ପିସିସି ମୁକୁଟ ପିନ୍ଧିଲେ ଶରତ ପଟ୍ଟନାୟକ; କହିଲେ, ‘‘ସମସ୍ତଙ୍କୁ ନେଇ ଏକାଠି କାମ କରିବି’’

ଏଆଇସିସି ପକ୍ଷରୁ ବିବୃତ୍ତିରେ କୁହାଯାଇଛି ଯେ ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧି ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ତତ୍କାଳ ଗ୍ରହଣ କରିଛନ୍ତି। ନିରଞ୍ଜନଙ୍କ ଅବଦାନକୁ ସେ ପ୍ରଶଂସା କରିଛନ୍ତି।

ପିସିସି ମୁକୁଟ ପିନ୍ଧିଲେ ଶରତ ପଟ୍ଟନାୟକ

ପିସିସି ମୁକୁଟ ପିନ୍ଧିଲେ ଶରତ ପଟ୍ଟନାୟକ

  • Share this:
News18 Odia Digital

ଭୁବନେଶ୍ବର: ପୂର୍ବତନ ପିସିସି ସଭାପତି, ପୂର୍ବତନ ଯୁବ କଂଗ୍ରେସ ସଭାପତି ଓ ପୂର୍ବତନ ସାଂସଦ ଶରତ ପଟ୍ଟନାୟକ ହୋଇଛନ୍ତି ପ୍ରଦେଶ କଂଗ୍ରେସ କମିଟିର ସଭାପତି। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ହାଇକମାଣ୍ଡ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଯାହାକୁ ନେଇ କଂଗ୍ରେସ ଭବନରେ ଦେଖିବାକୁ ମିଳିଛି ଖୁସିର ଲହର।

ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଏକାଠି ହୋଇ ଖୁସି ମନାଇଛନ୍ତି। କଂଗ୍ରେସ ଭବନ ଆଗରେ ବାଜା ବଜାଇ, ବାଣ ଫୁଟାଇ ନାଚିଲେ କଂଗ୍ରେସ କର୍ମୀ। ସୋନିଅ ଗାନ୍ଧି ଶରତ ପଟ୍ଟନାୟକଙ୍କୁ ସଭାପତି ଭାବରେ ବାଛିଥିବାରୁ ଦଳର କର୍ମୀ ଓ ନେତା ରାହୁଲ, ସୋନିଆ ଓ ପ୍ରୟଙ୍କାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏ ନେଇ ଶରତ ପଟ୍ଟନାୟକ କହିଛନ୍ତି, "ମୁଁ ସମସ୍ତଙ୍କୁ ନେଇ, ଏକାଠି କାମ କରିବି। କଂଗ୍ରେସ ହାଇକମଣ୍ଡ ମୋତେ ଯେଉଁ ଓଡ଼ିଶା କଂଗ୍ରେସର ଦାୟତ୍ବ ଦେଇଛନ୍ତି ତାହାକୁ ମୁଁ ସୂଚାର ରୂପେ ତୁଲାଇବି।"

ଦାୟିତ୍ୱରୁ ନିରଞ୍ଜନ ପଟ୍ଟନାୟକ ଯିବା ପରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, "କଂଗ୍ରେସ ଦଳର ସେବା କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ। କଂଗ୍ରେସ ଅଧ୍ୟକ୍ଷ ପରି ବଡ଼ ଦାୟିୟ୍ବ ନେବା ପାଇଁ ସୋନିଆ ଗାନ୍ଧି ମୋ ଉପରେ ବିଶ୍ୱାସ କରିଥିଲେ। ତେଣୁ ତାଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ। ମୁଁ କଂଗ୍ରେସ ଅଧ୍ୟକ୍ଷ ଥିବା ସମୟରେ ଆମ ପ୍ରିୟ ନେତା ରାହୁଲ ଗାନ୍ଧି ମୋତେ ଅକୁଣ୍ଠ ସମର୍ଥନ କରିଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ। ତାଙ୍କର ବିନମ୍ର ସ୍ୱଭାବ ଓ ଦେଶର ପ୍ରଗତି ନିମନ୍ତେ ନିରନ୍ତର ସଂଗ୍ରାମ ଦେଶବାସୀଙ୍କୁ ଭବିଷ୍ୟତରେ ଏକ ବିକଶିତ ଭାରତର ଆଶା ପ୍ରଦାନ କରେ। ଓଡ଼ିଶାର AICC ଇନ୍-ଚାର୍ଜ ଚେଲ୍ଲା କୁମାରଙ୍କ କଠିନ ପରିଶ୍ରମ ଓ କଂଗ୍ରେସ ଦଳ ପ୍ରତି ଉତ୍ସର୍ଗୀକୃତ ମନୋଭାବକୁ ସଲାମ୍ କରୁଛି। କଂଗ୍ରେସ ଦଳକୁ ଆମ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପ୍ରଚାର ପ୍ରସାର କରିବାରେ ସେ ବହୁତ ସାହାଯ୍ୟ କରିଛନ୍ତି। ଜିତେନ୍ଦ୍ର ସିଂ ଓ ଜଗଦୀଶ ଟାଇଟଲରଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି।’’

ସେ ଆହୁରି କହିଛନ୍ତି, ‘‘ଓଡ଼ିଶାରେ କଂଗ୍ରେସ ଦଳକୁ ସଠିକ୍ ଭାବେ ପରିଚାଳନା ପାଇଁ ମାର୍ଗଦର୍ଶନ କରିଥିବାରୁ ସେମାନଙ୍କ ନିକଟରେ ମୁଁ ଚିର ଋଣି ରହିବି। ମୋର କାର୍ଯ୍ୟକାଳ ସମୟରେ ରୁଦ୍ରରାଜୁ, ମସ୍ତାନ ଭାଲି, ଅନିଲ ଚୌଧୁରୀ ଓ ଆଦିତ୍ୟ ଶର୍ମାଙ୍କ ସାହାଯ୍ୟ ପାଇଁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ମୁଁ ଜାଣି ଖୁସି ଯେ ଶରତ ପଟ୍ଟନାୟକ ଓଡ଼ିଶା କଂଗ୍ରେସର ନୂଆ ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। ମୁଁ ନିଶ୍ଚିତ ଯେ ତାଙ୍କ ଦକ୍ଷ ନେତୃତ୍ୱରେ ଓଡ଼ିଶା କଂଗ୍ରେସ ବହୁ ସଫଳତା ହାସଲ କରିବ। ଶରତ ବାବୁଙ୍କୁ ମୋର ସମର୍ଥନ ଓ ମାର୍ଗଦର୍ଶନ ସର୍ବଦା ରହିବ। ତାଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା।’’

ଶରତ ପଟ୍ଟନାୟକ ପିସିସି ସଭାପତି ହେବା ପରେ ମହମ୍ମଦ ମୋକିମ କହିଛନ୍ତି,"ଦଳର ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି। ଶରତ ବାବୁଙ୍କ ସହିତ ରହି କାମ କରିବୁ। କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରିବୁ। ମୁଁ ଦୌଡ଼ରେ ଥିଲି। କିନ୍ତୁ ଦଳ ଯାହା ନିଷ୍ପତ୍ତି ନେଇଛି ତାକୁ ଆମେ ମାନି ନେବୁ। ୨୦୨୪ ପୂର୍ବରୁ ସଙ୍ଗଠନକୁ ସୁଦୃଢ କରିବୁ।"

ସମ୍ପାଦକ ଶରତ ରାଉତ କହିଛନ୍ତି, ‘‘ପୂର୍ବରୁ ଜୟଦେବ ଜେନା ଓ ନିରଞ୍ଜନ ପଟ୍ଟନାୟକ ଦୁଇ ଥର ପିସିସି ସଭାପତି ଭାବରେ ଦାୟିତ୍ୱ ତୁଲାଇଥିଲେ। ୯୦ ଦଶକରେ ମଧ୍ୟ ଥରେ ପିସିସି ସଭାପତି ଭାବରେ କାର୍ଯ୍ୟ ତୁଲାଇଥିଲେ ଶରତ ପଟ୍ଟନାୟକ। ଅଭିଜ୍ଞ ଓ ଅନୁଭବି ନେତା ଭାବରେ ଦଳ ହାଇକମଣ୍ଡ ତାଙ୍କୁ ଦାୟିତ୍ୱ ଦେଇଛନ୍ତି। କଂଗ୍ରେସ ଆଗକୁ ଭଲ କରିବ।"

ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ କହିଛନ୍ତି, "କଂଗ୍ରେସ ପାଇଁ ଏକ ଭଲ ଖବର। ଭଲ ଦିନ ବି ଆସୁଛି। ୨୦୨୪ ପୂର୍ବରୁ ଛାମୁଆ ସଙ୍ଗଠନକୁ ସାଥିରେ ନେଇ ଆମେ କାମ କରିବୁ।"

ସେହିପରି ପୂର୍ବତନ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ କହିଛନ୍ତି, "ଶରତ ବାବୁଙ୍କ ପାଇଁ ଲଢ଼େଇ ଆରମ୍ଭ ହେବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ମେଳି ବାନ୍ଧି ଯୁବ , ଛାତ୍ର ଓ ମହିଳାଙ୍କ ଭିତରେ ଏକ ଜାଗରଣ ସୃଷ୍ଟି କରିବୁ। ଯୁବ ଶକ୍ତି ଅଧିକ କଂଗ୍ରେସ ପ୍ରତି ଆକୃଷ୍ଟ ହେବେ।"
Published by:Lipina Das
First published: