପାଳ ବର୍ମାଙ୍କ ନୂଆ ଫିଲ୍ମ ‘ଥ୍ରୀଲର୍’ରେ ସେ ହିରୋଇନ୍
ଏହା ବି ପଢ଼ନ୍ତୁ:
ବଲିଉଡରେ କାମ ମାଗିଲେ ପ୍ରଡ୍ୟୁସରମାନେ କହୁଥିଲେ ରାତିରେ ଆସି ଦେଖା କର: ଶେର୍ଲିନ୍ ଚୋପ୍ରା
ବର୍ତ୍ତମାନ ରାଜ୍ୟରେ ମୌସୁମୀ ବାୟୁ ସେତେଟା ସକ୍ରିୟ ନାହିଁ। ଫଳରେ ଆସନ୍ତା ୨୪ ଘଣ୍ଟାରେ କାଁ ଭାଁ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।