ରାଜ୍ୟ କଂଗ୍ରେସର ବାଉନସର୍ ବିବାଦ: ମାମଲା ଗଲା ଥାନାକୁ, ଟାର୍ଗେଟରେ ନିରଞ୍ଜନ ଓ ପୁଅ ନବଜ୍ୟୋତି

ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ କଂଗ୍ରେସ ଭବନରେ ବାଉନସର୍ ପ୍ରବେଶ କରାଇ ଗୁଣ୍ଡାଗିରିକୁ ପ୍ରଶୟ ଦେଇଥିବା ନିଜ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଇତିଶ ପ୍ରଧାନ ।

ରାଜ୍ୟ କଂଗ୍ରେସର ବାଉନସର୍ ବିବାଦ: ମାମଲା ଗଲା ଥାନାକୁ, ଟାର୍ଗେଟରେ ନିରଞ୍ଜନ ଓ ପୁଅ ନବଜ୍ୟୋତି
କଂଗ୍ରେସ ଭବନରେ ବାଉନ୍‌ସର୍‌ଙ୍କ ପ୍ରବେଶ ଯୋଗୁଁ ଅନେକ ନେତା ହତପ୍ରଭ ।
  • News18 Odia
  • Last Updated: January 20, 2020, 11:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କଂଗ୍ରେସ ଭବନରେ ବାଉନସର୍ ପ୍ରବେଶ କରିବା ଘଟଣା ଏବେ ରୋଚକ ମୋଡ ନେଇଛି । ଏ ନେଇ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଇତିଶ ପ୍ରଧାନ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ କଂଗ୍ରେସ ଭବନରେ ବାଉନସର୍ ପ୍ରବେଶ କରାଇ ଗୁଣ୍ଡାଗିରିକୁ ପ୍ରଶୟ ଦେଇଥିବା ନିଜ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଇତିଶ ।

ଇତିଶ ପ୍ରଧାନ ଏଫଆଇଆର ଦେବା ପରେ ପିସିସି ସଭାପତି ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ପାଇଁ ଅଡୁଆ ବଢିଛି । ବାଉନସର୍ କିଏ ଓ କାହିଁକି ଆଣିଥିଲା କଂଗ୍ରେସ ଭବନ? ସେ କାହିଁକି ନବଜ୍ୟୋତିଙ୍କୁ ସୁରକ୍ଷା ଦେଉଥିଲା? ଏ ନେଇ ରାଜନୖତିକ ମହଲରେ ପ୍ରଶ୍ନ ଉଠିବା ସହ କିଛି କଂଗ୍ରେସ ନେତା ମଧ୍ୟ ଏ ଘଟଣାକୁ ନିନ୍ଦା କରିଛନ୍ତି । କଂଗ୍ରେସ ଭବନରେ ଯେତେବେଳେ ବାଉନସର୍ ଛାଉଣୀ କରାଗଲା ଓ ଅଭିଯୋଗ ଆସିଲା, ନିରଞ୍ଜନ ପଟ୍ଟନାୟକ କାହିଁକି ତଦନ୍ତ କରୁନାହାନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ଅଭିଯୋଗ ଆଣିବା ପରେ ଆଜି ଇତିଶ ଟାର୍ଗେଟ କରିଛନ୍ତି ପଟ୍ଟନାୟକ ପିତା-ପୁତ୍ରଙ୍କୁ ।

‘‘କଂଗ୍ରେସ ଭବନରେ ଗୁଣ୍ଡାଙ୍କୁ ପ୍ରବେଶ କରାଇଛନ୍ତି ନବଜ୍ୟୋତି ଓ ଅନ୍ୟମାନେ ଯେଉଁମାନେ ମୋତେ ବନ୍ଧୁକ ଦେଖାଇବା ସହ ମାରିଦେବାକୁ ଧମକ ଦେଇଥିଲେ । ମୋ ଜୀବନ ପ୍ରତି ବିପଦ ଥିବାରୁ ମୁ ପୋଲିସ ପାଖରେ ଅଭିଯୋଗ କରିଛି । ତିନି ଦିନ ସମୟ ଦେଇଛି ପୋଲିସକୁ । ଯଦି ଏହାରି ଭିତରେ ପ୍ରକୃତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହୁଏ, ତେବେ ପୋଲିସ ଡିଜିଙ୍କ ଅଫିସ ଘେରାଉ କରାଯିବ,’’ କହିଛନ୍ତି ଇତିଶ ପ୍ରଧାନ ।

ଏ ନେଇ ନିରଞ୍ଜନ ପଟ୍ଟନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ‘‘ଇତିଶଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ତାଙ୍କର ପିଲାଳିଆମି ଏବେ ବି ଯାଇନି । ରାଜନୀତିରେ ସେ ପରିପକ୍ବ ହୋଇନଥିବାରୁ ସେ ବାଚଳାମୀ କରୁଛନ୍ତି,’’ କହିଛନ୍ତି ନିରଞ୍ଜନ ।

ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ଦୁଇଦିନିଆ ଓଡିଶା ଗସ୍ତରେ ଆସି ୧୭ ତାରିଖ ଶୁକ୍ରବାର ଦିନ ଉପକୂଳ ନେତାଙ୍କ ସହ କଂଗ୍ରେସ ଭବନରେ ଏକ ବୈଠକରର ଆୟୋଜନ କରିଥିଲା । ସେଥିରେ ସାମିଲ ହୋଇଥିଲେ ବହୁ ନେତା ଓ କର୍ମୀ । ଭୁବନେଶ୍ବର, କଟକ, ଖୋର୍ଦ୍ଦା ଓ ପୁରୀ ଜିଲାର ନେତାମାନେ ନିର୍ବାଚନ ପରାଜୟର କାରଣ ପ୍ରଭାରୀଙ୍କୁ କହିବା ସହ କ’ଣ କଲେ ସଂଗଠନ ସୁଦୃଢ ହେବ ସେ ନେଇ ଆଲୋଚନା କରିଥିଲେ ।

ଯେହେତୁ ଭବନେଶ୍ବର ଉତ୍ତରରୁ ବିଧାୟକ ପ୍ରାର୍ଥୀ ଭାବରେ ଇତିଶ ଲଢିଥିଲେ, ସେଥିପାଇଁ ସେ ପ୍ରଭାରୀ ଡାକିଥିବା ସମୀକ୍ଷା ବୈଠକକୁ ଯାଇଥିଲେ । ହେଲେ ଦଳୀୟ ବିଶୃଙ୍ଖଳାକୁ ନେଇ ଇତିଶଙ୍କୁ ନିଲମ୍ବିତ କରାଯାଇଥିବାରୁ ତାଙ୍କୁ ଜିତେନ୍ଦ୍ର ସିଂଙ୍କୁ ଭେଟିବାର ସୁଯୋଗ ଦିଆଯାଇ ନ ଥିଲା । କଂଗ୍ରେସ ଭବନ ମୁଖ୍ୟ ଫାଟକ ଆଗରେ କିଛି କଂଗ୍ରେସ କର୍ମୀଙ୍କ ସହ ଇତିଶଙ୍କର ପାଟିତୁଣ୍ଡ ବି ହୋଇଥିଲା । ଯାହାଫଳରେ ଇତିଶ ନିଜ ସମର୍ଥକଙ୍କ ସହ କଂଗ୍ରେସ ଭବନ ଗେଟ ବାହାରେ ଧାରଣାରେ ବସିଥିଲେ ।

ପରିସ୍ଥିତି ଏଭଳି ହୋଇଥିଲା କଂଗ୍ରେସ ଭବନ ଆରୋପ ପ୍ରତ୍ୟାରୋପ ଭିତରେ ବାଉନସର୍ ଛାଉଣୀରେ ପରିଣତ ହୋଇଥିଲା । ରାଜ୍ୟରେ କଂଗ୍ରେସ ୨୦ ବର୍ଷ ହେବ କ୍ଷମତାରେ ନ ଥିବା ବେଳେ ଏହି ଘଟଣା ଅନେକ କଂଗ୍ରେସ କର୍ମୀ ଓ ନେତାଙ୍କୁ ହତପ୍ରଭ କରିଥିଲା। ଏବେ ଏଫ୍‌ଆଇଆର୍‌ ହେବା ପରେ ଦଳର କନ୍ଦଳ ଆହୁରି ତୀବ୍ର ହେବା ଅନୁମାନ କରାଯାଉଛି ।
First published: January 20, 2020, 11:54 PM IST