ରାଜ୍ୟ ସରକାରଙ୍କ ବିଜୟ; ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଦୁଇଟି ଆବେଦନକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହାସହ ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ବିଜୟ ହୋଇଛି ।

ରାଜ୍ୟ ସରକାରଙ୍କ ବିଜୟ

ରାଜ୍ୟ ସରକାରଙ୍କ ବିଜୟ

  • Share this:
News18 Odia Digital

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚାଲିଥିବା ବିବାଦର ହେଲା ସମାଧାନ। ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ପରିକ୍ରମା ପ୍ରକଳ୍ପରେ ବିରୋଧୀଙ୍କୁ ‘ସୁପ୍ରିମ’ ଝଟକା। ସେପଟେ ସୁପ୍ରିମକୋର୍ଟରେ ଖାରଜ ହେଲା ଶ୍ରୀମନ୍ଦିର ପରିକ୍ରମା ମାମଲା। ପରିକ୍ରମା ପ୍ରକଳ୍ପ କାମ ଉପରେ ରହିତାଦେଶ ଦେଲେନି ସୁପ୍ରିମକୋର୍ଟ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାମକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ୍‌। ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କଲେ ବୁଦ୍ଧିଜୀବୀ , ସେବାୟତ ଓ ଜଗନ୍ନାଥ ପ୍ରେମୀ।

"ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ। ଭକ୍ତଙ୍କ ସ୍ୱାର୍ଥ ପାଇଁ ଏହି ପ୍ରକଳ୍ପ ନିର୍ମାଣ ହେବା ନିତାନ୍ତ ଜରୁରୀ। ଆଉ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ସବୁ ମହଲରୁ ସ୍ୱାଗତ କରାଯାଉଛି। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉଛି ଭକ୍ତ ଓ ମହାପ୍ରଭୁଙ୍କର। ତେଣୁ ଏହି କାର୍ଯ୍ୟକୁ କେହି ରୋକିପାରିବେ ନାହିଁ। ଆଉ ଜଗନ୍ନାଥଙ୍କ ନିର୍ଦ୍ଦେଶ ବିନା ଗଛରେ ପତ୍ରଟିଏ ହଲେ ନାହିଁ। ତେଣୁ ସବୁ କିଛି ଜଗନ୍ନାଥଙ୍କ ଇଚ୍ଛା ବୋଲି ଟ୍ୱିଟ ମାଧ୍ୟମରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

"ଜଗନ୍ନାଥଙ୍କୁ ନେଇ ରାଜନୀତି ବନ୍ଦ କରାଯାଉ। ଆଉ ଏହି ରାୟ ପରେ ପ୍ରକଳ୍ପ ବିରୋଧୀ ଷଡ଼ଯନ୍ତ୍ରକାରୀଙ୍କ ମୁଖା ଖଲିଲା। ଚଳିତ ରଥଯାତ୍ରା ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସରିବା ଦରକାର। ସେପଟେ ହାଇକୋର୍ଟରେ ମାମଲା ରହିଥିବା ବେଳେ ଶୁଣାଣିକୁ ଅପେକ୍ଷା ନକରି ସୁପ୍ରିମକୋର୍ଟ ଯିବା ମୁର୍ଖାମୀ ଆଉ କୋର୍ଟଙ୍କ ସମୟ ଅପବ୍ୟୟ କରିଥିବାରୁ ଦୁଇ ଆବେଦନକାରୀଙ୍କ ଉପରେ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମନା ବେଶ ସ୍ୱାଗତଯୋଗ୍ୟ,’’ କହିଛନ୍ତି ହାଇକୋର୍ଟରେ ଲିଭ ପିଟିସନ ଦାଖଲ କରିଥିବା ସେବାୟତ ବିନାୟକ ଦାସ ମହାପାତ୍ର।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୈତିକ ଉଦ୍ଦେଶ୍ୟ ରଖି ପ୍ରକଳ୍ପକୁ ବିରୋଧ କରିବା ଉଚିତ୍ ନୁହେଁ। ତେଣୁ ମହାପ୍ରଭୁଙ୍କୁ ନେଇ କରୁଥିବା ଷଡ଼ଯନ୍ତ୍ରର ଦୋସୀଙ୍କୁ ମିଳିଲା ଶାସ୍ତି। ସେମାନଙ୍କୁ କୋର୍ଟ ଜୋରିମନା କରିବା ସହ ସେମାନଙ୍କ ଉଦ୍ଦେଶ୍ୟ କଣ ତାହା ଓଡ଼ିଶାବାସୀ ଜାଣିଲେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ବୀରେନ୍ଦ୍ର ଭୁଷଣ ହୋତା।

ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ରାୟ ଉପରେ ରଖିଛନ୍ତି ପ୍ରତିକ୍ରିୟା। ଆଉ କହିଛନ୍ତି, ‘‘ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ମୁଁ ଆସି ଶ୍ରୀମନ୍ଦିରର ମହାପ୍ରଭୁଙ୍କୁ ଦର୍ଶନ କଲୁ। ଏହି ବିଜୟ ହୋଇଛି ଜଗନ୍ନାଥ ମହାପ୍ରଭୁଙ୍କର। ମହାପ୍ରଭୁ ତାଙ୍କ କାର୍ଯ୍ୟ ସେ ନିଜେ କରୁଛନ୍ତି। ମହାପ୍ରଭୁଙ୍କ କାର୍ଯ୍ୟ ଚାଲିଛି ଚାଲୁ ରହିବ। ଚାରି କୋଟି ଓଡ଼ିଆଙ୍କର ବିଜୟ ଓ ଜଗନ୍ନାଥ ଭକ୍ତଙ୍କ ବିଜୟ। ଏଥିପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରଣିପାତ।’’

"ପ୍ରକଳ୍ପ ହେଉଛି ଜଗନ୍ନାଥଙ୍କର ଓ ଭକ୍ତଙ୍କର। ମହାପ୍ରଭୁଙ୍କ କାର୍ଯ୍ୟ ସେ ହିଁ ନିଜେ କରୁଛନ୍ତି। ତାଙ୍କରି ଇଚ୍ଛାରେ ସୁପ୍ରିମକୋର୍ଟ ଆଜି ଐତିହାସିକ ରାୟ ଦେଇଛନ୍ତି। ଆଉ ଏହି ବିଜୟ କେବଳ ମହାପ୍ରଭୁଙ୍କ ଆଶୀର୍ବାଦରୁ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନେଇ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ବେଳେ ଗଜପତି ପୁର୍ଣ୍ଣାହୁତି ଦେଇଥିଲେ। ଆଉ ଏଥିରେ ଦଳମତ ନିର୍ବିଶେଷରେ ସମସ୍ତ ନେତୃବୃନ୍ଦ ଉପସ୍ଥିତ ରହି ପ୍ରକଳ୍ପକୁ ସମର୍ଥ କରିଥିଲେ। ପ୍ରକଳ୍ପ ନିର୍ମାଣ ନେଇ ୮୦୦ କୋଟିର ଅନୁଦାନ ମଧ୍ୟ ଦେଇଛନ୍ତି ରାଜ୍ୟ ସରକାର। ତେବେ ନିର୍ମାଣ ଆରମ୍ଭ ପରେ ପରବର୍ତ୍ତୀ ପର୍ଯ୍ୟାୟରେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଏହାକୁ ନେଇ ରାଜନୀତି କରି ନିଜର ଫାଇଦା ପାଇଁ ବରୋଧ କରୁଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ ସବୁ ବିବାଗର ଅବସାନ ହୋଇଛି। ଆଉ ବିରୋଧିଙ୍କୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ,’’ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୁଜାପଣ୍ଡା।

ହାଇକୋର୍ଟରେ ଜୁନ ୨୨ରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପ୍ରସଙ୍ଗକୁ ନେଇ ଶୁଣାଣି ରହିଥିବା ବେଳେ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ଓ ଏଏସଆଇ ଡିଜିଙ୍କ କୋର୍ଟରେ ପ୍ରକଳ୍ପକୁ ନେଇ ସମସ୍ୟା ନାହିଁ ବୋଲି କହିବା ପରେ ଦେଖାଯାଉ ଆଉ ଏହି ବିବାଦର ସମାଧାନ ହେଉଛି କି ନାହିଁ।
Published by:Lipina Das
First published: