ଏମ୍ସରେ ଓଡ଼ିଆ ଭାଷାକୁ ନେଇ ଚ଼ାଲିଥିବା ବିବାଦ ଶେଷ ହେଲା, କିନ୍ତୁ ଆରମ୍ଭ ହୋଇଥିଲା କାହିଁକି?

‘‘ଏମ୍ସରେ ସବୁ ସାଇନବୋର୍ଡ଼ରେ ଓଡ଼ିଆ ଅଛି । ଆମ ଡ଼ାକ୍ତରମାନେ ବି ରୋଗୀଙ୍କ ସହିତ ଓଡ଼ିଆରେ କଥା ହେଉଛନ୍ତି… ନର୍ସିଂ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପ୍ରଥମ ବର୍ଷର ପାଠ୍ୟକ୍ରମରେ ଏଠି ଓଡ଼ିଆ ପଢାଯାଉଛି,’’ ଇଂରାଜୀରେ କହିଛନ୍ତି ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶିକା ଗୀତାଞ୍ଜଳୀ ବଟମାନାବାଣେ ।

ଏମ୍ସରେ ଓଡ଼ିଆ ଭାଷାକୁ ନେଇ ଚ଼ାଲିଥିବା ବିବାଦ ଶେଷ ହେଲା, କିନ୍ତୁ ଆରମ୍ଭ ହୋଇଥିଲା କାହିଁକି?
ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶିକା ଗୀତାଞ୍ଜଳୀ ବଟମାନାବାଣେ
  • News18 Odia
  • Last Updated: February 23, 2020, 10:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧୀନୀରେ ଥିବା ଏମ୍ସ (AIIMS) ହସ୍ପିଟାଲରେ କେବଳ ହିନ୍ଦି ଭାଷା ବ୍ୟବହାର ହେବା ନେଇ ଉପୁଜିଥିବା ବିବାଦରେ ଏକ ପ୍ରକାର ପୂର୍ଣ୍ଣଛେଦ ଲାଗିଛି ସିନା, ଏମିତି ନିର୍ଦେଶନାମା କେମିତି ଓ କାହିଁକି ଆସିଲା ସେ ବିଷୟରେ ସୃଷ୍ଟି ହୋଇଛି କୌତୁହଳ ଓ ସନ୍ଦେହ ।

ଏମ୍ସରେ ସବୁ ଲେଖାପଢ଼ା କାର୍ଯ୍ୟ ହିନ୍ଦୀରେ ହେବ ବୋଲି କର୍ମଚ଼ାରୀମାନଙ୍କ ପାଖକୁ ଆସିଥିଲା ଏକ ଆଭ୍ୟନ୍ତରୀଣ ଚ଼ିଠି, ଯାହାକୁ ନେଇ ଦେଖାଦେଇଥିଲା ତୀବ୍ର ପ୍ରତିକ୍ରିୟା । କର୍ତ୍ତୃପକ୍ଷଙ୍କ ଏଭଳି ହିନ୍ଦୀ ପ୍ରୀତିକୁ ବିରୋଧ କରିବା ସହ ଶାସକ ବିଜେଡି ଏମ୍ସ କର୍ତ୍ତୃପକ୍ଷଙ୍କୁ ଦେଇଥିଲା ଏକ ସ୍ମାରକ ପତ୍ର । ଏମ୍‌ସ ଘଟଣା ବାବଦରେ ଆଲୋଚନା କରି କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗକୁ ମଧ୍ୟ ସ୍ମାରକପତ୍ର ଦେଇଥିଲା ବିଜେଡିର ଏକ ପ୍ରତିନିଧି ଦଳ । ସଂସଦୀୟ ଦଳ ନେତା ପିନାକି ମିଶ୍ରଙ୍କ ନେତୃତ୍ବରେ ଏମ୍‌ସ ନିର୍ଦ୍ଦେଶକଙ୍କୁ ମଧ୍ୟ ଏକ ସ୍ମାରକପତ୍ର ଦେଉଥିଲା ଏହି ନଅଜଣିଆ ଟିମ୍‌ ।

ଏମ୍ସ କର୍ତ୍ତୃପକ୍ଷଙ୍କ କହିବା କଥା ହେଉଛି ଯେ ଅଫିସିଆଲ୍ ଭାଷା ଆଇନ୍‌ ଅନୁସାରେ ହିନ୍ଦୀ ଭାଷାର ବ୍ୟବହାର ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଯେଉଁମାନେ ହିନ୍ଦୀ ଭାଷା ଜାଣିଛନ୍ତି, ସେମାନେ ହିନ୍ଦୀ ବ୍ୟବହାର କରିବେ ।

‘‘ଏମ୍ସରେ ଓଡ଼ିଆ ବ୍ୟବହାର ହେଉଛି । ଆମର ଏଠି ସବୁ ସାଇନବୋର୍ଡ଼ରେ ଓଡ଼ିଆ ଅଛି । ଆମ ଡ଼ାକ୍ତରମାନେ ବି ରୋଗୀଙ୍କ ସହିତ ଓଡ଼ିଆରେ କଥା ହେଉଛନ୍ତି । ବିଭିନ୍ନ ସ୍ଥାନରେ ପ୍ରାଥମିକ ଭାବରେ ଓଡ଼ିଆ ଭାଷା, ତା’ ପରେ ଇଂରାଜୀ ଓ ତା’ପରେ ହିନ୍ଦୀ ବ୍ୟବହାର କରାଯିବ । ନର୍ସିଂ ଓ ଡାକ୍ତରୀ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପ୍ରଥମ ବର୍ଷର ପାଠ୍ୟକ୍ରମରେ ଏଠି ଓଡ଼ିଆ ପଢାଯାଉଛି । ତେଣୁ ଓଡ଼ିଆ ଭାଷା ବ୍ୟବହାର ନେଇ କୌଣସି ଅସୁବିଧା ନାହିଁ,’’ ଇଂରାଜୀରେ କହିଛନ୍ତି ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶିକା ଗୀତାଞ୍ଜଳୀ ବଟମାନାବାଣେ ।

ଭୁବନେଶ୍ୱରରେ ଥିବା ଏମ୍ସ ହସ୍ପିଟାଲ


ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ ପ୍ରତିନିଧି ଦଳ ଆସି ଏମ୍ସ କର୍ତ୍ତୃପକ୍ଷଙ୍କୁ ବୁଝାଇ କହିଲା ଓ ଓଡ଼ିଶାର ସବୁ ସ୍ଥାନରେ ଓଡ଼ିଆ ଭାଷାର ଆବଶ୍ୟକତା ବିଷୟରେ ବିବରଣୀ ଦେଲା ।

‘‘ତାଙ୍କୁ (ଏମ୍ସ) ଆମେ ସତର୍କ କରେଇଲୁ ଯେ ଓଡ଼ିଆକୁ ସବୁବେଳେ ପ୍ରାଧାନ୍ୟ ଦିଆଯିବା ଉଚ଼ିତ୍‌ ବୋଲି । ଖାଲି ଏମ୍ସରେ ନୁହେଁ, ଯେତେ କେନ୍ଦ୍ର ସରକାରଙ୍କ ସଂସ୍ଥାନ ଓଡ଼ିଶାରେ ଅଛି, ସବୁଠି ଏହା ସୁନିଶ୍ଚିତ କରିବା ଉଚ଼ିତ । ଏଥି ପାଇଁ ଏଇଟା ଗୋଟେ ଆଗୁଆ ନୋଟିସ୍‌ ପରି କାମ କରିବ,’’ କହିଛନ୍ତି ମିଶ୍ର ।

ବିଜେଡିର ପ୍ରତିନିଧି ଦଳରେ ଲୋକସଭା ସାଂସଦ ଅନୁଭବ ମହାନ୍ତି, ସସ୍ମିତା ସେଠୀ ଓ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ସରୋଜିନୀ ହେମ୍ବ୍ରମ୍ ଙ୍କ ସହ ଭୁବନେଶ୍ବରର ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ ।

ଭାଷାବିଦମାନଙ୍କ ମତରେ କଣ୍ଟେଣ୍ଟ, ଡ୍ରାଫ୍ଟ ଓ ନୋଟିସ ଏ ସବୁ ହିନ୍ଦୀରେ ଲେଖାଯାଇପାରିବ, ହେଲେ ଲେଟରହେଡ, ନାମଫଳକ ଓ ପ୍ରମାଣପତ୍ରରେ ସ୍ଥାନୀୟ ଭାଷାକୁ ପ୍ରାଧାନ୍ୟ ନ ଦେଲେ ଅସୁବିଧା ।

‘‘ତ୍ରିଭାଷୀ ସୂତ୍ର ଅନୁସାରେ କେନ୍ଦ୍ରୀୟ ସଂସ୍ଥା ଥିବା ରାଜ୍ୟରେ ସଂସ୍ଥାର ଫଳକ ସବୁ ଉଭୟ ସଂପୃକ୍ତ ରାଜ୍ୟର ଭାଷା ଓ ରାଷ୍ଟ୍ରଭାଷାରେ ଲେଖାଯିବା କଥା । ହେଲେ ଉଭୟ ଅଫିସିଆଲ ଲାଙ୍ଗୁଏଜ୍‌ ଆକ୍ଟ ଠିକଣା ଢଙ୍ଗରେ ପାଳନ ହେଉନି । ଭାଷା ନୀତି କାଯ୍ୟକାରୀ କରାଯାଉନଥିବାରୁ ଏଭଳି ଅସୁବିଧା ହେଉଛି,’’ କହିଛନ୍ତି ପଦ୍ମଶ୍ରୀ ବିଜେତା ପ୍ରଖ୍ୟାତ ଭାଷାବିଦ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ ।
First published: February 23, 2020, 10:28 PM IST