ସତ୍ତା ହରାଉଛି ମହାନଦୀର ସାତକୋଶିଆ ଗଣ୍ଡ; କମୁଛି ଜଳ ସ୍ତର; ଚିନ୍ତାରେ ପରିବେଶବିତ ଓ ସ୍ଥାନୀୟ ଲୋକେ

ପ୍ରତି ବର୍ଷ ପୋତି ହୋଇଯାଉଛି ସାତକୋଶିଆ ଗଣ୍ଡ । ପୂର୍ବରୁ ଯେଉଁଠି ଅକାତକାତ ପାଣି ଥିଲା ଏବେ ସେଠାରେ କେବଳ ବାଲି ରହିଛି । ଏହି ଗଣ୍ଡ ବିଲୁପ୍ତ ହେଲେ ବ୍ୟାପକ ବୃକ୍ଷଲତା ଓ ବନ୍ୟଜନ୍ତୁ ପ୍ରଭାବିତ ହେବେ । ସ୍ଥାନୀୟ ଲୋକଙ୍କ ଜୀବନ-ଜୀବିକା ଉପରେ ବି ଏହାର ପ୍ରଭାବ ପଡି଼ବ ।

ସତ୍ତା ହରାଉଛି ମହାନଦୀର ସାତକୋଶିଆ ଗଣ୍ଡ; କମୁଛି ଜଳ ସ୍ତର; ଚିନ୍ତାରେ ପରିବେଶବିତ ଓ ସ୍ଥାନୀୟ ଲୋକେ
ସାତକୋଶିଆ ଗଣ୍ଡର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଅନୁଗୁଳ: ଦିନକୁ ଦିନ ପୋତି ହେବାରେ ଲାଗିଛି ସାତକୋଶିଆ ଗଣ୍ଡ। ଦିନ ଥିଲା ଜଳ ସ୍ତରରୁ ଗଣ୍ଡର ଗଭୀରତା ପ୍ରାୟ ୧୫୦ଫୁଟ ରହୁଥିଲା। ହେଲେ ବର୍ତମାନ ୧୦୦ଫୁଟ ତଳକୁ କମି ଗଲାଣି ଜଳ ସ୍ତର । ପ୍ରତିବର୍ଷ ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ପ୍ରବାହିତ ହେବା ଓ ଗଣ୍ଡରେ ମିଶିଥିବା ପ୍ରାକୃତିକ ନାଳ ଗୁଡି଼କ ବ୍ୟାପକ ପଟୁମାଟି ଆଣି ଗଣ୍ଡରେ ଛାଡି଼ବା ଯୋଗୁଁ ଧୀରେ ଧୀରେ ଗଣ୍ଡ ପୋତି ହେଉଛି। ଏହାଦ୍ୱାରା ସାତକୋଶିଆ ଗଣ୍ଡ ତା'ର ସତ୍ତା ହରାଉଛି। ବହୁ ସଂଖ୍ୟାରେ ବୃକ୍ଷଲତା ମଧ୍ୟ ଗଣ୍ଡରେ ନଷ୍ଟ ହେବାରେ ଲାଗିଛି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍।

ଏହି ପ୍ରସଙ୍ଗରେ ଆଲୋଚ଼ନା କରି ପରିବେଶବିତ୍ ପ୍ରସନ୍ନ ବେହେରା କହିଛନ୍ତି, "ସାତକୋଶିଆ ଗଣ୍ଡ ହିଁ ସାତକୋଶିଆ ଅଭୟାରଣ୍ୟର ମୂଳ ପରିଚୟ। ଏହି ସାତକୋଷ ବ୍ୟାପି ଗଣ୍ଡରେ ଭଳିକି ଭଳି ପ୍ରଜାତିର ମାଛ, କୁମ୍ଭୀର ଓ ଅନ୍ୟାନ୍ୟ ଜଳଚ଼ର ପ୍ରାଣୀ ରୁହନ୍ତି। ଶୀତ ଋତୁରେ ହଜାର ହଜାର ସଂଖ୍ୟାରେ ବିଦେଶାଗତ ପକ୍ଷୀ ଏଠାକୁ ଆସନ୍ତି। ହେଲେ ଏହି ଗଣ୍ଡ ଏବେ ପୋତି ହେବାରେ ଲାଗିଛି। ଏଭଳି ହେଲେ ନିଶ୍ଚିତ ଭାବେ ଜୈବ ବିବିଧତା ଉପରେ ପ୍ରଭାବ ପଡି଼ବ।“

ମହାନଦୀର ସାତକୋଶିଆ ଗଣ୍ଡ ପରି ଏକ ପ୍ରାକୃତିକ ଜଳାଶୟ ଖୁବ ବିରଳ। ଏହି ଗଣ୍ଡ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିନିକେଇ ଠାରୁ ଆରମ୍ଭ ହୋଇ ନୟାଗଡ଼ ଜିଲ୍ଲାର ବଡ଼ମୂଳ ପର୍ଯ୍ୟନ୍ତ ବ୍ୟାପିଛି। ଏହାର ଦୈର୍ଘ୍ୟ ୭ କୋଷ ଅର୍ଥାତ୍ ୧୪ ମାଇଲ ପର୍ଯ୍ୟନ୍ତ ବିସ୍ତାର କରିଛି। ଗଣ୍ଡର ନାମ ଅନୁସାରେ ଅବବାହିକାରେ ଥିବା ଅଭୟାରଣ୍ୟକୁ ସାତକୋଶିଆ ଅଭୟାରଣ୍ୟ କୁହା ଯାଉଛି। ଏହି ଗଣ୍ଡର ବିସ୍ତୃତ ନୀଳ ଜଳ ରାଶି ଓ ଅବବାହିକାରେ ଥିବା ବ୍ୟାପକ ଘଞ୍ଚ ଜଙ୍ଗଲ ଏକ ବିରଳ ଜୈବ ବିବିଧାତାର ଉଦାହରଣ। ଏଥିରେ ଆକୃଷ୍ଟ ହୋଇ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ବିଦେଶାଗତ ପକ୍ଷୀ ଆସନ୍ତି। ଶହ ଶହ ବିରଳ ଘଡ଼ିଆଳ ଓ ମଗର କୁମ୍ଭୀରମାନଙ୍କ ଆବାସସ୍ଥଳୀ ହେଉଛି ଏହି ସାତକୋଶିଆ ଗଣ୍ଡ।  ଗଣ୍ଡ ଏବେ  ନିଜର ସତ୍ତା ହରାଇବାକୁ ଯାଉଛି। ପ୍ରତିବର୍ଷ ଗଣ୍ଡଟି ପୋତି ହୋଇ ଯାଉଛି। ପୂର୍ବରୁ ଯେଉଁଠି ଅକାତକାତ ପାଣି ଥିଲା ଏବେ ସେଠାରେ ବାଲି କେବଳ ଦେଖିବାକୁ ମିଳୁଛି। ଗଣ୍ଡର ଉଭୟ ପାର୍ଶ୍ୱରେ କୁଲ ଖାଇ ମାଟି ଅତଡ଼ା ମଧ୍ୟ ଖସୁଛି। ଏଭଳି ପରିସ୍ଥିତିରେ ଆଉ କିଛି ବର୍ଷ ପରେ ଗଣ୍ଡ ଆଉ ଗଣ୍ଡ ହୋଇ ରହିବ ନାହିଁ। ଏହାଦ୍ୱାରା ବ୍ୟାପକ ବୃକ୍ଷଲତା ଓ ବନ୍ୟଜନ୍ତୁ ପ୍ରଭାବିତ ହେବେ। ସ୍ଥାନୀୟ ଅଧିବାସୀ ମାନଙ୍କ ଜୀବନ ଜୀବିକା ଉପରେ ମଧ୍ୟ ଏହାର ଘୋର ପ୍ରଭାବ ପଡି଼ବ।

ସାତକୋଶିଆ ଗଣ୍ଡରେ ଏକ ମଗର କୁମ୍ଭୀର (ଫାଇଲ୍‌ ଫଟୋ)


“ଗଣ୍ଡରେ ସଂଯୋଗ କରୁଥିବା ପ୍ରାକୃତିକ ନାଳ ଗୁଡି଼କର ଉଭୟ ପାର୍ଶ୍ଵରେ ବ୍ୟାପକ ବନୀକରଣ ଆବଶ୍ୟକ। ଏହାଛଡ଼ା ଗଣ୍ଡ ଅବବାହିକାରେ ମଧ୍ୟ ବହୁ ସଂଖ୍ୟାରେ ବୃକ୍ଷ ରୋପଣ କରାଯିବା ଆବଶ୍ୟକ। ଏଭଳି କଲେ ପ୍ରତିବର୍ଷ ବର୍ଷା ଦିନେ ଯେଉଁ ଭଳି ମାଟି ଗଣ୍ଡରେ ପୋତି ହେଉଛି ତାକୁ ରୋକା ଯାଇ ପାରିବ,” ଏମିତି କହିଛନ୍ତି ପରିବେଶ କର୍ମୀ ଅଶୋକ ଶତପଥି।

ଗଣ୍ଡର ସୁରକ୍ଷା କରାଯିବା ନିହାତି ଆବଶ୍ୟକ ରହିଛି। ହେଲେ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରା ଯାଉନାହିଁ। ସାତକୋଶିଆ ଗଣ୍ଡର ଗୋଟିଏ ପର୍ଶ୍ୱରୁ ଅନ୍ୟ ପର୍ଶ୍ୱକୁ ଗଲେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ ମାଟି ଅତଡ଼ା ଖସି ଯାଇଥିବାର ଦୃଶ୍ୟ। ଅନେକ ଅଞ୍ଚଳ ଅଭୟାରଣ୍ୟର କୋର ଏରିଆ ଭିତରେ ରହିଛି। ସେଠାରେ ବହୁ ପ୍ରଜାତିର ବନ୍ୟଜନ୍ତୁ ବିଚରଣ କରନ୍ତି। ହେଲେ ଏବେ ଅନେକ ସ୍ଥାନରେ ବୃକ୍ଷ ଶୂନ୍ୟ ଦେଖା ଯାଉଛି। ଫଳରେ ବନ୍ୟଜନ୍ତୁ ଦେଖା ଯାଉ ନାହାଁନ୍ତି। କୁମ୍ଭୀର ମାନେ କୂଳରେ ଖରାରେ ଶୋଇ ରହିଥିବାର ଦୃଶ୍ୟ ମଧ୍ୟ ଆଉ ସେ’ତେଟା ଦେଖା ଯାଉ ନାହିଁ। ତେଣୁ ଗଣ୍ଡର ସୁରକ୍ଷା ଏକାନ୍ତ ଆବଶ୍ୟକ ହୋଇ ପଡ଼ିଛି।

ପ୍ରାୟ ୯ ବର୍ଷ ପୂର୍ବେ ସରକାର ସବୁଜ ମହାନଦୀ ଯୋଜନାରେ ନଦୀର ଉଭୟ ପାର୍ଶ୍ୱରେ ବ୍ୟାପକ ବୃକ୍ଷ ରୋପଣ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଗଣ୍ଡଟି କୋର ଏରିଆ ଭିତରେ ଥିବାରୁ କଟକଣା ଯୋଗୁ ମୃତ୍ତିକା ସଂରକ୍ଷଣ ବିଭାଗ ହେଉ କିମ୍ବା ଅନ୍ୟ କୌଣସି ବିଭାଗ ତାହା କରି ପାରୁନାହିଁ। ବନ ବିଭାଗ ତରଫରୁ ନିଜସ୍ୱ ଉଦ୍ୟମରେ ମଧ୍ୟ ବୃକ୍ଷ ରୋପଣ ହେଉ ନାହିଁ। ବ୍ୟାପକ ବୃକ୍ଷ ରୋପଣ ହିଁ ମୃତ୍ତିକା ସଂରକ୍ଷଣ କରି ପାରିବ। ଗଣ୍ଡ ପୋତି ହେବାରୁ ରକ୍ଷା ପାଇ ପାରିବ। କୋର ଏରିଆ ବାହାରେ ଯେଉଁ ନାଳ ଗୁଡ଼ିକ ଗଣ୍ଡରେ ମିଶିଛି ସେହି ନାଳ ଉପରେ କେତେକ ସ୍ଥାନରେ ଆଡ଼ି ବନ୍ଧ ହେଉଛି। ବୃକ୍ଷ ରୋପଣ ମଧ୍ୟ କରାଯାଇଛି । ହେଲେ ସାତକୋଶିଆ ଗଣ୍ଡ ଅବବାହିକାରେ ସେଭଳି କୌଣସି ପଦକ୍ଷେପ ନିଆ ଯାଇନାହିଁ ବୋଲି କହିଛନ୍ତି ଏସିଏଫ। ସାତକୋଶିଆ ଅଭୟାରଣ୍ୟର ପରିଚୟ ହେଉଛି ମହାନଦୀ ସାତକୋଶିଆ ଗଣ୍ଡ।  ଗଣ୍ଡ ତା'ର ସତ୍ତା ହରାଇଲେ ଅଭୟାରଣ୍ୟ ନିଜ ପରିଚୟ ହରାଇବ। ଏଠାରେ ଥିବା ହଜାର ହଜାର ପ୍ରଜାତିର ବୃକ୍ଷଲତା ଓ ବନ୍ୟଜନ୍ତୁ ଲୋପ ପାଇଯିବେ। ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ବୈଜ୍ଞାନିକ ପଦ୍ଧତିରେ ଗଣ୍ଡର ସୁରକ୍ଷା କରିବା ଆବଶ୍ୟକ ବୋଲି ପରିବେଶବିତ୍ ମତ ଦେଇଛନ୍ତି।

ସାତକୋଶିଆ ସହକାରୀ ବନ ସଂରକ୍ଷକ ଶୁଭେନ୍ଦୁ ବେହେରା କହିଛନ୍ତି, “ଗଣ୍ଡ ଅଭୟାରଣ୍ୟର କୋର ଏରିଆ ଭିତରେ ଆସୁଥିବାରୁ କଟକଣା ରହିଛି। ତେଣୁ ସେଠାରେ କୌଣସି କାର୍ଯ୍ୟ କରିବା କଷ୍ଟକର। ହେଲେ କୋର ଏରିଆ ବାହାରେ ଥିବା ନାଳ ଗୁଡିକରେ ବୃକ୍ଷ ରୋପଣ କରା ଯାଉଛି। ଗଣ୍ଡର ସୁରକ୍ଷା ପାଇଁ ବିଭାଗ ତରଫରୁ ସେଭଳି କୌଣସି ଯୋଜନା ଏଯାବତ୍ ହୋଇନାହିଁ, ।“
Published by: Lipina Das
First published: July 17, 2021, 4:45 PM IST