ମାନସ ସ୍ବାଇଁଙ୍କ ହତ୍ୟା ମାମଲା; କ୍ରାଇମସିନ ରିକ୍ରିଏସନ କଲା ବେଳେ ଭୋ ଭୋ ହୋଇ କାନ୍ଦିଲେ ଶର୍ମିଷ୍ଠା

ଶୁକ୍ରବାର ଦିନ ପ୍ରାୟ ୧.୨୦ ମିନିଟରେ ଶର୍ମିଷ୍ଠାଙ୍କୁ ଧରି ଭୁବନେଶ୍ୱର ଦୟାଲ ଆଶ୍ରମରେ ପହଞ୍ଚିଥିଲା କ୍ରାଇମ୍ ବ୍ରାଞ୍ଚର ୫ ଜଣିଆ ଟିମ। କ୍ରାଇମ୍ ବ୍ରାଞ୍ଚ ଡ଼ିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା କ୍ରାଇମସିନ ରିକ୍ରିଏସନ।

 ମାନସ ସ୍ବାଇଁଙ୍କ ହତ୍ୟା ମାମଲା

ମାନସ ସ୍ବାଇଁଙ୍କ ହତ୍ୟା ମାମଲା

  • Share this:
News18 Odia Digital

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଶୁକ୍ରବାର କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ କ୍ରାଇମସିନ ରିକ୍ରିଏସନ କରାଯାଇଛି। ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କୁ ଧରି କ୍ରାଇମସିନ ରିକ୍ରିଏସନ କରିଛି ତଦନ୍ତକାରୀ ସଂସ୍ଥା। ବିଶେଷ କରି ମାନସଙ୍କୁ ଭଦ୍ରକ ଚାନ୍ଦବାଲିରୁ ଅପହରଣ କରିବା ଠାରୁ ଭୁବନେଶ୍ୱର ଦୟାଲ ଆଶ୍ରମରେ ହତ୍ୟା କରିବା ଓ ମୃତ ଦେହକୁ ନୟାଗଡ଼ରେ ପୋତିବା ପର୍ଯ୍ୟନ୍ତ ସବୁ ଘଟଣାର ଡେମୋ ଦେଖାଇଥିଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। ଡେମୋ ଦେଖାଇବା ବେଳେ କ୍ରାଇମ୍ ବ୍ରାଞ୍ଚ ଆଗରେ ଭୋ ଭୋ ହୋଇ କାନ୍ଦୁଥିବାର ନଜର ଆସିଥିଲା ସେ।

ଶୁକ୍ରବାର ଦିନ ପ୍ରାୟ ୧.୨୦ ମିନିଟରେ ଶର୍ମିଷ୍ଠାଙ୍କୁ ଧରି ଭୁବନେଶ୍ୱର ଦୟାଲ ଆଶ୍ରମରେ ପହଞ୍ଚିଥିଲା କ୍ରାଇମ୍ ବ୍ରାଞ୍ଚର ୫ ଜଣିଆ ଟିମ। କ୍ରାଇମ୍ ବ୍ରାଞ୍ଚ ଡ଼ିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା କ୍ରାଇମସିନ ରିକ୍ରିଏସନ। ପ୍ରାୟ ୨୦ ମିନିଟ ଧରି ଆଶ୍ରମ ଭିତରେ ଡେମୋ ଦେଖାଇଥିଲେ ମାନସ ହତ୍ୟାକାଣ୍ଡ ଘଟଣାର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ। ଆଉ କ୍ରାଇମସିନର ରିକ୍ରିଏସନ ବେଳେ ଆଶ୍ରମ ଭିତରେ ତାଙ୍କୁ କାନ୍ଦୁଥିବାର ଦେଖିବାକୁ ମିଳିଥିଲା।

ତଦନ୍ତ ବେଳେ ଯେଭଳି ଲୋକଙ୍କ ଗହଳି ନ ହେବ ସେଥିପାଇଁ ଆଶ୍ରମ ଚାରି ପାଖକୁ ସିଲ କରିଥିଲା ପୋଲିସ। ମର୍ଡର ସ୍ପଟର କ୍ରାଇମସିନ ରିକ୍ରିଏସନ ବେଳେ ଆଶ୍ରମ ଭିତରେ କିଭଳି ମାନସଙ୍କୁ ହତ୍ୟା କରାଗଲା, ଅପହରଣ ପରେ କେଉଁଠି ମାନସଙ୍କୁ ରଖା ଯାଇଥିଲା। କିଭଳି ଦିଆଯାଉଥିଲା ଅକଥନୀୟ ନିର୍ଯ୍ୟାତନା। କେଉଁ ରୁମରେ ହତ୍ୟା କରାଗଲା। କିଭଳି ହତ୍ୟା କରାଗଲା। ହତ୍ୟାକାଣ୍ଡ ବେଳେ କିଏ କିଏ ଘର ଭିତରେ ଥିଲେ। ମର୍ଡର ସସପେନ୍ସ ଉପରୁ ପରଦା ହଟେଇଛନ୍ତି ଶର୍ମିଷ୍ଠା ରାଉତ।

ସୁନ୍ଦରପଦାରେ ଥିବା ଦୟାଲ ଆଶ୍ରମରୁ ବାହାରିବା ପରେ ଶର୍ମିଷ୍ଠାଙ୍କୁ ନେଇ ନୟାଗଡ଼ ରଣପୁର ଯାଇଥିଲା କ୍ରାଇମ୍ ବ୍ରାଞ୍ଚ। ଯେଉଁଠି ମାନସଙ୍କ ମୃତ ଦେହକୁ ପୋତା ଯାଇଥିଲା ସେଠି ମଧ୍ୟ କ୍ରାଇମ୍ ବ୍ରାଞ୍ଚକୁ ଡେମୋ ଦେଖାଇଛି ଶର୍ମିଷ୍ଠା ରାଉତ। କିଭଳି ଗାତ ଖୋଲିଲେ, ଗାତ ଖୋଲିବା ବେଳେ କିଏ ସେମାନଙ୍କୁ ସହଯୋଗ କରୁଥିଲା, ମୃତ ଦେହ ନଷ୍ଟ କରିବା ପାଇଁ କଣ କେମିକାଲ ବ୍ୟବହାର କରିଥିଲେ ଏସବୁର କ୍ରାଇମସିନ ରିକ୍ରିଏଟ କରିଛନ୍ତି ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ।

ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ କହିଛନ୍ତି, ‘‘ଏବେସୁଧା କ୍ରାଇମ୍ ବ୍ରାଞ୍ଚ ଯେତିକି ତଥ୍ୟ ପାଇଲାଣି ତାହା ଦୋଷୀଙ୍କୁ ଦଣ୍ଡ ମିଳିବା ପାଇଁ ଯଥେଷ୍ଟ। କାରଣ ହତ୍ୟାକାଣ୍ଡରେ କେଉଁମାନେ ସାମିଲ ଥିଲେ ସେମାନେ ଗିରଫ ହୋଇସାରିଛନ୍ତି। କେବଳ ଚିପ ସମ୍ବନ୍ଧୀୟ କୌଣସି ତଥ୍ୟ ମିଳିପାରି ନାହିଁ। ତେଣୁ ଚିପ ଭିତରେ କଣ ରହିଛି ସେନେଇ ଏବେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରୁଛି । ଏବେ କିନ୍ତୁ ତଦନ୍ତକାରୀ ଟିମ ପାଇଁ ଚାଲେଞ୍ଜ ହେଉଛି ଏ ଘଟଣାରେ ସାକ୍ଷୀମାନଙ୍କୁ କିଭଳି କୋର୍ଟରେ ସୁରକ୍ଷା ଦେଇ ଉପସ୍ଥିତ କରିବ। କାରଣ ସାକ୍ଷୀମାନେ ହିଁ ଏହି ହତ୍ୟାକାଣ୍ଡ ଘଟଣାର ବଡ଼ ସୁରାକ।’’

ସୂଚନା ଥାଉ କି ଆଜି ୪ ଅଭିଯୁକ୍ତଙ୍କ ରିମାଣ୍ଡ ଶେଷ ହେଉଛି। ୪ ଅଭିଯୁକ୍ତଙ୍କୁ ଧରି କୋର୍ଟରେ ହାଜର କରିବ କ୍ରାଇମ୍ ବ୍ରାଞ୍ଚ। ପ୍ରଥମ ପର୍ଯ୍ୟାୟ ବେଳେ ଅଧିକରୁ ଅଧିକ ତଥ୍ୟ ଓ ପ୍ରମାଣ ମିନି ନଥିବାରୁ ପୁଣିଥରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଶର୍ମିଷ୍ଠା ଓ ନିରଞ୍ଜନକୁ ରିମାଣ୍ଡ ଆଣିପାରେ ତଦନ୍ତକାରୀ ସଂସ୍ଥା।
Published by:Lipina Das
First published: