ଭିକାରୀ ମହାନ୍ତି
ଅନୁଗୁଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ କୋର୍ ଏରିଆ ଭିତରେ ଥିବା ତିନୋଟି ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବନ ବିଭାଗ ଯୋଜନା କରୁଥିବା ବେଳେ ଗ୍ରାମବାସୀମାନଙ୍କ ଅନିଚ୍ଛା ଓ ବିରୋଧ ପ୍ରଶାସନ ସାମନାରେ ଠିଆ କରିଛି ଏକ ବଡ଼ ଚ଼୍ୟାଲେଞ୍ଜ ।
କଟରଙ୍ଗ, ଟୁଲୁକା ଓ ଅସନବାହାଳି ଏହି ତିନିଟି ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ବନ ବିଭାଗ । ସେଥିପାଇଁ ବନ ବିଭାଗ କର୍ମଚାରୀ ମାନେ ଗାଁ ଗାଁ ବୁଲି ଲୋକଙ୍କ ସହ ବୈଠକ କରିବା ଆରମ୍ଭ କରିଦେଇଛନ୍ତି ।
ଘଞ୍ଚ ଓ ଦୁର୍ଗମ ଜଙ୍ଗଲ ଭିତରେ ବସବାସ କରୁଥିବାରୁ ଗ୍ରାମବାସୀମାନେ କିଭଳି ମୈାଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ସେନେଇ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି ବନ ବିଭାଗ କର୍ମଚ଼ାରୀମାନେ । ଅନ୍ୟତ୍ର ସ୍ଥାନାନ୍ତର ହେଲେ ସରକାରୀ ସ୍ତରରେ ସମସ୍ତ ପ୍ରକାର ସହାୟତା ଦିଆଯିବ ବୋଲି ପ୍ରତିଶୃତି ମଧ୍ୟ ଦେଉଛନ୍ତି ।
କିନ୍ତୁ ଭିଟାମାଟି ନ ଛାଡ଼ିବାକୁ ଅଣ୍ଟା ଭିଡ଼ିଛନ୍ତି ଲୋକେ । ଏହାକୁ ନେଇ ବନ ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଚ଼ାଲିଛି ଛକାପଞ୍ଝା ।
ବ୍ୟାଘ୍ର ପ୍ରକଳ୍ପ ପାଇଁ ପ୍ରଥମେ 2016 ଡିସେମ୍ବର ମାସରେ ରାଇଗୋଡ଼ା ଗାଁ ସ୍ଥାନାନ୍ତର କରାଯାଇଥିଲା । ଗାଁ ସ୍ଥାନାନ୍ତର ହେବା ପରେ ଦୁଇ ବର୍ଷରୁ ଅଧିକ ବିତି ଗଲାଣି । ହେଲେ ବିସ୍ଥାପିତଙ୍କ ସମସ୍ୟା ସୁଧୁରି ପାରି ନାହିଁ । ଏହି ପ୍ରରିପ୍ରେକ୍ଷୀରେ ଆଉ ତିନିଟି ଗାଁ ସ୍ଥାନାନ୍ତରକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଅନ୍ୟତ୍ର ସ୍ଥାନାନ୍ତର ହେଲେ ପ୍ରକୃତରେ ସବୁ ପ୍ରକାର ସୁବିଧା ସୁଯୋଗ ମିଳିବ କି ନାହିଁ, ଆବଶ୍ୟକ କ୍ଷତି ପୁରଣ ଦିଆ ଯିବ କି ନାହିଁ ଏମିତି ଅନେକ ଦ୍ବନ୍ଦ ଭିତରେ ରହିଛନ୍ତି ଗ୍ରାମବାସୀ ।
ସାତକୋଶିଆରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଅଣାଯାଇଥିବା ବାଘ ମହାବୀରର ମୃତ୍ୟୁ ପରେ ବ୍ୟାଘ୍ର ପ୍ରକଳ୍ପର ଆଶା ମଉଳି ଯାଇଥିଲା । ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସୁନ୍ଦରୀକୁ ବାଧ୍ୟ ହୋଇ ବର୍ତ୍ତମାନ ସୁଦ୍ଧା ଏନକ୍ଳୋଜର୍ ଭିତରେ ରଖା ଯାଇଛି । କିନ୍ତୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ପୁଣି ଥରେ ଉଦ୍ଜିବୀତ କରିବାକୁ ବନ ବିଭାଗର ପ୍ରୟାସ ଆରମ୍ଭ ହୋଇ ଯାଇଛି ।
ଗତ 2016 ରେ ଏନକ୍ଳୋଜର ପାଇଁ କୋର୍ ଏରିଆ ଭିତରୁ ରାଇଗୋଡ଼ା ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର କରା ଯାଇଥିଲା । ଏବେ କୋର୍ ଏରିଆ ଭିତରେ ଥିବା ପୁରୁଣାକୋଟ ପଞ୍ଚାୟତର ଟୁଲୁକା, କଟରଙ୍ଗ ଓ ଅସନବାହାଳୀ ଗାଁକୁ ସ୍ଥାନାନ୍ତର କରିବାକୁ ବନ ବିଭାଗ ଆରମ୍ଭ କରିଛି ଉଦ୍ୟମ ।
ଏହି ଗାଁ ତିନେଟି ବ୍ୟାଘ୍ର ପ୍ରକଳ୍ପର କୋର୍ ଏରିଆ ଭିତରେ ରହିଥିବାରୁ ଅନେକ କଟକଣା ଭିତରେ ରହିଛନ୍ତି ଲୋକେ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ଅନ୍ୟାନ୍ୟ ମୈାଳିକ ସୁବିଧା ଏଠାରେ ନାହିଁ କହିଲେ ଚଳେ । ଘଞ୍ଚ ଓ ଦୁର୍ଗମ ଜଙ୍ଗଲ ଭିତର ଦେଇ ଲୋକଙ୍କୁ ଗାଁକୁ ଯିବାକୁ ପଡ଼େ । ତେଣୁ ସେମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବୁଝାଶୁଝା ଚାଲିଛି ।
ପୂର୍ବରୁ ସ୍ଥାନାନ୍ତର କରାଯାଇଥିବା ରାଇଗୋଡ଼ା ଗାଁର ୭୦ଟି ପରିବାରକୁ ବର୍ତ୍ତମାନ ସୁଧା କ୍ଷତିପୂରଣ ରାଶି ମିଳି ନାହିଁ । ଗାଁର ୨୦ଟି ପରିବାରକୁ ଏବେ ବି ଘରଡ଼ିହ ଯୋଗାଇ ଦିଆ ଯାଇ ନାହିଁ । ତେଣୁ ଏହି ତିନୋଟି ଗାଁର ଲୋକେ ବନ ବିଭାଗର ପ୍ରତିଶୃତିକୁ ଗ୍ରହଣ କରି ପାରୁ ନାହାନ୍ତି ।
ଏହାଛଡ଼ା ଲୋକେ ବିଭିନ୍ନ ପ୍ରକାର ଚାଷବାସ କରିବା ସହ ଭିନ୍ନ ଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଚ଼ଳୁଛନ୍ତି । ତେଣୁ ଅନ୍ୟତ୍ର ସ୍ଥାନାନ୍ତର ହେଲେ ସେମାନଙ୍କୁ ଚ଼ାଷବାସ ପାଇଁ ଯଥେଷ୍ଟ ଜମି ମିଳବ ନାହିଁ କି ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ କରି ପାରିବେ ନାହିଁ ବୋଲି ସେମାନେ ଚ଼ିନ୍ତାରେ ପଡ଼ିଛନ୍ତି ।
‘‘ବନ ବିଭାଗ ସ୍ଥାନାନ୍ତର ପୂର୍ବରୁ ଅନେକ ପ୍ରତିଶୃତି ଦେଇଥାଏ, କିନ୍ତୁ ପରେ ସେସବୁ ଭୁଲିଯାଏ । ଏପରି ସ୍ଥିତିରେ ଆମେ କେମିତି ସେମାନଙ୍କ କଥାରେ ବିଶ୍ୱାସ କରି ଅନ୍ୟ ସ୍ଥାନକୁ ଯିବାକୁ ରାଜି ହୋଇଯିବୁ?’’ ପଚ଼ାରିଛନ୍ତି ସେ ଅଞ୍ଚଳର ପାଣୁ ସାମଲ । ଅନ୍ୟ ବାସିନ୍ଦା ଶେଷ ସାମଲ, ପ୍ରଭାକର ସାମଲ ଓ ମନେଇ ସାମଲଙ୍କ ମୁହଁରେ ମଧ୍ୟ ଠିକ୍ ସେହି ପ୍ରଶ୍ନ ।
ତେବେ ଲୋକଙ୍କ ଏଭଳି ‘‘ନାକାରାତ୍ମକ ମନଭାବ’’କୁ ଦେଖି ପ୍ରଶାସନ ତରଫରୁ ପରୋକ୍ଷ ଭାବେ ଚ଼ାପ ପକେଇବା ଆରମ୍ଭ କରାଯାଇଛି । ଗାଁରେ ଚଳିତ ବର୍ଷ ଯେଉଁ ମାନଙ୍କୁ ଆବାସ ଯୋଜନାରେ ଘର ଦିଆ ଯାଇଥିଲା ସେମାନଙ୍କୁ ଆଉ ଅର୍ଥ ଦିଆଯାଉ ନାହିଁ ।
ପ୍ରଶାସନ ତରଫରୁ ସରପଞ୍ଚମାନଙ୍କ ଜରିଆରେ ଏଇ ତିନୋଟି ଗାଁରେ ଆଉ ଘର ତିଆରି ନକରିବାକୁ କୁହାଯାଇଛି । ଲୋକେ ପ୍ରଥମ କିସ୍ତି ଟଙ୍କା ପାଇ ଧାର କରଜ କରି ସିମେଣ୍ଟ, ବାଲି, ଇଟା ଆଦି କିଣି ରଖିଛନ୍ତି । ପ୍ରଶାସନର ଏଭଳି ଚ଼ରମ ବାଣୀ ସେମାନଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି । ନା ସେମାନେ ଘରଟିଏ କରି ପାରୁଛନ୍ତି ନା ଧାର କରଜ ପରିଶୋଧ କରି ପାରୁଛନ୍ତି । ଏଇ ତିନୋଟି ଗାଁରେ ଅନ୍ୟ ସମସ୍ତ ସରକାରୀ ଯୋଜନାକୁ ମଧ୍ୟ ବନ୍ଦ କରି ଦିଆ ଯାଇଛି ।
ସରକାରୀ ଭାବେ ଗାଁ ସ୍ଥାନାନ୍ତର ପାଇଁ ବର୍ତ୍ତମାନ ସୁଦ୍ଧା ବିଧିବଦ୍ଧଭାବେ କୈାଣସି ସୁଚନା ଦିଆଯାଇ ନ ଥିଲେ ମଧ୍ୟ ବନ ବିଭାଗର ଘନଘନ ବୈଠକ ଓ ପ୍ରାଶାସନିକ କଟକଣାରୁ ଏହି ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଛି । ତେଣୁ ଗାଁ ସ୍ଥାନାନ୍ତରକୁ ନେଇ ଲୋକେ ଦୋ’ଛକିରେ ରହିଥିବା ବେଳେ ବନ ବିଭାଗ ପାଇଁ ଏହା ଏକ ଚ଼୍ୟାଲେଞ୍ଜ ହୋଇ ପଡ଼ିଛି ।
‘‘କୋର୍ ଏରିଆରେ ଥିବା ଅଧିକାଂଶ ଗ୍ରାମବାସୀ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିଜେ ଜଙ୍ଗଲ ବିଭାଗ ସଚି଼ବଙ୍କୁ ଆବେଦନ ଦେଇଛନ୍ତି । କାହାକୁ ବଳପୂର୍ବକ ସ୍ଥାନାନ୍ତର କରାଯିବ ନାହିଁ । ଲୋକେ ରାଜି ହେଲେ ସରକାରୀ ନିୟମ ଅନୁସାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯାଇ ସ୍ଥାନାନ୍ତର କରାଯିବ । ଏଥିପାଇଁ ପ୍ରକ୍ରିୟା ଚାଲୁ ରହିଛି । ଲୋକେ ଯାହା ଚାହିଁବେ ତାହା ହେବ,’’ କହିଛନ୍ତି ସାତକୋଶିଆ ଫିଲ୍ଡ଼ ଡାଇରେକ୍ଟର ପ୍ରଦୀପ ରାଜ କରାଟ ।
ଗୋଟିଏ ପଟେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ ଓ ଭବିଷ୍ୟତ ଆଉ ଅନ୍ୟ ପଟେ ତିନିଟି ଗାଁ ଲୋକଙ୍କର ଜୀବନ ସମସ୍ୟା ବନ ବିଭାଗ ଓ ପ୍ରଶାସନ ପାଇଁ ଏକ ବିଶାଳ ପ୍ରଶ୍ନ ଚ଼ିହ୍ନ ହୋଇ ଠିଆ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।