ବିଜେପିର ପଶ୍ଚିମରୁ ପୂର୍ବ ଆବର୍ତ୍ତନ: ଉପକୂଳର ନେତା ସମୀର ମହାନ୍ତି ହେଲେ ଦଳର ରାଜ୍ୟ ସଭାପତି

ଦୀର୍ଘ ୧୬ ବର୍ଷ ପରେ ଉପକୂଳ ଓଡ଼ିଶାକୁ ଫେରିଛି ରାଜ୍ୟ ବିଜେପିର ସଭାପତି ପଦ । ଛାତ୍ର ରାଜନୀତିରୁ ମୁଖ୍ୟ ଧାରାର ରାଜନୀତିରେ ପ୍ରବେଶ କରିଥିବା ମେଳାପୀ ବ୍ୟକ୍ତିତ୍ୱ ସମୀରଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଥିବାରୁ ରାଜ୍ୟ ବିଜେପିରେ ଖେଳିଯାଇଛି ଖୁସିର ଲହରୀ ।

ବିଜେପିର ପଶ୍ଚିମରୁ ପୂର୍ବ ଆବର୍ତ୍ତନ: ଉପକୂଳର ନେତା ସମୀର ମହାନ୍ତି ହେଲେ ଦଳର ରାଜ୍ୟ ସଭାପତି
ସମୀର ମହାନ୍ତି
  • News18 Odia
  • Last Updated: January 16, 2020, 3:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ବିଜେପିର ସଭାପତି ଭାବେ ସର୍ବସମ୍ମତି କ୍ରମେ ଚ଼ୟନିତ ହୋଇଛନ୍ତି ଦଳର ବରିଷ୍ଠ ନେତା ସମୀର ମହାନ୍ତି । ଏବିଭିପିରେ ସକ୍ରିୟ ରହି ଛାତ୍ର ରାଜନୀତିରୁ ମୁଖ୍ୟ ଧାରାର ରାଜନୀତିରେ ପ୍ରବେଶ କରିଥିବା ମେଳାପୀ ବ୍ୟକ୍ତିତ୍ୱ ସମୀରଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଥିବାରୁ ରାଜ୍ୟ ବିଜେପିରେ ଖେଳିଯାଇଛି ଖୁସିର ଲହରୀ ।

ସମୀର ୨୦୦୯ରେ ଭୁବନେଶ୍ବର ଏକାମ୍ର ବିଧାନ ସଭା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ବର୍ତ୍ତମାନ ସେ ରାଜ୍ୟ ବିଜେପିର ଉପସଭାପତି ଭାବେ ଦାୟିତ୍ବ ତୁଲାଉଥିଲେ । ଦଳ ଭିତରେ ସାଂଗଠନିକ କାର୍ଯ୍ୟ ତୁଲାଇବାରେ ସମୀର ବେଶ୍ ସକ୍ରିୟ ଭୂମିକା ତୁଲାଇଥିଲେ । ବିଭିନ୍ନ ପ୍ରସଙ୍ଗରେ ଦଳର ଅଭିଯାନକୁ ଆଗେଇ ନେବା ଓ ଆନ୍ଦୋଳନ ଆରମ୍ଭ କରିବାରେ ଆଗରେ ରହୁଥିଲେ ସମୀର । ସମୀରଙ୍କ ଘର ଅବିଭକ୍ତ କଟକ ଜିଲ୍ଲାରେ । ଏବେ ସେ ପୁରୁଣା ଭୁବନେଶ୍ବରରେ ରହୁଛନ୍ତି ।

ସମୀର ମହାନ୍ତି ସଭାପତି ହେବାରୁ ଦୀର୍ଘ ୧୬ ବର୍ଷ ପରେ ଉପକୂଳ ଓଡ଼ିଶାକୁ ଫେରିଛି ରାଜ୍ୟ ବିଜେପିର ସଭାପତି ପଦ । ୧୯୯୯ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସଭାପତି ରହିଥିଲେ ମନମୋହନ ସାମଲ । ୨୦୦୧ରୁ ୨୦୦୪ ଯାଏଁ ପୁଣି ସଭାପତି ହୋଇଥିଲେ ମନମୋହନ । ୨୦୦୪ ପରଠାରୁ ଏପର୍ଯ୍ୟନ୍ତ ଉପକୂଳରୁ କେହି ରାଜ୍ୟ ବିଜେପିର ସଭାପତି ହୋଇ ନ ଥିଲେ । କେବଳ ପଶ୍ଚିମ ଓଡ଼ିଶାର ନେତା ହିଁ ସମ୍ଭାଳିଥିଲେ ରାଜ୍ୟ ବିଜେପିର ମଙ୍ଗ ।

୨୦୦୪ରୁ ୨୦୦୬ ଯାଏଁ ସଭାପତି ରହିଥିଲେ ଜୁଏଲ ଓରାମ । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା ସୁରେଶ ପୂଜାରୀଙ୍କୁ । ଜୁଏଲ ପୁଣି ସଭାପତି ହୋଇଥିଲେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ । ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ କନକବର୍ଦ୍ଧନ ସିଂହଦେଓଙ୍କ କାନ୍ଧରେ ଦିଆଯାଇଥିଲା ରାଜ୍ୟ ବିଜେପିର ଦାୟିତ୍ବ । ୨୦୧୬ରୁ ଏପର୍ଯ୍ୟନ୍ତ ବସନ୍ତ ପଣ୍ଡା ରହିଥିଲେ ରାଜ୍ୟ ବିଜେପିର ସଭାପତି ।
First published: January 16, 2020, 3:51 PM IST