ସମ୍ବଲପୁର ବିଶ୍ବବିଦ୍ୟାଳୟରେ ସମ୍ବଲପୁରୀ ଷ୍ଟଡିଜ୍‌ର ଡିପ୍ଲୋମା ପାଠ୍ୟକ୍ରମ ବନ୍ଦ ହୋଇଗଲା

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କ ଆଗ୍ରହର ଅଭାବକୁ ଦାୟୀ କରିଥିବା ବେଳେ ଛାତ୍ରଛାତ୍ରୀମାନେ ଏହି ପାଠ୍ୟକ୍ରମକୁ ଜନପ୍ରିୟ କରିବା ପାଇଁ ବିଶ୍ୱବିଦ୍ୟାଳୟର ଚ଼େଷ୍ଟାର ଅଭାବକୁ ଦୋଷ ଦେଇଛନ୍ତି । ଅନେକ ପୂର୍ବତନ ଛାତ୍ରଛାତ୍ରୀ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟରେ ଏମିତି ଗୋଟେ କୋର୍ସ ଥିଲା ବୋଲି ବହୁତ ଲୋକ ଜାଣି ହିଁ ନ ଥିଲେ ।

ସମ୍ବଲପୁର ବିଶ୍ବବିଦ୍ୟାଳୟ

ସମ୍ବଲପୁର ବିଶ୍ବବିଦ୍ୟାଳୟ

  • Share this:
News18 Odia Digital

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଶିକ୍ଷିତ ଯୁବା ପିଢ଼ିର ଆଗ୍ରହର ଅଭାବରୁ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଆରମ୍ଭ ହୋଇଥିବା ସମ୍ବଲପୁରୀ ଷ୍ଟଡିଜ୍‌ରେ ଡ଼ିପ୍ଲୋମା ପାଠ୍ୟକ୍ରମ ଶେଷରେ ବନ୍ଦ ହୋଇଗଲା । ବ୍ୟାଚ୍‌ ପରେ ବ୍ୟାଚ୍‌ କ୍ରମାଗତ ଭାବେ ଏହି ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାରେ ବିଫଳ ହେବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ପାଠ୍ୟକ୍ରମକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗଲା ତିନି ବର୍ଷରେ ଏହି ପାଠ୍ୟକ୍ରମ ପାଇଁ ଜଣେ କେହି ବି ଆବେଦନ କରି ନ ଥିଲେ । ସମ୍ବଲପୁରୀ ଭାଷା, କଳା ଓ ପରମ୍ପରାକୁ ସଂରକ୍ଷିତ କରି ରଖିବା ଓ ଆହୁରି ସମୃଦ୍ଧ କରିବା ଲକ୍ଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ୧୯୯୭ରେ ଏହି ପାଠ୍ୟକ୍ରମ ଆରମ୍ଭ କରିଥିଲା ଓ ଏହି କରିବାରେ ପ୍ରଥମ ଥିଲା । ଏହି କୋର୍ସ୍‌ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି, UGC) ଦ୍ବାରା ଅନୁମୋଦିତ ହୋଇ ନ ଥିବାରୁ ଓଡ଼ିଆ ବିଭାଗ ଅଧୀନରେ ରହିଥିଲା ।

ସମ୍ବଲପୁରୀ ସଂସ୍କୃତିବ ବାଶାଳ ବିଭବକୁ ଜାଣିବା ଓ ତା’ ଉପରେ ଗବେଷଣା କରିବା ପାଇଁ ଏହି ପାଠ୍ୟକ୍ରମ ଏକ ଉତ୍କୃଷ୍ଟ ମାଧ୍ୟମ ପ୍ରମାଣିତ ହେବ ବୋଲି ପଶ୍ଚିମ ଓଡ଼ିଶା ସମେତ ସାରା ରାଜ୍ୟର ବୁଦ୍ଧିଜୀବୀମାନେ ଆଶା କରିଥିଲେ । ହେଲେ ବାସ୍ତବତା ଖୁବ୍‌ ଭିନ୍ନ ହେଲା ।

‘‘ଏହି କୋର୍ସ୍‌ ପାଇଁ ଛାତ୍ରଛାତ୍ରୀଙ୍କ ତରଫରୁ ଆବେଦନ ନ ଆସିବାରୁ ଆମେ ବାଧ୍ୟ ହୋଇ ଏହାକୁ ବନ୍ଦ କଲୁ । ଆବେଦନକାରୀମାନେ ଯଦି ଆଗ୍ରହ ଦେଖାନ୍ତି ତାହେଲେ ଭବିଷ୍ୟତରେ ଆମେ ପୁଣି ଏହି କୋର୍ସ୍‌ ଆରମ୍ଭ କରିପାରୁ,’’ କହିଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍‌ ସଞ୍ଜତ କୁମାର ସାହୁ ।

ପାଠ୍ୟକ୍ରମଟି ପାଇଁ ୧୫ଟି ସିଟ୍ ଥିଲା । ଓଡ଼ିଆ ଓ ଇତିହାସ ବିଭାଗର ଶିକ୍ଷକମାନଙ୍କ ବ୍ୟତୀତ ସମ୍ବଲପୁରୀ ଭାଷାର ବିଶେଷଜ୍ଞମାନେ ଗେଷ୍ଟ ଲେକ୍ଚରର ଭାବେ ଆସି କ୍ଲାସ୍‌‌ ନେଉଥିଲେ । ପାଠ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ଇତିହାସ, ଭୌଗୋଳିକ ସ୍ଥିତି, ଜନସାଂଖ୍ୟିାକି, ସମ୍ବଲପୁରୀ ସସ୍କୃତି, କଳା, ପରମ୍ପରା, ପର୍ବ ପର୍ବାଣୀ, ପ୍ରମୁଖ ବ୍ୟକ୍ତି ଓ ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନୀ ଓ ସମ୍ବଲପୁରୀ ଭାଷାରେ ଲେଖାଯାଇଥିବା କେତେକ ପୁସ୍ତକ ସାମିଲ ଥିଲା ।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କ ଆଗ୍ରହର ଅଭାବକୁ ଦାୟୀ କରିଥିବା ବେଳେ ଛାତ୍ରଛାତ୍ରୀମାନେ ଏହି ପାଠ୍ୟକ୍ରମକୁ ଜନପ୍ରିୟ କରିବା ପାଇଁ ବିଶ୍ୱବିଦ୍ୟାଳୟର ଚ଼େଷ୍ଟାର ଅଭାବକୁ ଦୋଷ ଦେଇଛନ୍ତି । ଅନେକ ପୂର୍ବତନ ଛାତ୍ରଛାତ୍ରୀ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟରେ ଏମିତି ଗୋଟେ କୋର୍ସ ଥିଲା ବୋଲି ବହୁତ ଲୋକ ଜାଣି ହିଁ ନ ଥିଲେ ।

‘‘ସମ୍ବଲପୁରୀ ଭାଷା ଓ ସସ୍କୃତି ଉପରେ ରିସର୍ଚ୍ଚ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ ବିଶ୍ୱବିଦ୍ୟାଳୟର ଅବହେଳା ଯୋଗୁଁ ଚ଼ାଲିଗଲା,’’ କହିଛନ୍ତି ଏହି କୋର୍ସର ଜଣେ ପୂର୍ବତନ ଛାତ୍ରୀ ।
Published by:Anand Shankar Thankur Das
First published: