News 18 Odia Digital
ପୁରୀ; ବୀର ହରେକୃଷ୍ଣପୁର ଗ୍ରାମଠାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜୟୀ ରାଜଗୁରୁ ସ୍ମୃତି ପରିଷଦ ଓ ଶ୍ରୀ ଗୋପିନାଥ ଦେବସ୍ଥାନ ସମିତି ପକ୍ଷରୁ ଶହୀଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । ଶହୀଦ ଜୟୀ ରାଜଗୁରୁ ଚିର ଅମର । ତାଙ୍କ ବିରତ୍ୱ, ସାହସ ଓ ଦେଶପ୍ରେମ ଯୁଗ ଯୁଗ ପାଇଁ ମାନବ ସମାଜକୁ ପ୍ରେରଣା ଦେଇ ଚାଲିଥିବ । ଜୟୀ ରାଜଗୁରୁ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଭାବେ ଯେଉଁ ତ୍ୟାଗ ଓ ବଳିଦାନ ଦେଇଛନ୍ତି ତାହା ଅନନ୍ୟ ଓ ଅବିସ୍ମରଣୀୟ । ତାଙ୍କ କାର୍ଯ୍ୟଧାରା ଓ ଆଦର୍ଶକୁ ଅଧିକ ପ୍ରଚାର, ପ୍ରସାର କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଛନ୍ତି।

ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ କହିଛନ୍ତି ଯେ, ୧୭୩୯ ମସିହା ଅଁଳା ନବମୀ ତିଥିରେ ଜନ୍ମ ହୋଇ ୧୮୦୬ ଆଜିର ଦିବସରେ ଶହୀଦ ହୋଇଥିବା ଜୟୀ ରାଜଗୁରୁଙ୍କ ଦେଶପ୍ରୀତି ଅତୁଳନୀୟ । ବର୍ତ୍ତମାନ ଓ ଭବିଷ୍ୟତର ପିଢି ତାଙ୍କ ଆଦର୍ଶ ଓ ଦେଶସେବାରେ ଅନୁପ୍ରାଣିତ ହେବାକୁ ଉଚିତ ।
"ଶ୍ରୀ ଗୋପିନାଥ ଦେବସ୍ଥାନ ସମିତିର ସଭାପତି ପ୍ରଣବାନନ୍ଦ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜୟୀ ରାଜଗୁରୁ ସ୍ମୃତି ପରିଷଦର ସଂପାଦକ ଡଃ ଜଟାଧାରୀ ମିଶ୍ର , ସରପଞ୍ଚ ପ୍ରତିନିଧି ଉଲ୍ଲାସ ଚନ୍ଦ୍ର ଜେନା, ପ୍ରକାଶ ଚନ୍ଦ୍ର ରଥ, ରବିନାରାୟଣ ମିଶ୍ର, ସମିତି ସଭ୍ୟ ଅଜୟ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

ଜୟୀ ରାଜଗୁରୁଙ୍କ ସମ୍ପର୍କରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ପୁସ୍ତକ ପାଇକ ରେବିଲିଅନ ୧୮୦୪ କୁ ଜଟାଧାରୀ ମିଶ୍ର ଅତିଥିମାନଙ୍କୁ ଉପହାର ଦେଇଥିଲେ। ପୂର୍ବରୁ ବୀର ହରେକୃଷ୍ଣପୁର ବଜାର ସ୍ଥିତ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ଗ୍ରାମ ନିକଟସ୍ଥ ଲୋକନାଥ ମନ୍ଦିର ପୁଷ୍କରିଣୀଠାରେ ସାମୁହିକ ତିଳତର୍ପଣ କରାଯାଇଥିଲା। ଏହି ଅବସରରେ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ। ସଂଧ୍ୟାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବୀର ହରେକୃଷ୍ଣପୁର ବଜାର ଠାରେ ପାଲା ପରିବେଷଣ ଓ ଗ୍ରାମରେ ଗ୍ରାମବାସୀଙ୍କ ସହଯୋଗରେ ଭଜନ ପରିବେଷଣ କରାଯାଇଥିଲା।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।