ଫିଙ୍ଗିଦେଲା ଜନ୍ମ କଲା ମା; କୋଳେଇ ନେଲେ ଆଉ ଏକ ପରିବାର

ନଦୀ କୂଳରେ ଅଲୋଡ଼ା ଭାବି ଫିଙ୍ଗି ଦେଇ ଚାଲିଯାଇଥିଲା ଜନ୍ମ କଲା ମା । ଆଜି ଓଡ଼ିଶା ଛାଡ଼ି ସୁଦୂର ଜର୍ମାନୀ ଚାଲିଯିବ ୧୦ ମାସର ଝିଅ ସାଈ ମିନାକ୍ଷୀ ।

କୋଳେଇ ନେଲେ ଆଉ ଏକ ପରିବାର

କୋଳେଇ ନେଲେ ଆଉ ଏକ ପରିବାର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ନିୟତି ବେଳେ ବେଳେ ମଣିଷ ଭାଗ୍ୟ ଏମିତି କିଛି ଲେଖି ଦିଏ ଯାହାକୁ ବୁଝିବା ସମ୍ଭବପର ହୋଇନ ଥାଏ । ସେହି ଭଳି କିଛି ଘଟଣା ଘଟିଛି ଏହି କୁନି ଝିଅଟି ସହ। ଯେଉଁ ଶିଶୁ କନ୍ୟାଟିକୁ ଅଲୋଡ଼ା ଭାବି ଦିନେ ମୃତ୍ୟୁ ମୁଖରେ ବାପାମା ଛାଡ଼ିଦେଇଥିଲେ ଆଜି ସେ ୭ ହଜାର କିଲୋମିଟର ସୂଦୂର ଜର୍ମାନୀ ଦମ୍ପତିଙ୍କ ସହ ସମ୍ପର୍କ ଯୋଡ଼ି ହେବ।

ସିନେମା କାହାଣୀ ପରି ଲାଗୁଥିଲେ ମଧ୍ୟ କଥାଟି ସତ । ଆଠଗଡ ସାପୁଆ ନଦୀ କୂଳରୁ ଉଦ୍ଧାର ହୋଇଥିବା ଏହି ଶିଶୁ କନ୍ୟାଟିକୁ ମିଳିଛି ନୂଆ ପରିଚୟ ଆଉ ନୂଆ ନାଁ । ସେ ଏବେ ଆଉ ଅନାଥ ନୁହେଁ। ତାକୁ ମିଳି ଯାଇଛନ୍ତି ତାର ବାପା ମା । କଟକ ଚୌଦ୍ଵାରର ସର୍ଭାଣ୍ଟ ଅଫ୍ ଇଣ୍ଡିଆ ସୋସାଇଟି ନାମକ ଅନାଥ ଆଶ୍ରମରେ ଥିବା ୧୦ ମାସର ଅନାଥ ଶିଶୁ କନ୍ୟା ସାଈ ମିନାକ୍ଷୀକୁ ଆଜି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଜର୍ମାନୀର ଏନଆରଆଇ ଦମ୍ପତ୍ତି ତଥା ଆଇଟି ଏକ୍ସପର୍ଟ ଶୁଭାସିନୀ  ମୁନିଆସାମୀ ଓ ସେରଭାରାନ ଥାଙ୍ଗାଭେଲ।

"ଗତ କିଛି ବର୍ଷ ହେଲା ଆମେ ବହୁତ ମାନସିକ ମଧ୍ୟରେ ଗତି କରୁଥିଲୁ । ଯେତେ ବେଳେ ଆମେ ଏହି କୁନି ଝିଅଟିକୁ ଦେଖିଲୁ କେଜାଣି କାହିଁକି ଆମେ ତା ଆଡକୁ ଟାଣି ହୋଇ ଆସିଥିଲୁ । ମୁଁ ଓଡ଼ିଶାରେ କାହାରିକୁ ଜାଣି ନାହିଁ କି ଚିହ୍ନି ନାହିଁ । କିନ୍ତୁ ଏହା ପରେ ମଧ୍ୟ ମୁଁ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଓଡ଼ିଶାକୁ ବାଛିଥିଲି । ବୋଧ ହୁଏ ଏହା ଭଗବାନଙ୍କ ଇଚ୍ଛା ହିଁ ଥିଲା," କହିଛନ୍ତି ଶୁଭାସିନୀ ମୁନିଆସାମୀ।

ଗତ ବର୍ଷ ଜୁନ ୨୮ ତାରିଖ ଦିନ ଆଠଗଡ ସାପୁଆ ନଦୀ କୂଳରେ କେହି ସଦ୍ୟଜାତ ଶିଶୁ କନ୍ୟାଟିକୁ ପରିତ୍ୟକ୍ତ ଓ ଅତି ଅସହାୟ ଅବସ୍ଥାରେ ଚାଡ଼ି ଯାଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଏହି ଶିଶୁ କନ୍ୟାକୁ ସିଡବ୍ଲୁସି ଉଦ୍ଧାର କରିବା ସହ ସେବା ଜନ୍ମ ପାଇଁ ଶିଶୁ କନ୍ୟାଟିକୁ  ଚୌଦ୍ଵାରରେ ଥିବା ସର୍ଭାଣ୍ଟ ଅଫ୍ ଇଣ୍ଡିଆ ସୋସାଇଟିକୁ ହସ୍ତାନ୍ତର କରିଥିଲା। କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସଂଶୋଧନ ସଂସ୍ଥା (କାରା) ଜରିଆରେ ଶୁଭାସିନୀ  ମୁନିଆସାମୀ ଓ ସେରଭାରାନ ଥାଙ୍ଗାଭେଲ ଏହି ଶିଶୁ କନ୍ୟାଟି ବାବଦରେ ଜାଣିବାକୁ ପାଇଥିଲେ ।

ଗୁରୁବାର ଦିନ କଟକ ଜିଲ୍ଲାପାଳଙ୍କ କୋର୍ଟରେ ଆଇନଗତ ଭାବେ ଏହି ହସ୍ତାନ୍ତର କାର୍ଯ୍ୟ ହୋଇଥିଲା ।
କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସଂଶାଧନ ସଂସ୍ଥା (କାରା) ଆଇନ ଅନୁଯାୟୀ ଅନାଥ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥାଏ । ପୋଷ୍ୟ ଭାବେ ଗ୍ରହଣ କରୁଥିବା ପିତା ମାତା ସେମାନଙ୍କ ସନ୍ତାନର ଯତ୍ନ ସୁରୁକ୍ଷା ପ୍ରତି ଦୃଷ୍ଟି ଦେଉଛନ୍ତି ବା ନାହିଁ ତାହା ନିୟମିତ ବ୍ୟବଧାନରେ ଯାଞ୍ଚ ମଧ୍ୟ କରାଯାଇଥାଏ ।
Published by:Soumya Das
First published: