ବାଲେଶ୍ବରର ଟ୍ରି ମ୍ୟାନ୍; ୮୨ ବର୍ଷ ବୟସରେ ବି ପ୍ରତି ଦିନ ଲଗାଉଛନ୍ତି ଗୋଟିଏ ଲେଖାଏଁ ଗଛ
ବାଲେଶ୍ୱର ଜିଲ୍ଲା ମୁନିସିପାଲଟି ସ୍ଥିତ ମାକଲପୁରରେ ରହନ୍ତି ସଦାଶିବ ବେହେରା । ବୟସ ୮୨ ବର୍ଷ ହେଲାଣି ହେଲେ ତାଙ୍କର ଆଶ୍ଚର୍ଯ୍ୟ ବୃକ୍ଷ ପ୍ରେମ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି ।
8୨ ବର୍ଷ ବୟସରେ ସଦାଶିବ ପ୍ରତି ଦିନ ଲଗାଉଛନ୍ତି ଗୋଟିଏ ଲେଖାଏଁ ଗଛ
- News18 Odia
- Last Updated: September 1, 2021, 5:42 PM IST
ବାଲେଶ୍ବର: ୮୨ ବର୍ଷୀୟ ସଦାଶିବ ବେହେରା ବାଲେଶ୍ବର ମାକଲପୁର ଅଞ୍ଚଳର ବାସିନ୍ଦା । ତାଙ୍କର ନିଶା ହେଉଛି ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ଗଛ ଲଗାଇବା । ବୟସ ଆଗରେ ହାର ମାନି ନାହାନ୍ତି ସେ ଏବେ ବି ପ୍ରାପ୍ତ ବୟସରେ ଗଛ ଲଗାଉଛନ୍ତି ଆଉ ସମସ୍ତଙ୍କୁ ଗଛ ଲଗାଇବାକୁ ନିବେଦନ ମଧ୍ୟ କରୁଛନ୍ତି ।
ତାଙ୍କ ଅନୁଯାୟୀ, ଅମ୍ଳଜାନ ପାଇଁ ଗଛ ଆବଶ୍ୟକ । ବର୍ତ୍ତମାନର ପ୍ରଦୂଷିତ ବାୟୁମଣ୍ଡଳରେ ବଞ୍ଚିବାକୁ ମଣିଷ ଖୋଜୁଛି ସୁସ୍ଥ ପରିବେଶ ଓ ଶ୍ବାସକ୍ରିୟା ପାଇଁ ବିଶୁଦ୍ଧ ଵାୟୁ । ହେଲେ ଏହା ମିଳିବା କଷ୍ଟ ଏହାର ମୁଖ୍ୟ କାରଣ ହେଉଛି ମଣିଷ ନିଜର ସ୍ୱାର୍ଥ ପାଇଁ ଗଛ କାଟି ଚାଲିଛି। ବଡ଼ ବଡ଼ କୋଠା ମୁଣ୍ଡ ଟେକିବା ପାଇଁ ବଡ଼ ବଡ଼ ଗଛର ମୁଣ୍ଡ କାଟ ହେଉଛି । ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ପ୍ରତି ଦିନ ଗୋଟିଏ ଗଛ ଲଗାଇବାର ଆବଶ୍ୟକ ଅଛି ।
ସଦାଶିବ ବେହେରା ଜଣେ ଏପରି ମଣିଷଙ୍କ କାହାଣୀ ଯାହାଙ୍କର ଗଛ ପ୍ରେମ ନିଶ୍ଚୟ ଅନ୍ୟଙ୍କ ପାଇଁ ପ୍ରେରଣା ଉତ୍ସ ପାଲଟିଛି । ବାଲେଶ୍ୱର ଜିଲ୍ଲା ମୁନିସିପାଲଟି ସ୍ଥିତ ମାକଲପୁରରେ ରହନ୍ତି ସଦାଶିବ ବେହେରା । ବୟସ ୮୨ ବର୍ଷ ହେଲାଣି ହେଲେ ତାଙ୍କର ଆଶ୍ଚର୍ଯ୍ୟ ବୃକ୍ଷ ପ୍ରେମ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି ।

୮୨ ବର୍ଷୀୟ ସଦାଶିବ ବେହେରାଙ୍କ ଗଛ ପ୍ରେମ
ସ୍କୁଲରେ ପାଠ ପଢ଼ିବା ସମୟରୁ ଗଛ ଲଗାଇବା ଆରମ୍ଭ କରିଦେଇ ଥିଲେ ସଦାଶିବ । ଏହା ପରେ ପ୍ରତ୍ୟେକ ଦିନ ଗଛ ଲଗାଇ ଆସୁଛନ୍ତି । ବାଡ଼ିରେ ବଡ଼ ବଡ଼ ଆମ୍ଭ, ପଣସ ଗଛ ସହିତ ବିଭିନ୍ନ ଔଷଧିୟ ବୃକ୍ଷ, ମସଲା ଜାତୀୟ ଗଛର ମଧ୍ୟ ବଗିଚା ସୃଷ୍ଟି କରିଛନ୍ତି । ଲବଙ୍ଗ, ଗୁଜୁରାତି, ଡାଲଚିନି ସେହିପରି ଧଳା ଚମ୍ପା, ମଧୁମାଲତୀ, ସେବତୀ, ଗଙ୍ଗ ଶିଉଳୀ, ହେନା ଆଦି ଫୁଲ ଓ ବିଭିନ୍ନ ଫଳ ଗଛ ଲଗାଇଛନ୍ତି ସେ । ନିଜ ବାଡ଼ିରେ ଗଛ ଲଗାଇବା ସହିତ ବିଭିନ୍ନ ମନ୍ଦିର ଓ ମଠରେ ମଧ୍ୟ ଗଛ ଲଗାନ୍ତି ଓ ସମସ୍ତଙ୍କୁ ଗଛ ଲଗାଇବା ପାଇଁ ବୁଝାନ୍ତି ମଧ୍ୟ ସଦାଶିବ ।
ସଦାଶିବଙ୍କ ଝିଅ ସଂଯୁକ୍ତା ବେହେରା କହିଛନ୍ତି, "ବାପା ପ୍ରତ୍ୟକ ଦିନ ଗଛ ଆଣିବାକୁ ଚାଲି ଚାଲି ଯାଇ କଚେରୀ ନିକଟରେ ଥିବା ଗଛ ବିକ୍ରି ଦୋକାନରୁ ଗୋଟିଏ ଗଛ ଆଣନ୍ତି ଆଉ ତାକୁ ବାଡ଼ିରେ ଲଗାଇ ଦିଅନ୍ତି । ବାଡ଼ିରେ ବହୁତ ଗଛ ହୋଇ ଯିବାରୁ ପୂରା ଜଙ୍ଗଲ ଭଳି ହୋଇଗଲାଣି ହେଲେ ଗୋଟିଏ ବି ଗଛ ସେ କାଟନ୍ତି ନାହିଁ । କେବଳ ଗଛ ଲଗାଇବା ନୁହେଁ ପଶୁ ପକ୍ଷୀଙ୍କ ଯତ୍ନ ନେବା ମଧ୍ୟ ବାପାଙ୍କର ଆଗ୍ରହ ।’’
ସ୍କୁଲରେ ପାଠ ପଡ଼ିଲା ବେଳୁ ସଦାଶିବଙ୍କ ମଧ୍ୟରେ ଗଛ ଲଗାଇବା ଓ ଏହାର ଯତ୍ନ ନେବା ଦେଖିବାକୁ ମିଳିଥିଲା। ଏହା ପରେ ଲଗାଇ ଚାଲିଥିଲେ ଗୋଟିଏ ପରେ ଗୋଟିଏ ଗଛ । ପଢ଼ା ପରେ ଡିଆଇସି ଅଫିସରେ କ୍ଲର୍କ ଭାବରେ ସେ ନିଯୁକ୍ତି ଡ୍ୟୁଟି ସାଙ୍ଗକୁ ପ୍ରତ୍ୟକ ଦିନ ଲଗାଇ ଚାଲିଲେ ଗଛ । ୨୧ ବର୍ଷ ପୂର୍ବେ ଅବସର ଗ୍ରହଣ କରିବା ପରେ ମଧ୍ୟ ସେ ଘରେ ବସି ନାହାନ୍ତି ଗଛ ଲଗାଇ ଚାଲିଛନ୍ତି।

ପ୍ରତି ଦିନ ଗଛ ଲଗାଇବାକୁ ଭଲ ପାଆନ୍ତି ସଦାଶିବ ବେହେରା
ଏବେ ବୟସ ୮୨ ବର୍ଷ ହେଲାଣି ଏବେ ପ୍ରତ୍ୟେକ ଦିନ ଗଛ ଲଗାଇବା କଷ୍ଟ କିନ୍ତୁ ସପ୍ତାହକୁ ଗୋଟିଏ ଦୁଇଟି ଗଛ ଲଗାଉଛନ୍ତି ସେ । ସେଥି ପାଇଁ ଚାଲି ଚାଲି ବଜାର ଯାଇ ଗଛ କିଣିଆଣି ବାଡ଼ିରେ ଲଗାଇଥାନ୍ତି । ନିୟମିତ ଯତ୍ନ ମଧ୍ୟ ନିଅନ୍ତି । ସଦାଶିବଙ୍କ ଏହି ଗଛ ପ୍ରତି ଭଲ ପାଇବା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି ।
ତାଙ୍କ ପଡୋଶୀ ରଘୁନାଥ ମହାନ୍ତି କହିଛନ୍ତି, ‘‘ସଦାଶିବ ବାବୁ ଜଣେ ଭଲ ମଣିଷ । ତାଙ୍କ ଭଳି ମଣିଷ ସମାଜରେ ମିଳିବା କଷ୍ଟକର । ସବୁ ଲୋକଙ୍କ ସହିତ ତାଙ୍କର ସମ୍ପର୍କ ଭଲ ଆଉ ଗଛ ପ୍ରତି ତାଙ୍କର ବେଶ ଦୁର୍ବଳତା । ଗଛ ଲଗାଇବା ଆଉ ପାଖରେ ଯେଉଁ ଲୋକଙ୍କୁ ପାଇବେ ସେମାନଙ୍କୁ ଗଛର ଉପକରିତା ସମ୍ପର୍କରେ ବୁଝାଇବା ନିତିଦିନିଆ କାର୍ଯ୍ୟ ତାଙ୍କର।"
ବୟସର ଏହି ପାହାଚରେ ସଦାଶିବ ହାର ନ ମାନି ପରିବେଶକୁ ସୁରକ୍ଷା ଦେବା ଚିନ୍ତା ଓ ତାଙ୍କ ଗଛ ପ୍ରେମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ।






