ସୂର୍ଯ୍ୟ ମନ୍ଦିର ସୁରକ୍ଷା: ଜଗମୋହନର ପ୍ରସ୍ତର ଢାଞ୍ଚାରୁ ୧୦୪ ବର୍ଷ ତଳେ ଭରାଯାଇଥିବା ବାଲି କଢ଼ାଯିବ

କୋଣାର୍କ ମନ୍ଦିରରେ ଜଗମୋହନର ପଥର ଢାଞ୍ଚାର ସୁରକ୍ଷା ପାଇଁ ୧୯୧୬ରେ ବ୍ରିଟିଶ୍ ବିଶେଷଜ୍ଞଙ୍କ ପରାମର୍ଶରେ ବାଲି ଭରାଯାଇଥିଲା । ସେହି ବାଲି କାଢ଼ିବାକୁ ASIର ଅନୁମତି ମିଳିଯାଇଛି ଓ ଏକ ପାଞ୍ଚଜଣିଆ ବିଶେଷଜ୍ଞ କମିଟି ଗଠିତ ହୋଇଛି ।

ସୂର୍ଯ୍ୟ ମନ୍ଦିର ସୁରକ୍ଷା: ଜଗମୋହନର ପ୍ରସ୍ତର ଢାଞ୍ଚାରୁ ୧୦୪ ବର୍ଷ ତଳେ ଭରାଯାଇଥିବା ବାଲି କଢ଼ାଯିବ
କୋଣାର୍କ ସୂର୍ଯ୍ୟ ମନ୍ଦିର (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିରର ଜଗମୋହନରେ ୧୦୪ ବର୍ଷ ତଳେ ଭରାଯାଇଥିବା ବାଲି ଦବିଯାଉଥିବା କାରଣରୁ ପଥର କଳାକୃତିର ଐତିହ୍ୟ ସମ୍ପନ୍ନ ଏହି ବିଶାଳ ଢାଞ୍ଚା ଭୁଶୁଡ଼ି ଯିବାର ଆଶଙ୍କା ରହିଆସିଛି । ହେଲେ ଏବେ ସେହି ବାଲିକୁ କଢ଼ାଯିବ ଓ ମନ୍ଦିରକୁ ବିପଦଶୂନ୍ୟ କରାଯିବ ।

ବାଲି କାଢ଼ିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରୁ ଅନୁମତି ମଗାଯାଇଥିଲା । ସେହି ଅନୁମତି ଜୁନ ୧୧ର ଚିଠିରେ ମିଳିଯାଇଛି । କାମର ତଦାରଖ, ବୈଷୟିକ ମାର୍ଗଦର୍ଶନ ଓ ରୂପରେଖ ନିର୍ଣ୍ଣୟ କରିବାକୁ ଏକ ପାଞ୍ଚଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି ।

ଜଗମୋହନର ପ୍ରସ୍ତର ଢାଞ୍ଚାର ସୁରକ୍ଷା ପାଇଁ ୧୯୧୬ରେ ବ୍ରିଟିଶ୍‌ ବିଶେଷଜ୍ଞଙ୍କ ପରାମର୍ଶରେ ବାଲି ଭରାଯାଇଥିଲା  । ଉତ୍କଳୀୟ ଭାସ୍କର୍ଯ୍ୟ କଳାର ନିଦର୍ଶନ ତଥା ବିଶ୍ୱ ଐତିହ୍ୟ କିର୍ତ୍ତିରାଜୀରୁ ଗୋଟିଏ କୋଣାର୍କ ସୂର୍ଯ୍ୟ ମନ୍ଦିରର ମୁଖ୍ୟ ମନ୍ଦିର ଭାଙ୍ଗିରୁଜି ଯାଇଥିବା ବେଳେ ଏବେ କେବଳ ଭଗ୍ନ ଜଗମୋହନ ଓ ମୁଖଶାଳା ଦଣ୍ଡାୟମାନ  ।

‘‘୧୯୦୩ ମସିହାରେ ଜଗମୋହନ ଭୁଶୁଡ଼ିବା ସ୍ଥିତିରେ ରହିଥିଲା । ଜଗମୋହନ ଭିତରେ ପଥର ଖଣ୍ଡ ଧସି ରହିଥିଲା । ତେବେ ତାର ସୁରକ୍ଷା ପାଇଁ ବିଟ୍ରିଶ ବିଶେଷଜ୍ଞମାନେ ଅମଳାକ ଛିଦ୍ର ଦେଇ ୧୯୧୬ରୁ ୧୯୨୦ ପର୍ଯ୍ୟନ୍ତ ଚାରି ବର୍ଷ ଧରି ଜଗମୋହନ ଭିତରେ ବାଲି ଭରିଥିଲେ । ଏହି ବାଲି ସୂର୍ଯ୍ୟ ମନ୍ଦିରର ଭଗ୍ନାବଶେଷର ସୁରକ୍ଷା କବଚ ପାଲଟିଥିଲା,’’ କହିଛନ୍ତି ଐତିହ୍ୟ ବିଶାରଦ ଡଃ ସୁରେନ୍ଦ୍ର ମିଶ୍ର ।

୨୦୦୫ରେ ଜଗମୋହନର ବାଲି ଦବିବା ଘଟଣା ପଦାକୁ ଆସିଥିଲା ।


୨୦୦୫ରେ ଜଗମୋହନର ବାଲି ଦବିବା ଘଟଣା ପଦାକୁ ଆସିଥିଲା । ୨୦୧୦ରେ ବିଶେଷଜ୍ଞମାନଙ୍କୁ କୋଣାର୍କ ଡକାଯାଇ ଏକ ବୈଠକ କରାଯାଇ ଅନୁଧ୍ୟାନ କରାଯାଇଥିଲା । ଏହି ଐତିହ୍ୟର ସୁରକ୍ଷା ପାଇଁ ବିଶ୍ୱସ୍ତରୀୟ ଚିନ୍ତନ କରାଯାଇ ଅନେକ ପ୍ରତିଷ୍ଠିତ ସ୍ଥପତି ଓ ବିଦେଶୀ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ା ଯାଇଥିଲା  । ଦଶ ବର୍ଷ ପରେ ଅର୍ଥାତ ୨୦୨୦ ଫେବୃୟାରୀ ୨୮ରେ ଶେଷ ବୈଠକ ବସିଥିଲା । ଏଥିରେ ଦେଶର କେତେକ ପ୍ରମୁଖ ସ୍ଥପତି ଓ ଐତିହ୍ୟ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ବିଶେଷଜ୍ଞ ଯୋଗଦେଇଥିଲେ । ଏଥିରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ମହାନିର୍ଦ୍ଦେଶକ ବି ଥିଲେ । ପାଖାପିଖି ୨୦ ଫୁଟ ବାଲି ତଳକୁ ଦବିଥିବା ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି  ।

ବାଲି ଦବିବା କାରଣରୁ ପଥର କଳାକୃତିର ବିଶାଳ ଢାଞ୍ଚା ଭୁଶୁଡ଼ି ଯିବାର ଆଶଙ୍କା ରହିଥିବାରୁ ସୂର୍ଯ୍ୟ ମନ୍ଦିରର ଅବଶେଷ ଜଗମୋହନକୁ ସୁରକ୍ଷା ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ବାଲି କାଢ଼ିବା ନେଇ  ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟକୁ ଅନୁମତି ମଗାଯାଇଥିବା ବେଳେ ଗତ ଜୁନ ୧୧ରେ ଆପ୍ରୁଭାଲ ଲେଟର ଆସିଥିବା ସ୍ପଷ୍ଟ କରିଛନ୍ତି କୋଣାର୍କର ସଂରକ୍ଷଣ ଦାୟିତ୍ୱରେ ଥିବା ଏଏସଆଇର ଅଧିକାରୀ ନିର୍ମଳ ମହାପାତ୍ର ।

କୋଣାର୍କ ସୁରକ୍ଷା ମଞ୍ଚର ଆବାହକ ବାଦଲ ଦାସଙ୍କ କହିବା ଅନୁସାରେ ସୂର୍ଯ୍ୟ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ୧୯୫୬ ମସିହାରୁ ଏଏସଆଇ ଦିଆଯାଇଛି । ଏହି ମନ୍ଦିରର ସୁରକ୍ଷା ପାଇଁ ନିକଟସ୍ଥ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କୁ ନେଇ ଗଠିତ ସଙ୍ଗଠନ କୋଣାର୍କ ସୁରକ୍ଷା ମଞ୍ଚ ପକ୍ଷରୁ ସରକାରଙ୍କ ଉପରେ ଲଗାତର ଚାପ ପକାଯାଇଆସୁଛି ।

‘‘ସୂର୍ଯ୍ୟ ମନ୍ଦିରର ମୂଳ ଗର୍ଭଗୃହ ବା ମୂଳପୀଠ ଛାୟା ମନ୍ଦିର କେବେ ଠାରୁ ପଥର ଗଦାର ରୂପ ନେଇସାରିଛି ତାହା ବିଟ୍ରିଶ୍‌ ରେକର୍ଡରୁ ମିଳୁନାହିଁ । ଏହାର ଇତିହାସ ସମ୍ପର୍କରେ ଏବେ ବି ଖୋଜା ଚାଲିଛି । କେବଳ ଜଗମୋହନ ଓ ତା ସାମ୍ନାରେ ଥିବା ପଥର କଳାର ବିସ୍ମୟ ନାଟ ମଣ୍ଡପକୁ ସଜଡ଼ା ଯିବା ପରେ ତାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି,’’ କହିଛନ୍ତି ଦାସ ।

ଏଏସଆଇର ଓଡିଶା ମୁଖ୍ୟ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକଙ୍କ ସୁଚନା ଅନୁସାରେ ବାଲି ଦବିବା ନେଇ ବିଶେଷଜ୍ଞମାନେ ଦେଇଥିବା ରିପୋର୍ଟ ଅନୁଯାୟୀ ବାଲି କଢ଼ାଯିବ  । ବାଲି ବାହାର କରିବା ପାଇଁ ଗଠିତ ପାଞ୍ଚଜଣିଆ ବିଶେଷଜ୍ଞ ଟିମରେ ଏଏସଆଇର ଅତିରିକ୍ତ ମହାନିର୍ଦ୍ଦେଶକ ବୈଷୟିକ କମିଟିର ଆବାହକ ରହିଥିବା ବେଳେ ଚେନ୍ନାଇ ଆଇଆଇଟିର ଜଣେ ଆର୍କିଓଲୋଜି ବିଶେଷଜ୍ଞଙ୍କ ସମେତ ତିନି ଜଣ ଐତିହ୍ୟ ଓ ସ୍ଥାପତ୍ୟ ବିଶେଷଜ୍ଞ ରହିଛନ୍ତି ।

ଏହା ବି ପଢ଼ନ୍ତୁ: ସୁଶାନ୍ତଙ୍କ ଫିଲ୍ମ ‘ଦିଲ୍ ବେଚାରା’ ରିଲିଜ୍ ହେବାର ଦିନକ ଆଗରୁ ଆଉ ଜଣେ ଫ୍ୟାନ୍ ଆତ୍ମହତ୍ୟା କଲେ

ଏହା ବି ପଢ଼ନ୍ତୁ: ମଧ୍ୟ ପ୍ରଦେଶ CM ଶିବରାଜ ସିଂ ଚୌହାନ କରୋନା ସଂକ୍ରମିତ ହେଲେ, ନିଜକୁ କ୍ୱାରେଣ୍ଟାଇନ କଲେ

କୋବିଡ କଟକଣା ରହିଥିବାରୁ କିଭଳି ବାଲି କଢ଼ାଯିବ ସେ ନେଇ ବିଶେଷଜ୍ଞମାନେ ଅନଲାଇନ ମାଧ୍ୟମରେ ସମୀକ୍ଷା କରୁଛନ୍ତି । କୋଣାର୍କର ସଂରକ୍ଷଣ ଉପରେ ହାଇ କୋର୍ଟଙ୍କ ନଜର ବି ରହିଛି  ।

ସୂର୍ଯ୍ୟ ମନ୍ଦିରର ଜଗମୋହନରୁ ବାଲି କଢ଼ାଯିବ ନା ଦବିଯାଇ ଫାଙ୍କା ହୋଇଥିବା ସ୍ଥାନରେ ବାଲି ଭରାଯିବ ସେ ନେଇ ଅନେକ ବିଚାରବିମର୍ଶ ଓ ବିତର୍କ ହୋଇଥିଲା । ଶେଷରେ ବାଲି ବାହାର କରିବାକୁ ନିଷ୍ପତ୍ତି ହେବା ପରେ ଏବେ ଜଗମୋହନର ସୁରକ୍ଷା ସୁନିଶ୍ଚିତ କରିବା ସବୁ ଠୁ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ହୋଇଛି ।



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by: Anand Shankar Thankur Das
First published: July 25, 2020, 6:48 PM IST
corona virus btn
corona virus btn
Loading