ପୁରୀରୁ ଜବତ ହେଲା ୩କୋଟିର ବ୍ରାଉନସୁଗାର; ୩ ଗିରଫ

ଏକ କାରରୁ ୩ କେଜି ଅର୍ଥାତ ତିନି କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ପୁରୀ ପୁଲିସର ସ୍ୱତନ୍ତ୍ର ସ୍ପେଶାଲ ଟାସ୍କ ଫୋର୍ସ। ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

୩ ଅଭିଯୁକ୍ତ

୩ ଅଭିଯୁକ୍ତ

  • Share this:
News18 Odia Digital

ପୁରୀ: ପୁଣି ଆନ୍ତଃରାଜ୍ୟ ବ୍ରାଉନସୁଗାର ରାକେଟକୁ ଧରିବାରେ ସଫଳ ହୋଇଛି ପୁରୀ ପୋଲିସ । ଏକ କାରରୁ ୩ କେଜି ଅର୍ଥାତ ତିନି କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ପୁରୀ ପୁଲିସର ସ୍ୱତନ୍ତ୍ର ସ୍ପେଶାଲ ଟାସ୍କ ଫୋର୍ସ ବା ଏସଟିଏଫ ଟିମ। ଚଳିତ ବର୍ଷ ଏଯାବତ ୪ କିଲୋ ୮ଶହ ଗ୍ରାମ ଅର୍ଥାତ ୪ କୋଟି ୮ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଥିବା ବେଳେ ୩୩ ଜଣ ଗିରଫ ହୋଇଛନ୍ତି ।

"ଗତ ପାଞ୍ଚ ଦିନ ହେବ ପୁରୀ ପୋଲିସ ଓ ଏସଟିଏଫ ଟିମ୍ ଅଭିଯୁକ୍ତମାନଙ୍କ ଉପରେ କଡା ନଜର ରଖିଥିବା ବେଳେ ଶନିବାର  ସକାଳୁ ଏହି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ଅଭିଯୁକ୍ତମାନେ ବ୍ରାଉନ ସୁଗାର ବ୍ୟବସାୟ ପାଇଁ ପୁରୀ ଆସୁଥିବା ବେଳେ ମଙ୍ଗଳାଘାଟ ଛକଠାରେ ପୋଲିସ ଏମାନଙ୍କୁ ଧରିଥିଲା। ପୋଲିସ ୩ କେଜି ୧୯୨ ଗ୍ରାମର ବ୍ରାଉନ ସୁଗାର, ୨୦ ହଜାର ନଗଦ ଟଙ୍କା, ଚାରୋଟି ମୋବାଇଲ ଫୋନ, ଗୋଟିଏ ଟଙ୍କା ଗଣତି ମେସିନ୍, ଗୋଟିଏ କାର୍‌ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନଙ୍କୁ ତିନିଦିନିଆ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସିଟି ଡିଏସପିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି,"ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସପି ଡଃ କନୱର ବିଶାଳ ସିଂ।

ଘଟଣାରେ ମୁଖ୍ୟ କିଙ୍ଗପିନ ଲଣ୍ଡା ଓରଫ ସୁଶାନ୍ତ ପଟ୍ଟନାୟକ,ରାଜୁ ଓରଫ ରାଜକିଶୋର ସାହୁ,ଗୁଣ୍ଠ ଓରଫ ମାନସ ସାହୁ ୩ଜଣଙ୍କୁ ଗିରଫ କରାଯାଇଛି ।ସେମାନେ କଣାସ ଥାନା କେଶପୁର ଅଞ୍ଚଳର ବୋଲି ଜଣାପଡ଼ିଛି,"କହିଛନ୍ତି ଅତିରିକ୍ତ ଏସପି ମିହିର ପଣ୍ଡା।

ଆନ୍ତର୍ଜାତୀୟ ପର୍ଯ୍ୟଟନ ସହର ପୁରୀରେ ନିଶା କାରବାର ରୋକିବା ପାଇଁ ପୁରୀ ପୁଲିସ ପକ୍ଷରୁ ଜାରୀ ହୋଇଛି ହେଲ୍ପ ଲାଇନ ନମ୍ବର 7735848867 । ବ୍ରାଉନସୁଗାର ବେପାରୀଙ୍କ ବିଷୟରେ ଖବର ଦେଉଥିବା ସୁଚନା ଦାତାଙ୍କୁ ପୁଲିସ ପକ୍ଷରୁ ପୁରସ୍କୃତ କରାଯାଉଥିବାରୁ ଆଗାମୀ ଦିନରେ ନିଶା କାରବାର ଉପରେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ  ।
Published by:Soumya Das
First published: