News 18 Odia Digital
କଟକ; ଦୁଇ ଋଷିୟ ପର୍ଯ୍ୟଟକ ଭ୍ଲାଦମିର ବିଦାନୋଭ ଓ ପାବେଲ ଆଣ୍ଟୋଭଙ୍କ ମୃତ୍ୟୁକୁ ନେଇ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଏହି କ୍ରମରେ ବିଦାନୋଭ ଓ ପାବେଲ ଆଣ୍ଟୋଭଙ୍କ ସହଯାତ୍ରୀ ତଥା ଋଷିୟ ଦମ୍ପତି ପାନ ସେଙ୍କୋ ଓ ଟୁରଭୋ ଏବଂ ସେମାନଙ୍କ ଟୁର ଗାଇଡ ଜିତେନ୍ଦ୍ର ସିଂଙ୍କୁ ନିଜ ହେପାଜତକୁ ନେଇ ଜେରା ଜାରି ରଖିଛି କ୍ରାଇମବ୍ରାଞ୍ଚ ।
ପାନ ସେଙ୍କୋ, ଟୁରଭୋ ଓ ସେମାନଙ୍କ ଟୁର ଗାଇଡ ଜିତେନ୍ଦ୍ର ସିଂଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଡାକି ଗୁରୁବାର ତୃତୀୟ ଦିନ ମଧ୍ୟ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ । କିନ୍ତୁ ପାନ ସେଙ୍କୋ ଓ ଟୁରଭୋ ଋଷିୟାନ ବ୍ୟତୀତ ଅନ୍ୟ କୌଣସି ଭାଷା ବୁଝି ପାରୁନଥିବା ଏବଂ କହି ପାରୁନଥିବାରୁ ଚିନ୍ତାରେ ପଡ଼ିଛନ୍ତି ତଦନ୍ତକାରୀ ଅଧିକାରୀ । କ୍ରାଇମବ୍ରାଞ୍ଚ ଟୁର ଗାଇଡ ଜିତେନ୍ଦ୍ର ସିଂଙ୍କୁ ଅନୁବାଦ ଭାବେ ବ୍ୟବହାର କରୁଥିଲେ ମଧ୍ୟ ଜିତେନ୍ଦ୍ର ଏହି ମାମଲାର ଅନ୍ୟତମ ପକ୍ଷ ରହୁଥିବାରୁ ତାଙ୍କ ଉପରେ ମଧ୍ୟ ସମ୍ପୂର୍ଣ୍ଣ ଭରଷା କରି ପାରୁନାହିଁ କ୍ରାଇମବ୍ରାଞ୍ଚ ଟିମ । ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କିଛି ଆଇପିଏସ ଅଧିକାରୀଙ୍କ ଜରିଆରେ ଋଷୀୟନ ଜାଣିଥିବା ଏବଂ ଓଡ଼ିଶାରେ ରହୁଥିବା ବ୍ୟକ୍ତିଙ୍କୁ ସନ୍ଧାନ କାର୍ଯ୍ୟରେ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ନିୟୋଜିତ କରିଛି ।
ବିଶେଷ କରି ପାବେଲ ଆଣ୍ଟୋଭଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଟିମ ରାୟଗଡ଼ା ପୋଲିସ ଦ୍ୱାରା ସଂଗୃହିତ ପ୍ରମାଣ ଓ ତଥ୍ୟ ଗୁଡ଼ିକୁ ଅନୁଧ୍ୟାନ କରିବା କାର୍ଯ୍ୟ ଆରମ୍ଭ କରିଛି । ତେବେ ପାବେଲ ଆଣ୍ଟୋଭଙ୍କ ଭିସେରା ସଂଗୃହିତ ହୋଇନଥିବା କଥାକୁ ସହଜରେ ଗ୍ରହଣ କରି ପାରୁନାହିଁ ତଦନ୍ତାକରୀ ସଂସ୍ଥା । ଏହି ମାମଲାରେ ଭିସେରା ପରୀକ୍ଷା ରିପୋର୍ଟର ଆବଶ୍ୟକତା ରହିଛି ଏବଂ ସମୟ ଆସିଲେ ଏନେଇ ପୋଷ୍ଟମଟମ କରିଥିବା ଡାକ୍ତରଙ୍କ ସହ ଯୋଗାଯୋଗ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ସେହିପରି ପାବେଲ ଆଣ୍ଟୋଭଙ୍କ ମୃତ୍ୟୁ ପଛରେ କୌଣସି ବିଦେଶୀ ଶକ୍ତିର ହାତ ଥିବା ନେଇ ସୃଷ୍ଟି ହେଉଥିବା ସନ୍ଦେହ ଉପରେ ମଧ୍ୟ ତଦନ୍ତ କରାଯାଉଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଏପରିକି ଜେରା ସମ୍ମୁଖିନ ହେଉଥିବା ଦୁଇ ଋଷିୟ ଦମ୍ପତ୍ତିଙ୍କୁ ମଧ୍ୟ ସନ୍ଦେହ ଚକ୍ଷୁରେ କ୍ରାଇମବ୍ରାଞ୍ଚ ଦେଖୁଛି । ସେଥିପାଇଁ ତଦନ୍ତ ବା ଜେରା ଶେଷ ନ ହେବା ପର୍ଯ୍ୟନ୍ତ ପାନ ସେଙ୍କୋ ଓ ଟୁରଭୋଙ୍କୁ ଦେଶ ଛାଡ଼ି ନଯିବା ଲାଗି ମଧ୍ୟ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇଛି । ଏମିତି କି ଉଭୟଙ୍କୁ କ୍ରାଇମବ୍ରାଞ୍ଚ ନିଜ ଭୁବନେଶ୍ୱର ସ୍ଥିତ ଶାଖା କାର୍ଯ୍ୟାଳୟରେ ରଖିଛି । ପ୍ରତିଦିନ କଡା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ଭୁବନେଶ୍ୱରରୁ କଟକ ଆଣି ଜେରା ପରେ ତାଙ୍କୁ ପୁଣି ଥରେ ଭୁବନେଶ୍ୱର ଫେରାଇ ନେଉଛି । ଉଭୟ ଭାରତର ଅତିଥି ହୋଇଥିବାରୁ ସେମାନେ ଯେମିତି କୌଣସି ସମସ୍ୟାର ସମ୍ମୁଖିନ ନ ହୁଅନ୍ତି ସେଥି ପ୍ରତିମଧ୍ୟ ବିଷେଶ ଧ୍ୟାନ ଦିଆଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।