News18 odia Digital
ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାରେ ଥିବା ବିଲୁଙ୍ଗ ଗାଁର ନାମ ବଦଳି ‘ରଙ୍ଗବତୀ ବିଲୁଙ୍ଗ’ ହୋଇଛି । ଭାରତ ସରକାରଙ୍କ ଠାରୁ ଆପତ୍ତିବିହୀନ ପ୍ରମାଣପତ୍ର (ଏନ୍.ଓ.ସି.) ପାଇବା ପରେ ଅତି ଲୋକପ୍ରିୟ ଓଡ଼ିଆ ଗୀତ ‘ରଙ୍ଗବତୀ’ର ରଚୟିତା ମିତ୍ରଭାନୁ ଗଉନ୍ତିଆଙ୍କ ଗାଁର ନାମ ଆଧିକାରିକ ରୂପେ ପରିବର୍ତ୍ତନ କରାଯାଇଛି ।
ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ପାଇଁ ଅତୁଳନୀୟ ଅବଦାନ ଦେଇଥିବା ମିତ୍ରଭାନୁ ଗଉନ୍ତିଆ ବିଲୁଙ୍ଗ ଗାଁରେ ଜନ୍ମ ଗ୍ରହଣ କରିଥିଲେ । ଏକ ହଜାରରୁ ଅଧିକ ସମ୍ବଲପୁରୀ ଗୀତ ରଚନା କରି ସେ ରୁଦ୍ଧିମନ୍ତ କରିଥିଲେ ଓଡ଼ିଶାର ସାହିତ୍ୟ ଓ ସଙ୍ଗୀତକୁ । ଏହି ବର୍ଷ ତାଙ୍କୁ ଓଡ଼ିଶା ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଦିଆଯାଇଥିଲା । ସଙ୍ଗୀତ ପାଇଁ ଆକାଶବାଣୀ ଜାତୀୟ ପୁରସ୍କାର ବ୍ୟତୀତ ପଦ୍ମଶ୍ରୀ ଉପାଧି ମଧ୍ୟ ସେ ପାଇଛନ୍ତି ।
ରଙ୍ଗବତୀ ଗୀତ ଓଡ଼ିଶା ଓ ଓଡ଼ିଆମାନଙ୍କ ପାଇଁ ଆଉ କେବଳ ଗୀତଟିଏ ହୋଇ ରହିନାହିଁ । ୨୦୦୪ ମସିହାରେ ରୌପ୍ୟ ଜୟନ୍ତୀ ପାଳନ କରିଥିବା ଏହି ଗୀତର ଅନନ୍ୟ ଲୋକପ୍ରିୟତା ଏହାକୁ ଆମ ସଂସ୍କୃତିର ଏକ ଅଂଶ କରିସାରିଛି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍
ସମ୍ବଲପୁରର ଜିଲ୍ଲାପାଳ, ରାଜସ୍ୱ କମିଶନର ତଥା ରାଜସ୍ୱ ବୋର୍ଡ଼ର ସୁପାରିଶ କ୍ରମେ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅନୁମୋଦନ ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରାଜସ୍ୱ ଗ୍ରାମ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାମରେ ନାମିତ କରିବାକୁ କେନ୍ଦ୍ର ସରକାରଙ୍କ ନିକଟକୁ ସ୍ୱୀକୃତି ପାଇଁ ପଠାଇଥିଲେ । ଭାରତ ସରକାର ଏଥିରେ ରାଜି ହୋଇଛନ୍ତି ।
ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଗୀତ ଭାବେ ଖ୍ୟାତି ଅର୍ଜନ କରିଥିବା ‘ରଙ୍ଗବତୀ’ ଗୀତର ମୂଳ ଗାୟକ ହେଉଛନ୍ତି ପଦ୍ମଶ୍ରୀ ପୁରସ୍କାର ବିଜେତା ଜିତେନ୍ଦ୍ର ହରିପାଲ । ଏହି ଗୀତରେ କ୍ରିଷ୍ଣା ପଟେଲ ଗୀତ ଗାଇଥିବା ବେଳେ ଗୀତର ସଙ୍ଗୀତ ରଚନା କରିଥିଲେ ସ୍ୱର୍ଗତ ପ୍ରଭୁଦତ୍ତ ପ୍ରଧାନ ।
ଏକ ଗାଁକୁ ଏକ ଗୀତର ଶବ୍ଦ ଅନୁସାରେ ନାମକରଣ କରାଯିବା କ୍ୱଚିତ ଦେଖିବାକୁ ମିଳେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଲୋକଗୀତ ରଙ୍ଗବତୀ ଓଡ଼ିଶାରୁ ବାହାରି ସମଗ୍ର ବିଶ୍ୱରେ ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛି । ଏହି ଗୀତର ଗୀତିକାର ମିତ୍ରଭାନୁ ଗଉନ୍ତିଆଙ୍କ ଗାଁ ବିଲୁଙ୍ଗକୁ 'ରଙ୍ଗବତି ବିଲୁଙ୍ଗ' ନାଁ ରେ ନାମିତ କରାଯିବା ଏହି ସଙ୍ଗୀତ ଓ ଗୀତିକାରକୁ ଉପଯୁକ୍ତ ସମ୍ମାନ ବୋଲି କହି ଏହି ସାଧୁ ଉଦ୍ୟମ ପାଇଁ ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣେଇଛନ୍ତି ।

୧୯୭୫-୭୬ ମସିହାରେ ରଙ୍ଗବତୀ ଗୀତ ପ୍ରଥମେ ସମ୍ବଲପୁରର ଅଲ୍ ଇଣ୍ଡିଆ ରେଡ଼ିଓରେ ରେକର୍ଡ କରାଯାଇଥିଲା ।
୧୯୭୫-୭୬ ମସିହାରେ ରଙ୍ଗବତୀ ଗୀତ ପ୍ରଥମେ ସମ୍ବଲପୁରର ଅଲ୍ ଇଣ୍ଡିଆ ରେଡ଼ିଓରେ ରେକର୍ଡ କରାଯାଇଥିଲା । ଏହାର ବ୍ୟାପକ ଲୋକପ୍ରିୟତା ପରେ ଇଣ୍ଡିଆନ ରେକର୍ଡ ମାନୁଫାକଚରିଂ କମ୍ପାନୀ ଲିମିଟେଡ (ଆଇଏନଆରଇସିଓ) ୧୯୭୬ ମସିହାରେ ଏହି ଗୀତକୁ ଡିସ୍କ ଫର୍ମାଟରେ ରେକର୍ଡ କରିଥିଲା । କିନ୍ତୁ ସେହି ଡିସ୍କ ୧୯୭୮-୭୯ ମସିହାରେ ମୁକ୍ତିଲାଭ କରିଥିଲା ।
ଭାରତର ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ପୁନଃ ରଚନା ହେବାରେ ରଙ୍ଗବତୀର ବହୁତ ନାଁ ରହିଛି । ଏହି ଗୀତ ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ରେ ମଧ୍ୟ ବହୁଳ ଭାବେ ଲୋକପ୍ରିୟ । ଏହି ଗୀତର ସ୍ୱର ଦେଶ ବାହାରେ ବି ଗୁଞ୍ଜରଣ ସୃଷ୍ଟି କରିଛି ।
୨୦୧୫ ମସିହାରେ ଦକ୍ଷିଣ କୋରିଆରେ ଆୟୋଜିତ ହୋଇଥିବା ସପ୍ତମ ବିଶ୍ୱ ଜଳ ଫୋରମରେ କୋରିଆର ନୃତ୍ୟଶିଳ୍ପୀମାନେ ରଙ୍ଗବତୀ ଗୀତର ସ୍ୱରରେ ନାଚିଥିଲେ । ୨୦୦୭ରେ ନୂଆ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପରେଡରେ ଏହି ଗୀତକୁ ସରକାରୀ ଭାବେ ସ୍ୱୀକୃତି ପ୍ରଦାନ କରାଯିବା ସହ ଓଡ଼ିଶା ପକ୍ଷରୁ ଏହା ପ୍ରଦର୍ଶିତ ହୋଇଥିଲା ।
ଏହା ବି ପଢ଼ନ୍ତୁ:
ବିଦାୟ ବିଜୟ! ହେଲେ କେମିତି କହିବା ତାଙ୍କ ୯୫ ବର୍ଷର ମା'ଙ୍କୁ ଯେ ପୁଅ ବିଜୟ ଆଉ ନାହିଁ?ଏହା ବି ପଢ଼ନ୍ତୁ:
ଚୀନ୍ ପାଇଁ ଆର୍ଥିକ ଅସୁବିଧା ବଢ଼ିବ; ଏହି ସପ୍ତାହରେ ମୋଦି ସରକାର ଲାଗୁ କରିବେ କିଛି ନୂଆ ନିୟମଗାୟକ ଜିତେନ୍ଦ୍ର ହରିପାଲ ୧୯୭୧ ମସିହାରେ ଅଲ ଇଣ୍ଡିଆ ରେଡ଼ିଓରେ ନିଜର କରିଅର ଆରମ୍ଭ କରିଥିଲେ । ରଙ୍ଗବତୀ ଗୀତରେ କଣ୍ଠଦାନ କରି ସେ ଲୋକପ୍ରିୟ ହୋଇଥିଲେ । ହରିପାଲଙ୍କ ଖ୍ୟାତି କେବଳ ରଙ୍ଗବତୀ ଗୀତରେ ସୀମିତ ନୁହେଁ । ସେ କୋଶଳୀ ଓ ଭୋଜପୁରୀ ପରି ଅନ୍ୟ ଭାଷାରେ ମଧ୍ୟ କଣ୍ଠଦାନ କରିଛନ୍ତି । ୨୦୧୫ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଦ୍ୱାରା ଉଭୟ ଜିତେନ୍ଦ୍ର ହରିପାଲ ଓ କ୍ରିଷ୍ଣା ପଟେଲଙ୍କୁ ଡକ୍ଟରେଟ ପ୍ରଦାନ କରାଯାଇଥିଲା । ରଙ୍ଗବତୀ ଗୀତ ଉପରେ ଏକ ଘଣ୍ଟିକିଆ ଡକ୍ୟୁମେଣ୍ଟାରୀ ସମ୍ବଲପୁରର ଦୂରଦର୍ଶନ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।