ପୁରୀରେ ପୁଣି ସକ୍ରିୟ ହେଲେ ବାଲି ମାଫିଆ; ଧରିବାକୁ ଲାଗିପଡ଼ିଛି ପ୍ରଶାସନ

ପୁରୀ ଜିଲ୍ଲାରେ ଏବେ ସକ୍ରିୟ ବାଲି ମାଫିଆ। ପ୍ରତିଦିନ ଲୁଟ୍ ହେଉଛି ଶହଶହ ଟ୍ରିପ ବାଲି। ବାଲି ଚାଲାଣ ରୋକିବା ପାଇଁ ପୁରୀ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ମିଶନ ମାଫିଆ। ଜିଲ୍ଲା ପୋଲିସ ଓ ରାଜସ୍ୱ ବିଭାଗର ମିଳିତ ଟିମ୍ ଦ୍ୱାରା ଚଢ଼ାଉ କରାଯିବ ବୋଲି କହିଛନ୍ତି ଏସପି ଓ ଅତିରିକ୍ତ ଜିଲ୍ଲାପାଳ।

ପୁରୀରେ ପୁଣି ସକ୍ରିୟ ହେଲେ ବାଲି ମାଫିଆ

ପୁରୀରେ ପୁଣି ସକ୍ରିୟ ହେଲେ ବାଲି ମାଫିଆ

  • Share this:
News18 Odia Digital

ପୁରୀ: ବାଲି ମାଫିଆଙ୍କ ପକ୍ଷରୁ ପ୍ରତିଦିନ ଲୁଟ ହେଉଛି ଶହଶହ ଟ୍ରିପ ବାଲି। ହେଲେ ପ୍ରଶାସନକୁ ମିଳୁନି ଟଙ୍କାଟିଏ ବି ରାଜସ୍ବ। ନଦୀ ପଠାରୁ ଆରମ୍ଭ କରି ସମୁଦ୍ର ବେଳାଭୂମୀ ପର୍ଯ୍ୟନ୍ତ ସବୁଠି ଚାଲିଛି ବାଲିର ବେଆଇନ ଚୋରା ଚାଲାଣ। ନା ପ୍ରଶାସନର ଏଥିପ୍ରତି କଡ଼ା ନଜର ରହିଛି ନା ପୋଲିସ ପ୍ରଶାସନର।

୨୦୨୧ରେ ବାଲି ଚୋରା ଚାଲାଣ ରୋକିବାରେ ପୋଲିସକୁ ମିଳିଥିଲା ବଡ଼ ସଫଳତା। ସେପଟେ ପୁରୀରେ ଅନେକ ବିକାଶ ମୂଳକ କାର୍ଯ୍ୟ ଚାଲିଥିବା ବେଳେ ଏନେଇ ପ୍ରଶାସନ ପକ୍ଷରୁ ୧୦ଟି ସଇରାତ ଅର୍ଥାତ ନିଲାମ ଦିଆଯାଇଛି। ଆଉ ଏହାକୁ ବାହାନା କରି ବାଲି ମାଫିଆମାନେ ମଧୁଚନ୍ଦ୍ରିକାରେ ଲୁଟ କରୁଥିବା ଅଭିଯୋଗ ଆସିଛି।

ଟଙ୍କାଟିଏ ବିନିଯୋଗ କରିବାର ନାହିଁ। କିନ୍ତୁ ଟିକିଏ ରିସ୍କ। ସେତିକି ନେଇ ଆଣି ଥୋଇ ପାରିଲେ ରାତାରାତି ଲକ୍ଷ ଲକ୍ଷ ଟଙ୍କା ପକେଟରେ। ଏହା ହେଉଛି ଚୋରା ବାଲି କାରବାର। ପୂର୍ବରୁ ଏହି ଚୋରା କାରବାର ଉପରେ ଲଗାତାର ଚଢ଼ାଉ କରିବା ପରେ କିଛି ଦିନ ଥମି ଯାଇଥିବା ଏହି ବେପାର ପୁଣି ସକ୍ରିୟ ହୋଇଉଠିଛି। ପୁରୀ ଜିଲ୍ଲାର ନଦୀପଠା ହେଉ ଅବା ଅନାବାଦୀ ଗୋଚର ଜମି ମାଫିଆମାନେ ସେହି ଅଞ୍ଚଳରୁ ହରି ଲୁଟ କରି ଚୋରା ଚାଲାଣ କରୁଛନ୍ତି ଦୈନିକ ଶହଶହ ଟ୍ରିପ ବାଲି। ଆଉ ଅନାୟାସରେ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଆଉ ପୁରୀ ଜିଲ୍ଲାରେ ଏଭଳି ଘଟଣା କୋଣାର୍କ, ବେଲଦଳ, ବ୍ରହ୍ମଗିରି, ସତ୍ୟବାଦୀ, ଚନ୍ଦନପୁର, ପୁରୀ ସଦର ଆଦି ଅଞ୍ଚଳ ସମେତ ଭାର୍ଗବୀ, କୁଶଭଦ୍ରା,ଧାଉଡିଆ, ରତ୍ନଚିରା, ଧନୁଆ,ଦେବୀନଦୀ ପଠା ଆଦିରୁ ବେଆଇନ ଭାବେ ବାଲି ଖନନ କରି ଚୋରାଚାଲାଣ କରାଯାଉଛି। ତେବେ ପ୍ରଶାସନ ସ୍ତରରେ ସରକାରୀ ବିକାଶ କାର୍ଯ୍ୟ ପାଇଁ ଜିଲ୍ଲାର ୧୧ଟି ସଇରାତ ସହ Y ଫର୍ମ ଅନୁମତି ଦିଆଯାଇଥିବା ବେଳେ ଏହାର ସୁଯୋଗ ଓ ପ୍ରଶାସନର ମଧୁଚନ୍ଦ୍ରୀକାରେ ମାଫିଆମାନେ ବାଲି ଲୁଟ କରିବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତେଣୁ ପ୍ରଶାସନର ଏହା ଉପରେ ଅଙ୍କୁଶ ନରହିଲେ ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗାଁ ଗଣ୍ଡା ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ଅଭିଯୋଗ କରିଛନ୍ତି ସମାଜସେବୀ ତଥା ଯୁବ ନେତା ଆଲୋକ ଦାଶ।

"୨୦୨୧ରେ ବେଆଇନ ବାଲି ଚାଲାଣ ରୋକିବା ପାଇଁ ପୁରୀ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ମିଶନ ମାଫିଆ। ଏହି ସ୍ବତନ୍ତ୍ର ମିଶନରେ ଗୋଟିଏ ମାସ ମଧ୍ୟରେ ପୋଲିସକୁ ମିଳିଥିଲା ବେଶ୍‌ ସଫଳତା। ଏ ନେଇ ଗତ ବର୍ଷ ଗୋଟିଏ ମାସରେ ୫୩ ମାମଲା ରୁଜୁ ହେବା ସହ ଜବତ କରାଯାଇଥିଲା ୫୫ରୁ ଉର୍ଦ୍ଧ୍ବ ବାଲି ବୋଝେଇ ଟ୍ରକ। ଆଉ ଗିରଫ ହୋଇଥିଲେ ପ୍ରାୟ ୫୭ ଜଣ ବାଲି ମାଫିଆ। ଚଳିତ ବର୍ଷ ଏଥର ପୁଣି ଆକ୍ସନ ମୁଡକୁ ଓହ୍ଲାଇଛି ପ୍ରଶାସନ। ଆଉ ସାବାଡ଼ ହେବେ ପୁରୀ ଜିଲ୍ଲାର ବାଲି ମାଫିଆ। ତେଣୁ ଏ ନେଇ ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବିଡିଓ ଓ ତହସିଲଦାରଙ୍କୁ ନେଇ ଟିମ ଗଠନ କରି ଚଢ଼ାଉ ଜୋରଦାର କରାଯିବ। ଆଉ ଗତ ବର୍ଷ ପରି ପୁଣି ଆରମ୍ଭ ହେବ ମିଶନ ମାଫିଆ ଅଭିଯାନ,’’ କହିଛନ୍ତି ପୁରୀ ଏସପି କନୱର ବିଶାଳ ସିଂ।

ସେହିପରି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀର ବିଭିନ୍ନ ବ୍ଲକରେ ୧୧ଟି ସଇରାତରୁ Y ଫର୍ମ ଅନୁଯାୟୀ ବାଲି ଖନନ ପାଇଁ ଅନୁମତି ଦିଆଯାଇଛି। ଆଉ ଏହା କେବଳ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରାଯାଉଛି। ତେବେ କିଛି ମାଫିଆ ଓ ଅଧିକାରୀଙ୍କ ସଲାସୁତୁରାରେ ବେଆଇନ ବାଲି ଚାଲାଣ ଓ ଓଭରଲୋଡିଂରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ହେଉଥିବା ସ୍ୱକାର କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ। ଆଉ ଏନେଇ ପୁରୀ ପୋଲିସ ଓ ଜିଲ୍ଲା ପ୍ରଶାସନର ମିଳିତ ଟିମ୍ ଦ୍ୱାରା ଚଢ଼ାଉ କରିବା ପାଇଁ ସମସ୍ତ ଥାନା ଓ ବ୍ଲକର ବିଡ଼ିଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଦିନ ଦ୍ବିପ୍ରହରେ ପୋଲିସ ଆଖିରେ ଧୂଳି ଦେଇ ବେଧଡ଼କ ଭାବେ ଚାଲିଥିବ‌ା ଏହି ବ୍ୟବସାୟକୁ ଆଉ କ୍ଷମା ନାହିଁ। ସମୁଦ୍ର ବେଳାଭୂମି, ନଦୀପଠାରୁ ବେଆଇନ ବାଲି ଲୁଟ କରି ମାଲାମାଲ ହେଉଥିବା ମାଫିଆଙ୍କୁ ଆଉ ନିସ୍ତାର ନାହିଁ। ତେବେ ଦେଖାଯାଉ ଏହି ‘ମିଶନ ମାଫିଆ’ ବେଆଇନ ଚୋରାଚାଲାଣ ରୋକିବାରେ କେତେ ଦୂର ସଫଳ ହେବ।
Published by:Lipina Das
First published: