News 18 Odia Digital
ଭୁବନେଶ୍ୱର: ଓଡ଼ିଶାର ୧୭ ବର୍ଷ ବୟସ୍କା ୧୦୦ ମିଟର ସ୍ପ୍ରିଣ୍ଟ ହର୍ଡଲର ସବିତା ଟପ୍ପୋ କୁଏତରେ ଅନୁଷ୍ଠିତ ଏସୀୟ ଯୁବ ଆଥଲେଟିକ୍ସ ଚମ୍ପିଆନ୍ସିପରେ ପ୍ରଭାବୀ ୧୪.୧୭ ସେକେଣ୍ଡ ପ୍ରଦର୍ଶନ ସହିତ ରୌପ୍ୟ ପଦକ ଏବଂ ଭୋପାଳରେ ଜାତୀୟ ଯୁବ (୧୮ବର୍ଷରୁ କମ୍) ୧୦୦ ମିଟର ହର୍ଡଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ସବିତା ଓଡ଼ିଶାର ସୁନ୍ଦରଗଡ ଜିଲାରୁ ଆସିଛନ୍ତି ଏବଂ ପରିବାରର ଛଅ ସନ୍ତାନ ସନ୍ତତିଙ୍କ ମଧ୍ୟରେ ସର୍ବକନିଷ୍ଠା ଥିବା ସବିତା ୨୦୧୯ରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଏଚ୍ପିସିରେ ଯୋଗଦେଇଥିଲେ ଏବଂ ତାହା ତାଙ୍କ ଜୀବନରେ ରୂପାନ୍ତରଣକାରୀ ପରିବର୍ତ୍ତନ ଆଣିଥିଲା । ତାଙ୍କ ସମୟରେ (ଟାଇମିଂ) ସେବେଠାରୁ ଦୁଇ ସେକେଣ୍ଡ ଉନ୍ନତି ଘଟିଛି ।
ଶ୍ରୀ ନବୀନ ପଟ୍ଟନାୟକ, ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ଓଡ଼ିଶା ଟ୍ୱିଟରରେ ସବିତାଙ୍କୁ ତାଙ୍କର ପ୍ରଦର୍ଶନ ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି । (https://twitter.com/Naveen_Odisha/status/1581152081070596099)
“ଓଡ଼ିଶା ଆଥଲେଟ୍ ସବିତା ଟପ୍ପୋ ୪ର୍ଥ ଏସୀୟ ଯୁବ ଆଥଲେଟିକ୍ସ ଚମ୍ପିଆନ୍ସିପରେ କୁଏତଠାରେ ୧୪.୧୭ ସେକେଣ୍ଡ ଟାଇମିଂ ସହିତ ରୌପ୍ୟ ପଦକ ହାସଲ କରିଥିବାରୁ ଅଭିନନ୍ଦନ ଜଣାଉଛି । ସେ ରାଜ୍ୟ ଓ ରାଷ୍ଟ୍ର ପାଇଁ ଗୌରବ ଆଣିବା ଜାରି ରଖନ୍ତୁ ବୋଲି ମୁଁ ଶୁଭକାମନା କରୁଛି । ଭବିଷ୍ୟତରେ ତାଙ୍କର ସମସ୍ତ ପ୍ରୟାସରେ ତାଙ୍କର ସର୍ବୋତ୍ତମ ସଫଳତା କାମନା କରୁଛି ।”
ସବିତା କହିଛନ୍ତି, “ଏହି ପଦକ ଜିତି ମୋତେ ଅତ୍ୟନ୍ତ ଖୁସି ଲାଗୁଛି । ଅନେକ କଠିନ ପରିଶ୍ରମ କରିବାକୁ ହୋଇଛି ଏବଂ ମୁଁ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଶୁଭେଚ୍ଛା, ଓଡ଼ିଶା ସରକାର ଏବଂ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଏଚ୍ପିସିର ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି ଏବଂ ମୁଁ ପ୍ରତିଟି ରେସ୍ରେ ମୋର ଟାଇମିଂରେ ଉନ୍ନତି ଆଣିବା ନିମନ୍ତେ ଲକ୍ଷ୍ୟ ରଖିଛି ଏବଂ ମୋର କୋଚ୍ମାନଙ୍କ ସହିତ ମିଶି ସେ ଦିଗରେ କାର୍ଯ୍ୟ କରୁଛି ।”
ଜେମ୍ସ୍ ହିଲିଅର, ଆଥଲେଟିକ୍ସ ଡାଇରେକ୍ଟର, ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ପ୍ରୋଗ୍ରାମ କହିଛନ୍ତି, “ସବିତାଙ୍କ କାହାଣୀ ଅତ୍ୟନ୍ତ ପ୍ରେରଣାଦାୟୀ । ବ୍ୟକ୍ତିଗତ ସମସ୍ୟାରୁ ଊର୍ଦ୍ଧ୍ୱକୁ ଉଠି ସର୍ବୋଚ୍ଚ ସ୍ତରରେ ପ୍ରଦର୍ଶନ ଜାରି ରଖିବାକୁ ଯଥେଷ୍ଟ ମନୋବଳ ଲୋଡା ଏବଂ ତାଙ୍କ ନିକଟରେ ସେହି ଗୁଣ ଭରିରହିଛି । ସେ ତାଙ୍କ କୋଚ୍ ରୋହିତ ମାନେଙ୍କ ସହିତ ପ୍ରଚେଷ୍ଟା ଜାରିରଖି ତାଙ୍କ ରେସ୍ରେ ଚମତ୍କାର ଉନ୍ନତି କରିପାରିଛନ୍ତି ଏବଂ ଆଗାମୀ ମାସଗୁଡିକରେ ମୁଁ ତାଙ୍କଠାରେ ଯଥେଷ୍ଟ ସମ୍ଭାବନା ଲକ୍ଷ୍ୟ କରୁଛି ।”
ରିଲାଏନ୍ସ ଫାଉଣ୍ଡେସନ୍ର ଆଥଲେଟିକ୍ସ ଯାତ୍ରା: ୨୦୧୭ଠାରୁ ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସର ବିକାଶ ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ଯୁବ କ୍ରୀଡା କାର୍ଯ୍ୟକ୍ରମ ଜରିଆରେ ନିବେଶ କରିଆସୁଛି ଏବଂ ସମଗ୍ର ଦେଶରେ ଏହା ୫୦ରୁ ଅଧିକ ଜିଲାରେ ୫୫୦୦ ଶିକ୍ଷାନୁଷ୍ଠାନରେ ପହଞ୍ଚିସାରିଛି । ୨୦୧୮ରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ସରକାରଙ୍କ ସହିତ ସହଭାଗିତାରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚ୍ପିସି ସ୍ଥାପନ କରିଥିଲା, ଯାହା ଏକ ଉଚ୍ଚ ପ୍ରଦର୍ଶନକାରୀ ସେଣ୍ଟର ହୋଇଛି ଏବଂ ସେଠାରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପଦକବିଜେତା ଏବଂ ଜାତୀୟ ରେକର୍ଡଧାରୀ ସୃଷ୍ଟି ହୋଇସାରିଛନ୍ତି । ସମ୍ପ୍ରତି ଏଚ୍ପିସିରୁ ଜ୍ୟୋତି ୟାରାଜୀ (୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରତିନିଧିତ୍ୱ କରୁଥିବା) ଏବଂ ଅମ୍ଳାନ ବୋରଗୋହେନ୍ ଦୀର୍ଘକାଳର ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି ।
ଆରଏଫ୍ ମଧ୍ୟ କ୍ରୀଡା ବିଜ୍ଞାନ ଓ ମେଡିସିନ ସମର୍ଥନ ଯୋଗାଇଦେଇ ଏଏଫ୍ଆଇକୁ ସହାୟତା କରୁଛି, ରିଲାଏନ୍ସ ଫାଉଣ୍ଡେସନ୍ର ଫିଜିଓଥେରାପିଷ୍ଟମାନେ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଭାରତୀୟ ପ୍ରତିଯୋଗୀ ଦଳ ସହିତ ଯାତ୍ରା କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।