ସରସ୍ବତୀଙ୍କ ଘରର (ପ୍ରତୀକାତ୍ମକ ଛବି)
News 18 Odia Digital
ଗଞ୍ଜାମ; କାହାର ପୁଷ ମାସ ତ କାହାର ସର୍ବନାଶ । ବହୁତ ସମୟରେ ବିରୋଧୀ ଦଳ ଅଭିଯାଗ ଆଣୁଛନ୍ତି ଯେ ଆବାସ ଯୋଜନା ବାଟବଣା ହେଉଛି । ଯୋଗ୍ୟ ହିତାଧିକାରୀ ମାନେ ଆବସ ଯୋଜନାରୁ ବଞ୍ଚିତ ହେଉଛନ୍ତି ଓ ଅଯୋଗ୍ୟ ହିତାଧିକାରୀ ଆବସ ଯୋଜନାରେ ଘର ପାଉଛନ୍ତି, ସମାନ ଅଭିଯୋଗ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକରେ ଆବାସ ଯୋଜନାରେ ହିତାଧିକାରୀଙ୍କୁ ସୁବିଧା ମିଳୁନଥିବା ନେଇ ଅଭିଯୋଗ ହୋଇଛି । ଦୀର୍ଘ ୧୨ ବର୍ଷ ଧରି ପଲିଥିନ ତଳେ ଏକ ପରିବାର ଜୀବନ ବିତାଉଛନ୍ତି । ଆବାସ ଯୋଜନାରେ ଗୃହଟିଏ ପାଇଁ ଧାଇଁ ଧାଇଁ ପାଦରୁ ଥକିଗଲେଣି ତଥାପି ଗୃହଟିଏ ପ୍ରଶାସନ ଯୋଗାଇ ପାରିଲାନାହିଁ । ଯାହାଫଳରେ ପଲିଥିନ ତଳେ ପରିଣତ ବୟସରେ ନିଜର ଦୁଇ ପୁଅକୁ ଧରି ଜୀବନ ବିତାଉଛନ୍ତି ସରସ୍ୱତୀ ନାୟକ ।
ଦିନେ ନୁହେଁ କି ଦୁଇ ଦିନ ନୁହେଁ । ଦିର୍ଘ ୧୨ ବର୍ଷ ହେଲା ପାଲ ତଳେ ବିତୁଛି ସରସ୍ୱତୀଙ୍କ ଜୀବନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତୋମପୁର ବ୍ଳକର ତାରାତାରିଣୀ ମୁଖ୍ୟ ରାସ୍ତାରେ । ରାସ୍ତା କଡ଼ରେ ପାଲ ତଳେ ୨୦୦୯ ମସିହାରୁ ରହିଆସୁଛନ୍ତି ରଣଝାଲି ପଞ୍ଚାୟତ କେଶପୁର ଗାଁର ସରସ୍ୱତୀ ନାୟକ।
‘‘ସରସ୍ୱତୀଙ୍କ ସ୍ୱାମୀ ବନବିଭାଗ ପକ୍ଷରୁ ଠିକା ଭାବେ ବଣରେ ବିଭିନ୍ନ କାମ କରୁଥିଲେ । ଏହି ସମୟରେ ଭାଲୁ ଆକ୍ରମଣରେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁପରେ ବନବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ସହାୟତା ମିଳିପାରିନଥିଲା । ଏହାପରେ ସରସ୍ୱତୀ ନିଜ ଗାଁରେ ରହିଥିବା ଘରକୁ ବିକ୍ରି କରି ସେହି ପଇସାରେ କରିଥିବା ଋଣକୁ ସୁଝି ତାରାତାରିଣୀ ମୁଖ୍ୟରାସ୍ତା କଡ଼ରେ ପାଲ ତଳେ ରହି ଆସୁଛନ୍ତି । ଖଣ୍ଡିଏ ଗୃହ ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଗୁହାରି ଜଣାଇବା ପରେ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି,‘‘ ସରସ୍ୱତୀ ନାୟକ ।
ସରସ୍ୱତୀଙ୍କ ଦୁଇ ପୁଅ । ଦୁଇ ପୁଅଙ୍କ ମଧ୍ୟରୁ ସାନ ପୁଅ ହାଡ଼ିବନ୍ଧୁ ନାୟକଙ୍କ ଆଖିକୁ ଭଲ ସେ ଦିଶୁନଥିବା ବେଳେ ସେ ଅନ୍ୟ ଲୋକଙ୍କ ଗାଇ ଚରାଇ ଦୁଇ ପଇସା ରୋଜଗାର କରୁଥିବା ବେଳେ ବଡ଼ ପୁଅ ରବି ନାୟକ ପଞ୍ଚାୟତରେ ଚାଉଳ ବାଣ୍ଟିବା କାର୍ଯ୍ୟ କରିଥାନ୍ତି । ଦୁଇ ପୁଅ ଯାହା ରୋଜଗାର କରି ଆଣନ୍ତି ସେଥିରେ ତିନି ପ୍ରାଣୀ ଚଳନ୍ତି । ହାଡ଼ିବନ୍ଧୁଙ୍କୁ ଆଖି ଦିଶୁନଥିବା ବେଳେ ତାଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ହୋଇନଥିବା ଯୋଗୁଁ ସେ କୌଣସି ଭତ୍ତା ପାଇପାରୁନାହାନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଗୃହ ଖଣ୍ଡିଏ ଯୋଗାଇ ଦେବା ସହିତ ଭତ୍ତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ହାଡ଼ିବନ୍ଧୁ ନାୟକ ।
ଖରା ଦିନେ କଷ୍ଟମଷ୍ଟେ ପାଲ ତଳେ ଜୀବନ ବିତିଯାଉଛି କିନ୍ତୁ ବର୍ଷା ଦିନେ ଏହି ଘରେ ରହିବା ପାଇଁ ଅଭିଶାପ ପାଲଟି ଯାଉଛି ବୋଲି କହିଛନ୍ତି ସରସ୍ୱତୀ,କାରଣ କେତେବେଳେ ଲଗାଣ ବର୍ଷା ହେଲେ ପାଲରୁ ପାଣି ଝରି ଘର ଓଦା ହୋଇଯାଇଥାଏ ତ ଆଉ କେତେବେଳେ ବାତ୍ୟା ଓ ବନ୍ୟା ସମୟରେ ଘରକୁ ଛାଡ଼ି ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳରେ ଜୀବନ କାଟିବାକୁ ପଡ଼ିଥାଏ ।
ବର୍ତ୍ତମାନ ସରସ୍ୱତୀଙ୍କ ପରିବାର ଅନ୍ତଦ୍ୱୟ ଯୋଜନାରେ ଚାଉଳ ପାଉଛନ୍ତି । ତାଙ୍କ ସାନ ପୁଅର ଦିବ୍ୟାଙ୍ଗ ସାର୍ଟିଫିକେଟ କରାଯାଇ ତାଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଯିବ ଓ ଏହାସହିତ ଆଗାମୀ ଦିନରେ ଆବାସ ଯୋଜନାରେ ତାଙ୍କୁ ଘର ଯୋଗାଇ ଦିଆଯିବା ସହ ଅନ୍ୟନ ସରକାରୀ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୁରୁଷୋତ୍ତମପୁର ବିଡ଼ିଓ ବିଜୟ କୁମାର ବେହେରା । କିନ୍ତୁ କେବେ ସରସ୍ୱତୀଙ୍କ ଭାଗ୍ୟ ବଦଳୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।