ପୁରୀ ବଗଲା ଧର୍ମଶାଳା ‘ଜାଲିଆତି’: ହାଇ କୋର୍ଟରେ PIL ଦାୟର କଲେ BJP ନେତା ସମ୍ବିତ ପାତ୍ର

ଅମୃତମଣୋହି ଜମିକୁ ବିକ୍ରି କରି ବେଆଇନ କାମ କରାଯାଇଛି ବୋଲି କହି ଶ୍ରୀ ଜଗନ୍ନାଥଙ୍କ ଖାତାକୁ ବଗଲା ଧର୍ମଶାଳାର ଜମି ଫେରାଇ ଆଣିବାକୁ ହାଇ କୋର୍ଟଙ୍କ ନିକଟରେ ଗୁହାରି କରିଛନ୍ତି BJPର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସାବିକ ରେକର୍ଡରେ ୩ ଏକର ୧୯୦ ଡେସିମିଲ ଜମି ଥିବା ବେଳେ ହାଲ୍ ରେକର୍ଡରେ ୨ ଏକର ୫୭୫ ଡେସିମିଲ ଦର୍ଶାଯାଇଛି ବୋଲି ସେ କହିଛନ୍ତି ।

ପୁରୀ ବଗଲା ଧର୍ମଶାଳା ‘ଜାଲିଆତି’: ହାଇ କୋର୍ଟରେ PIL ଦାୟର କଲେ BJP ନେତା ସମ୍ବିତ ପାତ୍ର
(ବାମରୁ ଡାହାଣ) ସମ୍ବିତ ପାତ୍ର, ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଓଡ଼ିଶା ହାଇ କୋର୍ଟ୍
  • News18 Odia
  • Last Updated: September 29, 2020, 11:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବହୁଚର୍ଚ୍ଚିତ ବଗଲା ଧର୍ମଶାଳା ଜମି ‘‘ଜାଲିଆତି’’ ଅଭିଯୋଗ ଘଟଣା ରାଜନୈତିକ ଆରୋପ ପ୍ରତ୍ୟାରୋପର ସୀମା ପାର୍‌ କରି ହାଇ କୋର୍ଟରେ ପହଞ୍ଚିଛି । ପୂର୍ବରୁ ଏ ନେଇ ହାଇ କୋର୍ଟରେ ଗୋଟିଏ ମାମଲା ଦାୟର ହୋଇଥିବା ବେଳେ ଏବେ ଏହି ପ୍ରସଙ୍ଗ ଉପରେ ରାଜ୍ୟ ସରକାରଙ୍କୁ ପ୍ରଥମରୁ ଘେରି ଆସୁଥିବା ବିଜେପିର ରାଷ୍ଚ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ହୋଇଥିବା ଡାକ୍ତର ସମ୍ବିତ ପାତ୍ର ହାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ସମ୍ବିତ ପାତ୍ରଙ୍କ ପକ୍ଷରୁ ମଙ୍ଗଳବାର ଦିନ ଦାୟର ହୋଇଥିବା ଏକ ଜନସ୍ବାର୍ଥ ମାମଲାର ପିଟିସନରେ କୁହାଯାଇଛି ଯେ ବଗଲା ଧର୍ମାଶାଳା ଥିବା ଜମିର କ୍ଷେତ୍ରଫଳ ସାବିକ ରେକର୍ଡରେ ୩ ଏକର ୧୯୦ ଡିସିମିଲ ରହିଛି, କିନ୍ତୁ ହାଲ୍‌ ରେକର୍ଡରେ ତାହା ୨ ଏକର ୫୭୪ ଡିସିମିଲ ଦର୍ଶାଯାଇଛି । ଅର୍ଥାତ ୬୧୬ ଡିସିମିଲ ଜମିର ହିସାବ ପ୍ରଶାସନ ପାଖରେ ନାହିଁ ବୋଲି ଉଲେଖ କରିଛନ୍ତି ସମ୍ବିତ । ସେହି ଜମି ଅମୃତମଣୋହି ଜମି ହୋଇଥିବାରୁ ତାକୁ ବିକ୍ରି କରାଯାଇ ପାରିବ ନାହିଁ ବୋଲି କହି ସରକାର ଏହାକୁ ବିକ୍ରି କରି ଏକ ବେଆଇନ କାର୍ଯ୍ୟ କରିଥିବା ସେ ଅଭିଯୋଗ କରିଛନ୍ତି ।

ଏହି ମାମଲାର ତଦନ୍ତ କରାଯାଉ ଓ ଜମି ବିକ୍ରିକୁ ନେଇ କରାଯାଇଥିବା ସେଲ୍‌ ଡିଡ଼କୁ ବାତିଲ କରି ଜମିକୁ ମହାପ୍ରଭୁ ଜଗନ୍ନାଥଙ୍କ ପାଖକୁ ଫେରାଇ ଅଣାଯାଉ ବୋଲି ନିଜ ପିଟିସନରେ ପ୍ରାର୍ଥନା କରିଛନ୍ତି ପାତ୍ର । କଟକରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସମ୍ବିତ ପାତ୍ର ।

ସାମ୍ବାଦିକ ସମ୍ମିଳନୀସୁ ସମ୍ବୋଧିତ କରୁଛନ୍ତି ସମ୍ବିତ ପାତ୍ର ।


“ବଗଲା ଧର୍ମାଶାଳାର ଜମି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି । ତେଣୁ ତାକୁ ବିକ୍ରି କରି ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା ଆଇନର ବିରୁଦ୍ଧାଚରଣ କରିଛନ୍ତି । ଏହି ଜମିକୁ ପ୍ଲଟିଂ କରି ବିକ୍ରି କରି ରାଜ୍ୟ ସରକାର ଏକ ବହୁତ ବଡ଼ ଅପରାଧ କରିଛନ୍ତି । ତେଣୁ ଏହି ଜମିକୁ ପୁଣି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଫେରାଇ ଆଣିବା ସହିତ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ମୁଁ ଏହି ମାମଲାଟି ଦାୟର କରିଛି,” ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପାତ୍ର ।

ବଗଲା ଧର୍ମାଶାଳା ଜମିକୁ ନେଇ ପୂର୍ବରୁ ହାଇ କୋର୍ଟରେ ଦାୟର ହୋଇଥିବା ଅନ୍ୟ ଏକ ମାମଲାର ଶୁଣାଣି ମଧ୍ୟ ମଙ୍ଗଳବାର ଦିନ ହୋଇଥିଲା । ଏହି ଶୁଣାଣିରେ ହାଇ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ପୁରୀ ତହସିଲଦାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋର୍ଟରେ ଜବାବ ଦାଖଲ କରାଯାଇଛି । ‘‘ବଗଲା ଜମି ଏବେ ବି ସରକାରଙ୍କ ଅଧୀନରେ ରହିଛି’’ ବୋଲି ଉଭୟ ପକ୍ଷ କୋର୍ଟଙ୍କୁ ଅବଗତ କରାଇଛନ୍ତି । ଏହି ଶୁଣାଣି ସମୟରେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ବାଗଲାର ସ୍ଥିତି କ’ଣ ରହିଛି ସରକାର ସତ୍ୟପାଠ ଆକାରରେ ଜବାବ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କୁ ମଧ୍ୟ ନିଜ ପ୍ରତିଜବାବ ଦାଖଲ କରିବାକୁ କୋର୍ଟ କହିଛନ୍ତି । ଆସନ୍ତା ସୋମବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ଏହା ବି ପଢ଼ନ୍ତୁ | କ’ଣ ସେହି ସ୍ପେଶାଲ୍‌ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?

ଏହା ବି ପଢ଼ନ୍ତୁ | ବରିଷ୍ଠ IPS ଅଫିସର ନିଜ ସ୍ତ୍ରୀଙ୍କୁ ଖୁବ୍ ପିଟିଲେ; Video ଭାଇରାଲ୍ ହେଲା; ପଦରୁ ହଟାଗଲେ

ପୁରୀ ତହସିଲଦାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ଜବାବକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସମ୍ବିତ ପାତ୍ରଙ୍କ ଓକିଲ ତଥା ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ । “ମୁଁ ଜାଣି ନାହିଁ ଯେ ପ୍ରଶାସନ ପକ୍ଷରୁ ଆଜି ହାଇ କୋର୍ଟରେ ଏହି ଭଳି ତଥ୍ୟ ଉପସ୍ଥାପିତ ହୋଇଛି । ବଗଲା ଧର୍ମଶାଳାର ଛଅଟି ପ୍ଲଟକୁ ତ ପ୍ରଶାସନ ବିକ୍ରି କରି ସାରିଛି । ଏବେ ଯଦି ପ୍ରଶାସନ ପକ୍ଷରୁ କୁହାଯାଇଥାଏ ଯେ ବଗଲା ଜମି ଏବେ ବି ରାଜ୍ୟ ସରକାରଙ୍କ ପାଖରେ ରହିଛି ତା’ ହେଲେ ସରକାର ସମ୍ପୂର୍ଣ୍ଣ ମିଥ୍ୟା କହୁଛନ୍ତି । ଏବେ ସରକାର ନିଜ ଜାଲରେ ନିଜେ ଫସିବେ,” କହିଛନ୍ତି ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ।



ସୋମବାର ଦିନ ହାଇ କୋର୍ଟରେ ମୂଳ ମାମଲାର ଶୁଣାଣି ବେଳେ ରାଜ୍ୟ ସରକାର ବଗଲା ଜମିକୁ ନେଇ କ’ଣ ଜବାବ ଦାଖଲ କରୁଛନ୍ତି ତାହା ଉପରେ ନିର୍ଭର କରିବ ଏହି ମାମଲାର ଗତି ଓ ଦିଗ । ଏହା ସହିତ ବଗଲା ଜମିକୁ ନେଇ ଦାୟର ହୋଇଥିବା ଦୁଇଟି ମାମଲାର ଶୁଣାଣି ଏକତ୍ର ହେବ ବା ଭିନ୍ନ ଭିନ୍ନ ଭାବେ କରାଯିବ ତାହା ମଧ୍ୟ ସୋମବାର ଦିନ ସ୍ପଷ୍ଟ ହୋଇ ପାରିବ ବୋଲି ଜଣା ପଡ଼ିଛି ।
Published by: Anand Shankar Thankur Das
First published: September 29, 2020, 11:55 PM IST
corona virus btn
corona virus btn
Loading