ବଡ଼ଦାଣ୍ଡରେ ବିଦେଶୀ ‘ଭିକାରୀ’: ବିଦେଶୀ ବାଦ୍ୟ ସହ ରକ୍ ବ୍ୟାଣ୍ଡ୍ ଶୈଳୀରେ ଭଜନ ଗାଇ ଦାନ ମାଗୁଛନ୍ତି

ଶ୍ରୀକୃଷ୍ଣଙ୍କ ଭକ୍ତି ପରମ୍ପରାକୁ ବିଶ୍ୱବ୍ୟାପୀ ପ୍ରଚ଼ାର-ପ୍ରସାର କରୁଥିବା ଅନ୍ତର୍ଜାତୀୟ ସଙ୍ଗଠନ ଇସ୍କନରେ ୨୨ ବର୍ଷ ତଳେ ଯୋଗ ଦେଇଥିବା ଋଷୀୟ ନାଗରିକ ରଶେଲ ଦୁଇ ମାସ ହେବ ଭାରତ ଆସିଛନ୍ତି । ପୁରୀ ଆସିବା ପରେ ସପ୍ତାହେ ହେବ ଶ୍ରୀମନ୍ଦିର ପାଖରେ ବସି ଭଜନ ଗାଇ ଦାନ ମାଗୁଛନ୍ତି । ତାଙ୍କୁ ଶୁଣିବା ପାଇଁ ଭକ୍ତଙ୍କ ବେଶ୍ ଭିଡ଼ ଜମୁଛି ।

ବଡ଼ଦାଣ୍ଡରେ ବିଦେଶୀ ‘ଭିକାରୀ’: ବିଦେଶୀ ବାଦ୍ୟ ସହ ରକ୍ ବ୍ୟାଣ୍ଡ୍ ଶୈଳୀରେ ଭଜନ ଗାଇ ଦାନ ମାଗୁଛନ୍ତି
ଶ୍ରୀମନ୍ଦିର ନିକଟରେ ଭଜନ ଗାଉଥିବା ଋଷୀୟ ନାଗରିକ ରଶେଲ
  • News18 Odia
  • Last Updated: January 26, 2020, 7:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭକ୍ତିରେ ବିହ୍ୱଳ ହୋଇ ସୁଦୂର ଋଷିଆରୁ ଶ୍ରୀକ୍ଷେତ୍ର ପୁରୀ ଆସିଛନ୍ତି ସେ । ବଡ଼ଦାଣ୍ଡରେ ରକ୍‌ ବ୍ୟାଣ୍ଡ୍‌ ଶୈଳୀରେ ନିଜେ ବାଜା ବଜେଇ ଗାଉଛନ୍ତି ‘ହରେ କୃଷ୍ଣ ହରେ ରାମ’ ଧୁନ୍‌ ଓ କିଛି ଭଜନ । ତା’ ସହ ଦାନ ମାଗୁଛନ୍ତି ଇସ୍କନ ସଂସ୍ଥା ପାଇଁ ।

ଶ୍ରୀମନ୍ଦିର ନିକଟରେ ଏମାର ମଠ ଚ଼କଡା ପଟେ ପ୍ରତି ସଂନ୍ଧ୍ୟାରେ ରକ୍‌ ବ୍ୟାଣ୍ଡ୍‌ ଶୈଳୀରେ ଭଜନ ଗାଉଥିବା ରଶେଲଙ୍କୁ ଶୁଣିବା ପାଇଁ ବେଶ୍‌ ଭିଡ଼ ଜମୁଛି । ମନ୍ଦିରକୁ ଆସୁଥିବା ଭକ୍ତମାନେ ମନ୍ତ୍ରମୁଗ୍ଧ ହୋଇ ତାଙ୍କୁ ଶୁଣୁଛନ୍ତି ଓ ତାଙ୍କ ଗାୟନ-ବାଦନର ଭିଡିଓ ନିଜ ମୋବାଇଲ୍‌ ଫୋନ୍‌ କ୍ୟାମେରାରେ ବନେଇ ନେଇଯାଉଛନ୍ତି । ଆଉ ଯିବା ପୂର୍ବରୁ ରଶେଲଙ୍କ ଦାନ ପାତ୍ରରେ ଦେଇଯାଉଛନ୍ତି କିଛି ଟଙ୍କା ।

ଶ୍ରୀକୃଷ୍ଣଙ୍କ ଭକ୍ତି ପରମ୍ପରାକୁ ବିଶ୍ୱବ୍ୟାପୀ ପ୍ରଚ଼ାର-ପ୍ରସାର କରୁଥିବା ଅନ୍ତର୍ଜାତୀୟ ସଙ୍ଗଠନ ଇସ୍କନ (ISKCON) ରେ ୨୨ ବର୍ଷ ତଳେ ଯୋଗ ଦେଇଥିବା ରଶେଲ ଦୁଇ ମାସ ହେବ ଭାରତ ଆସିଛନ୍ତି । ପୁରୀ ଆସିବା ପରେ ସପ୍ତାହେ ହେବ ଶ୍ରୀମନ୍ଦିର ପାଖରେ ବସି ଭଜନ ଗାଇ ଦାନ ମାଗୁଛନ୍ତି ।

‘‘ପିଲା ବେଳୁ ମୋ’ର ରକ୍‌ ବ୍ୟାଣ୍ଡ୍‌ ପ୍ରତି ଦୁର୍ବଳତା ଥିଲା । ମୁଁ ସଙ୍ଗୀତ ଶିଖୁଥିଲି । ଏଠି ପୁରୀରେ ମୋ’ ନିଜକୁ ଓ ମୋ’ ସଙ୍ଗୀତକୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ କରି କୃଷ୍ଣଙ୍କ ଉଦ୍ଧେଶ୍ୟରେ ଭିକ୍ଷା ମାଗୁଛି । ଦାନ ବାକ୍ସ ପାଖରେ ଜଗନ୍ନାଥଙ୍କର ଫଟୋ ବି ରଖିଛି,’’ କହିଛନ୍ତି ରଶେଲ, ଯିଏ ଇସ୍କନରେ ଯୋଗ ଦେବା ପରେ ନିଜ ନାଆଁ ରଶେଲ ରାମଦାସ ବୋଲି ଲେଖୁଛନ୍ତି ।

ଭଜନ ଗାଇବାରେ ଲୀନ ରଶେଲ


ରଶେଲଙ୍କ ପରି ତାଙ୍କ ମାଆ-ବାପା ବି ଇସ୍କନରେ ଯୋଗଦେଇ ଶ୍ରୀକୃଷ୍ଣ ଭକ୍ତ ହୋଇଛନ୍ତି । ସେମାନେ ନିଜକୁ ମିଚେଲ ରାମଦାସ ଓ ସାରପୋଭା ରାମଦାସ ବୋଲି ନାମିତ କରିଛନ୍ତି ।

‘‘ଏଇ ମହାନ ଭଗବାନଙ୍କ ମନ୍ଦିର ସାମନାରେ ଏମିତି ଗୀତ ଗାଇ ଦାନ ମାଗିବାରେ ମୋତେ ବେଶ୍‌ ମାନସିକ ଶାନ୍ତି ମିଳୁଛି,’’ କହିଛନ୍ତି ସର୍ବଦା ହସହସ ମୁହଁର ଋଷୀୟ ନାଗରିକ ରଶେଲ ରାମଦାସ ।

ମହାରାଷ୍ଟ୍ରର ପୁଣେରୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବା ସୁଶୀଲ ଜୈନ ରଶେଲଙ୍କ ଭକ୍ତିଭରା ଗାୟନ ଶୁଣି ବିମୋହିତ ହୋଇଥିଲେ । ‘‘ମୁଁ ଦେଶର ଅନେକ ଧର୍ମ ସ୍ଥଳୀକୁ ଯାଇଛି । ଶ୍ରୀକ୍ଷେତ୍ର ପୁରୀ ସବୁଠୁ ସୁନ୍ଦର ଲାଗୁଛି । ବେଢ଼ା ପରିକ୍ରମା ବେଳେ ଏଭଳି ଜଣେ ବିଦେଶୀ ଭକ୍ତ ‘ହରେ କୃଷ୍ଣ ହରେ ରାମ’ ବୋଲିବା ଶୁଣି ମୁଁ ଖୁବ୍‌ ଆନନ୍ଦିତ ଓ ଚକିତ । ପ୍ରଭୁ ଜଗନ୍ନାଥ କେତେବଳେ କାହାକୁ କିଭଳି ଭାବେ ନିଜ ପାଖକୁ ଟାଣିଆଣୁଛନ୍ତି!’’ କହିଛନ୍ତି ଜୈନ ।

‘‘ବିଦେଶୀମାନେ ବି ଜଗନ୍ନାଥଙ୍କ ପ୍ରତି ଏତେ ଭକ୍ତିଭାବ ରଖୁଥିବା ଓ ଭାରତୀୟ ପରମ୍ପରାକୁ ଭଲପାଉଥିବା ଦେଖି ଭାରି ଖୁସି ଲାଗୁଛି,’’ କହିଛନ୍ତି ଜୈନଙ୍କ ପରି ଜଗତସିଂହପୁରରୁ ପୁରୀ ଆସିଥିବା ଭକ୍ତ ଇତିଶ୍ରୀ ଦାଶ । ସେ ରଶେଲଙ୍କ ଗାୟନ-ବାଦନକୁ କିଛି ସମୟ ଧରି ଆଗ୍ରହରେ ଶୁଣିଥିଲେ ।

ରଶେଲ ଓଡ଼ିଆ କହି ବା ବୁଝି ପାରନ୍ତି ନାହିଁ । ସେ ଭଙ୍ଗା ଭଙ୍ଗା ହିନ୍ଦୀ କହନ୍ତି ଓ ନିଜ କଥା ମୁଖ୍ୟତଃ ଇଂରାଜୀ ଓ ରଶିୟାନରେ କହନ୍ତି । ‘‘ଆଇ ୱାଣ୍ଟ୍‌ ଟୁ ଲର୍ଣ୍ଣ ଓଡ଼ିଆ,’’ (ମୁଁ ଓଡ଼ିଆ ଶିଖିବାକୁ ଚ଼ାହୁଁଛି) କହିଛନ୍ତି ରଶେଲ । ତାଙ୍କ କଥାରେ ନିଷ୍ଠା ଥିବା ପରି ଲାଗୁଛି । ଅର୍ଥାତ ଓଡ଼ିଆ ଭାଷା ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ନିଶ୍ଚୟ ରହିଛି ।
First published: January 26, 2020, 7:21 PM IST