ବାଲେଶ୍ବରରେ ହେବ ଟଙ୍କା ତିଆରି ପାଇଁ କାଗଜ ପ୍ରସ୍ତୁତ କାରଖାନା; ଜମି ସମୀକ୍ଷା କଲା RBI ଟିମ

ସମ୍ପୃକ୍ତ ଅଞ୍ଚଳର ରାଜସ୍ୱ ନିରୀକ୍ଷକ ଉପସ୍ଥିତ ରହି ଜମି ଚିହ୍ନଟରେ ସହଯୋଗ କରିଥିବା ବେଳେ ନୋଟ ଛାପା କାରଖାନା ହେଲେ ଉକ୍ତ ସ୍ଥାନକୁ ଗମନାଗମନ ବ୍ୟବସ୍ଥା, ମାର୍କେଟ୍, ବିଦ୍ୟୁତ ସୁବିଧା ଭଳି କ୍ଷେତ୍ରରେ ଉନ୍ନତି ହେବ।

ବାଲେଶ୍ବରରେ ହେବ ଟଙ୍କା ତିଆରି ପାଇଁ କାଗଜ ପ୍ରସ୍ତୁତ କାରଖାନା

ବାଲେଶ୍ବରରେ ହେବ ଟଙ୍କା ତିଆରି ପାଇଁ କାଗଜ ପ୍ରସ୍ତୁତ କାରଖାନା

  • Share this:
News18 Odia Digital

ବାଲେଶ୍ବର: ବାଲେଶ୍ୱରରେ ହେବ ଭାରତୀୟ ଟଙ୍କା ତିଆରି ପାଇଁ କାଗଜ ପ୍ରସ୍ତୁତ କାରଖାନା। ଏଥିପାଇଁ ବାଲେଶ୍ୱରରେ RBIର ତିନି ଜଣିଆ ଟିମ ପରିଦର୍ଶନ କରିଛନ୍ତି। ସେପଟେ ଜିଲ୍ଲାରେ ଶିଳ୍ପ ବୃଦ୍ଧି ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ସ୍ଥାନ ବୁଲିଲେ ଇଡକୋର ଟିମ।

ବାଲେଶ୍ବର ଜିଲ୍ଲାରେ ଟଙ୍କା ଛାପା ଯାଉଥିବା କାଗଜ ପ୍ରସ୍ତୁତ କାରଖାନା ପ୍ରତିଷ୍ଠା ନେଇ ଆଜି କ୍ଷେତ୍ର ପ୍ରଦର୍ଶନ କରିଛି ଏହି ଟିମ୍। ରେମୁଣା ବ୍ଲକର ପଦାବଡ଼ଗାଁ ଠାରେ ଥିବା ସରକାରୀ ଜମିକୁ ଚିହ୍ନଟ କରିବା ସହିତ ଯୋଗାଯୋଗର ସୁବିଧାକୁ ଯାଞ୍ଚ କରିଛନ୍ତି।
ଜିଲ୍ଲା ବିନିଯୋଗ ପ୍ରୋତ୍ସାହନ ପ୍ରାଧିକରଣ (DIPA) ତରଫରୁ ଆରମ୍ଭ କରାଯାଇଥିବା ଏହି ପ୍ରୋଜେକ୍ଟ ନେଇ ଜମି ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। ଆରବିଆଇ ଟିମ୍ ସହିତ ଜିଲ୍ଲାପାଳ ଡି. ଭି. ସିନ୍ଧେ, ଇଡକୋର ଅଧିକାରୀମାନେ ସାମିଲ ହୋଇଥିଲେ। ତେବେ ଏହାପରେ ରିଜର୍ଭ ବ୍ୟାଙ୍କର ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନ ସହିତ ରେମୁଣା ବାଉଁଶମୁହାଁ ଓ ନରହରିପୁର ଆଦି ସ୍ଥାନ ବୁଲି ଦେଖିଛନ୍ତି।

ରେମୁଣା ତହସିଲ ଅଞ୍ଚଳରେ ଥିବା ସରକାରୀ ଜାଗାରେ ପ୍ରକଳ୍ପ ହେବା ନେଇ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଜାଗା ବୁଲି ଦେଖିଛନ୍ତି। ଏହି ପ୍ରକଳ୍ପ ପାଇଁ ଦୁଇଟି ସ୍ଥାନର ପ୍ରାୟ ଶହେ ଏକର ଜମି ଆବଶ୍ୟକ ରହିଛି। ପ୍ରତିନିଧି ଦଳ ଉପଯୁକ୍ତ ସ୍ଥାନ ମନୋନୟନ କରିବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ଟଙ୍କା ଛପା ପାଇଁ ଆବଶ୍ୟକ ହେଉଥିବା କାଗଜ ପ୍ରିଣ୍ଟ ପ୍ରକଳ୍ପ ପାଇଁ ଏହି ପ୍ରତିନିଧି ଦଳ ଗସ୍ତ କରିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଜିଲ୍ଲାପାଳ ଡି. ଭି. ସିନ୍ଧେଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଓ ରେମୁଣା ତହସିଲଦାର, ବାଲେଶ୍ଵର ଓ ଭୁବନେଶ୍ୱରର ଇଡକୋ ଅଧିକାରୀ ଉପସ୍ଥିତ ଥିଲେ। ରିଜର୍ଭ ବ୍ୟାଙ୍କ ପ୍ରତିନିଧି ଦଳଙ୍କୁ ସବୁ ସ୍ଥାନ ବୁଲି ଦେଖାଇଥିଲେ।

ସେପଟେ କେବଳ ଟଙ୍କା ଛପା ପାଇଁ କାଗଜ ବ୍ୟତୀତ ଶିଳ୍ପନୁଷ୍ଠାନଙ୍କୁ ଆଣିବାକୁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି।

ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନେଇ ବାଟ ଖୋଲିବାକୁ ଇଡକୋର ଟିମ ସହିତ ଜିଲ୍ଲା ପ୍ରଶାସନ ସରକାରୀ ଜମି ଚିହ୍ନଟ ସହିତ ଜିଲ୍ଲାରେ ଏକ ଲ୍ୟାଣ୍ଡ ବ୍ୟାଙ୍କ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛି ବୋଲି ଜିଲ୍ଲାପାଳ ଡି. ଭି. ସିନ୍ଧେ କହିଛନ୍ତି।

ତେବେ ସମ୍ପୃକ୍ତ ଅଞ୍ଚଳର ରାଜସ୍ୱ ନିରୀକ୍ଷକ ଉପସ୍ଥିତ ରହି ଜମି ଚିହ୍ନଟରେ ସହଯୋଗ କରିଥିବା ବେଳେ ନୋଟ ଛାପା କାରଖାନା ହେଲେ ଉକ୍ତ ସ୍ଥାନକୁ ଗମନାଗମନ ବ୍ୟବସ୍ଥା, ମାର୍କେଟ୍, ବିଦ୍ୟୁତ ସୁବିଧା ଭଳି କ୍ଷେତ୍ରରେ ଉନ୍ନତି ଘଟିବ। ଜାତୀୟ ସ୍ତରର ଏହି ବୃହତ ପ୍ରକଳ୍ପ ପାଇଁ ବାଲେଶ୍ଵର ଜିଲ୍ଲା ଉତ୍କୃଷ୍ଟ ସ୍ଥାନ ବୋଲି ରିଜର୍ଭ ବ୍ୟାଙ୍କର ପ୍ରତିନିଧିମାନେ ସ୍ଥିର କରୁଥିବା ଜଣାପଡୁ ଥିବା ବେଳେ ଏହାଦ୍ବାରା ସ୍ଥାନୀୟ ଲୋକଙ୍କ ଆର୍ଥିକ ଉନ୍ନତି ଘଟିବ ବୋଲି ଲୋକେ କହିଛନ୍ତି।

ଅମିତ ନନ୍ଦ, ସ୍ଥାନୀୟ ବାସିନ୍ଦା କହିଛନ୍ତି ଆମ ଅଞ୍ଚଳରେ ଶିଳ୍ପ ଟିଏ ହେଲେ ଏଠାରେ ସାମଗ୍ରିକ ବିକାଶ ହେବ। ମୁଖ୍ୟତଃ ସ୍ଥାନୀୟ ଲୋକ ରୋଜଗାର ପାଇବା ସହିତ ରାସ୍ତାଘାଟର ଉନ୍ନତି ହେବ ଏଣୁ ଏହାକୁ ଆମେ ସ୍ୱାଗତ କରୁଛୁ।

ଶିଳ୍ପନୁଷ୍ଠାନ ହେଲେ କେବଳ ରେମୁଣା ନୁଁହେ ସମଗ୍ର ଜିଲ୍ଲାର ଲୋକଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଲାଭ ହେବ। ସେହିପରି ଟଙ୍କା ପାଇଁ କାଗଜ ପ୍ରସ୍ତୁତି ବାଲେଶ୍ୱରରେ ହେଲେ ସାରା ଦେଶରେ ବାଲେଶ୍ୱର ଏକ ଜାତୀୟ ପ୍ରକଳ୍ପ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିପାରିବ।
Published by:Lipina Das
First published: