ଗିରଫ ହେଲେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ

ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଗ ଜୋନ-୧ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଟଙ୍କା ଦେଖି ସାରା ଓଡ଼ିଶା ଆଶ୍ଚର୍ଯ୍ୟ ହୋଇଯାଇଛି । ପ୍ରାୟ ୧ ଲକ୍ଷ ଟଙ୍କା ଦରମା ପାଉଥିବା ଅଧୀକ୍ଷଣ ଯନ୍ତ୍ରୀ ଏତେ ବିପୁଳ ସମ୍ପତ୍ତିର ମାଲିକ କେମିତି ହେଲେ ତାହା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି।

ଗିରଫ ହେଲେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ

ଗିରଫ ହେଲେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ

  • Share this:
News18 Odia Digital

କଟକ: ଶେଷରେ ଗିରଫ ହେଲେ ଅମାପ ସମ୍ପତ୍ତିର ମାଲିକ ବନିଥିବା ମାଲକାନାଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ । ୧୦ ଲକ୍ଷ ୨୪ ହଜାର ଟଙ୍କା ନଗଦ ସହ ଧରା ପଡ଼ିଥିବା ଆଶିଷ ଦାସଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ପରେ ତାଙ୍କ ପାଖରୁ ରେକର୍ଡ ପରିମାଣର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ।

ପାଞ୍ଚ ଦିନ ଧରି ଚାଲିଥିବା ଏହି ଚଢ଼ାଉରୁ ନିର୍ବାହୀ ଯନ୍ତ୍ରୀଙ୍କ ପାଖରୁ ବିଭିନ୍ନ ପର୍ଯ୍ୟାୟରେ ମୋଟ ୧ କୋଟି ୩୯ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଛି। କୌଣସି ଜଣେ ବ୍ୟକ୍ତିଙ୍କ ପାଖରୁ ଏତେ ଟଙ୍କା ଜବତ ହେବା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା। ଏହା ବ୍ୟତୀତ ୪ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ବିମା, ଅଢ଼େଇ କେଜି ଓଜନର ସୁନା। ଯେଉଁଥିରେ କି ଅଧିକାଶଂ ସୁନା ମୁଦ୍ରା ଓ ସୁନା ବିସ୍କୁଟ ସ୍ବରୂପରେ ମିଳିଛି। ଜବତ ହୋଇଥିବା ଏହି ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ।

ଭିଜିଲାନ୍ସ ବିଭାଗ ପକ୍ଷରୁ ନ୍ୟୁଜ୧୮ ଡିଜିଟାକୁ ମିଳିଥିବା ସୂଚନା ମୁତାବକ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ ଅନୈତିକ ରୂପରେ ଅର୍ଜନ କରୁଥିବା ଅର୍ଥର ସିଂହଭାଗ ଅଂଶରେ ସୁନା କିଣୁଥିଲେ। ଯେଉଁଥିରେ କି ବିଭିନ୍ନ ଓଜନର ସୁନା ଅଳଙ୍କାର ସହିତ ସୁନା ବିସ୍କୁଟ ଓ ସୁନା ମୁଦ୍ରା ସାମିଲ ଥିଲା। ବଡ଼ କଥା ଏହାକି ଯେ ମାକାନଗିରିରେ ଚାକିରି କରୁଥିବା ଆଶିଷ ଜବତ ହୋଇଥିବା ସମସ୍ତ ସୁନା ବିସ୍କୁଟ ଓ ସୁନା କଏନକୁ କଟକ ସ୍ଥିତ ଖିମଜି ଜ୍ବେଲରୀରୁ ବିଭିନ୍ନ ସମୟରେ କିଣିଛନ୍ତି। ପ୍ରତିଥର ନଗଦ ଦେଇ ଏହାକୁ କିଣିଛନ୍ତି।

୧୯୯୦ ମସିହାରୁ ଚାକିରି ଆରମ୍ଭ କରିଥିବା ଆଶିଷ ଦାସ ଏକ ଲମ୍ବା ସମୟ ଧରି ଦୁର୍ନୀତିରେ ଲିପ୍ତ ଥିଲେ। ନିଜର ଚାକିରି କାର୍ଯ୍ୟକାଳ ମଧ୍ୟରେ ସେ ଯେଉଁ ଯେଉଁ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି ସେଠାରେ ଦୁର୍ନୀତି କରିଛନ୍ତି। ପୂର୍ବରୁ ଦୁର୍ନୀତି ଉପର୍ଜିତ ଅର୍ଥକୁ ସେ ବ୍ୟାଙ୍କ ଓ ବିମା ଆକାରରେ ଜମା କରି ଆସୁଥିଲେ। କିନ୍ତୁ ଏହି ଅର୍ଥ ଅଧିକ ହେଲେ ଧରା ପଡ଼ିବାର ଭୟ ଯୋଗୁଁ ସେ ସେହି ଟଙ୍କାରେ ସୁନା କିଣିବା ଆରମ୍ଭ କରିଥିଲେ।

ଭିଜିଲାନ୍ସ ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ, "୨୦୧୭ରୁ ରାୟଗଡ଼ା ଜିଲ୍ଲାରେ ପୋଷ୍ଟିଂ ସମୟରୁ ହିଁ ସେ ସୁନା ପ୍ରେମରେ ପଡ଼ିଥିଲେ। ୨୦୧୯ରେ ମାଲକାନାଗିରି ଜିଲ୍ଲାକୁ ବଦଳି ହୋଇ ଆସିବା ପରେ ମଧ୍ୟ ସେ ନିଜର ଦୁର୍ନୀତି ଗତ ଅର୍ଥକୁ ସେ ସମ୍ପତ୍ତି କିଣିବା କ୍ଷେତ୍ରରେ ବିନିଯୋଗ ନ କରି କିଛି ନଗଦ ଆକାରରେ ଠୁଳ କରୁଥିଲେ ଓ ବାକି ଟଙ୍କାରେ ସୁନା କିଣୁଥିଲେ।’’

ଗତ ୨୫ ତାରିଖ ଦିନ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ ୧୦ ଲକ୍ଷ ୨୪ ହଜାର ନଗଦ ଟଙ୍କାକୁ ଦୁଇଟି ବ୍ୟାଗରେ ଭର୍ତ୍ତି କରି ସେଗୁଡ଼ିକୁ ଡିପୋଜିଟ କରିବା ପାଇଁ ମାଲକାନଗିରି ଠାରେ ଥିବା ଡିସିବି ବ୍ୟାଙ୍କ ଯାଇଥିଲେ। ବ୍ୟାଙ୍କ ମ୍ୟାନେଜରଙ୍କ ଚାମ୍ବରକୁ ଯାଇ ବ୍ୟାଗରୁ ଟଙ୍କା ବାହାର କରୁଥିବା ସମୟରେ ତାଙ୍କୁ ଧରିଥିଲା ଭିଜିଲାନ୍ସ।

ଏହା ପରେ ଆରମ୍ଭ ହୋଇଥିଲା ଭିଜିଲାନ୍ସ ଇତିହାସର ସବୁ ଠାରୁ ଲମ୍ବା ସମୟ ଧରି ଚାଲିଥିବା ଚଢ଼ାଉ। ପ୍ରଥମ ଦିନ ମାଲକାନାଗିରି ଠାରେ ଥିବା ତାଙ୍କର ସରକାରୀ ବାସଭବନ ସହିତ କାର୍ଯ୍ୟାଳୟ ଓ ସୁକିନ୍ଦା ଦେମାଦେଇପୁର ଠାରେ ଥିବା ପୈତୃକ ଘର ଉପରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ। ପରେ କଟକ ତ୍ରିଶୁଳିଆ ଠାରେ ପତ୍ନୀଙ୍କ ନାଁରେ ୩୨ ଲକ୍ଷ ଟଙ୍କା ଦେଇ ସେ କିଣି ଥିବା ତାଙ୍କର ଏକ ଫ୍ଲାଟରେ ମଧ୍ୟ ଛାନବିନ କରାଯାଇଥିଲା।

ଏହି ଚଢ଼ାଉ ସମୟରେ ଆଶିଷ ଦାସ ଓ ତାଙ୍କ ପରିବାର ଲୋକଙ୍କ ସମେତ ତାଙ୍କୁ ଦୁର୍ନୀତିରେ ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିବା କିଛି ଲୋକଙ୍କର ମୋଟ ୧୨ଟି ଆକାଉଣ୍ଟ ଥିବା ଜଣା ପଡ଼ିଥିଲା। ସେମାନଙ୍କ ଖାତାରେ ୪ କୋଟି ଟଙ୍କାର ଟଙ୍କା ଜମା ଥିବା ଜଣା ପଡ଼ିବା ସହ ଭୁବନେଶ୍ବର ନିଳାଦ୍ରୀ ବିହାର ଠାରେ ଥିବା ବ୍ୟାଙ୍କ ଅଫ ବରୋଦା, ଗୁଣପୁର ଠାରେ ଥିବା ଆକ୍ସିସ୍ ବ୍ୟାଙ୍କ ଓ କେନ୍ଦୁଝର ଠାରେ ଥିବା ଏସ.ବି.ଆଇ.ରେ ତିନୋଟି ଲକର ବାବଦରେ ମଧ୍ୟ ଜଣା ପଡ଼ିଥିଲା।

ସୋମବାର ଦିନ ଭୁବନେଶ୍ବର ନିଳାଦ୍ରୀ ବିହାର ଠାରେ ଥିବା ବ୍ୟାଙ୍କ ଅଫ ବରୋଦା ଲକରରୁ ୮୯୯ ଗ୍ରାମର ସୁନା ମିଳିଥିବା ବେଳେ ଗୁଣପୁର ଠାରେ ଥିବା ଆକ୍ସିସ୍ ବ୍ୟାଙ୍କ ଲକରୁ ୩୮୩ ଗ୍ରାମର ସୁନା ମିଳିଥିଲା। ତେବେ କେନ୍ଦୁଝର ଠାରେ ଥିବା ଏସ.ବି.ଆଇ.ର ଲକରକୁ ଆଜି ଖୋଲିବ ଭିଜିଲାନ୍ସ। ପୂର୍ବ ଦୁଇଟି ଲକର ଭଳି କେନ୍ଦୁଝର ଠାରେ ଥିବା ଏସ.ବି.ଆଇ.ରେ ଲକରରୁ ମଧ୍ୟ ବିପୁଳ ପରିମାଣର ସୁନା ମିଳିବ ବୋଲି ଅନୁମାନ କରୁଛି ଭିଜିଲାନ୍ସ।

ତେବେ ଏପର୍ଯ୍ୟନ୍ତ ଆଶିଷ ଦାସଙ୍କ ପାଖରୁ ପ୍ରାୟ ୬ କୋଟି ଟଙ୍କା ସମ୍ପତ୍ତି ଠାବ ହୋଇ ସାରିଥିବା ବେଳେ ଆହୁରି ସମ୍ପତ୍ତି ଠାବ ହେବାର ଆଶଙ୍କା ଥିବାରୁ ତାଙ୍କର ମୋଟ ସମ୍ପତ୍ତିର ଆକଳନ ଏପର୍ଯ୍ୟନ୍ତ କରାଯାଇ ପରିନାହିଁ। ଏହା ୧୦ କୋଟିକୁ ପାର କରି ଯାଇ ପାରେ ବୋଲି ଅନୁମାନ କରୁଛି ଭିଜିଲାନ୍ସ ବିଭାଗ।
Published by:Lipina Das
First published: